ପ୍ରସେନଜିତ୍ ସେଠୀ
ଇଚ୍ଛା ହୁଏ ଦୌଡ଼ି ଯିବାକୁ
ସକଳ ବୋଝକୁ ଅଜାଡ଼ି ଦେଇ
ଅଧା ରାସ୍ତାରେ
ଶାନ୍ତିର ନିଃଶ୍ୱାସଟେ ମାରି
ନିଜେ ବାଛିଥିବା ରାସ୍ତାରେ
ଆଗକୁ ଆଗକୁ
ଯୋଉଠି କେବେ ବି ନଥିବ ଥକିବାର।
କେତେ କଳ୍ପନା ଓ ସ୍ବପ୍ନ
ସେ ରାସ୍ତାକୁ ନେଇ
ଯାହା ଭରି ହୋଇ ରୁହନ୍ତା
କୋମଳ ଫୁଲଙ୍କ ଆସ୍ତରଣରେ
ଯୋଉଠି ମଳୟ ପବନର ଛୁଆଁରେ
ତନୁ ମନେ ଶିହରଣ
ଖେଳି ଯାଆନ୍ତା ନିରନ୍ତର।
ସେଠି କେହି ନଥାନ୍ତା
ମୋ ପାରିବାପଣକୁ ପ୍ରଶ୍ନ କରିବାକୁ
ମୋ ଉପରେ ଦାୟିତ୍ୱ ମାଡ଼ି ଦେବାକୁ
ନିତିଦିନ ନୂଆ ନୂଆ
ମୁଁ ହୋଇଥାନ୍ତି ଏକ ବିହଙ୍ଗ
ମୁକ୍ତ ଆକାଶର ।
ସେଠି
ଖାଲି ଥାଆନ୍ତେ ସବୁ
ପଚାରିବାକୁ ମୋ ସୁଖଦୁଃଖ
ମୋ ଦୁଃଖରେ ସମଦୁଃଖୀ ହୋଇ
ମୋ ବୋଝକୁ ମଥା ପରେ ନେଇ
ଚାଲିବାକୁ ସହଚରୀ ହୋଇ
ବିଳାସପୂର୍ଣ୍ଣ, ପୁଷ୍ପମୟ ପଥ ପରେ।
ହେଲେ ସେ କାହିଁ ପାରନ୍ତନି
ନିଜ ବୋଝକୁ ଅଜାଡ଼ି
ବୟସର ବିଶ୍ୱାସ ଘାତକତାରେ
ଅଣ୍ଟା ମୋଡ଼ି ହୋଇଗଲେ ବି
କେହି ତାଙ୍କ ଦୁଃଖ ନ ଶୁଣିଲେ ନାହିଁ
ସହଚାର୍ଯ୍ୟହୀନ କଣ୍ଟକମୟ ଚଲାପଥ ପରେ
ବୈଶାଖର ଝାଞ୍ଜି ଘନ ଘନ ବହି
ଯେବେ ଅଂଶୁଘାତର ରୂପ ନିଏ
ସେ ସମସ୍ତ ବଳକୁ ପୁଞ୍ଜି କରି
ଆଗକୁ ପାଦ ବଢାନ୍ତି!!
ସକଳ ଦୁଃଖ ଓ ଯାତନାକୁ
ଉପହାସ କରି
ସକଳ ବୋଝର ଭାରକୁ
ସ୍ମିତହାସେ ସହି
ବିଳାସ ବ୍ୟସନର କ୍ଷୁଧା ଚାପି ଦେଇ
ଗ୍ରୀଷ୍ମର ଉତ୍ତାପ, ଶ୍ରାବଣର ଅବିଶ୍ରାନ୍ତ ଧାରା
ମାଘର ଅସମ୍ଭାଳ ଜାଡ଼କୁ
ପିଠି ଦେଖାଇ
ଆମ ପାଇଁ ଏକ ଅଭେଦ୍ୟ ଆଶ୍ରୟ ତୋଳନ୍ତି
ସବୁ ନିଃସ୍ଵାର୍ଥରେ ବୁହାଇ ଦେଇ!!
✍️ପ୍ରସେନଜିତ୍ ସେଠୀ