Latest Odisha News

BREAKING NEWS

କବିତା : ଅଧାନକ୍ସା ଘର

ହରପ୍ରସାଦ ମହାପାତ୍ର
ଲୁହ ଓ ଲହୁର ରଙ୍ଗରେ
ତିଆରିଲି ଘର ।

ବାପାଙ୍କୁ କଲି ମଝିଖୁଂଟ
ବୋଉକୁ ଚୁଲି ଝିଙ୍କା
ଦୁଃଖକୁ ଆଟିକା
ବୟସକୁ ଚୁଲିମୁଣ୍ଡେ ଜାଳ
ଲୁହକୁ ହାଣ୍ଡିର ଚାଉଳ,
ତମେ ହେଲ ଘରର ଚାବିନେନ୍ଥା ।

ବାପା ଏବେ ମଥାନ ଉପର
ଆକାଶର ତାରା,
ବୋଉ ଏବେ ତୁଳସୀ ଚଉରା
ତମେ ଆଉ କା’ର ହାଣ୍ଡିର ଚାଉଳ ।

ଘର ତିଆରି ଯେମିତି ଏକ
ବୟସର, ବିଶ୍ୱାସର
ମିଛ ଧୂଳିଖେଳ ।

ମିଛ..ସବୁ ମିଛ..
ଘର ତିଆରିରେ ବିତିଥିବା
ମୋର ସମଗ୍ର ଆୟୁଷ ।

 

(ପିଲାଦିନେ ରଫ୍‌ଖାତାରେ ଗାରକାଟି ଆଙ୍କିଥିଲେ ଘରର ନକ୍ସା । ରଫ୍‌‌ଖାତାର ସେଇ ଫର୍ଦ୍ଦଟି ନା ତମେ ସାଇତି ରଖି ପାରିଲ, ନା ମୁଁ । ସମୟର ବାଦାମ ବିକାଳି ହାତରେ ତାହା ପାଲଟି ଗଲା ଗୋଟେ ବାଦାମ ପୁଡିଆ ।)

ନିର୍ମାଲ୍ୟ, ୨୬୩୦/୧, କେଦାରଗୌରୀ ବିହାର, ଭୁବନେଶ୍ୱର-୭୫୧୦୧୪ ମୋବାଇଲ୍‌-୯୯୩୮୬୦୯୮୫୩

Leave A Reply

Your email address will not be published.