Latest Odisha News

BREAKING NEWS

ଗଳ୍ପ : ପୁଣି ଥରେ ଗାନ୍ଧୀ

ରବି ପଣ୍ଡା 

ସେଦିନ ରାତ୍ରିର ବେଶ୍ ବିଳମ୍ବିତ ପ୍ରହରରେ ସାବରମତୀ ଆଶ୍ରମର ସେଇ ନିର୍ଦ୍ଧିଷ୍ଟ କୋଠରୀର ଦୁଆର ଖଟଖଟହେଲା। ଜୋରରେ ଖୁବ୍ ଜୋରରେ ।

ପାଖରେ ଘୂମେଇ ପଡିଥିବା ଦରୱାନଟି ହଟାତ୍ ଧଡପଡ ହେଇ ଦୌଡ଼ି ଆସିଲା। ସାମ୍ନରେ ଗୋଟିଏ ବେଶ୍ ଲମ୍ବା ଛାୟା ମୂର୍ତ୍ତି।

କିଏ ? କିଏ ତମେ? ପଚାରିଲା ଦରୱାନ।

: ମୁଁ ମୋହନଦାସ କରମଚାନ୍ଦ ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ !

କେଉଁ ମୋହନଦାସ କରମଚାନ୍ଦ ଗାନ୍ଧୀ ? କିଛି ସମୟ ଭାବି ପୁଣି ପଚାରିଲା, କ’ଣ ମହାତ୍ମାଗାନ୍ଧୀ?

: ନାଁ .. ନାଁ ..ମୁଁ କେବଳ ଗାନ୍ଧୀ। ଦୁରାତ୍ମା ମାନେ ମୋର ମହାତ୍ମାତ୍ୱ କୁ ହତ୍ଯା କରିସାରିଲେଣି ବହୁତ ଦିନରୁ।

ଦରୱାନଟି ଆଖି ମଳି ଚାହିଁଲା। ସେ’ତ ଅର୍ବାଚୀନ। ଗାନ୍ଧୀଙ୍କୁ କିପରି ଚିହ୍ନିବ ! ଆକୃତିଟି ଫଟୋ ଷ୍ଟାଚ୍ୟୁ ସହ ମେଳ ଖାଉଚି।

ସେ ସନ୍ଧିଗ୍ଧ କଣ୍ଠରେ ପଚାରିଲା ଆଜ୍ଞା ଆପଣ ଏଠି କାହିଁକି!! ଆପଣ ପରା ରାଜଘାଟରେ? ଦିଲ୍ଲୀରେ?

ହୁ … ରାଜଘାଟ ..। ଫିଟା ଫିଟା ଏ କୋଠରୀ .. ମୁଁ ପଶିଯାଏ। ଏଇଠି ମୋର ଶାନ୍ତି। ସତୁରୀ ବାସ୍ତରି ବର୍ଷ ହେଲା ମୁଁ ଟିକିଏ ଶାନ୍ତିରେ ଶୋଇ ପାରିନି।

ମାନେ? ଦରୱାନ ଉଦଗ୍ରୀବ ହେଇ ପଚାରିଲା।

ମାନେ ବୁଝି ପାରୁନୁ ? ଦିଲ୍ଲୀ କ’ଣ ଏ ଦେଶର ଖବର କ’ଣ ତୋତେ ଜଣାନାହିଁ ବାପା …ସ୍ୱାଧୀନତା ପରଠାରୁ ହିଂସା, ଫିସାଦୀ, ଡକାୟତି, ଧପ୍ପାବାଜୀ, ଧର୍ଷଣ, ହତ୍ଯା, ଲୁଣ୍ଠନ, ଦଙ୍ଗା, ରାହାଜାନୀ, ମସ୍ତାନୀ, ସ୍ମଗଲିଂ, ଚରସ, ହେରୋଇନ୍, ଏଡସ, ବ୍ଲାକମେଲିଂ, ଦୁର୍ନୀତି, ଭଣ୍ଡାମୀ, ଖୋସାମତି, ବିଶ୍ୱାସ ଘାତ,ଷଡଯନ୍ତ୍ର, ଆକ୍ରମଣ ପ୍ରତି ଆକ୍ରମଣ, ଦଳବଦଳ, ଘୋଡା ବେପାର, ଭାଷଣ, ତୋଷଣ, ଶୋଷଣ, ମଣ୍ଡଳ, କମଣ୍ଡଳ, ଉଗ୍ରବାଦ, ସନ୍ତ୍ରାସବାଦ,ଆତଙ୍କବାଦ ,ଧର୍ମବାଦ ଇତ୍ୟାଦିରେ ତ ଦିଲ୍ଲୀର ଅବସ୍ଥା ଆଉ ନାଇଁ .. ପୁଣି ନେତା ଆଉ କର୍ତ୍ତା ମାନଙ୍କର ଯେଉଁ ବୋଫର୍ସ,ସେଣ୍ଟକୀଟ୍ସ, ଚିନି କାରବାର, ଟୁଜି, ଗୋଖାଦ୍ୟ, କଫିନ୍ ଆଦି ଯାବତୀୟ ସ୍କାମ ସାଙ୍ଗକୁ ହିନ୍ଦୁ ମୁସଲିମ ଭେଦାଭେଦ, ଦିନକୁ ଦିନ ନୂଆନୂଆ ଫିସାଦ ଦେଖିଦେଖି ମୁଁ ଆଉ କେତେଦିନ ସେ ସମାଧିଟା ଭିତରେ”ହାଏ ରାମ” “ହାଏ ରାମ” ହେବି? ଏଠିକି ରାତାରାତି ପଳେଇ ଆସିଲି। ବାବୁଟା ପରା … ମୋ ରୁମ୍ ଟା ଖୋଲିଦେଲୁ .. ମୋ ଖଟିଆରେ ଟିକେ ମୁଁ ଗଡିପଡେ … ଓହୋ ….

ଦରଓ୍ୱାନର ଟିକେ ସାହସ ହେଇ ଯାଇଥିଲା। ପାଖକୁ ଲାଗି ଆସିଲା। ଛାୟା ମୂର୍ତ୍ତି ସେମିତି ଠିଆ ହୋଇଛି । କିନ୍ତୁ ମୁହଁରେ ସେ ଅନାବିଳ ହସ ଖଣ୍ଡକ ନାହିଁ। ବରଂ ବିଷର୍ଣ୍ଣ । ଦେହ ପୁଣି ଫୁଙ୍ଗୁଳା।

ସେ କାକୁସ୍ଥ ହେଇ ପଚାରିଲା, ଆପଣଙ୍କ ଚାଦର ଆଜ୍ଞା ?

: ଚାଦର ଆଉ ଅଛି ? ସ୍ୱାଧୀନତା ପରଠାରୁ ପରା ନେତାମାନେ ମୋଠୁଁ ଛଡେଇ ନେଇ ତାକୁ ଟୁକୁରା ଟୁକୁରା କରି ରାଜନୀତି କରୁଛନ୍ତି! ସେଇଦିନଠୁଁ ତ ମୁଁ ଫୁଙ୍ଗୁଳା..

ଦରୱାନଟିର ମନ ବିଷାଦରେ ଭରିଗଲା। ସେ ବାଷ୍ପଋଦ୍ଧ ସ୍ୱରରେ ପଚାରିଲା, ବାପୁ .. ଚାଦର ସିନା ନେଇଗଲେ .. ହେଲେ ଲୁଗା?? … ଆପଣ ତ ସମ୍ପୂର୍ଣ୍ଣ ଲଙ୍ଗଳା..

ଗାନ୍ଧୀ ତଳକୁ ଅନେଇ ଦେଇ ଖୁବ୍ ଲଜ୍ଜିତ ହେଇ ଅନ୍ଧାରିଆ ଜାଗାକୁ ଘୁଞ୍ଚି ଯାଉ ଯାଉ କହିଲେ, ଆରେ ସେ ଖଣ୍ଡକ ବି କାଢି ନେଇଛନ୍ତି କି ଏହା ଭିତରେ !! ନାଁ …ସେ ଆଶ୍ୱସ୍ତ ହେଲେ।

ଦରୱାନ କିନ୍ତୁ କାନ୍ଦୁଥିଲା ଆଉ ତା’ ଛୋଟ ମୁଣ୍ଡରେ ବୁଝୁ ଥିଲା ଗୋଟେ ଆଦର୍ଶକୁ ବାରମ୍ବାର ହତ୍ଯା କରିବା ଲଙ୍ଗଳା କରିବା ସହିତ ସମାନ ନୁହେଁ କି !!

Leave A Reply

Your email address will not be published.