Latest Odisha News

ସନେଟ : ଶୀତ

ରବି ପଣ୍ଡା

ଶୀତ ସହ ମିତ ଏବେ ଗୀତଗାଏ ଜାଡର ପଉଷ
ଉତ୍ତରା ପବନ ହୁଏ ଆଉ ଟିକେ ଉଗ୍ର, ଆକ୍ରାମକ
ଭୂମି ଭୂମା ଏକାକାର, ଧୂଆଁଳିଆ କୁହୁଡ଼ି ବିଶେଷ
ମାୟାଚ୍ଛନ୍ନ ଲାଗେ ସବୁ ପ୍ରକୃତିର ପ୍ରକାଶ କୁହୁକ।

ଫୁଲର ଫୁଲେଇ ଶେଯ ଢାଙ୍କିଦିଏ ଚିତ୍ରିତ ଚାଦର
ରଙ୍ଗେ ରଙ୍ଗେ ରଙ୍ଗିଣୀର କୋମଳ ଓ କମନୀୟ ଛବି
ଶିଶିର ବୁନ୍ଦାର ବିନ୍ଦୁ ପିନ୍ଧୁଥାଏ ପାଖୁଡା, ପତର
ଲାଜର ଓଢ଼ଣା ଟାଣି ରାତିଯାକ ବସିଛି କୈରବି।

ଶିରିଶିରି ଶୀତ ସହ ଗୁଣୁଗୁଣୁ ହୁଏ ଦେହମନ
ଶୀତର ଶୀତଳ ଶିରା ଖୋଜୁଥାଏ ଉଷୁମ ପରଶ
ନିଆଁର ନୁଖୁରା ତାତି, ଲାଗେ ସିନା ଖାଲି ଆଚମନ
ଉଷ୍ମତା ଉହ୍ନେଇ ଯିଏ, ହରିନିଏ ସବୁ ଜାଡ ତ୍ରାସ।

ଜୀବନଯାତ୍ରା ତ’ ଏମିତି, କେବେ ଗ୍ରୀଷ୍ମ ପୁଣି ବର୍ଷା, ଶୀତ
ଚାଲିବାକୁ ହୁଏ ଭୁଲି, ଅସହଜ ନୁହେଁ ଯାତ୍ରାପଥ।

କପିଳପ୍ରସାଦ ଭୁବନେଶ୍ୱର

Comments are closed.