Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୧୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୭

ଯେବେଠୁ ହେତୁ ପାଇଛି ସେବେଠୁ ଦେବ ଭାଇକୁ ଦେଖି ଆସୁଛି।ପତଳା ଦେହ, ହସନ୍ତ ମୁଁହ। କଥା କଥାକେ ଅନ୍ୟକୁ ହସେଇବାରେ ପାରଙ୍ଗମ । ବିନୟ ଭାଇଙ୍କ ପିଲାଦିନର ସାଙ୍ଗ।ସବୁବେଳେ ଘରକୁ ଯିବା ଆସିବା, ଖିଆପିଆ। ଏବେ ଦେବୀ ବଡ଼ ହେଲାଣି ତେଣୁ ଦେବଭାଇଙ୍କୁ ତାର ଖୁବ୍ ଡର।କାଳେ କଥାବାର୍ତାରେ କିଛି ଭୁଲ ହୋଇଯିବ।

ଦେବ ଭାଇ କେତେବେଳେ ଆସି ତାପାଖରେ ଠିଆ ହୋଇଛନ୍ତି ଦେବୀକୁ ଜଣା ନାହିଁ। ସେ ନଈ ମଝିରେ ହେଉଥିବା କୋଳାହଳ ଭିତରେ ଗୋଟେ ଅବିଶ୍ୱାସନୀୟ ହିଂସ୍ରତା ଦେଖି ଡରି ଯାଉଥିଲା ।

ବେଳେବେଳେ ତା ଭିତରେ ହଜାର ହଜାର ପ୍ରଶ୍ନ ଏକାଠି ହୁଅନ୍ତି। ଏଇ ଯେମିତି କିଛି ଦୋଷ ନକରି କାହିଁକି ମାଛ ମାନଙ୍କୁ ହତ୍ୟା କରାଯାଏ। କାହିଁକି ନିରୀହ ବାଛୁରୀକୁ ତା ମାଆର କ୍ଷୀର ଖାଇବାକୁ ମିଳେନା। କାହିଁକି ସମୁଦ୍ର ପାଣିର ରଙ୍ଗ ନୀଳ,କାହିଁକି ବସନ୍ତ ଆସିଲେ ବଉଳି ଉଠେ ଆମ୍ବଗଛ। କାହିଁକି ସୂର୍ଯ୍ୟକୁ ଚାହିଁରହେ ସୂର୍ଯ୍ୟମୁଖୀ?

ଏମିତି କାହିଁକି କାହିଁକି ଭିତରେ ତା’ ତମାମ ଆୟୁଷ ଏକ ପ୍ରଶ୍ନର ବୋଝ ପାଲଟି ଯାଏ।ତାକୁ ଲାଗେ ସେ ଯେମିତି ଏ ଦୁନିଆଁରେ ଏକ ଅଜବ ପ୍ରାଣୀ।

ନଈ ଭିତରେ କୋଳାହଳ ଆହୁରି ତୀବ୍ର ହେବା ପରେ ଦେବୀ ତା ବାପାଙ୍କ ପାଖକୁ ଚାଲିଆସିଲା। ବାପାଙ୍କ ଦେହରେ ସବାର ହୋଇଥାଏ ଗୋଟେ ଶିକାରୀର ଆତ୍ମା।ସତେ ଯେମିତି ସବୁତକ ମାଛ ସେ ଏକା ହିଁ ଧରିବେ।

ତା’ ପାଖରେ ଠିଆହୋଇ ଦେବଭାଇ କଣ ଗୋଟେ ଭାବୁଛନ୍ତି। ଦେବୀ କଳ୍ପନାରେ ଦେଖୁଥିଲା ଜଣେ ଖୁବ୍ ଦୂରରେ ଥିବା ପରିଚିତ ମଣିଷକୁ। ଆଜିକାଲି ଦେବାଭାଇ ଖୁବ୍ ନିଜର ଲାଗୁଛନ୍ତି। କାହିଁକି କେଜାଣି ତା ଭିତରେ ତିଆରି ହେଉଛି ଗୋଟେ ଗୋଲାପୀ ଶୂନ୍ୟତା।ଅଭଡ଼ା କହୁଥିଲା ସେ କୁଆଡେ ଏବେ ଖୁବ୍ ଅନ୍ୟମନସ୍କ ରହୁଛି।

ଏ କଥା ମନେପଡ଼ିବାରୁ ଦେବୀକୁ ଖୁବ୍ ଲାଜ ଲାଗିଲା।

ସତ କହୁଛି ଅଭଡ଼ା। କାହିଁକି କେଜାଣି ସେ ଏବେ ଖୁବ୍ ଅନ୍ୟମନସ୍କ ରହୁଛି। ଇଚ୍ଛା ହେଉଛି କାହାକୁ ଟିକେ ନିଜର କରିବାକୁ।
ପଶ୍ଚିମ ଦିଗନ୍ତରେ ଅଦିନିଆ ମେଘ ଖଣ୍ଡେ ଘୋଟି ଆସୁଛି। ଏହାପ୍ରତି କାହାର ନିଘା ନାହିଁ। ସାମୁହିକ ମାଛଧରା ଭିତରେ ସମସ୍ତେ ଭୂଳିଯାଇଛନ୍ତି ଯେ ସେମାନେ ଜଣେଜଣେ ମଣିଷ।

ମେଘ ମାଡିଆସୁଛି।ଖୁବ୍ ଧିରେ କିନ୍ତୁ ପରମ ହିଂସ୍ରତାର ସହିତ। ଯଦି ବର୍ଷା ହୁଏ ? ଏମିତି ଏକ ପ୍ରଶ୍ନ ବହୁଦା ବିଭକ୍ତ ହୋଇ ତା ସାରା ମନ ସଂଚରିଗଲା।

କ୍ରମଶଃ……..

 

Leave A Reply

Your email address will not be published.