Latest Odisha News

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା 

ବାବା !
ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ ତୁମ ପିତୃପୁରୁଷଙ୍କ ଘରର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଖୁବ୍ ଦୁଃଖିତ ହୋଇଥିଲ। ହରିଜନ ସାହିର ବିଦିଆଭାଇକୁ ଡକେଇ ତାକୁ ପାଖରେ ରଖିଲ ହାତବାରିସି କରି। ଗାଆଁ ମାଟି ସହିତ ଏକାତ୍ମ ହୋଇ ସେଠାରେ ଆମ ଭଙ୍ଗା ଉଜୁଡା ଚାଳଛପର ଘରକୁ ସରସ ସୁନ୍ଦର ଫୁଲବଗିଚାଟିଏ କରିଦେଲ।

ବାରିର ଆମ୍ବ ପଣସଗଛ ବାଉଁଶ ବୁଦା ପୁଣି ହସି ଉଠିଲେ ତୁମ ହାତର ଯାଦୁକରି ପରଶରେ। ବିଟ୍, ଗାଜର , ଆମ୍ବ କଷିଆ ଅଦା, ଧନିଆଁ ପୋଦିନା, କଞ୍ଚା ଲଙ୍କା , ଜାତିଜାତିକା ଶାଗ ପଟାଳି ରେ ଭରି ଗଲା ଆମ ଘର ପଛ ପଟ ବାରି। ନିଜ ହାତରେ ଗୁହାଳଟିଏ ତିଆରି କରିଥିଲ ଘର ପଛପଟେ। ନାତି କ୍ଷୀର ଖାଇବ ବୋଲି ମୋ’ ଶାଶୁଘରୁ ଗାଈବାଛୁରୀ ନେଇଥିଲ ଗାଆଁର ବିଦିଆଭାଇକୁ ପଠେଇ । ଗାଆଁରେ ସମସ୍ତେ କହୁଥିଲେ ବାବୁ ଏତେ ବର୍ଷ କଟକରେ ରହି ପୁଣି ଆସି ଗାଆଁ ମାଟିରେ ଏମିତି ଚମତ୍କାର କରିବେ ବୋଲି ଆମେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲୁ ।

କଠିନ ପରିଶ୍ରମ କରି ମାତ୍ର ବର୍ଷଟିଏ ପୁରିଛି କି ନାହିଁ ବେମାର ପଡିଲ ସେଠି। ତମକୁ କଟକ ଆଣି ଡାକ୍ତର ଆକୁଳାନନ୍ଦ ଷଡଙ୍ଗୀଙ୍କୁ ଦେଖାଇ ଚିକିତ୍ସା କଲା ପରେ ସୁସ୍ଥ ହୋଇ ଗାଆଁକୁ ଫେରିଥିଲ । ପୁଣି ଗାଆଁ ଭାଇ ମାନଙ୍କ ସହ କୋଉଠି ଦୋଳପୂର୍ଣ୍ଣିମା କୋଉଠି ରାସ, କୋଉଠି ଅଷ୍ଟପ୍ରହରୀ ହେବ ସେଥିରେ ମାତିଲ।

ଊଣେଇଶହ ଅଠାଅଶୀ ମସିହାର କଥା। ସେ ବର୍ଷ ଆଶ୍ୱିନ ମାସର ଷଷ୍ଠୀ ଦିନ ନାତିକୁ କାନ୍ଧରେ ବସାଇ ଗାଆଁ ବସ୍ ଷ୍ଟାଣ୍ଡ୍କୁ ଆସି ଅପେକ୍ଷା କରିଥିଲ ମୋତେ , ହେଲେ ଭିଡ ଯୋଗୁଁ କଟକରୁ ବସ୍ ଧରି ପାରିନଥିଲି ମୁଁ । ମହାସପ୍ତମୀ ଦିନ ସକାଳୁ ଟ୍ୟାକ୍ସି କରି ପିଲାମାନଙ୍କୁ ଧରି ପହଞ୍ଚିଲା ବେଳକୁ ଭୋରରୁ ତୁମର ପ୍ରଥମ ହୃଦଘାତ ହୋଇ , ପକ୍ଷାଘାତରେ ଶଯ୍ୟାଶାୟୀ ହୋଇ ପଡିଥିଲ ତୁମେ। ସେଇ କାରରେ ତୁମକୁ ଆଣି ଫେରିଆସିଥିଲି କଟକ। ଏଠାରେ ଡାକ୍ତର ଆକୁଳାନନ୍ଦ ଷଡଙ୍ଗୀଙ୍କୁ ଦେଖାଇ ତୁମର ଚିକିତ୍ସା ଆରମ୍ଭ କରିଥିଲୁ। ତୁମ ଅବସ୍ଥାରେ ସୁଧାର ଆସୁଥିଲା ।

ଖୁବ୍ ସ୍ୱାଭିମାନୀ ଥିଲ ତୁମେ, ସେଥିପାଇଁ ମୋ’ ଶାଶୁଘରେ ଜମ୍ମା ଦିନ ପନ୍ଦରଟା ନଯାଉଣୁ କହିଲ ଗାଆଁକୁ ଫେରିଯିବି। ଝିଅ ଘରେ ରହିଲେ ଲୋକେ କ’ଣ କହିବେ ? ମୋ’ ମନା ମାନିଲନି,ଏକା ଜିଦ୍ କରି ଗାଆଁ କୁ ଫେରିଗଲ । ଭାଇ ଦୁଇଜଣ ତ ପାଞ୍ଚ ସାତ ବର୍ଷ ଆଗରୁ ସେନାବାହିନୀରେ ଯୋଗଦେଇ ଓଡିଶା ବାହାରେ ପୋଷ୍ଟିଂ ହୋଇ ସାରିଥିଲେ ଆଉ ଅଳ୍ପ ଦିନ ଆଗରୁ ଭାଦ୍ରବମାସରେ ଝିଲି ର ବାହାଘର ସରିଥିଲା। ଗାଆଁ ପାଖରେ ତା’ ଶାଶୁଘର ହୋଇଥିଲେ ମଧ୍ୟ ନୂଆ ବାହାଘର ହୋଇଥିବା ହେତୁ ସେ ବିଶେଷ ଆସି ପାରୁନଥିଲା। ଗାଆଁ ଘରେ କେବଳ ବୋଉ ତମେ ଆଉ ଲିଲି ରହିଥିଲ। ସେଠାରେ ଯେତେବେଳେ ଏକବାର ନିଶ୍ଚଳ ହୋଇ ପଡି ରହିଥିଲ ତୁମେ , ଲିଲି ତୁମର ସବୁ ଯତ୍ନ ନେଉଥିଲା । ବୋଉ ବି ତୁମ ଈଶାରା ବୁଝି ପାରୁନଥିଲା, ତୁମେ ଖୁବ୍ ରାଗୁଥିଲ ତା’ ଉପରେ। ଏମିତିରେ ତ ତା’ର ବହୁତ ଡର ତୁମ ରାଗକୁ, ଏବେ ଆହୁରି ଡରି ଯାଉଥିଲା ତମ ଅବସ୍ଥା ଦେଖି। ସେଇ ଡରରେ ଅନେକ ଭୁଲ୍ ହୋଇଯାଉଥିଲା ତା’ର। ସେଇ ସମୟରେ ଏକମାତ୍ର ଲିଲି ହିଁ ତା’ର ଆଶ୍ରାବାଡି ଥିଲା।

ପିଲାଟି ବେଳରୁ ତୁମେ ତ ମତେ କେବେ ବି କିଛି ବି କାମ କରିବାକୁ ଦେଉନଥିଲ, ବୋଧହୁଏ ସେଇଥିପାଇଁ ଈଶ୍ବର ମୋ’ ଉପରେ ସଂସାର ଯାକର କାମ ଲଦିଦେଲେ। ମୁଁ ପ୍ରତି ରବିବାର ଡାକ୍ତର ଆକୁଳାନନ୍ଦ ଷଡଙ୍ଗୀଙ୍କୁ କାରରେ ନେଇ ଗାଆଁକୁ ଯାଉଥିଲି ତୁମ ଚିକିତ୍ସା ପାଇଁ, ପୁଣି ଫେରୁଥିଲି, କାରଣ ଏଠି ଶାଶୁଘରେ ଯୌଥ ପରିବାର ସହିତ ଅଫିସର ମଧ୍ୟ ଦାୟିତ୍ଵ ଥିଲା। ସେଇଥିପାଇଁ ତ ଗଲାବେଳେ ମୋ’ ତିନି ମାସର ସାନ ପୁଅଟିକୁ ତୁମେ ତୁମ ସାଥିରେ ଗାଆଁକୁ ନେଇ ଯାଇଥିଲ। ତା’କୁ ବୋଉ ଆଉ ତମେ ବାପ ମାଆ ହୋଇ ପାଳିଥିଲ। ମୁଁ ପ୍ରତି ଶନିବାର ଅଫିସ୍ ସାରି ଗାଆଁକୁ ଯାଉଥିଲି ଆଉ ସୋମବାର ଦିନ କାଳି ଅନ୍ଧାରୁ ଫାଷ୍ଟ୍ ବସ୍ ଧରି ଫେରୁଥିଲି କଟକ ଅଫିସ୍ କରିବାକୁ । ଛଅ ଦିନ ଶାଶୁଘରେ ଆଉ ଦିନେ ବାପଘରେ, ଏମିତି ଯନ୍ତ୍ର ଭଳିଆ ଚାଲିଥିଲା ମୋ’ ଜୀବନ। ତଥାପି ତୁମଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସାହସ ମତେ ସବୁକିଛିକୁ ସୁଚାରୁରୂପେ ତୁଲେଇ ନେବାର କ୍ଷମତା ଦେଉଥିଲା।

ତୁମ ଭିତରେ ବି ବଞ୍ଚିବାର ଦୃଢ ଇଚ୍ଛାଶକ୍ତି ଥିଲା ବାବା ! ଗୋଟିଏ ପଟ ଅଚଳ ହୋଇ ପଡିଥିଲେ ବି ତୁମ ଦୈନନ୍ଦିନ ଜୀବନଚର୍ଯ୍ୟାରେ କୌଣସି ବ୍ୟତିକ୍ରମ ହେଉନଥିଲା । ପରିଷ୍କାର ଭାବରେ କଥା କହି ପାରୁନଥିଲ ତୁମେ କିନ୍ତୁ ଲିଲି ତୁମର ପ୍ରତ୍ୟେକଟି ଈଶାରାକୁ ସଠିକ୍ ଭାବରେ ବୁଝି କେତେବେଳେ କ’ଣ ଚାହୁଁଛ ସବୁ ଜାଣି ପାରୁଥିଲା ଆଉ ତୁମ ପାଖକୁ ସବୁ ଯୋଗାଇ ଦେଉଥିଲା । ତୁମେ ପ୍ରତିଦିନ ଦାଢି ଖିଅର ହୁଅ , ରେଡିଓରୁ ସକାଳର ପ୍ରଥମ ସମ୍ବାଦ ଶୁଣ , ତୁମ ହାତରୁ ହାତଘଣ୍ଟାଟି କେବଳ ରାତିରେ ଖୋଲି ରଖ ପୁଣି ସକାଳୁ ଉଠି ବାନ୍ଧି ଦିଅ, ସକାଳ ଛଅଟା ବେଳକୁ ଭଲ ଚାହା କପେ ଦରକାର ତୁମର, ଦିନ ବାରଟାରେ ଭାତ ସହ ତିନି ତରକାରୀ ଭଜା, ଦିନକୁ ଚାରି ଖଣ୍ଡ ଘରଭଙ୍ଗା ପାନ ତୁମ ପାନଡବାରେ ରହିବା ଜରୁରୀ.. ଇତ୍ୟାଦି ଇତ୍ୟାଦି ଅନେକ କାମ ତା’ ଟିପ ଅଗରେ ରଖିଥିଲା ।

ସବୁ ଠିକ୍ ଚାଲିଥିଲା। ଅମାପ ମନୋବଳ ଥିଲା ତୁମର, ଅଦମ୍ୟ ସାହସ। ମାସଟିଏ ଭିତରେ ତୁମେ ଧୀରେ ଧୀରେ କଥା କହିବା ଆରମ୍ଭ କରିଥିଲ, କାନ୍ଥ ବାଡ ଧରି ଧରି ଚାଲିବା ଆରମ୍ଭ କରିଥିଲ। କାଳେ ତୁମର କିଛି ହୋଇଯିବ ସେଥିପାଇଁ ତୁମ ଗାଆଁ ଭାଇ ମାନେ କହିଲେ” ତୁମ ପୁଅମାନଙ୍କୁ ଡକାଅ”। ତୁମେ ମନା କଲ, ସେମାନଙ୍କୁ କହିଥିଲ “ ମୋ ପୁଅମାନେ ଦେଶ ମାଆର ସେବା କରୁଛନ୍ତି, ତାଙ୍କୁ କାହିଁକି ଡାକିବ ? ମୋ’ ଜ୍ୱାଇଁ କ’ଣ ମୋ’ର ପୁଅ ନୁହେଁ ? ଯଦି ମୁଁ ମରିଯାଏ ତେବେ ତାଙ୍କୁ ହିଁ କହିବ ସେ ମୋ’ର କ୍ରିୟା କର୍ମ କରିବେ। ମୋ’ର କିଛି ଅବଶୋଷ ନାହିଁ, ମୋ’ ମା’ ଅଛି ପରା ସେ ସବୁ ଦେଖିବ “ ।

ହେଲେ ମୁଁ ତୁମକୁ ଦେଖି ପାରିଲିନି ବାବା ! କର୍ମ ଜଞ୍ଜାଳ ତୁମ ଭରସା ରଖି ପାରିଲିନି, ହାରିଗଲି । ସେଇ ସୋମବାର ଥିଲା କାର୍ତ୍ତିକ ମାସ ପଞ୍ଚୁକର ଆରମ୍ଭ ଦିନ। ବଡି ଭୋରରୁ ମୁଁ ଅଗଣାରେ ତୁଳସୀ ଚଉରାରେ ମୁରୁଜ ପକାଇ ପୂଜା କଲି , ତୁମେ ଦେଖିଲ, ଖୁସିରେ ହସିଲ। ପଚାରିଲି “ ବାବା ! ଛୁଆ ଦୁଇଟାଙ୍କୁ ଛାଡି ଆସିଛି , ଯିବାକୁ ପଡିବ। ତୁମେ ଈଶାରାରେ ଅନୁମତି ଦେଲ। ବସ୍ ଧରି ଏକୁଟିଆ ଗାଆଁରୁ ଫେରିଲି କଟକ। ତୁମ ଜ୍ୱାଇଁ ରହିଲେ ତୁମ ପାଖରେ, କହିଲେ “ଦୁଇ ଚାରି ଦିନ ପରେ ବାପାଙ୍କ ଅବସ୍ଥା ଦେଖି ଫେରିବି”। ସିଏ ବୋଧେ ଈଶ୍ବରଙ୍କ ଇଚ୍ଛା ଥିଲା ।

ଠିକ୍ ସେଇ ଦିନ ହଠାତ୍ ତୁମର ଶ୍ଵାସ ଉଠିଲା। ଗାଆଁ ଡାକ୍ତର ଆସି ଦେଖିଲେ, କହିଲେ ସେଇଟା ଥଣ୍ଡାରୁ ହେଉଛି, କିଛି ଡରିବାର ନାହିଁ, ମୁଁ ଔଷଧ ଦେଉଛି ଖାଆନ୍ତୁ, ସେ କାଲି ଆଡକୁ ଭଲ ହୋଇଯିବେ। ପରଦିନ ଆହୁରି ଜୋରରେ ଦମା ଉଠିଲା ତୁମର। ଅଫିସ ଫୋନରେ ଖବର ପାଇ ମୋ’ ଦିଅର ଦିଲୀପ କଟକରୁ ଖୋର୍ଦ୍ଧା ଦେଇ ଦୁଇ ତିନିଟି ବସ୍ ବଦଳେଇ ତୁମ ପାଖରେ ପହଞ୍ଚିବା ବେଳକୁ ଦିନ ଦୁଇଟା ବାଜିଥିଲା। ତୁମର ସେମିତି ଉର୍ଦ୍ଧ୍ବଶ୍ୱାସ ଉଠୁଥାଏ କିନ୍ତୁ କିଏ ଜାଣିଥିଲା ସେଇଟା ତୁମର ସେକେଣ୍ଡ୍ ଷ୍ଟ୍ରୋକ୍ ବୋଲି ? ସେଦିନ ଥିଲା ବଡଓଷା । ଗାଆଁ ସାରା ଓଷା କରି ଘରେ ଘରେ ଗଜ , ତରଣ ହାଣ୍ଡି ବସାଇଥାନ୍ତି । ଚାହୁଁ ଚାହୁଁ ଦିନ ତିନିଟା ବେଳକୁ ତୁମେ ଚାଲିଗଲ। ଆମ ” ବାବା” ଡାକ ହଜିଗଲା ସବୁଦିନ ପାଇଁ । ସାରା ଗାଆଁଟା ସ୍ତବ୍ଧ ହୋଇଗଲା । ସବୁ ଘରେ , ଦେଉଳରେ ପୂଜାଉଜା ବନ୍ଦ, ହବିଷ୍ୟାନ୍ନ ବନ୍ଦ। ଗାଆଁ ସାରା ସମସ୍ତେ ଖାଡା ଖାଡା ଉପାସ। ସବୁଆଡେ ଶୋକର ଛାୟା।

ଗାଆଁ ପୋଷ୍ଟ ଅଫିସ୍ ର ଟେଲିଫୋନ୍ ବନ୍ଦ। ଇଏ ଦୁଇଭାଇ ଯାକ ଅସ୍ତବ୍ଯସ୍ତ ହୋଇ ପଡୁଥାନ୍ତି । ବୋଉ ଆଉ ଲିଲି କାନ୍ଦି କାନ୍ଦି ବେହୋସ ହୋଇ ପଡିଥାନ୍ତି ଗୋଟିଏ କୋଣରେ । ସେତେବେଳେ ଅଗମ୍ୟ ଆମ ଗାଆଁକୁ ଯାତାୟାତର ମାଧ୍ୟମ ମାତ୍ର ଗୋଟିଏ ବସ୍ ସନ୍ଧ୍ୟା ପାଞ୍ଚଟା ବେଳକୁ। ପୁଅ ମାନେ ତ ଥାଆନ୍ତି ବିଦେଶରେ , ଏଠିକି ମୋତେ ଖବର ଦେବ ବା’ କିଏ ? ମୁଁ ଯିବି ବା’ କେମିତି ? ଏଇ ଚିନ୍ତାରେ ଥାଆନ୍ତି ସମସ୍ତେ । ସବୁରି ମୁହଁ ରେ ଗୋଟିଏ କଥା “ ସେତିକି ପୁଣ୍ୟ ବଳ ଥିଲା ବୋଲି ମହା କାର୍ତ୍ତିକର ବଡଓଷା ଭଳି ଦିନ ପାଇଲା” ।

ଗାଆଁ ସାରା ସମସ୍ତେ ଏବଂ ଆମ କୁଟୁମ୍ବର ଭାଇମାନେ କହିଲେ “ ସିଏ ତ ଆଗରୁ କହି ଯାଇଛନ୍ତି ତାଙ୍କ ଜ୍ୱାଇଁ ସବୁ କ୍ରିୟାକର୍ମ କରିବେ ବୋଲି, ଜ୍ୱାଇଁ ବାବୁ ତ ଅଛନ୍ତି , ତାଙ୍କ ଭାଇ ମଧ୍ୟ ଅଛନ୍ତି ଆଉ ଅପେକ୍ଷା କରିବା କାହିଁକି? ଆମେ ତ ପୁଅ ପୁତୁରା ଭାଇ ସମସ୍ତେ ଅଛୁ, ଆମେ ଥାଉଁ ଥାଉଁ ସେ ବାସି ମଡା ହେବେ ? ତା’ଛଡା କାର୍ତ୍ତିକ ମାସ, ଗାଆଁରେ ଶବ ପଡିଲେ ହବିଷିଆଳି ମାନେ ଖାଇବେ କେମିତି ? ଠାକୁର ମନ୍ଦିରରେ ସନ୍ଧ୍ୟା ଆରତୀ ହେବ କେମିତି? ଘରେ ଘରେ ସଞ୍ଜ ସଳିତା ଲାଗିବ କେମିତି । ସମସ୍ତଙ୍କୁ ଅସୁବିଧାରେ ପକାଇ ଶବକୁ ଗାଆଁରେ ରଖିବା ଠିକ୍ ହେବନାହିଁ । କୋକେଇ ସଜାଡ, ନେଇଯିବା “। ତାହା ହିଁ ହେଲା।

ଜାଣିଛ ନା’ ବାବା ! ମୋତେ ଟିକିଏ ତୁମର ଶେଷ ଦର୍ଶନ କରିବାର ସୁଯୋଗ ଦେବାକୁ ଜୋର୍ କରି କହିବା ପାଇଁ ତୁମ ପାଖରେ ଆଉ କେହି ନଥିଲେ ସେତେବେଳେ । ମୋ’ ପାଖରେ ଖବର ପହଞ୍ଚି, ମୁଁ ଆକୁଳ ବିକଳ ହୋଇ ଟ୍ୟାକ୍ସି ଧରି ଗାଆଁ ରେ ପହଞ୍ଚିଲା ବେଳକୁ ତୁମ ଚିତା ଜଳି ସାରିଥିଲା ଆମ ପାଟ କୂଳ ମଶାଣିରେ। କାନ୍ଦି କାନ୍ଦି ଲୋଟିଗଲି ଗାଆଁ ଦାଣ୍ଡରେ, ହେଲେ ସେଠାରୁ ଫେରି ଆସିଥିବା ମାଲଭାଇ ମାନେ କେହି ମତେ ନେଲେନି ସେଠିକି । ବୋଉ ମୂକ ହୋଇ ବସି ରହିଥିଲା। ତମେ ସବୁଠାରୁ ଅଧିକ ଭଲ ପାଉଥିଲ ମୋତେ , ମୋ’ର ବଡପୁଅ ବୋଲି କହୁଥିଲ, କେତେ ଭରସା କରିଥିଲ ମୋ’ ଉପରେ ,ହେଲେ ମୁଁ ଏମିତି ହତଭାଗିନୀ ଝିଅଟିଏ ଯେ ତୁମର ଶେଷ ଦର୍ଶନ ମଧ୍ୟ କରି ପାରିଲିନି, ସେଇ ଅବଶୋଷ ମୋ’ର ସାରା ଜୀବନ ରହିବ। ମୁଁ ସାରା ଜୀବନ ନିଜକୁ ଦୋଷୀ ମଣୁଥିବି, ସନ୍ତାପିତ ହେଉଥିବି । ତୁମର ଶେଷ ଦର୍ଶନକୁ ଝୁରୁଥିବି । ମୋ’ର ଏ ଝୁରାପଣ ସରିବନି କେବେ ବି ।

ବାବା ! ଆଜି ତୁମର ପୁଣ୍ୟତିଥିରେ ଦୁଇଟୋପା ଲୁହ ଢାଳି ,ତୁମକୁ ପ୍ରଣାମ ଜଣାଉଛି । କ୍ଷମା କରିଦେବ ମୋତେ। ପୁଣ୍ୟାତ୍ମା ତୁମେ, ନିଶ୍ଚୟ ଈଶ୍ବରଙ୍କ ପାଖରେ ଥିବ।ଉପରେ ଥାଇ ସବୁ ଦେଖୁଥିବ । ଯେଉଁ ଗୁରୁ ଦାୟିତ୍ୱ ମୋତେ ଦେଇ ଯାଇଥିଲ , ସେସବୁ ପାଳନ କରିବାକୁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିଛି । ଆମେ ପାଞ୍ଚ ଭାଇ ଭଉଣୀ ଆଜି ନିଜ ନିଜର ସଂସାରରେ ସୁଖରେ ଅଛୁ କେବଳ ତୁମରି ଆଶୀର୍ବାଦରୁ। ବୋଉ ସବୁବେଳେ ଝୁରୁଛି ତୁମକୁ । ସ୍ୱର୍ଗରେ ଥାଇ ଆମକୁ ଆଶୀର୍ବାଦ କର ବାବା ! ତୁମେ ଶିଖାଇଥିବା ଅସ୍ମିତା ବଜାୟ ରଖି ତୁମେ ଦେଖାଇଥିବା ସତ୍ ମାର୍ଗରେ ଆମେ ଏମିତି ଚାଲୁଥାଉ । ତୁମେ ଜଣେ ଭଲ ବାପା ଥିଲ ବାବା ! ଈଶ୍ବରଙ୍କୁ ପ୍ରାର୍ଥନା କରୁଛି , ଯଦି ପୁନର୍ଜନ୍ମ ବୋଲି କିଛି ଥାଏ ତେବେ ମୁଁ ତୁମରି ଝିଅ ହୋଇ ଆଉଥରେ ଜନ୍ମ ନିଏ, ତୁମ ଭଳି ବାବା ମତେ ଜନ୍ମେ ଜନ୍ମେ ମିଳୁଥାନ୍ତୁ ।

।।ଇତି।।
ତୁମର ହତଭାଗିନୀ ଝିଅ

Leave A Reply

Your email address will not be published.