Latest Odisha News

BREAKING NEWS

ଗଳ୍ପ : ଦାୟିତ୍ୱ

ଅଳକା ମହାପାତ୍ର

ବାପା, ମୁଁ ଆସନ୍ତା ମାସରୁ ମୋ ଦୋକାନ ପାଖରେ ରହିବି । ଛୋଟିଆ ଘରଟିଏ ଦେଖିଛି, ସେଠାରେ ଆମେ ଦୁହେଁ ପତିପତ୍ନୀ ରହିଯିବୁ, କହିଲା ଗୋପାଳ । ଏଇ ଛଅମାସ ହେବ ଗୋପାଳ ବାହାହୋଇଛି ।

ବାପା ହରିଶ୍ଚନ୍ଦ୍ର କହିଲେ “ଘର ଥାଉ ଥାଉ ଭଡାଘରେ କାହିଁକି ରହିବ ? ପାନ ଦୋକାନରୁ କେତେ ରୋଜଗାର ହେବ ଯେ, ଘରଭଡ଼ା ଦେବୁ, ପୁଣି ସ୍ଵାମୀ ସ୍ତ୍ରୀ ଦୁହେଁ ଚଳିବ ? ଏଇଠି ତୋର ମୋର ରୋଜଗାର ମିଶେଇ ସୁରୁଖୁରୁରେ ଚଳି ଯାଉଛୁ” । ମା ବି ବାପାଙ୍କ କଥାକୁ ଦୋହୋରାଇଲେ । କିନ୍ତୁ ଗୋପାଳ ତା ନିର୍ଣ୍ଣୟରେ ହିଁ ଅଡି ବସିଲା । ଘରଠୁ ଦୋକାନ ଦୂର ହେଉଛି, ମୁଁ ପ୍ରତିଦିନ ଏତେବାଟ ଯିବା ଆସିବା କରି ପାରିବିନାହିଁ ।

ହରିଶ୍ଚନ୍ଦ୍ର ଓରଫ ହରିମଉସାଙ୍କୁ ସତୁରି ବର୍ଷ ଖଣ୍ଡେ ହେବଣି । ପ୍ରତି ସଂକ୍ରାନ୍ତି ଓ ଅମାବାସ୍ୟାରେ ସେ ମନ୍ଦିରରୁ ଠାକୁରଙ୍କ ପାଦୁକା ଓ ଛଡାଫୁଲ ଧରି ଲୋକଙ୍କ ପାଖକୁ ଯାଆନ୍ତି । ଘର ଘର ବୁଲି ପାଦୁକା ଓ ଠାକୁରଙ୍କ ଛଡାଫୁଲ ଦେବା ତାଙ୍କ କାମ । ଖରା, ବର୍ଷା, ଶୀତ କୌଣସି ଋତୁ ତାଙ୍କୁ ବାଧକ ହୁଏନାହିଁ । ପାଦୁକା ସହ ଢେରସାରା ଆଶିର୍ବାଦ ଢାଳି ଦିଅନ୍ତି ଲୋକଙ୍କ ଉପରେ ।

ଜନ ସାଧାରଣରେ ବିଶ୍ୱାସ ଅଛି, ସଂକ୍ରାନ୍ତି, ଅମାବାସ୍ୟାରେ ଦାନକଲେ ବା ଦକ୍ଷିଣା ଦେଲେ, ପୁଣ୍ୟ ଅର୍ଜନ ହୁଏ । ହରି ମଉସା ପାଦୁକା ଧରି ଘର ଘର ପହଞ୍ଚିଯାଇ, ଗୃହକର୍ତ୍ତା ବା ଗୃହକର୍ତ୍ତ୍ରୀଙ୍କୁ ପୁଣ୍ୟ ଅର୍ଜନର ସୌଭାଗ୍ୟ ପ୍ରଦାନ କରନ୍ତି । ଲୋକେ ତାଙ୍କୁ ଦାନ ସ୍ୱରୂପ ସଞ୍ଚାରେ ଚାଉଳ, ଡାଲି, ପରିବା ଇତ୍ୟାଦି) ବା ଟଙ୍କା ଦେଇଥାଆନ୍ତି । ଯାହା କି ତାଙ୍କ ଗୁଜୁରାଣ ମେଣ୍ଟାଇଥାଏ । ପ୍ରାପ୍ୟ ପାଇଁ ମଉସା କେବେ ମୁହଁ ଖୋଲନ୍ତିନାହିଁ । ଯେ ଯାହା ଖୁସିରେ ଦେଲା, ଗ୍ରହଣ କରନ୍ତି ।

ପୁଅବୋହୂ ଭଡ଼ାଘରକୁ ଚାଲି ଯିବାପରେ, ହରିମଉସା ଓ ମାଉସୀ ଦୁଃଖିରେ ଭାଙ୍ଗିପଡିଲେ । ଶାରୀରିକ ଦୁର୍ବଳତା ତ ଥିଲା, ଖାଁ ଖାଁ ଘରଦ୍ବାର ତାଙ୍କୁ ମାନସିକସ୍ଥରରେ ଆହୁରି ଦୁର୍ବଳ କରିଦେଲା । ମାଉସୀ ପୁଣି ଡାଇବେଟିସ ରୋଗୀ । ବୟସ ଓ ଚିନ୍ତା ଶରୀରରୁ ବଳ ଓ ସାମର୍ଥ୍ୟ ଛଡାଇ ନେଇ ଯାଉଥିଲା । ହେଲେ ଜୀବନ ଥିବାଯାଏ ପେଟ ତ ଅଛି, ଗଣ୍ଡାଏ ଫୁଟାଇ ଖାଇବାକୁ ପଡିବ । ଦୁହେଁ ମିଳିମିଶି କଷ୍ଟେମଷ୍ଟେ ଗୃହସ୍ଥିର ଗାଡ଼ି ଟାଣି ନେଉଥିଲେ । ପେଟ ଅପୋଷା ରହୁ ନଥିଲା । ସେଇ ଦୁଇଦିନର ରୋଜଗାର ତାଙ୍କୁ ଯଥେଷ୍ଟ ଥିଲା । ବରଂ ବିପଦ ଆପଦ ପାଇଁ ଦୁଇ ପଇସା ସଞ୍ଚୟ ବି ହେଉଥିଲା ।

ୟା ଭିତରେ ତିନିବର୍ଷ ବିତି ଗଲାଣି, ହଠାତ୍ ଦିନେ ପୁଅବୋହୂ ଜିନିଷପତ୍ର ସହ ଘରେ ପହଞ୍ଚିଗଲେ । ଆଶ୍ଚର୍ଯ୍ୟ ହୋଇ ମଉସା ମାଉସୀ ଅନାଇଲେ ତାଙ୍କୁ । ଗୋପାଳ କହିଲା, ଏବେ ଆମେ ଏଠାରେ ରହିବୁ । ଗୁଡିଏ ଧାରବାଡି ହୋଇଯାଇଛି, ଘରଭଡା ବି କେତେମାସର ଦେଇପାରିନି । ସମସ୍ତେ ତାକିଦା କରୁଛନ୍ତି, ଗାଳିଗୁଲଜ ବି କରୁଛନ୍ତି ।

ହରିମଉସା ସବୁ ଶୁଣି, ଚୁପ ରହିଲେ । କ’ଣ ବା କହିବେ ? କାହାକୁ କହିବେ ? ନିଜ ପୁଅ ! କହି ହୁଏନାହିଁ କି ସହି ହୁଏନାହିଁ ! ଘର ଭିତରକୁ ଯାଇ ଗଣ୍ଠୁଲିଟିଏ ଆଣିଲେ । ଗଣ୍ଠିଲି ଭିତରେ ଡବାଟିଏ, ତା ଦେହରେ କିଛି ସଞ୍ଚିତ ଟଙ୍କା । ପତ୍ନୀଙ୍କ ଔଷଧଖର୍ଚ୍ଚ ରଖି, ବାକିସବୁ ପୁଅହାତକୁ ବଢାଇଦେଲେ ।

ତିନିଦିନ ହେଲାଣି ଲଘୁଚାପ ଜନିତ ବର୍ଷା ହେଉଛି ଯେ ହେଉଛି । ଛାଡିବାର ନା ଧରୁନି । ଏପଟେ ହରିମଉସାଙ୍କୁ ଭାଇରାଲ ଜର । ଦେହରେ ଖଇଫୁଟା ତାତି । ଆଜି ସଂକ୍ରାନ୍ତି, ଛତାଟିଏ ଧରି ମନ୍ଦିର ଯିବାପାଇଁ ବାହାରି ପଡିଲେ ମଉସା ।ପାଦୁକା, ଛଡାଫୁଲ ଆଣିଲେ ବିଭିନ୍ନ ଘରକୁ ଯାଇ ‌ବାଣ୍ଟିବେ ଓ ଦକ୍ଷିଣା ଧରି ଆସିବେ । ଛିଡ଼ାହେଲେ ମୁଣ୍ଡ ଘୁରି ଯାଉଛି, ତଥାପି ଯିବାକୁ ହେବ । ପତ୍ନୀର ଔଷଧ ନାହିଁ । ଔଷଧ ପାଇଁ ରଖିଥିବା ଟଙ୍କା, ପୁଅ ଖର୍ଚ୍ଚ କରିଦେଇଛି ।

ସମ୍ବଲପୁର

Leave A Reply

Your email address will not be published.