Latest Odisha News

କବିତା : ମୋ ଗୁରୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ

ଚିର ବନ୍ଦନୀୟ ଚିର ପୂଜନୀୟ
ଚିର ନମସ୍ୟ ଯେ ଗୁରୁ,
ଚିର ଭାସ୍ବର ସେ ଚିର ଅମଳିନ
ଚିରକାଳ ପାଇଁ ସ୍ମରୁ ।

ବିରଳ ବ୍ୟକ୍ତିତ୍ବ ସବୁ ଗୁରୁ ମୋର
ଗାଉଅଛି ଯଶ ଗାଥା,
ଗୁଣଗାରିମାର ଅମୂଲ୍ୟ ପସରା
ସ୍ନେହବୋଳା ତାଙ୍କ କଥା ।

ଶିକ୍ଷାର ଅମ୍ଳାନ ଜ୍ୟୋତି ସାଜି ତୁମେ
ଦେଇଛ ଦିଗଦର୍ଶନ,
ଅକୁଣ୍ଠ ଚିତ୍ତରେ ମହାନତା ପଣେ
ବିତରିଛ କେତେ ଜ୍ଞାନ ।

ପ୍ରଜ୍ଞା ପ୍ରଦୀପ ଜାଳିଅଛ ମନେ
କରିଛ ତମସା ଦୂର,
ପୂଜ୍ୟ ପୂଜାର ଉପାସକ ତୁମେ
ଶତକୋଟି ପ୍ରଣାମର ।

ପୁତ୍ରତୁଲ୍ୟ ସଦା ସ୍ନେହ ବାଣ୍ଟୁଥିଲ
ଭରିଥିଲା ବତ୍ସଳତା ,
ଅଫୁରନ୍ତ ପ୍ରେମେ ବାନ୍ଧି ଦେଉଥିଲେ
ମନେ ଅଛି କିତା କିତା ।

ଗଢିଛନ୍ତି ପରା କେତେ ଧର୍ମପଦ
ଗଢିଛନ୍ତି ଏକଲବ୍ୟ,
କି ଦେଇ ଶୁଝିବି ଗୁରୁଦକ୍ଷିଣା ମୁଁ
ଅଟନ୍ତି ସେ ତ ବରେଣ୍ୟ ।

ଆଭୂମ ପ୍ରଣାମ କରୁଅଛି ମୁହିଁ
ଗୁରୁଦିବସରେ ଆଜି,
ଆଶିଷ ଅଜାଡି ଦେଉଥାନ୍ତୁ ସଦା
ଆଲୋକ ବର୍ତ୍ତିକା ସାଜି ।

ସାଳନ୍ଦୀ ବାଇପାସ୍, ଭଦ୍ରକ

Leave A Reply

Your email address will not be published.