ସୁଜାତା ମହାପାତ୍ର
ସେଦିନ ବି ଥିଲା ଏଇମିତି ଏକ ଅନ୍ଧକରାଚ୍ଛନ୍ନ ବର୍ଷୁକୀ ରାତି ଜନ୍ମାଷ୍ଟମୀର । ଘଡଘଡି ନିଜର ପୂର୍ଣ୍ଣ ଉନ୍ମାଦନାରେ, ସାମ୍ନାରୁ ଲହଡି ଭଳି ମାଡି ଆସୁଥାଏ ବର୍ଷାପାଣି ଓଭର ବ୍ରିଜର ରାସ୍ତା ଉପରେ ।
ପ୍ରଥମ ଗର୍ଭ ଯନ୍ତ୍ରଣା! ଯନ୍ତ୍ରଣା ଖୁସିର କି କଷ୍ଟର, ପୂର୍ଣ୍ଣତା ପ୍ରାପ୍ତିର କି ଅବଶୋଷ ମାନଙ୍କର ବୁଝିବା ପୂର୍ବରୁ ହିଁ ସବୁକିଛି ଘଟି ଚାଲୁଥାଏ ଯନ୍ତ୍ରବତ । ଅନୁଭବ କରିବା ପାଇଁ, ବୁଝିବା ପାଇଁ, ଭୋଗିବା ପାଇଁ କି ସ୍ମୃତି କରି ସାଇତି ରଖିବା ପାଇଁ ନଥିଲା ପରିପକ୍ୱ ବୟସ । କେବଳ ଜୀବନକୁ ସାଧାରଣ ଭାବେ ବଞ୍ଚିବାର ଇଚ୍ଛାଟିଏ କରୁ କରୁ ଘଟଣା ସବୁ ଅସାଧାରଣ ଭାବେ ଛାଆଁ କୁ ଛାଆଁ ଘଟି ଚାଲୁଥିଲେ । ମୋର କିଛି କରିବାର ହିଁ ନଥିଲା । ରୋହିଣୀ, ବୃଷ ନକ୍ଷତ୍ର ମୁଁ ତା’ ପାଇଁ ବାଛିନଥିଲି, ସେ ନିଜେ ହିଁ ନିଜ ପାଇଁ ଧରି ଆସୁଥିଲା । ମୋତେ ମାଧ୍ୟମଟେ କରି। ବେଳକୁ ବେଳ ବର୍ଷା ତା’ର ପୂର୍ଣ୍ଣ ଅବୟବରେ କାୟା ବିସ୍ତାରୀ ବିଚରା ଅଟୋଟି ଉପରେ ଦାଉ ସାଧି ଚାଲିଥିଲା ।
ପାହାଡିଆ ବର୍ଷା ! ଭୟଙ୍କର ତା’ର ଚିତ୍ର ଓ ଚରିତ୍ର । ତଥାପି ଦୃଢ଼ ପ୍ରତିରୋଧ କରି ଆଗକୁ ଟାଣି ନେଉଥିଲା ବିଚରା ବୟସ୍କ ଅଟୋ ଚାଳକ । ସେ ନିଶ୍ଚୟ ଚିହ୍ନେ ଏ ବର୍ଷାକୁ । ବାରମ୍ବାର ଧୈର୍ଯ୍ୟ ଦେଉଥିଲେ ଭିତରେ ବସିଥିବା ଆସନ୍ନ ପ୍ରସବା ଝିଅଟିକୁ । ଆଜିର ଦିନରେ ଯିଏ ଧରାଧାମକୁ ଆସୁଛନ୍ତି ସେ ନିଜକୁ ନିଜେ ହିଁ ରକ୍ଷା କରିବେ ବୋଲି ଦୃଢ଼ ଅଥଚ ବିଶ୍ୱାସପୂର୍ଣ୍ଣ କଣ୍ଠରେ ଭରଷାଟେ ଦେଉଥାନ୍ତି ବୟସ୍କ ଅଟୋ ଚାଳକ ମଉସା ଜଣକ ।
ରାତି ଦଶଟା ବାଜି ପଚିଶ ମିନିଟ । ବେଳକୁ ବେଳ ବର୍ଷା ଅଣଆୟତ୍ତ ! ଆସ୍ତେ ଆସ୍ତେ ବସିବା ସୁଦ୍ଧା ଅସୁବିଧା ହେଉଥାଏ ଝିଅଟିର । ଗର୍ଭ କଷ୍ଟକୁ ସେ ଅଣ୍ଟାବ୍ୟଥା ଭାବି ଛଟପଟ ହେବାକୁ ଆରମ୍ଭ କଲା । ରାସ୍ତା ଆହୁରି ପାଞ୍ଚ କିଲୋମିଟର ବାକି ! ରାୟଗଡ଼ାରେ ଜନ୍ମ ହୋଇଥିଲେ ସୁଦ୍ଧା ପିଲାବେଳୁ ସେ ବାହାରେ, ତେଣୁ ଏଠାକାର ରାସ୍ତାଘାଟ ସବୁ ଅପରିଚିତ ତା’ ପାଇଁ । ପଛରେ ଭାଇନା ଆସୁଛି ବଜାଜ ଚେତକ ସ୍କୁଟରରେ । ନା ହେଲମେଟ ନା ବର୍ଷାତି, କିଛି ବି ପିନ୍ଧିନି । ବୋଧହୁଏ ସେତିକି ସମୟ ନଥିଲା ତା’ ପାଖରେ ବା ଆବଶ୍ୟକ ମନେ କଲାନି ବର୍ଷାତି ଖୋଜି ପିନ୍ଧିବାରେ ସମୟ ନଷ୍ଟ କରିବାକୁ । ଏକମାତ୍ର ପ୍ରାଣପ୍ରିୟ ଭଉଣୀ ତାର । ସେ ଜାଣିଛି ଭଉଣୀର ବୟସ କମ୍, ହୁଏତ ସେ ଅଧର୍ଯ୍ୟ ହୋଇଯିବ ଏସବୁଥିରେ । ଆଜି ଯାଏଁ ପ୍ରତିଟି ଅସୁବିଧାରେ କେବଳ ତାକୁ ହିଁ ଖୋଜେ ସେ । ଆଜି ବି ସେ ପଛରେ ଆସୁଛି ସେହି ପ୍ରଳୟଙ୍କରୀ ବର୍ଷାରେ ଜୁଡୁବୁଡୁ ଓଦା ହୋଇ ସାନ ଭଉଣୀର ଧର୍ଯ୍ୟ ଓ ସାହସ ସାଜି ।
ସ୍କୁଟରର ଆଲୁଅ ସାହସ ଦେଉଥାଏ ଭାଇନା ପଛରେ ଅଛି । ସେତେକ ଯଥେଷ୍ଟ ଜୀବନ ଓ ମୃତ୍ୟୁର ଏ ଲଢେଇ ପାଇଁ । ଅଟୋର ଚକା ସବୁ ବୁଡିଯାଉଥାଏ ବର୍ଷା ପାଣିରେ । ଉଜାଣି ଯମୁନାକୁ ଦୁଇଭାଗ କରି ବସୁଦେବ କହ୍ନେଇଙ୍କୁ ସୁରକ୍ଷିତ କଢେଇ ନେବା ଭଳି ଅଟୋ ମଉସା ବର୍ଷାର ସୁଅକୁ ଦୁଇଭାଗ କରି ଟାଣିନେଉଥାନ୍ତି ଅଟୋଟିକୁ ଡାକ୍ତରଖାନା ଯାଏଁ । ରହି ରହି ନିଜ ଉପସ୍ଥିତି ଜାହିର କରୁଥିବା ବିଜୁଳିର ଚକ୍ ମକ୍, ରାସ୍ତାର ଅବସ୍ଥା ଓ ବର୍ଷାର ପ୍ରଭାବ ଦେଖାଇ ଆହୁରି ଡରେଇ ଚାଲିଥାଏ ସଭିଙ୍କୁ । ଟଳମଳ ଅଟୋଟି ଡାକ୍ତରଖାନା ଦୁଆର ଛୁଆଁରେ ହିଁ ଷ୍ଟାର୍ଟ ବନ୍ଦ କରି ଥକ୍କା ହୋଇ ଠିଆ ହୋଇଗଲା ଜଡବତ୍ । ତେଲୁଗୁ ଅଟୋ ଡ୍ରାଇଭର ମଉସା ଜଣକ କାକୁତି ମିନତି ହେଲେ ନିଜ ଭାଷାରେ । ଆଉ ଅଳ୍ପ ବାଟ ତ, ପିଲାଟା ବର୍ଷାରେ କୋଠରୀ ଯାଏଁ କେମିତି ଯିବ? ମାଆଟିଏ ଭଳି ବୁଝିଗଲା କି କଣ ପୁଣି ଷ୍ଟାର୍ଟ ହେଲା ।
ଜନ୍ମାଷ୍ଟମୀ ତିଥିକୁ ରାତି ଅଧ, ଡାକ୍ତରଖାନା ପ୍ରାୟତଃ ଶୂନ୍ୟ । ଜଣେ ପୁରୁଖା ନର୍ସ ଦିଦି, ଜଣେ ୱାର୍ଡ ବୟ ବାସ୍ । ଉପଖଣ୍ଡ ଚିକିତ୍ସାଳୟରେ ଏତିକି ମାତ୍ର ଉପସ୍ଥାନ ଥିଲା ସେଦିନ ରାତିର । ହେଲେ ଡାକ୍ତର!
ପ୍ରଥମ ପ୍ରସବ, ତେଣୁ କିଛି ବି ହୋଇପାରେ । ବିନା ଡାକ୍ତରଙ୍କ ଉପସ୍ଥିତିରେ ଯେତେ ଯିଏ ଅଛନ୍ତି ସମସ୍ତେ ନିରୁପାୟ, କେହି କିଛି ବି କରିପାରିବେନି । ତେଣୁ ଡାକ୍ତରଙ୍କ ଆସିବା ଯାଏଁ ଅନିଶ୍ଚିତ ଅପେକ୍ଷାଟେ ଲଦି ହୋଇଗଲା ସମସ୍ତଙ୍କ ଉପରେ !
ଜନ୍ମ ଓ ମୃତ୍ୟୁ, ସେ କଣ କାହାକୁ ଅପେକ୍ଷା କରି ରହିପାରେ? ଏତେ ସଂଖ୍ୟାରେ ଏ ସବୁକୁ ପ୍ରତିଦିନ ଅଙ୍ଗେ ନିଭଉଥିବା ମଣିଷମାନେବି କିଭଳି ବୁଝି ପାରୁନାହାନ୍ତି ଯେ ଏ କଥା!
ପ୍ରସବ ଶଯ୍ୟାରେ ବେଳକୁ ବେଳ କଷ୍ଟ ବଢୁଛି ! ସମସ୍ତେ ଚୁପ, ସମୟ ଗୋଡ଼ରେ ବେଡ଼ି ବାନ୍ଧି ପାରୁନି ଅପେକ୍ଷା ! ପଛରେ ସାହସ ସାଜି ଆସିଥିବା ଛ’ ଫୁଟ ଦୁଇ ଇଞ୍ଚର ପାହାଡ଼ି ମଣିଷଟା କଣ ଅପେକ୍ଷା କରି ରହିପାରିବ, ନା ତା’ ଭଉଣୀକୁ ଏଇମିତି କଷ୍ଟ ଭୋଗିବାକୁ ଦେବ! ବାହାରିଗଲା ସେ ଡାକ୍ତରଖାନାରୁ ସେଇମିତି ପୁର୍ବବତ୍ ଭିଜି ଭିଜି ପ୍ରବଳ ବର୍ଷାରେ ନିଜ ସ୍କୁଟର ଧରି ।
ଛୁଟି ଦିନକୁ ବର୍ଷୁକୀ ରାତି !
ଡାକ୍ତରବାବୁ ନିଜ ଦାୟିତ୍ୱ ଭୁଲି ବିଳାସରେ ମଗ୍ନ । ଘରେ ଜନ୍ମାଷ୍ଟମୀ ପୂଜା, ତେଣୁ ଭକ୍ତିରେ ପୂଜା କରୁଥିବା ପତ୍ନୀଙ୍କୁ କହିଯାଇଛନ୍ତି ଆଜି ରାତି ଡିଉଟି ପାଇଁ ଡାକ୍ତରଖାନାରେ ରହିବି । ଏଣେ ଡାକ୍ତରଖାନାରେ ସଭିଏଁ ଜାଣିଛନ୍ତି ସେ ଘରେ ପୂଜାରେ ବ୍ୟସ୍ତ । ତେଣୁ ନା ପତ୍ନୀ ନା କୌଣସି କର୍ମଚାରୀ, କେହି ବି କହିପାରୁନାହାନ୍ତି ତାଙ୍କ ସଠିକ ଠିକଣା । ଏମିତି ଏମିତି ରେ ଅଧରାତି ପାର ହୋଇ ଗଲାଣି । ବର୍ଷା କମିବା ନାଁ ଧରୁନି । ଆଖ ପାଖ ପ୍ରାୟ ସମସ୍ତ ଠିକଣା ଖୋଜି ସାରିବା ପରେ ଜଣେ ଦୁଇଜଣ ଔଷଧ ଦୋକାନୀଙ୍କ ମାଧ୍ୟମରେ ଭାଇନା ତାଙ୍କୁ ଠାବ କଲା କେଉଁ ଏକ ହୋଟେଲ ରୁମରୁ, ନିଶାସକ୍ତ ଓ ଅର୍ଦ୍ଧ ଚେତନ ଅବସ୍ଥାରେ। ରାଗରେ ଜଳୁଥାଏ ସେ, କିନ୍ତୁ କିଂକର୍ତ୍ତବ୍ୟ ! ଭଉଣୀର ଜୀବନ ମରଣ କଥା, ଏକମାତ୍ର ଡାକ୍ତର ସେ ସ୍ତ୍ରୀ ଓ ପ୍ରସୂତି ବିଭାଗର । ଆଜି ରାତିକ ବିତିଯାଉ ବାସ୍ ।
ମଣିଷ ନୁହେଁ ବରଂ ବସ୍ତୁ ଭାବେ ଉଠେଇ ଆଣିଲେ ଡାକ୍ତରଙ୍କୁ ଭାଇନା ଓ ତା’ର କିଛି ସାଙ୍ଗ ମିଶି । ନିଜ ଆୟତ୍ତରେ ଠିଆ ହୋଇପାରିବାର ଶକ୍ତି ସୁଦ୍ଧା ନଥିଲା ଡାକ୍ତର ବାବୁଙ୍କର ତଥାପି ଅଭିଜ୍ଞ ନର୍ସ ଦିଦି ଓ ୱାର୍ଡ ବୟ ପରସ୍ପର ମଧ୍ୟରେ ପରାମର୍ଶ କରି ସାଧାରଣ ପ୍ରସବ ପାଇଁ ବ୍ୟବସ୍ଥା କରିଦେଲେ । ଖୁବ ଭୟ ଲାଗୁଥାଏ ଝିଅଟିକୁ । ନିଶାସକ୍ତ ଅର୍ଦ୍ଧଚେତନ ଡାକ୍ତର, ଅପନ୍ତରା ଜାଗା ଓ ବର୍ଷୁକୀ ରାତି । ତଥାପି ବୋଉ କହିଛି ଆଜିର ଏ ସମୟରେ ଯେ ଧରାଧାମକୁ ଆସୁଛି ସେ ନିଶ୍ଚେ ଉଦ୍ଧାର କରିବ ଏ ଦେବକୀକୁ ମଧ୍ୟ । ଭାଇନା ସେଇମିତି ଭିଜି ଭିଜି ଠିଆ ହୋଇଥାଏ ପ୍ରସବ କୋଠରୀ ବାହାରେ । ତୁହାକୁ ତୁହା ଉନ୍ମାଦିନି ବର୍ଷା ଓ ଗର୍ଭ ଯନ୍ତ୍ରଣା । ଦୁହେଁ ସାଥି ହୋଇ ଆକ୍ରମଣ କରିଥାନ୍ତି କୋଠରୀ ବାହାରେ ଓ ଭିତରେ। ରାତି ବାର, ବାରଟା ବାଜି ଦଶ ମିନିଟ, ବାରଟା ପନ୍ଦର ଓ ଶେଷରେ ରାତି ବାରଟା ପଚିଶ । ବିନା କୌଣସି ନିସ୍ତେଜକରେ ନିହାତି ଆବଶ୍ୟକ ମନେ କରି ନର୍ସ ଦିଦି ପ୍ରସବ ଦ୍ୱାରର କିଛି ଅଂଶକୁ କାଟିଦେଲେ । ଧରାଧାମକୁ ଅବତରିଲା ଅନ୍ୟଏକ କାହ୍ନା, ଦୁର୍ଗା, ମହାମାୟା, ବିଜୁଳି କନ୍ୟା । ସହସ୍ର ବିଜୁଳିଠୁ ବଳି ତେଜୋଦୀପ୍ତ ଏକ ଦେବ ଶିଶୁ, ଯେ ଝିଅଟିକୁ ପ୍ରଥମ କରି ମାଆ ଡାକିବ !
ଏ ଘଡି ଖୁସିର, ନା ଆଶ୍ଚର୍ଯ୍ୟର ! ଅଲୌକିକ ଘଟଣା ମାନଙ୍କର, ନା ପ୍ରାପ୍ତି ଓ ପୂର୍ଣ୍ଣତାର ! କି ଅବା ଆଉ ଏକ ପୁନର୍ଜନ୍ମର ! ଜନ୍ମାଷ୍ଟମୀ, ମଙ୍ଗଳବାର, ମଧ୍ୟରାତ୍ରୀର ସେ ମୁହୂର୍ତ୍ତମାନେ ହିଁ ସାକ୍ଷୀ ସେହି ଅଦ୍ଭୁତ ଚେତନଶୂନ୍ୟ ଅନୁଭବର ।