ସୁଷମା ପରିଜା
କାହିଁକି ଯିବି ମୁଁ ଗୋପ, ବୃନ୍ଦାବନ
ଦ୍ୱାରକା ,ମଥୁରା ଅବା ଶ୍ରୀ କାଶୀ
କାହିଁକି ବା’ ଯିବି ଗଙ୍ଗା ଗୋଦାବରୀ ,
ପ୍ରୟାଗ ରାଜ କି ଶ୍ରୀ ବାରାଣସୀ
ହେ କଳା ସାଆନ୍ତ,
ମୁଁ ମୋ’ ଖୁସିରେ ହୋଇଛି ଶ୍ରୀ କ୍ଷେତ୍ରବାସୀ ।।
ଜାଣେ ନାହିଁ ବେଦ ଅବା ପୁରାଣ
ଉପନିଷଦରେ ନାହିଁ ମୋ’ ଜ୍ଞାନ
କାହିଁକି ପଢିବି ଗୀତା ,ରାମାୟଣ
ହେ କଳା ସାଆନ୍ତ !
ତୋ’ ଗୀତଗୋବିନ୍ଦ ମୁଁ ପଢିଲେ ଖୁସି ।।
ଲୋଡା ନାହିଁ ମୋ’ର ଭୂରିଭୋଜନ,
କ୍ଷୀର, ଶାକର କି ଦହି ଘୃତାନ୍ନ
ଲୋଡା ନାହିଁ ମୋ’ର ଛେନା ସରପୁଳି
ହେ କଳା ସାଆନ୍ତ !
ତୋ’ ଟଙ୍କତୋରାଣୀ ରେ ମୋ’ମନଖୁସି।।
ଶେଜ ସୁପାତିରେ ନାହିଁ ମୋ’ ଲୋଭ
ଅଟ୍ଟାଳିକା ଅବା ଧନ ଦରବ
ଯଶ ଗୌରବ କି ବୈଭବ ଚାହେଁ ନା’
ହେ କଳା ସାଆନ୍ତ !
ତୋ’ ବଡଦାଣ୍ଡ ଧୂଳି ମୋ’ ଶ୍ରେଷ୍ଠ ସାଥୀ ।।
ମାୟାମୋହେ ହୋଇଗଲି ଜଡିତ
ମୂଢ ମଣିଷ ମୁଁ ବିଷୟାସକ୍ତ
ହେ କଳା ସାଆନ୍ତ !
ଏଇ ଜନ୍ମ ମୋ’ର ହୋଇଲା ବ୍ୟର୍ଥ ।।
ବନ୍ଧୁ ପରିଜନ ସଖା ସୋଦର ,
ଜାଣେ କେହି ନୁହଁନ୍ତି ଟି ମୋହର
ପତି ପୁତ୍ର କନ୍ୟା ମୋହ ଜାଲେ ବନ୍ଧା
ହେ କଳା ସାଆନ୍ତ !
ତୁ’ ଏକା ମୋ’ର ପରମବନ୍ଧୁ ଟି ।।
ଏତିକି ମିନତି ହେ ମହାବାହୁ
ଶ୍ରୀକ୍ଷେତ୍ର ଧାମରେ ଏ ଜୀବ ଯାଉ
ହୋଇଥିବି ତୋ’ର ପଦ ଆଶ୍ରିତ
ହେ କଳା ସାଆନ୍ତ !
ନୀଳଚକ୍ରେ ଉଡୁଥିବ ସଦା ତୋ’ନେତ ।।
ପୋତା ପୋଖରୀ
କଟକ