ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨
ମୂଳ ଉର୍ଦ୍ଦୁ : କୃଷନ୍ ଚନ୍ଦର
ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି ମରଦାନ, କେଲହାଟ୍ ଚରସାଡ଼ା, ଖାଇବର, ଲଣ୍ଡିକୋତୱାଲ, ବାନୁ, ନଉସେନା, ମନସହରା ଭଳିଆ ସ୍ଥାନମାନଙ୍କରୁ ପଳେଇ ଆସି ଏଇ ଟ୍ରେନ୍ ଧରିଥିଲେ । ଦେଶ ଭାଗ ଭାଗ ହୋଇଯିବା ପରେ ପାକିସ୍ତାନରେ ନିଜର ଧନଜୀବନ ଆଉ ନିରାପଦ ନୁହେଁ ଭାବେ ଏମାନେ ଭାରତମୁହାଁ ହୋଇଥିଲେ । ରେଳଷ୍ଟେସନ ସାରା ଚାରିଆଡ଼େ କଡ଼ା ପହରା । ଯେଉଁଆଡ଼େ ଚାହିଁବ ସେଆଡ଼େ ବନ୍ଧୁକଧାରୀ ପୁଲିସ ଆଉ ସୈନିକ । କାଳେ କେଉଁଠି ହଠାତ୍ ହାଣକାଟ କି ଦଙ୍ଗା ଲାଗିଯିବ! ମୋ ଡବା ସବୁରେ ଯେଉଁ ଶରଣାର୍ଥୀମାନେ ଆଶ୍ରୟ ନେଇଥିଲେ, ଟ୍ରେନ୍ ଷ୍ଟେସନ ଛାଡ଼ିବା ମାତ୍ରେ ସେମାନଙ୍କ ପିଣ୍ଡ ଯେପରି ପ୍ରାଣ ଫେରିପାଇଲା । ମୁଁ ଏବେ ଚାଲିବାକୁ ଆରମ୍ଭ କରିଥିଲି ସେଇ ପଞ୍ଚନଦୀର ଦେଶ ପଞ୍ଜାବ ଭୂଇଁ ଅଭିମୁଖେ । ଗୋରା, ମୋଟା, ତାଗଡ଼ା, ପତଳା, ସମସ୍ତେ ସାଲୱାର କମିଜ
ପିନ୍ଧିଥିଲେ ଓ ମୁଣ୍ଡରେ ପଠାନ୍ ପଗଡ଼ି ଭିଡ଼ିଥିଲେ । ଏପରିକି ସମସ୍ତଙ୍କ ତୁଣ୍ଡରୁ ନିଜ ମାତୃଭାଷା ବଦଳରେ ପୁସ୍ତୋ ଅଥବା ଖଣ୍ଡଖଣ୍ଡିଆ ପଞ୍ଜାବୀ ଭାଷା ବାହାରୁଥିଲା । ଯେମିତି ଟ୍ରେନଟାଯାକର ଲୋକ ସମସ୍ତେ ପଠାନ! ଆଉ ସେମାନଙ୍କ ଧନଜୀବନ ରକ୍ଷା କରିବାକୁ ହରେକ ଡବାରେ ଦି’ ଦି’ଜଣ କରି ସୈନିକ ବନ୍ଧୁକ ଧରି ଜଗି ରହିଥିଲେ ।
ଯେଉଁ ସୈନିକମାନେ ଡବାର ଶରଣାର୍ଥୀ ଯାତ୍ରୀମାନଙ୍କୁ ଜଗି ରହିଥିଲେ ସେମାନେ ସଭିଏଁ ଥିଲେ ବେଲୁଚି । ମୁଣ୍ଡରେ ବେଶ୍ ସୁନ୍ଦର ଭାବେ ପଗଡ଼ି ଭିଡ଼ି ସେମାନେ ଯେମିତି ନିଜକୁ ଦେଖେଇ ହେବା ଲାଗି ଚେଷ୍ଟା କରୁଥିଲେ । ହାତରେ ନୂଆ ରାଇଫଲ । ଟ୍ରେନର ଡବା ଭିତରେ ପଠାନଙ୍କ ଭଳି ପୋଷାକ ପିନ୍ଧି କାକୁସ୍ଥ ହୋଇ ବସିଥିବା ଏଇ ଅସହାୟ ହିନ୍ଦୁ ଯାତ୍ରୀମାନେ ସେମାନଙ୍କ ଝିଅବୋହୂଙ୍କ ଆଡ଼କୁ ଚାହିଁ ଏମାନେ ମୁରୁକି ହସା ଦେଉଥିଲେ । ହିନ୍ଦୁ ଯାତ୍ରୀଙ୍କ ମନରେ ଏବେ କିନ୍ତୁ ସେଇ ଗୋଟିଏ ଚିନ୍ତା – କେମିତି ଏଇ ନୂଆକରି ସୃଷ୍ଟି ହୋଇଥିବା ଦେଶରୁ ପ୍ରାଣ ଘେନି ଭାରତରେ ପହଞ୍ଚିବେ, ଯେଉଁଠି ସେମାନଙ୍କ ପୂର୍ବଜମାନେ ହଜାର ହଜାର ବର୍ଷ ଧରି ରହି ଆସୁଥିଲେ । ଯେଉଁ ଦେଶର ପାହାଡ଼ୀ ଝରଣାର ଶୀତଳ ଜଳ ସେମାନଙ୍କ ତୃଷାକୁ ସେତିକି ମେଣ୍ଟାଇଥିଲା । କିନ୍ତୁ ଆଜି ସେଇ ଭୂଇଁ ସେମାନଙ୍କୁ ଯେମିତି ପର କରିଦେଇଛି! ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ସେମାନଙ୍କୁ କରିଛି । ଏବେ ସେଇ ଭିଟାମାଟିକୁ ଶେଷ ପ୍ରଣିପାତ ଜଣେଇ ସେମାନେ ଚାଲିଥାଆନ୍ତି ଏକ ଅଜଣା ରାଜ୍ୟ ଆଡ଼େ ଯାହା ବିଷୟରେ ସେମାନେ କେବଳ ଶୁଣିଛନ୍ତି ମାତ୍ର । ସମସ୍ତଙ୍କ ମନ ଦୁଃଖରେ ଗୋଟାପଣେ ଭାଙ୍ଗି ପଡ଼ିଥାଏ । ତା’ସାଙ୍ଗକୁ ପ୍ରାଣ ବଞ୍ଚେଇବାର ଭୟ । ଭଗବାନଙ୍କ ଉଦ୍ଦେଶ୍ୟରେ ସେମାନେ ସମସ୍ତେ ମନେ ମନେ ପ୍ରାର୍ଥନା କରି ଚାଲିଥାଆନ୍ତି ଯେ ଏହି ହାଣକାଟ, ଦଙ୍ଗା ପୋଡ଼ାଜଳାରୁ ସେମାନେ ବର୍ତ୍ତି ଯାଇଛନ୍ତି । ସେମାନଙ୍କ ମା’ଭଉଣୀମାନେ ନିଜ ନିଜ ଇଜ୍ଜତ ବଞ୍ଚେଇ
ପାରିଛନ୍ତି ।
ମୁଁ ମୋର ବେଗ ବେଳକୁ ବେଳ ବଢ଼େଇ ଚାଲିଥାଏ । କମ୍ପାର୍ଟମେଣ୍ଟର ଝର୍କା ଦେଇ ତ୍ରସ୍ତ ମୁହଁସବୁ ଚାହିଁ ରହିଥାଆନ୍ତି ଦୁଇକଡ଼ର ପାହାଡ଼ ଚୂଡ଼ାକୁ । ଆଉ କିଏ ଅବା ଚାହିଁ ରହିଥାଏ ଦିଗନ୍ତବିସ୍ତାରୀ ଶ୍ୟାମଳ ଶସ୍ୟକ୍ଷେତ୍ରଆଡ଼େ । ଉଭୟ ପାଶ୍ୱର୍ର ଚିତ୍ରିତ ଉପତ୍ୟକା ଫୁଲଫଳଭରା ବଗିଚା ସମସ୍ତେ ଯେପରି ସେମାନଙ୍କଆଡ଼େ ଚାହିଁ ହସୁଥାନ୍ତି! ଏଇ ବାସ୍ତୁହରା ଶରଣାର୍ଥୀମାନଙ୍କ ମନରେ ସେଇ ଗୋଟିଏ ଅବସୋସ – ଯଦି ସେମାନେ ସେମାନଙ୍କ ସାଥିରେ ପ୍ରକୃତିର ଏଇ ଅପୂର୍ବ ସମ୍ଭାର ସବୁକୁ ନେଇ ପାରନ୍ତେ । ଏଇ ଲୋକମାନଙ୍କ ହୃଦୟରେ ଦୁଃଖର ଭାର ଏତେ ବଢ଼ିଯାଇଥିଲା ଯ ମୋ ଗତି ଆପେ ଆପେ ଧିମେଇଗଲା ।
ହାସନ ଅବଦଲ ଷ୍ଟେସନ ଧରିବାଯାଏ କାହାରି ମୁହଁରେ ଉଁ କି ଚୁଁ କିଛି ହେଲେ ଭାଷା ନାହିଁ । ଚାହିଁଲେ ମନେହେବ ଯେମିତି ଦୁଃଖର ଗୋଟିଏ ବିରାଟ ଫଟୋଚିତ୍ର! ଷ୍ଟେସନ ପ୍ଲାଟଫର୍ମରେ ଅନେକ ଶିଖ୍ ଲୋକ ଆଗରୁ ରୁଣ୍ଡ ହୋଇଥିଲେ । ସେମାନେ ସମସ୍ତେ ପଞ୍ଜାବ ସାହିବ୍ ଅଞ୍ଚଳରୁ ଆସିଥିଲେ । ସମସ୍ତଙ୍କ ହାତରେ ଲମ୍ବା ଲମ୍ବା କୃପାଣ । ମୁହଁରେ ଅହେତୁକ ଭୟ । ଏଇ ଶିଖ୍ ଲୋକଙ୍କ ପିଲାଛୁଆମାନେ ବି ତ୍ରସ୍ତ ହୋଇ ଗୋଟିଏ ଜାଗାରେ ବସି ରହିଥାଆନ୍ତି ମୋର ଅପେକ୍ଷାରେ । ମୁଁ ଅଟକୁ ନଅଟକୁ ସେମାନେ ସମସ୍ତେ ନିଜ ନିଜର ପୁଡ଼ାପୁଟୁଳା ଧରି ପଶିଗଲେ ଡବା ସବୁରେ । ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ସମସ୍ତଙ୍କ ଛାତି ଭିତରୁ ବାହାରି ଆସିଲା । ସତେକି ଟ୍ରେନ୍ ଧରିଲା ପରେ ସେମାନଙ୍କ ପିଣ୍ଡରେ ପ୍ରାଣ ପଶିଲା । ତା’ପରେ ସେମାନେ ନିଜ ସହଯାତ୍ରୀ ଅନ୍ୟ ହିନ୍ଦୁ ଓ ଶିଖ୍ ଲୋକମାନଙ୍କ ହାନିଲାଭ ପଚାରିବା ଆରମ୍ଭ କରିଦେଲେ । କାହାର ଘର ଜଳାଇ ଦିଆଯାଇଥିଲା ତ ଆଉ କାହାର ଅବା ଯୁଆନ୍ ପୁଅକୁ ହାଣି ମାରି ଦିଆଯାଇଥିଲା । ସମସ୍ତଙ୍କ ଘର ଲୁଟ୍ ହୋଇଥିଲା । ଏବେ କେବଳ ସେମାନେ ଯାହା ନିଜ ଦେହ ଘୋଡ଼େଇ ହେବାକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧିଥିଲେ । ସେଇ ଥିଲା ସେମାନଙ୍କ ଶେଷ ସମ୍ପତ୍ତି । ପୁଣି ଆଉ କେତେଜଣ ଥିଲେ ଯେଉଁମାନେ ନିଜର ଧନସମ୍ପତ୍ତିକୁ ସେଇ ଦୁର୍ବୃତ୍ତମାନଙ୍କଠାରୁ ବଞ୍ଚେଇ ପାରିଥିଲେ । ସେମାନେ ଭଙ୍ଗା ଖଟଠାରୁ ଆରମ୍ଭ କରି ଫୁଟା ସିଲଭର ବାସ ଯାଏ ସବୁକିଛି ଲଦି ଚାଲି ଆସିଥିଲେ । ଏବେ ସେମାନେ ସେସବୁକୁ ହିନ୍ଦୁସ୍ତାନକୁ ନେବାଲାଗି ଚାହୁଁଥିଲେ ।
ସେମାନଙ୍କ ହାତରେ ଗୁଳିଭରା ବନ୍ଧୁକ ଥିଲା ଏବଂ ସେମାନେ ଯେକୌଣସି ମୁହୂର୍ତ୍ତରେ ଗୁଳି ଚଳାଇବାକୁ ଯେମିତି ପ୍ରସ୍ତୁତ ଥିଲେ । ସେମାନେ ଆଖି କୋଣରେ ବେଳେବେଳେ ଚାହୁଁଥାଆନ୍ତି ଡବା ଭିତରେ ବସିଥିବା ଦୁସ୍ଥ ଶରଣାର୍ଥୀମାନଙ୍କ ଆଡ଼େ । ସେମାନଙ୍କ ଚାହାଣି ସମ୍ପୂର୍ଣ୍ଣ ଉଦ୍ଦେଶ୍ୟପୂର୍ଣ୍ଣ ଲାଗୁଥିଲା । ତକ୍ଷଶୀଳା ଷ୍ଟେସନରେ ମତେ ଢେର୍ ସମୟ ଯାଏ ଅପେକ୍ଷା କରିବାକୁ ପଡ଼ିଲା । ମୁଁ ନିଜେ ବି ଜାଣିପାରୁ ନ ଥିଲି ବିଳମ୍ବର ଉଦ୍ଦେଶ୍ୟ କ’ଣ? ସମ୍ଭବତଃ, ଆଖପାଖ ଗାଆଁଗଣ୍ଡାରୁ ଆଉ କିଛି ହିନ୍ଦୁ ଶରଣାର୍ଥୀଙ୍କୁ ବୋହିନେବା ଲାଗି ଅପେକ୍ଷା ଥିଲା ଏଭଳି ବିଳମ୍ବର କାରଣ! ଏବେ ଯିଏ ଯାହା କିଛି ଖାଇବା ଜିନିଷ ନିଜ ସାଥିରେ ଆଣିଥିଲେ, ସେସବୁ ଖାଇବାକୁ ଆରମ୍ଭ କଲେ । ଏପର୍ଯ୍ୟନ୍ତ ଭୟରେ ଡବଡବ ଆଖିକରି ବସିଥିବା ଛୋଟ ଛୋଟ ପିଲାସବୁ ସେଇ ଖୁନ୍ଦାଖୁନ୍ଦି ଡବାସାରା ବୁଲାବୁଲି କରି ପରସ୍ପର ଭିତରେ ଖେଳକୁଦ କରିବା ଆରମ୍ଭ କରିଦେଲେ । ଯୁବତୀ ଝିଅମାନେ କିନ୍ତୁ ତଥାପି ଡବାର ଝର୍କାଦେଇ ବାହାରକୁ ଚାହିଁ ରହିଥାଆନ୍ତି । କାଳେ କେତେବେଳେ ପୁଣି ହାଣକାଟ, ଲୁଟ୍, ଝିଅବୋହୂଙ୍କ ଟାଣିଓଟାରି ନେବା ଆରମ୍ଭ ହୋଇଯିବ!
ତଥାପି ଏବେ ସେସବୁର ଆଶଙ୍କା କମି ଆସିଥିଲା । ବୁଢ଼ା କେଇଜଣ ଆଖିବୁଜି ହୁକ୍କା ଟଣାରେ ଲାଗିଯାଇଥିଲେ । ଏତିକିବେଳେ କିଛି ଦୂରରୁ ହୋହଲ୍ଲା ଶୁଭିଲା । ତା’ସାଥିରେ ଢୋଲବାଜାର ଶବ୍ଦ । ଟ୍ରେନର ହିନ୍ଦୁ ଶରଣାର୍ଥୀମାନେ ଭାବିଲେ ଆଉ କିଛି ହିନ୍ଦୁ ଶରଣାର୍ଥୀ ଭାଇ ବୋଧେ ଟ୍ରେନ ଧରିବାକୁ ଆସୁଛନ୍ତି । କିଛି ସମୟ ପରେ ଗୋଟିଏ ଲମ୍ବା ପଟୁଆର ଦେଖାଗଲା । ଆଁ! ଇଏ କ’ଣ? ଡ୍ରମ୍ ବାଡ଼େଇ, ଗଳାଫଟା ଚିତ୍କାର ଛାଡ଼ି ଯେଉଁମାନେ ଆସୁଥିଲେ ସେମାନେ ସମସ୍ତେ ତ ଅନ୍ୟ ସମ୍ପ୍ରଦାୟର!
ସେମାନେ ରକ୍ତମୁଖା ଦିଶୁଥିଲେ । ଉଚ୍ଚ ସ୍ୱରରେ ଗାଳିଗୁଲଜ କରୁଥିଲେ । ଟ୍ରେନ ଭିତରେ ଭୟରେ ମୁହଁ ଲୁଚେଇନେଲେ ନିରୀହ ଶରଣାର୍ଥୀମାନେ । ପଟୁଆରରେ ଆସୁଥିବା ସବୁ ମୁସଲମାନଙ୍କ ହାତରେ ଗୋଟିଏ ଗୋଟିଏ ହିନ୍ଦୁଙ୍କ ଶବ । ପ୍ରାଣଘେନି ପଳେଇ ଆସୁଥିଲାବେଳେ ସେମାନଙ୍କୁ ଧରି ହତ୍ୟା କରାଯାଇଛି । ଦି’ଶହଟା ଶବ । ଷ୍ଟେସନରେ ପହଞ୍ôଚ ସେମାନେ ଶବଗୁଡ଼ାଙ୍କୁ ବେଲୁଚି ଗାର୍ଡମାନଙ୍କ ଜିମା ଦେଲେ ଏବଂ ସେମାନଙ୍କୁ ତାଗିଦ୍ କରି କହିଲେ ସୀମା ଆରପଟେ ସେସବୁକୁ ପହଞ୍ଚାଇ ଦେବାକୁ ।
ସେମାନଙ୍କ କହିବା ମୁତାବକ ଶବଗୁଡ଼ିକୁ ପହଞ୍ଚାଇ ଦିଆଯିବ ବୋଲି ମୁଣ୍ଡ ଟୁଙ୍ଗାରି ବେଲୁଚି ଗାର୍ଡମାନେ ସମ୍ମତି ଜଣାଇଲେ ଏବଂ ସେସବୁକୁ ଗ୍ରହଣ କଲେ । ତା’ପରେ ପ୍ରତି ଡବାରେ ଦଶରୁ ପନ୍ଦର ଲେଖାଏଁ ଶବଙ୍କୁ ଠେଲିପେଲି ଭର୍ତ୍ତି କରି ଦିଆଗଲା । ଏସବୁ କାର୍ଯ୍ୟ ସରିଲା ପରେ ପଟୁଆର କରି ଆସିଥିବା ଲୋକମାନେ ଶୂନ୍ୟକୁ ବନ୍ଧୁକ ଫୁଟାଇ ବିଜୟ ଗର୍ବରେ କିଛି ସମୟ ଉଲ୍ଲସିତ ହେଲେ । ଏଥର ସେମାନଙ୍କ ନିର୍ଦେଶ କ୍ରମେ ଟ୍ରେନକୁ ଆଗକୁ ବଢ଼ିବା ଲାଗି ଷ୍ଟେସନ ମାଷ୍ଟର ସଙ୍କେତ ଦେଲେ । ସେଇ ଅନୁସାରେ ସବୁ କାର୍ଯ୍ୟ କରାଗଲା । ତା’ପରେ ମୁଁ ଆଗକୁ ଆରମ୍ଭ କରିଛି କି ନାହିଁ ଏତିକିବେଳେ ପୁଣି ଥରେ ମତେ ଅଟକିବା ଲାଗି ସଙ୍କେତ ମିଳିଲା । ବାଧ୍ୟ ହୋଇ ଅଟକିଲି । ପଟୁଆରରେ ଆସିଥିବା ମୁସଲମାନ ଦଙ୍ଗାକାରୀମାନେ ଅଡ଼ି ବସିଲେ, ସେମାନଙ୍କ ଗାଆଁରୁ ଏବେ ଦି’ଶହ ହିନ୍ଦୁ ପଦା ହୋଇଗଲେ । ସେମାନଙ୍କ ବେପାର ବଣିଜ ପୁଣି ଚଳିବ କେମିତି? ତେଣୁ ସେମାନେ ଦି’ଶହ ମୁର୍ଦ୍ଦାର ବଦଳରେ ଟ୍ରେନରୁ ଦି’ଶହ ହିନ୍ଦୁ ଶରଣାର୍ଥୀଙ୍କୁ ଧରିନେବେ । ସେମାନଙ୍କ ଏଭଳି ପ୍ରସ୍ତାବକୁ ବେଲୁଚି ଗାର୍ଡ଼ମାନେ ତାରିଫ୍ କଲେ ଓ ତୁରନ୍ତ ଟ୍ରେନ ଭିତରୁ ଦି’ଶହ ହିନ୍ଦୁ ଯାତ୍ରୀଙ୍କୁ ଟାଣି ଷ୍ଟେସନର ପ୍ଲାଟଫର୍ମକୁ ଠେଲିଦେଲେ ।
‘ଏବେ ଧାଡ଼ିବାନ୍ଧି ଠିଆ ହୋଇଯାଅ କାଫେର୍ମାନେ ।’
ପଟୁଆରର ଦଳପତି ଉଚ୍ଚ ସ୍ୱରରେ ଏଭଳି ନିର୍ଦେଶ ଦେଲେ । ସେ ହେଲେ ଏ ଅଞ୍ଚଳର ସବୁଠୁ ବଡ଼ ଚାଷୀ । ବିଚରା ହିନ୍ଦୁ ଶରଣାର୍ଥୀମାନେ ଆବାକାବା ହୋଇ ଚାହିଁ ରହିଲେ ଦଳପତିଙ୍କ ଆଡ଼େ । ତା’ପରେ ସେମାନଙ୍କୁ ଠେଲିପେଲି ଗୋଟିଏ ଧାଡ଼ିରେ ଠିଆ କରାଇଦେଲେ ଅନ୍ୟ ଦଙ୍ଗାକାରୀମାନେ । ଦି’ଶହ ଲୋକ । ଲୋକ ନୁହେଁ ତ ଦି’ଶହଟା ଜିଅନ୍ତା ଶବ । କାହାରି ମୁହଁରେ ବୁନ୍ଦାଏ ରକ୍ତ ଥିଲାପରି ଲାଗୁ ନ ଥିଲା । କେବଳ ଯାହା ଦି’ ଦି’ଟା ଭୟାର୍ତ୍ତ ଆଖି ମଝିରେ ମଝିରେ ପଲକ ପକାଇ ସେମାନଙ୍କ ଜୀବନ୍ତ ସତ୍ତାକୁ ପ୍ରମାଣିତ କରୁଥିଲା ।
ବେଲୁଚି ସୈନିକମାନେ ଆରମ୍ଭ କରିଦେଲେ ଗୁଳିଫୁଟା । ସାଙ୍ଗେ ସାଙ୍ଗେ ପନ୍ଦରଜଣ ଟଳି ପଡ଼ିଲେ ସେଇ ଷ୍ଟେସନ ଚଟାଣ ଉପରେ । ତକ୍ଷଶୀଳା ଷ୍ଟେସନର ଏହା ଥିଲା ସେଦିନର ଘଟଣା । ତକ୍ଷଶୀଳା । ଦିନେ ଏଠାରେ ଅବସ୍ଥିତ ଥିଲା ସମଗ୍ର ଏସିଆ ଭୂଖଣ୍ଡର ସର୍ବବୃହତ୍ ବିଶ୍ୱବିଦ୍ୟାଳୟ । ସଭ୍ୟତା ଓ ସଂସ୍କୃତିର ମୂଳମନ୍ତ୍ରରେ ଦୀକ୍ଷିତ ହେବାଲାଗି ଦିନେ ବିଶ୍ୱର ଦୂରଦୂରାନ୍ତରୁ, ଅନେକ ପ୍ରାନ୍ତରୁ ବିଦ୍ୟାର୍ଥୀମାନେ ଏଠାକୁ ଆସୁଥିଲେ । ପୁଣି ଥରେ ଚାଲିଲା ଆଖିବୁଜା ଗୁଳିଫୁଟା । ଆଉ ପଚାଶଜଣ ଲୋକ ଟଳି ପଡ଼ିଲେ । ତକ୍ଷଶୀଳା ସଂଗ୍ରହାଳୟରେ ମହାନ୍ ଭାରତୀୟ ପ୍ରାଚୀନ ପରମ୍ପରାକୁ ସମୃଦ୍ଧ କରୁଥିବା ଅନେକ ସମ୍ପଦ ଏବେସୁଦ୍ଧା ସୁସଂରକ୍ଷିତ । ପୁଣି କେଇ ମିନିଟ ପରେ ଗୁଳି ଫୁଟିବାର ଆବାଜ । ଆଉ ତିରିଶ ଜଣ ଚିରନିଦ୍ରାରେ ଶୋଇଗଲେ ।
ମହାନ୍ ସମ୍ରାଟ କନିଷ୍କ ଦିନେ ଏଇଠି ସ୍ଥାପନ କରିଥିଲେ ନିଜର ସାମ୍ରାଜ୍ୟର ପ୍ରାଣକେନ୍ଦ୍ର, ରାଜଧାନୀ । ବିଶାଳ ସାମ୍ରାଜ୍ୟକୁ ସବୁଗୁଣେ ସୁନ୍ଦର ଓ ସରସ କରି ଗଢ଼ି ତୋଳିବାକୁ ସେ ନିଜର ସବୁ ଶ୍ରମ ବିନିଯୋଗ କରିଥିଲେ । ତାଙ୍କର ବହୁଜନ ହିତାୟ ନିଷ୍ଠା ଓ ଆଦର୍ଶ ଇତିହାସରେ ସୁଦ୍ଧା ବିରଳ । ଏଇ ସେଇ ପୁଣ୍ୟଭୂମି! ଚାହୁଁ ଚାହୁଁ ଆଉ ପଚିଶ ଜଣଙ୍କ ଦଶା ପୂର୍ବରୁ ପ୍ରାଣ ହରାଇଥିବା ହତଭାଗ୍ୟଙ୍କ ଭଳି ହେଲା । ମହାତ୍ମା ବୁଦ୍ଧ ଦିନେ ଏଇ ଭୂମିରେ ପ୍ରଚାର କରିଥିଲେ ଅହିଂସାର ଅମୃତ ବାଣୀ । ଆଉ ତାଙ୍କର ବାଣୀରେ ଉଦବୁଦ୍ଧ ହୋଇ ବୌଦ୍ଧ ସନ୍ନ୍ୟାସୀମାନେ ଏଇଠାରୁ ବିଶ୍ୱର ଚତୁର୍ଦ୍ଦିଗରେ ବିସ୍ତାରିତ କରିଥିଲେ ସେଇ ମହାନ୍ ଆତ୍ମାଙ୍କ ମହାନ୍ ଗାଥା । ଅବଶିଷ୍ଟ କେଇଜଣ ହତଭାଗ୍ୟ ଏବେ ସେମାନଙ୍କ ଶେଷନିଃଶ୍ୱାସ ତ୍ୟାଗ କଲେ ଆତତାୟୀଙ୍କ ଗୁଳିରେ ।
ଏଇ ସ୍ଥାନରେ ହିଁ ପ୍ରଥମ ଥର ଲାଗି ଇସଲାମ ଧର୍ମର ଧ୍ୱଜା ଉଡ଼ିଥିଲା ଭାରତୀୟ ଉପମହାଦେଶରେ ଭ୍ରାତୃତ୍ୱ ଓ ମାନବତାର ବାର୍ତ୍ତା ପ୍ରଚାର ଲାଗି । ଚାରିଆଡ଼େ ଏବେ କେବଳ ସଦ୍ୟ ମୃତ୍ୟୁବରଣ କରିଥିବା ଶହ ଶହ ଶବ ବିଛେଇ ହୋଇ ପଡ଼ିଥିଲା । ତଥାପି ଆତତାୟୀଙ୍କ ଆର୍ତ୍ତଚିତ୍କାର ଶୁଭୁଥିଲା, ‘ଆଲ୍ଲା ହୋ ଆକବର!’ ରେଳ ଷ୍ଟେସନଟା ସାରା ଯେମିତି କିଏ ରକ୍ତର ହୋଲି ଖେଳିଥିଲା ଏଇ କିଛି ସମୟ ଆଗରୁ! ତା’ପରେ ମୁଁ ବଢ଼ିଲି ଆଗକୁ । ଷ୍ଟେସନ ଛାଡ଼ିଲା ବେଳକୁ ରେଳ ଧାରଣା ଉପରୁ ମୋ ଚକଗୁଡ଼ାକ ଖସିଯିବା ଭଳି ଲାଗୁଥିଲା । କାରଣ, ରେଳଧାରଣା ସାରା ତାଜା ରକ୍ତ ଜୁଡ଼ୁବୁଡ଼ୁ । ମତେ ଡର ଲାଗୁଥିଲା କାଳେ ମୁଁ ଧାରଣା ଉପରୁ ଖସିଯିବି ।
ଏତେଗୁଡ଼ାଏ ଆତଙ୍କିତ ନିରୀହ ଲୋକଙ୍କ ପ୍ରାଣ ଚାଲିଯିବ । ତଥାପି ମୁଁ ଷ୍ଟେସନରୁ ଆଗକୁ ଗଡ଼ିଲି । ସବୁ ଡବାରେ ଶବ । ରକ୍ତ ଜୁଡ଼ୁବୁଡ଼ୁ ଲାସଗୁଡ଼ାକ ଡବାସାରା ବିଛେଇ ହୋଇ ପଡ଼ିଥିଲା । ତା’ରି ଭିତରେ ଆତଙ୍କିତ ଲୋକମାନେ ଡରି ଡରି ବସି ରହିଥାଆନ୍ତି । କାହାରି ପାଟିରୁ କିଛି ହେଲେ ବାକ୍ୟ ସ୍ଫୁରୁ ନ ଥିଲା । ଗେଟ୍ ପାଖରେ ବେଲୁଚି ଗାର୍ଡଟା କାନ୍ଧରେ ବନ୍ଧୁକ ପକେଇ ଘଡ଼ିକେ ପହରକେ ଡବା ଭିତରେ ଆଖି ବୁଲେଇ ନେଉଥିଲା ଓ ମୁରୁକି ହସି ନିଶ ମୋଡ଼ି ଚାଲିଥିଲା । ଗୋଟିଏ ଡବା ଭିତରୁ କେଉଁଠି ଶିଶୁଟିଏ କାନ୍ଦି ଉଠିଲା । ତା’ପଛକୁ ଶୁଭିଲା ବୁଢ଼ୀଟିଏର ଗୁମୁରି ଗୁମୁରି କାନ୍ଦିବାର ଶବ୍ଦ । ପଛକୁ ପଛ ଶୁଭିଲା ଭୁଆସୁଣୀ ମାଇପିମାନଙ୍କ ବୋବାଳି । ଏଇ କାନ୍ଦଣାରେ ମୋର ଛାତି ଭିତର ଥରି ଉଠୁଥିଲା । ତଥାପି ହ୍ୱିସିଲ ବଜେଇ, ଧୂଆଁ ଛାଡ଼ି ମୁଁ ଚାଲିଥିଲି ରାଓଲପିଣ୍ଡି ଷ୍ଟେସନ ଅଭିମୁଖେ ।
କିଛି ସମୟ ପରେ ମୁଁ ପ୍ରବେଶ କଲି ରାଓଲପିଣ୍ଡି ପ୍ଲାଟଫର୍ମ ଭିତରେ । ଏଠାରେ କେହି ମୋତେ ଅପେକ୍ଷା କରି ନ ଥିଲେ । କେବଳ ଆଖିରେ ପଡ଼ିଲା କେଇଜଣ ମୁସଲମାନ ଯୁବକ ରାଇଫଲ କାନ୍ଧରେ ଝୁଲେଇ କେଇଜଣ ବୁର୍ଖାପିନ୍ଧା ତରୁଣୀଙ୍କୁ ସାଙ୍ଗରେ ଧରି ନେଇ ଯାଉଥିଲେ । ଗୋଟିଏ କମ୍ପାର୍ଟମେଣ୍ଟ ଭିତରେ ସେମାନେ ଗୁଡ଼ାଏ ଗୁଳିଗୋଳା, ବନ୍ଧୁକ, ମେସିନଗନ ଆଦି ଲଦିଲେ । ତା’ପରେ ପୁଣି ମୋର ଯାତ୍ରା ଆରମ୍ଭ ହେଲା ଆଗକୁ, ଭାରତ ଅଭିମୁଖେ । ଝେଲମ ନଦୀ ପାର ହୋଇ ମୁଁ ଚାଲିଥିଲି ଗୁଜରାଟ ଆଡ଼େ । ଏତିକିବେଳେ କିଏ ଜଣେ ଆଲାର୍ମ ଚେନ୍ ଟାଣି ମୋତେ ଅଟକେଇଲା । ବିକଟ ଚିତ୍କାର କରି ମୁଁ ଅଟକିଗଲି କେଇଟା ମୁହୂର୍ତ୍ତ ଭିତରେ ।
ମୁସଲମାନ ଯୁବକମାନେ ସେଇ ବୁର୍ଖା ପିନ୍ଧା କେଇଜଣ ବୁର୍ଖାକୁ ହଠାତ୍ ଚିରି ପକାଇଲେ । ଭୟରେ ସେ ତରୁଣୀମାନେ ଚିତ୍କାର କରିଉଠିଲେ, ‘ଆମେମାନେ ହିନ୍ଦୁ, ଶିଖ୍ । ବଞ୍ଚାଅ, ଭାଇମାନେ ଆମକୁ ବଞ୍ଚାଅ ।’ ଯୁବକମାନେ ସେମାନଙ୍କ ମୁହଁକୁ ଚାହିଁ ବିଦ୍ରୂପର ହସ ହସୁଥିଲେ । କାରଣ ସେମାନଙ୍କୁ ଭଲ ଭାବେ ମାଲୁମ ଥିଲା ଯେ ସେମାନେ ଏହି ମହିଳାମାନଙ୍କ ସହିତ ଯେକୌଣସି ପ୍ରକାର ବ୍ୟଭିଚାର କଲେ ସୁଦ୍ଧା କେହି ପ୍ରାଣ ଭୟରେ ତୁଣ୍ଡ ଖୋଲିବେନି । ସେତିକିବେଳେ ସେମାନଙ୍କ ଭିତରୁ ଜଣେ ଚିତ୍କାର କରି ଉଠିଲା, ‘ଆମେ ଏଇ ମହିଳାମାନଙ୍କୁ ତୁମରି ଆଖି ଆଗରେ ଉଠେଇ ନେଇଯାଉଛୁ । ସେମାନଙ୍କ ସହିତ ଆମ ଇଚ୍ଛା ଆମେ ଯାହା କରିପାରିବୁ । ଯଦି କିଏ ବାପର ପୁଅ ଅଛି, ଆମକୁ ସାମ୍ନା କରୁ । ’ଏତିକି କହି ସେମାନେ ସେଇ ମହିଳାମାନଙ୍କୁ ଟ୍ରେନରୁ ଟାଣି ଟାଣି ବାହାରକୁ ନେଇଗଲେ ।
ସେମାନଙ୍କର କାହାରି ପ୍ରତି ଖାତିର ନ ଥିଲା । ଦଣ୍ଡେ ଲାଗି ସାରା କମ୍ପାର୍ଟମେଌକ୍ଷଗ୍ଧ;ଟା ସ୍ତବ୍ଧ ହୋଇଗଲା । ତା’ପରେ ଦି’ଜଣ ହିନ୍ଦୁ ଯୁବକ ଖପାଖପ୍ ଟ୍ରେନରୁ ତଳକୁ ଡେଇଁପଡ଼ିଲେ । ସେମାନଙ୍କ ଆଖି ସାମ୍ନାରେ କେଇଜଣ ହିନ୍ଦୁ ମହିଳାଙ୍କ ଇଜ୍ଜତ ଲୁଟ ହେବ, ସେକଥା ସେମାନେ ବରଦାସ୍ତ କରି ପାରିବେନି । ଗେଟ୍ ପାଖରେ ଠିଆ ହୋଇଥିବା ବେଲୁଚି ଗାର୍ଡ ଦି’ଜଣ ତତ୍କ୍ଷଣାତ୍ କାନ୍ଧରୁ ବନ୍ଧୁକ କାଡ଼ି କେଇ ରାଉଣ୍ଡ ଗୁଳି ଚଳେଇଲେ । ମାତ୍ର କେଇ ପାହୁଣ୍ଡ ଯାଇ ସେ ଯୁବକ ହଳକ ମରି ପଡ଼ିଲେ । ହେଲେ
ଏକଥା ଦେଖି ଆଉ କେତେଜଣ ହିନ୍ଦୁ ଲୋକଙ୍କ ରକ୍ତରେ ଯେମିତି ନିଆଁ ଲାଗିଗଲା । ସେମାନେ ଦୁର୍ବୃତ୍ତମାନଙ୍କ କବଳରୁ ମହିଳାମାନଙ୍କୁ ମୁକୁଳେଇବାକୁ ଆଗଭର ହେଲେ । ତେବେ ସେଇ ମୁସଲମାନ ଯୁବକଗୁଡ଼ାକ ସେମାନଙ୍କୁ ଆଗକୁ ଯିବାକୁ ଦେଲେନି । ଦି’ ଦି’ଥର ଏ କାଣ୍ଡ ଦେଖି ଆଉ କେହି ଭରସିକରି ସେହି ଅସହାୟ ମହିଳାଙ୍କ ଆଡ଼କୁ ଚାହିଁ ସୁଦ୍ଧା ପାରିଲେନି ।
ମୁସଲମାନ ଯୁବକମାନେ ଏଥର ସେଇ ଅର୍ଦ୍ଧ ଉଲଗ୍ନ ମହିଳାମାନଙ୍କ ହାତ ଧରି ଟାଣି ଟାଣି ନେଇଗଲେ ଟ୍ରେନଲାଇନ କଡ଼ ଜଙ୍ଗଲ ଭିତରକୁ । ମୁଁ ପୁଣି କଳାଧୂଆଁ ଛାଡ଼ି ରଡ଼ି ପକାଇ ଗଡ଼ି ଚାଲିଲି ଆଗକୁ । ପଛରେ ରହିଗଲେ ସେଇ କେତେଜଣ ଅସହାୟା ତରୁଣୀ । ଜାଣେନା ସେମାନେ ନିଜ ନିଜର ଇଜ୍ଜତ ବଞ୍ଚେଇ ପାରିଲେ କି ନା! ଲାଗୁଥିଲା, ସତେ ଯେପରି ସେଇ ଦିନ ସେଇ ମୁହୂର୍ତ୍ତରେ ହିଁ ଦୁନିଆଟା ଧ୍ୱଂସ ପାଇଯିବ! ଏତେସବୁ ଅନ୍ୟାୟ ଅତ୍ୟାଚାର ଲହୁଲୁହାଣ ଦେଖି ମନେ ହେଉଥିଲା ଯେମିତି ଏଇ ମୁହୂର୍ତ୍ତରେ ମୋ ଛାତି ଫାଟିଯିବ ଓ ମୋ ଭିତରେ ଜଳୁଥିବା ନିଆଁ ଗ୍ରାସିଯିବ ଦୁଇ କଡ଼ର ଜଙ୍ଗଲକୁ । ଆଉ ତା’ ସାଥିରେ ସେଇ ମହିଳା କେଇଜଣଙ୍କୁ ।
ଢେର୍ ସମୟ ପରେ ମୁଁ ଆସି ପହଞ୍ଚିଲି ଲାଲମୂଷା ଷ୍ଟେସନରେ । ସେତେବେଳକୁ ଟ୍ରେନଟା ସାରା ମୁର୍ଦ୍ଦାର ଗୁଡ଼ାକ ଏପରି ଗନ୍ଧେଇବାକୁ ଆରମ୍ଭ କରିଥାଆନ୍ତି ଯେ ନାକ ଫାଟି ପଡ଼ୁଥିଲା । ବେଲୁଚି ଜଗୁଆଳୀମାନେ ବି ସେସବୁ ସହି ପାରୁ ନ ଥାଆନ୍ତି । ତା’ପରେ ସେମାନେ ଗୁଡ଼ାଏ ପଚା ଶବକୁ ତଳକୁ ଗଡ଼େଇଦେଲେ । ଡବାରେ ବସିଥିବା ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଶବଗୁଡ଼ାଙ୍କୁ ବୋହିବାକୁ । ବାଧ୍ୟ ହୋଇ ସେମାନେ କମ୍ପାର୍ଟମେଣ୍ଟ ଭିତରୁ ଦୁଆରମୁହଁ ପର୍ଯ୍ୟନ୍ତ ଶବଗୁଡ଼ାଙ୍କୁ ଆଣିବା ପରେ ଗାର୍ଡମାନେ ସେସବୁକୁ ତଳକୁ ଠେଲି ଦେଉଥାଆନ୍ତି ଗୋଡ଼ରେ । ଶବଗୁଡ଼ିକ ସାଥିରେ କେଇଜଣ ଲୋକଙ୍କୁ ବି ସେମାନେ ମନଇଚ୍ଛା ଧକ୍କା ଦେଇ ତଳକୁ ଫିଙ୍ଗିଦେଲେ । ଏବେ ଡବା ଭିତରଟା ଟିକିଏ ଫାଙ୍କା ଦିଶିଲା । କେଇ ମିନିଟ ପରେ ପୁଣି ଆରମ୍ଭ ହେଲା ଭୟଙ୍କର ଯାତ୍ରା ।
ୱାଜିରାବାଦ ଷ୍ଟେସନରେ ମୁଁ ପହଞ୍ôଚଲି କେଇ ଘଌକ୍ଷଗ୍ଧ;ା ପରେ । ହାଣକାଟ, ଛୁରୀଭୁଷା ଲାଗି ଏ ଜାଗାର ସାରା ଭାରତରେ ନାଁ ଡାକ୍ । ହେଲେ ଶହ ଶହ ବର୍ଷ ଧରି ଏଠାରେ ହିନ୍ଦୁ-ମୁସଲମାନମାନେ ଭାଇ ଭାଇ ଭଳି ଚଳି ଆସୁଥିଲେ । ପ୍ରତିବର୍ଷ ଦୁଇ ସମ୍ପ୍ରଦାୟ ମିଶି ମହା ଆନନ୍ଦ ଉଲ୍ଲାସରେ ବୈଶାଖୀ ପର୍ବ ମନାନ୍ତି । କିନ୍ତୁ ପ୍ଲାଟଫର୍ମରେ ପଶୁ ପଶୁ ମୋ ଛାତି ଥରି ଉଠିଲା । ପ୍ଲାଟଫର୍ମ ସାରା କେବଳ ମଡ଼ା ଆଉ ମଡ଼ା । ସମ୍ଭବତଃ ଏବର୍ଷ ବୈଶାଖୀ ଏଇ ଭଳି ପାଳିବାକୁ ଦି’ଧର୍ମର ଲୋକେ ମନସ୍ଥ କରିଥିଲେ! ସହର ଭିତରୁ ଅନେକ ସ୍ଥାନରୁ ମୋଟ କଳାଧୂଆଁ ଆକାଶକୁ ଉଠୁଥିଲା ଅଜଗର ସାପଟିଏ ଭଳି ।
ଏତିକିବେଳେ ଷ୍ଟେସନ ପାଖରୁ ଇଂଲିଶ୍ କାଇଦାରେ ବ୍ୟାଣ୍ଡ୍ ବାଜାର ଶବ୍ଦ ଶୁଭିଲା । ଆଉ ତା’ସାଙ୍ଗକୁ ପଞ୍ଝାଏ ଲୋକ ତାଳିମାରି ପଶି ଆସିଲେ ପ୍ଲାଟଫର୍ମ ଭିତରକୁ । ସେମାନଙ୍କ ହସ,ଗୀତ, ହୋହଲ୍ଲା ଭିତରେ ପ୍ଲାଟଫର୍ମ ଭିତରଟା ଫାଟି ପଡ଼ିଲା । ଆଉ ଇଏ କିଏ? ସେମାନଙ୍କ ପଛରେ ଏ କି ଦୃଶ୍ୟ? ଏତେଗୁଡ଼ାଏ ବିବସ୍ତ୍ର ମହିଳା! କିଶୋରୀଙ୍କଠାରୁ ଆରମ୍ଭ କରି ବୃଦ୍ଧାଙ୍କ
ପର୍ଯ୍ୟନ୍ତ! ଦେହରେ ଚାଖଣ୍ଡେ ବୋଲି ବେଢ଼େଇ ହେବାକୁ କନା ନାହିଁ । ଏମାନଙ୍କର ଏ ଦଶା କଲା କିଏ? କିଛି ସମୟ ପରେ ବୁଝାପଡ଼ିଲା ସେମାନେ ସମସ୍ତେ ହିନ୍ଦୁ ଅଥବା ଶିଖ୍ ସମ୍ପ୍ରଦାୟର । ପ୍ରତିପକ୍ଷ ସମ୍ପ୍ରଦାୟର ଲୋକମାନେ ବୈଶାଖୀ ଉତ୍ସବ ମନେଇବାକୁ ସେମାନଙ୍କୁ ଉଲଗ୍ନ କରି ନାଚି ଚାଲିଛନ୍ତି । ଓଃ, କି ଭୟଙ୍କର ସେ ଦୃଶ୍ୟ! ସ୍ତ୍ରୀଲୋକଗୁଡ଼ାକଙ୍କର ମୁଣ୍ଡର କେଶ ମୁକୁଳା । ଦେହରେ ଠାଏ ଠାଏ କ୍ଷତ ଚିହ୍ନ ।
ତାଜା ରକ୍ତ କେଉଁଠୁ କେମିତି ବହୁଥିଲା । ତଥାପି ସେଥିପ୍ରତି ଖାତିର ନ କରି ଏଇ ଆତଙ୍କିତ ନାରୀମାନେ ନାଚି ଚାଲିଛନ୍ତି! କ୍ଷଣକ ଲାଗି ମୋ ମନକୁ ଆସିଲା – ଏମାନେ ନିଜର ଇଜ୍ଜତକୁ ହରାଇ ସାରିବା ପରେ ଆଉ କେଉଁ ଭୟରେ ନାଚୁଛନ୍ତି? ବରଂ ଏମାନଙ୍କ ଲାଗି ଏବେ ମୃତ୍ୟୁ ଅଧିକ ଶ୍ରେୟ ।
ସେଇ ଭିଡ଼ ଭିତରୁ ହଠାତ୍ ଶୁଭିଲା, ‘ପାକିସ୍ତାନ ଜିନ୍ଦାବାଦ୍! ଇସଲାମ ଜିନ୍ଦାବାଦ୍! କ୍ୱଏଦ୍- ଏ- ଆଜମ୍, ଜିନ୍ଦାବାଦ୍!’
କୋଳାହଳ ଥମିଗଲା ଓ ଲୋକମାନେ ମୋ ଆଡ଼କୁ ମାଡ଼ି ଆସିଲେ । ଡବାରେ ବସିଥିବା ମହିଳାମାନେ ଭୟରେ ସେମାନଙ୍କ ମୁଣ୍ଡର ଓଢ଼ଣୀକୁ ଟାଣିଦେଲେ ଓ ଝର୍କାଗୁଡ଼ିକର ସଟର ବନ୍ଦ୍ କରିଦେଲେ । ହେଲେ ବେଲୁଚି ଗାର୍ଡମାନେ ସେମାନଙ୍କୁ ବାଧା ଦେଲେ । ସେମାନଙ୍କ ଦେହରେ ଠିକ୍ ଭାବେ ପବନ ବାଜୁନି- ଥିଲା ସେମାନଙ୍କ ଅଭିଯୋଗ । କିନ୍ତୁ ନିଜ ଜୀବନ ଓ ଇଜ୍ଜତ ବଞ୍ଚେଇବାକୁ ଏଭଳି କରିଥିବା ମହିଳାମାନେ ଗାର୍ଡମାନଙ୍କ କଥାକୁ ନ ଶୁଣିଲା ଭଳି ବସିରହିଲେ । ଆଉ କେତେଜଣ ଖୋଲାଥିବା ଅବଶିଷ୍ଟ ଝର୍କା ସଟରଗୁଡ଼ିକୁ ବନ୍ଦ୍ କରିବାରେ ଲାଗିଗଲେ । ସେମାନଙ୍କ ଆଦେଶକୁ ବେଖାତିର କରିଥିବାରୁ ବେଲୁଚୀ ଗାର୍ଡ଼ମାନେ ରାଗିପାଚି ଲାଲ୍ ପଡ଼ିଗଲେ ଓ କିଛି ଚିନ୍ତା ନ କରି କମ୍ପାର୍ଟମେଣ୍ଟ ଭିତରକୁ ଆଖିବୁଜା ଗୁଳି କରିଚାଲିଲେ । କିନ୍ତୁ ସେତେବେଳକୁ ସବୁ ଝର୍କା ବନ୍ଦ୍ ହୋଇସାରିଥିଲା । ତେବେ ଏଥିପାଇଁ କେଇଜଣ ଶରଣାର୍ଥୀଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା । କମ୍ପାର୍ଟମେଣ୍ଟ ଚଟାଣ ଉପରେ ଶୁଖି ଆସିଥିବା ରକ୍ତ ଉପରେ ଆଉ ପରସ୍ତେ ତାଜା ରକ୍ତ ଖେଳିଗଲା ।
ପ୍ଲାଟଫର୍ମରେ ଠିଆ ହୋଇଥିବା ଉଲଗ୍ନ ମହିଳାମାନେ ଏବେ ଖାଲି ଡବା ଦେଖି ସେଥିରେ ପଶି ଆଶ୍ରୟ ନେଇ ସାରିଥିଲେ । ପୁଣି ଏକ ଉଦାସ ହୃଦୟକୁ ଧରି ମୁଁ ଆଗକୁ ବଢ଼ିଲି । ପ୍ଲାଟଫର୍ମ ଉପରେ ତଥାପି ଚିତ୍କ୍ାର କରୁଥିବା ଲୋକମାନଙ୍କ ସ୍ୱର ମୋ କାନରେ ପଡ଼ୁଥିଲା, ‘ଇସଲାମ ଜିନ୍ଦାବାଦ! କ୍ୱଏଦ- ଏ-ଆଜମ, ଜିନ୍ଦାବାଦ!’ ଗୋଟିଏ ଡବା ଭିତରେ ତଟସ୍ଥ ହୋଇ ବସିଥିବା ଲୋକମାନଙ୍କ ଭିତରୁ ଛୋଟ ଛୁଆଟିଏ ତା’ ମା’କୁ ପଚାରିଲା – ‘ମା’, ତୁ କାଇଁକ ଫୁଙ୍ଗୁଳା ଦେହରେ ବସିଚୁ? ବଡ଼ ମଣିଷମାନେ କ’ଣ ଏମିତି ଫୁଙ୍ଗୁଳା ବସନ୍ତି? ତୁ କ’ଣ ଗାଧୋଇଚୁ?’
ଅସହାୟା ମା’ଟି ନିଜ ଆଖିର ଲୁହକୁ ପୋଛିନେଇ ଚାହିଁଲା ଛୋଟ ପୁଅଟି ମୁହଁକୁ । ଯେପରି ସେ କହିବାକୁ ଚାହୁଁଥିଲା – ‘ହଁ, ତାକୁ ଆଜି ତା’ଦେଶର ଅନେକ ପୁଅମାନେ ମିଶି ଗାଧୋଇ ଦେଇଛନ୍ତି ନିର୍ଲଜ ଓ ସଙ୍କୋଚ ବିହୀନ ଜଳରେ!’ ଅବୋଧ ଶିଶୁଟି ପୁଣି ପଚାରିଲା, ‘ମା’, ତୋର ଲୁଗାପଟା କୁଆଡ଼େ ଗଲା?’ ମା’ ଏଥର ଉତ୍ତର ଦେଲା, ‘ସେମାନେ ମୋ ଲୁଗାକୁ ନେଇ ଯାଇଛନ୍ତି ରକ୍ତରେ ସଫା କରିଦେବାଲାଗି ।’ ମୁଁ ଭାବୁଥିଲି, ଦୁନିଆର ଆଉ କୌଣସି ବସ୍ତ୍ର ବି ସେ ମା’ର ଇଜ୍ଜତକୁ ଲେଉଟାଇ ଦେଇ ପାରିବନି । ଏଭଳି ଦୃଶ୍ୟ ଦେଖି ସତେ କି ମୋ ମୁଣ୍ଡ ବିଗିଡ଼ି ଯାଇଥିଲା । ମୁଁ ଆଗକୁ ଦୌଡ଼ୁଥିଲି ଖୁବ୍ ଜୋର୍ରେ । ସତେ ଯେପରି ଏଇ ପାଗଳ ପରିବେଶ ଭିତରୁ ଆତ୍ମରକ୍ଷା କରିବା ଲାଗି ମନେ ମନେ ମୁଁ ଆତଙ୍କିତ ହୋଇପଡ଼ିଥିଲି । ହଠାତ୍ ଗୋଟିଏ ଡବାର ଝର୍କା ଖୋଲି ଦି’ଜଣ ଯୁବତୀ ତଳକୁ ଡେଇଁପଡ଼ିଲେ । ସମସ୍ତଙ୍କ ଆଖି କ୍ଷଣକ ଲାଗି ବୁଲିଗଲା ସେଇ ଦିଗକୁ । କିନ୍ତୁ ମୁଁ ଏଇ ଘଟଣା ପ୍ରତି ଯେପରି ବିଶେଷ ଗୁରୁତ୍ୱ ନ ଦେଇ ଧାଉଁଥିଲି ଆଗକୁ । ଅନେକ ସମୟ ଅଣନିଃଶ୍ୱାସୀ ହୋଇ ଦୌଡ଼ିଲାପରେ ମୁଁ ପହଁଞ୍ଚିଲି ଲାହୋର ଷ୍ଟେସନରେ ।
ଏକ ନମ୍ବର ପ୍ଲାଟଫର୍ମରେ ମୁଁ ଲାଗିଲି । ଅଳ୍ପ ସମୟ ଆଗରୁ ଦୁଇ ନମ୍ବର ପ୍ଲାଟଫର୍ମରେ ଆଉ ଗୋଟିଏ ଟ୍ରେନ୍ ଆସି ଲାଗିଥିଲା ଅମୃତସରରୁ । ସେ ଟ୍ରେନ୍ ମୁସଲମାନ ଶରଣାର୍ଥୀମାନଙ୍କୁ ବୋହି ଆଣିଥିଲା ପାକିସ୍ତାନକୁ । ମୁଁ ଅଟକୁ ନ ଅଟକୁଣୁ ମୋ ଡବା ଭିତରେ ଧସେଇ ପଶିଲେ ମୁସଲମାନ ସ୍ୱେଚ୍ଛାସେବୀମାନେ । ସେମାନେ ହିନ୍ଦୁ ଶରଣାର୍ଥୀମାନଙ୍କ ପାଖରୁ ସୁନାରୁପା ଅବା ଆଉ ସବୁ ଜିନିଷପତ୍ର ଯାହା ପାଇଲେ ମନଇଚ୍ଛା ଲୁଟି ଚାଲିଲେ । ହିନ୍ଦୁ ଶରଣାର୍ଥୀମାନେ ଯେଭଳି ତାଙ୍କ ଦେଶରୁ ଏସବୁ ମୂଲ୍ୟବାନ ଜିନିଷପତ୍ର ନେଇ ଭାରତ ପଳାଇବାକୁ ସୁଯୋଗ ନ ପାଆନ୍ତି । ଲୁଟତରାଜ ସରିଲା ପରେ ସେମାନଙ୍କ ମୁଣ୍ଡକୁ ହଠାତ୍ କ’ଣ ଢୁକିଲା କେଜାଣି ସେମାନେ ମୋର ପ୍ରତି ଡବା ଭିତରେ ବସିଥିବା ପ୍ରାୟ ଚାରିଶହ ଲୋକଙ୍କୁ ଟାଣି ଟାଣି ପ୍ଲାଟଫର୍ମ ଉପରେ ଧାଡ଼ିକରି ଠିଆ କରେଇଲେ । କାରଣ ବୁଝିଲା ବେଳକୁ କ’ଣ ନା ଅମୃତସର ଆଡ଼ୁ ଆସିଥିବା ଟ୍ରେନରେ ୪୦୦ ଜଣ ମୁସଲମାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଛି ଓ ସେମାନଙ୍କ ସହ ୫୦ ଜଣ ସରିକି ମହିଳାଙ୍କ ଇଜ୍ଜତ ଲୁଟ୍ ହୋଇଛି । ତେଣୁ ଏହାର ପ୍ରତିଶୋଧ ନେବାକୁ ମୋ ଠାରୁ ୪୦୦ ଜଣ ଲୋକ ଓ ୫୦ ଜଣ ମହିଳାଙ୍କୁ ଧରି ନିଆଗଲା । ମାତ୍ର କେଇଟା ମିନିଟ ଭିତରେ ୪୦୦ ଜଣ ହିନ୍ଦୁ ଶରଣାର୍ଥୀଙ୍କୁ ଗୁଳିକରି ଉଡ଼େଇ ଦିଆଗଲା । ମାତ୍ର କେଇଟା ମୁହୂର୍ତ୍ତ ଭିତରେ ୫୦ ଜଣ ମହିଳାଙ୍କ ଉପରେ ଯେଉଁସବୁ ବ୍ୟଭିଚାର ଚାଲିଲା ତାହା ମୁଁ ନ ଦେଖିଥିଲେ ବରଂ ଭଲ ହୋଇଥାଆନ୍ତା । ଏବେ ଦୁଇଟି ଟ୍ରେନ ଭିତରେ ଅତ୍ୟାଚାର ଓ ହତ୍ୟାର ମାତ୍ରା ସମାନ ହୋଇଯାଇଥିଲା ।
ଫି’ ଷ୍ଟେସନରେ ଏଇସବୁ କାଣ୍ଡ ଦେଖି ଦେଖି ମୁଁ ଅତିଷ୍ଠ ହୋଇ ଉଠିଥିଲି । ସତେ ଯେପରି ମୁଁ ଆଗକୁ ଆଗକୁ ନୁହେଁ, ନର୍କ ଆଡ଼କୁ ମୁହାଁଇ ଚାଲିଛି । ତା’ପରେ ମୁଁ ପହଞ୍ଚିଲି ଅଟାରୀ ଷ୍ଟେସନରେ । ସେଠାରେ ପହଞ୍ଚିଲା ବେଳକୁ ମୋତେ ଲାଗିଲା ସତେ ଯେପରି ଏ ବାତାବରଣରେ କିଛି ଗୋଟିଏ ପରିବର୍ତ୍ତନ ଘଟିଛି । ମଝିରେ ଗୋଲପୁରା ଷ୍ଟେସନଠାରେ ବେଲୁଚି ଗାର୍ଡମାନେ ଟ୍ରେନରୁ ଓହ୍ଲେଇ ଯାଇଥିଲେ । ବର୍ତ୍ତମାନ ସେମାନଙ୍କ ସ୍ଥାନ ନେଇଥିଲେ କେଇଜଣ ଡୋଗ୍ରା ଓ ଶିଖ୍ ଗାର୍ଡ । ଅଟାରୀ ଷ୍ଟେସନରେ ମୁଁ ପହଞ୍ଚିଲା ବେଳକୁ ପ୍ଲାଟଫର୍ମସାରା କେବଳ ଶବ ଆଉ ଶବ । ପାଦ ପକେଇବାକୁ ସୁଦ୍ଧା ଜାଗା ମିଳିବନି । ହିନ୍ଦୁ ଶରଣାର୍ଥୀମାନେ ଏତେ ଗୁଡ଼ିଏ ଶବ ଦେଖି ଆନନ୍ଦରେ କୁରୁଳି ଉଠିଲେ । ଏତେ ସମୟ ଧରି ସେମାନଙ୍କ ମୁହଁକୁ ଆତଙ୍କର ଯେଉଁ କଳାବାଦଲ ଢାଙ୍କି ରଖିଥିଲା ମାତ୍ର କେଇଟା ମୁହୂର୍ତ୍ତ ଭିତରେ ସେସବୁ କୁଆଡ଼େ ମିଳେଇଗଲା । କାରଣ ଯେଉଁସବୁ ଲୋକ ପ୍ଲାଟଫର୍ମ ଉପରେ ମରି ଶୋଇଥିଲେ ସେମାନେ ସମସ୍ତେ ଥିଲେ ମୁସଲମାନ ଶରଣାର୍ଥୀ । ସୀମା ପାର ହୋଇ ସେମାନେ କ୍ୱଏଦ- ଏ- ଆଜମ ଜିନ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେଶର ମାଟି ମାଡ଼ିବାର ସୁଯୋଗ ପାଇ ନ ଥିଲେ ।
ହିନ୍ଦୁ ଶରଣାର୍ଥୀମାନେ ଏବେ ଡବା ଭିତରେ ନିଜ ନିଜ ଭିତରେ ସ୍ୱାଭାବିକ ଭାବେ କଥାବାର୍ତ୍ତା ହେବା ଆରମ୍ଭ କରିସାରିଥିଲେ । ସେମାନଙ୍କର ବିଶ୍ୱାସ ଆସିସାରିଥିଲା ଯେ ସେମାନଙ୍କ ପ୍ରତି ଆଉ କିଛି ବିପଦ ନାହିଁ । ସେମାନଙ୍କ ଦେଶ ଭାରତ ଆସିଗଲାଣି । ତା’ପରେ ମୁଁ ଚାଲିଲି ଅମୃତସର ଅଭିମୁଖେ । ଅମୃତସର ଷ୍ଟେସନରେ ମୁଁ ପହଞ୍ଚିବା କ୍ଷଣି ହିନ୍ଦୁ ଓ ଶିଖ୍ ଶରଣାର୍ଥୀମାନେ ଏକା ସାଙ୍ଗରେ ଆନନ୍ଦରେ ଏତେ ଜୋରରେ ଚିତ୍କାର କରିଉଠିଲେ ଯେ ମୋତେ ଲାଗିଲା ମୋ ଚିତ୍କାର ସେମାନଙ୍କ ତୁଳନାରେ ବି ଫିକା ପଡ଼ିଯିବ! ସାଙ୍ଗେ ସାଙ୍ଗେ ଷ୍ଟେସରେ ରୁଣ୍ଡ ହୋଇଥିବା ହିନ୍ଦୁ ଓ ଶିଖ୍ ଲୋକମାନେ ମୋ ଭିତରେ ବସିଥିବା ଲୋକମାନଙ୍କ ହାଲ ପଚାରି ବୁଝିଲେ । ବାଟରେ ସେମାନେ କିଛି ଅସୁବିଧାରେ ପଡ଼ିଛନ୍ତି କି ନାହିଁ ସେକଥା ଜାଣିବାକୁ ଚାହିଁଲେ । ପୁଣି ଜାଣିବାକୁ ଚାହୁଁଥିଲେ ମୋ ଡବାରେ କୌଣସି ମୁସଲମାନ ଲୋକ ଛଦ୍ମବେଶରେ ଆସି ନାହିଁ ତ?
ଏତିକିବେଳେ ଗୋଟିଏ ଡବାକୁ ଚାରିଜଣ ବ୍ରାହ୍ମଣ ଉଠିଲେ । ଲଣ୍ଡିତ ମୁଣ୍ଡ ଓ ଲମ୍ବ ଶିଖା ଦେହରେ ନାମାବଳୀ ଓ ବେକରେ ରୁଦ୍ରାକ୍ଷ ମାଳା । ଚେହେରାରୁ ବେଶ୍ ଧାର୍ମିକ ଓ ବୈଷ୍ଣବ ବୋଲି ଜଣା ପଡ଼ୁଥିଲା । ସେମାନେ ହରିଦ୍ୱାରକୁ ତୀର୍ଥଯାତ୍ରାରେ ବାହାରିଛନ୍ତି ବୋଲି ଅନ୍ୟମାନଙ୍କୁ କହିଲେ । ପୂର୍ବ ପଞ୍ଜାବର ମୁସଲମାନ ଅଞ୍ଚଳରେ ଦଙ୍ଗା ଘଟେଇବାକୁ ଯାଇଥିବା କେଇଜଣ ହିନ୍ଦୁ, ଶିଖ ଓ ଜାଠ ବି ସେଇ ଡବାରେ ଚଢ଼ିଲେ । ପ୍ରତ୍ୟେକଙ୍କ ମୁହଁରେ ଏକ ବିକୃତ କ୍ରୋଧ ଓ ପ୍ରତିଶୋଧର ରେଖା ସ୍ପଷ୍ଟ
ବାରି ହୋଇ ପଡ଼ୁଥିଲା । ସମସ୍ତଙ୍କ ହାତରେ କିଛି ନା କିଛି ମାରଣାସ୍ତ୍ର :ବନ୍ଧୁକ, ଖଣ୍ଡା, ବର୍ଚ୍ଛା, ଠେଙ୍ଗା ଅବା ଆଉ କିଛି । ଏଇମାନଙ୍କ ଭିତରୁ ଜଣକ ମନରେ ସେହି ବ୍ରାହ୍ମଣ ଚାରିଜଣଙ୍କ ହାବଭାବ ଦେଖି କାହିଁକି କେଜାଣି ସନ୍ଦେହ ଉପୁଜିଲା । ସେଇ ଜଣକ ପଚାରିଲେ, ‘ଆଚ୍ଛା ଗୋସେଇଁ, ଏମିତି ଅସମୟରେ ତୁମେ କୁଆଡ଼େ ଯାଉଚ?’
‘ତୀର୍ଥଯାତ୍ରାରେ ହରିଦ୍ୱାର ବାହାରିଛୁ ।’ ଜଣେ ବ୍ରାହ୍ମଣ ଉତ୍ତର ଦେଲା ।
‘ସତରେ ଧର୍ମ କରି ହରିଦ୍ୱାର ବାହାରିଚ ନା ଲୁଚିକରି ପାକିସ୍ତାନ ପଳେଇବାକୁ ବସିଛ ?
’ଲୋକଟିର କଣ୍ଠସ୍ୱର ସାମାନ୍ୟ ରୁକ୍ଷ ଲାଗୁଥିଲା ।
‘ହେ ଆଲ୍ଲା! ଇଏ ତୁମେ କି କଥା କହୁଚ?’ ଛଦ୍ମବେଶୀ ବ୍ରାହ୍ମଣ ଜଣକ ତୁଣ୍ଡରୁ ବାହାରି ପଡ଼ିଲା ।
ଜାଠ୍ ଲୋକଟି ହୋ ହୋଇ ହସି ଉଠିଲା ଓ କହିଲା, ‘ଆମ ଆଖିରେ ଧୂଳି ଫିଙ୍ଗି ପଳେଇବାକୁ ବସିଛ , ନାଇଁ? କେଉଁ ବ୍ରାହ୍ମଣ ଆଲ୍ଲାଙ୍କୁ ଡାକେ ବେ ବେବକୁଫ୍?’
ଏତିକି କହୁ କହୁ ସେ ତଥାକଥିତ ବ୍ରାହ୍ମଣ ବେଶଧାରୀ ମୁସଲମାନ ଲୋକଟିର ଛାତିରେ ବର୍ଚ୍ଛାଟିଏ ଭୁଷିଦେଲା । ଅନ୍ୟ ତିନିଜଣ ନକଲି ବ୍ରାହ୍ମଣ ଖସି ପଳେଇବାକୁ ଚେଷ୍ଟା କରିବାବେଳେ ଜାଠମାନେସେମାନଙ୍କୁ କାବୁ କରିନେଲେ । ଜଣେ ହିନ୍ଦୁ ଲୋକ କହିଲା, ‘ବ୍ରାହ୍ମଣ ଗୋସେଇଁ, ଆଉ ଠକିବାକୁ ଚେଷ୍ଟା କରନା । ଯଦି ସତରେ ତୁମେ ବ୍ରାହ୍ମଣ, ଏବେ ଆମେ ତୁମ ନାମାବଳୀ ଖୋଲିବୁ । ଦେଖିବୁ ତୁମେ ବଡ଼ୁ ହୋଇଚ କି ନାଇଁ? ଏତିକି କହିବା ମାତ୍ରେ ସେମାନେ ତିନିଜଣଙ୍କୁ ବିବସ୍ତ୍ର କରିଦେଲେ । ଆଉ କାହାରି ସନ୍ଦେହ ରହିଲା ନାହିଁ ଯେ ଏ ଚାରିଜଣ ଯାକ ମୁସଲମାନ ବୋଲି । ଛଦ୍ମବେଶରେ ଏମାନେ ପାକିସ୍ତାନ ପଳେଇବାକୁ ବସିଥିଲେ । ସାଙ୍ଗେ ସାଙ୍ଗେ ସେମାନଙ୍କୁ ସେଇଠି ହାଣି ଗଡ଼ ଗଡ଼ କରି ଦିଆଗଲା ।
ମୁଁ ମାଡ଼ି ଚାଲିଥିଲି ଆଗକୁ ଆଗକୁ । ଗୋଟିଏ ଜଙ୍ଗଲ ଭିତର ଦେଇ ଯାଉଥିବାବେଳେ କେତେଜଣ ଯାତ୍ରୀ ଚେନ୍ ଟାଣି ମୋତେ ଅଟକେଇଲେ ଓ ଡେଇଁପଡ଼ି ଜଙ୍ଗଲ ଭିତରେ କୁଆଡେ ଅଦୃଶ୍ୟ ହୋଇଗଲେ । ପ୍ରଥମେ ମୁଁ ଭାବିଲି, ଆଗରେ ସମ୍ଭବତଃ ମୁସଲମାନ ଦଙ୍ଗାକାରୀମାନେ ମାରଣାସ୍ତ୍ର ଧରି ଜଗି ବସିଛନ୍ତିି । ସେଇଥିଲାଗି ଶରଣାର୍ଥୀମାନେ ପ୍ରାଣ ବଞ୍ଚେଇବାକୁ ଜଙ୍ଗଲରେ ଲୁଚିଗଲେ! ହେଲେ ଅସଲ କଥା ସେଇଆ ନ ଥିଲା । ସେଇ ଜଙ୍ଗଲ ଭିତରେ ନିରୀହ ମୁସଲମାନ ଶରଣାର୍ଥୀମାନେ ପିଲାଛୁଆ ଧରି ଲୁଚିଥିଲେ ପ୍ରାଣ ଭୟରେ । ସାଙ୍ଗେ ସାଙ୍ଗେ ଟ୍ରେନରୁ ଓହ୍ଲେଇଥିବା ହିନ୍ଦୁ, ଶିଖ୍ ଓ ଜାଠ ଲୋକମାନେ ସେମାନଙ୍କୁ ଘେରିଗଲେ । ମୋ ଛାତି ପୁଣି ଥରେ ଥରି ଉଠିଲା ।
କିଛି ସମୟ ପରେ ସମବେତ କଣ୍ଠରେ ଗୁଡ଼ିଏ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଭିଲା – ‘ସତ ଶ୍ରୀ ଅକାଲ!’ ଅଧ ଘଣ୍ଟା ଭିତରେ ସବୁ ଶେଷ । ଯେତେଗୁଡ଼ିଏ ମୁସଲମାନ ଲୋକ ସ୍ତ୍ରୀ ପିଲାଛୁଆ ଧରି ଜଙ୍ଗଲରେ ଆଶ୍ରୟ ନେଇଥିଲେ ସମସ୍ତେ ସଫା ହୋଇଗଲେ । ଜାଠ ଲୋକଟିଏ ଆଉ କାହାକୁ ନ ପାଇ ଶିଶୁଟିଏ ପେଟରେ ତା’ ଧାରୁଆ ଖଣ୍ଡାଟି ଭୁସିଦେଲା ଓ ସେ ଖଣ୍ଡାଟିକୁ ଉପରକୁ ଟେକି ସମସ୍ତଙ୍କୁ ଦେଖାଇଲା । ଖଣ୍ଡାଟି ମଝିରେ ସେ ପର୍ଯ୍ୟନ୍ତ ଶିଶୁଟି ପ୍ରାଣ ବିକଳରେ ଛଟପଟ ହେଉଥାଏ । କିଛି ସମୟ ପର୍ଯ୍ୟନ୍ତ ଏମିତି ଥରି ଥରି ଶେଷରେ ତା’ ଶରୀର ନିଶ୍ଚଳ ହୋଇଗଲା । ଜାଠ ଲୋକଟି ଏଥର ଆନନ୍ଦରେ ହୋ ହୋ କରି ହସିଉଠିଲା । ପୁଣି ମୁଁ ଆଗକୁ ଗଡ଼ିଲି । ଜଳନ୍ଧର ଷ୍ଟେସନ ପହଁଞ୍ଚିବାକୁ ତଥାପି ଆଉ କିଛି ବାଟ ବାକି । ଏତିକିବେଳେ ନଜର ପଡ଼ିିଗଲା ରେଳଧାରଣା କ’ରେ ଗୋଟିଏ ମୁସଲମାନ ବସ୍ତି ଉପରେ । ହିନ୍ଦୁ ଲୋକମାନେ ମତେ ଅଟକେଇ ଫକାଫକ୍ ଡେଇଁ ପଡ଼ିଲେ ତଳକୁ ଯେଝା ଯେଝା ଅସ୍ତ୍ରଶସ୍ତ୍ର ଧରି । ଚାହୁଁ ଚାହୁଁ ମୁସଲମାନ ବସ୍ତି ଓ ହିନ୍ଦୁ ଯାତ୍ରୀଙ୍କ ଭିତରେ ଲାଗିଗଲା ରକ୍ତପାତ । ଆଉ କେତେଜଣ ହିନ୍ଦୁ ଶରଣାର୍ଥୀ ଯାଇ ଯୋଗଦେଲେ ସେଥିରେ । କିଛି ସମୟ ପରେ ଗାଆଁବାସୀ ମରି ଶୋଇଲେ ହିନ୍ଦୁ ଯାତ୍ରୀଙ୍କ ଆକ୍ରମଣରେ । ତା’ପରେ ଘରେ ଘରେ ପଶି ସ୍ତ୍ରୀଲୋକମାନଙ୍କ ଉପରେ ଚାଲିଲା ଅତ୍ୟାଚାର । ସେମାନଙ୍କ ପରେ ପାଳି ପଡ଼ିଗଲା ପିଲାଛୁଆଙ୍କ ଉପରେ ।
ସେଇ ଛୋଟ ଗାଆଁଟି ଚାରିକଡ଼କୁ କ୍ଷେତ ଭିତରେ ଯାହାସବୁ ଘଟିଚାଲିଲା ସେକଥା ମୁଁ ମୋ ଆଖିରେ ପଡ଼ୁଥିଲା । ଏଇ ପଞ୍ଜାବର ସବୁଜ କ୍ଷେତରେ ହୀର୍ ରାଁଝା ଅବା ସୋନହୀ- ମହୀୱାଲଙ୍କ ଅମର ପ୍ରେମ କାହାଣୀ ଏବେ ବି ଲୋକଗୀତ ହୋଇ ଝଙ୍କୃତ ହୁଏ । ସେମାନଙ୍କ ପ୍ରେମରେ ଉଦ୍ବୁଦ୍ଧ ହୋଇ ସବୁଜ ବନାନୀଠାରୁ ପଞ୍ଚନଦୀ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ମୁଖରିତ ହୋଇଉଠନ୍ତି । ଆଉ ଆଜି ସେଇଠି ନିରୀହ ଅସହାୟ ତରୁଣୀମାନଙ୍କ ଉପରେ ଚାଲିଛି ଅତ୍ୟାଚାର! ସେମାନଙ୍କ ଇଜ୍ଜତକୁ ତିଳ ତିଳ କରି ଲୁଟିଚାଲିଛନ୍ତି ଅନ୍ୟ କିଛି ହିଂସ୍ର ଲୋକ! ଯେମିତି ସାରା ମଇଦାନଟା କିଛି ସମୟ ଲାଗି ଏକ ନର୍କ ପାଲଟି ଯାଇଥିଲା ।
ପ୍ରାୟ ପଚାଶ ଜଣ ନାରୀଙ୍କୁ ଝୁଣି ଚାଲିଥିଲେ ପାଞ୍ଚଶହ ସରିକି ଲୋକ । ପଚାଶଟି ନିରୀହ ମେଷ ଶାବକ, ଆଉ ପାଞ୍ଚଶହ ଘାତକ! ସତେ ଯେମିତି ପଞ୍ଜାବ ଭୂଇଁରେ ନାରୀର ଇଜ୍ଜତ ବଞ୍ଚେଇବାକୁ କେହି ଜଣେ ହେଲେ ଲୋକ ବଞ୍ଚିବେନି ! ୱାରିସ୍ ଶାହାଙ୍କ ହୀର୍ ନୀରବି ଯାଇଛି ଏଭଳି ନାରକୀୟ କାଣ୍ଡ ଦେଖି । କିଂକର୍ତ୍ତବ୍ୟବିମୂଢ଼ କେଇଜଣ ଯାତ୍ରୀ ଏସବୁ ଦେଖି ସହି ବି ପାରୁ ନ ଥାଆନ୍ତି । ହେଲେ କରିବେ କ’ଣ? ମନେ ମନେ ସେମାନେ ସେଇ ନେତାମାନଙ୍କୁ ଓ ସେମାନଙ୍କ ସପ୍ତପୁରୁଷଙ୍କୁ ଅଭିଶାପ ଦେଉଥାଆନ୍ତି, ଯେଉଁମାନେ ଆଜି ପଞ୍ଜାବ ଭୂଇଁର ଛାତି ଚିରି ଦୁଇଖଣ୍ଡ କରି ଦେଇଛନ୍ତି । ଭାଇ- ଭାଇ ଭିତରେ ଲଗାଇ ଦେଇଛନ୍ତି ଲୁଟମାର, ହଣାକଟା, ଇଜ୍ଜତ ଲୁଟି ।
ଏତେ ସମୟ ଧରି ମୁଁ ଯେପରି ନିସ୍ତେଜ ହୋଇ ପଡ଼ିଥିଲି ଏଇସବୁ ବ୍ୟଭିଚାର ଦେଖି । ତା’ପରେ ଜଣ ଜଣ କରି ହିନ୍ଦୁ, ଶିଖ୍ ଓ ଜାଠ୍ ଲୋକ ଫେରି ଆସିଲେ ବିଜୟ ଗର୍ବରେ । ଗାଆଁଟା ସାରା ପିଲାଛୁଆ, ସ୍ତ୍ରୀଲୋକ ବଡ଼ ପାଟିରେ ବୋବାଳି ପକେଇଥାଆନ୍ତି ପଛରେ । ଏଇ କିଛି ସମୟ ଭିତରେ ଯେପରି ସେମାନେ ଜୀବନର ସବୁକିଛି ହରାଇ ବସିଥିଲେ! ମୁଁ ଆଗକୁ ଆଗରେ ଗୋଟିଏ କେନାଲ ଉପରେ ପୋଲ । ମୁଁ ସେଇ ପୋଲଟି ପାର ହେଲାବେଳକୁ ଚେନ୍ ଟାଣି ମୋତେ ଅଟକେଇ ଦିଆଗଲା ଓ ଝର୍କାଦେଇ ଶରଣାର୍ଥୀମାନେ କେନାଲକୁ ଫିଙ୍ଗି ଚାଲିଲେ ଅନେକ ଶବ । ସବୁ ଡବାରୁ ଶବଗୁଡାଙ୍କୁ ଖାଲି କରି ଦିଆଗଲା । ମାତ୍ର କେଇଘଣ୍ଟା ଆଗରୁ ଯେଉଁ ଶରଣାର୍ଥୀମାନେ ଡବା ଭିତରେ କାକୁସ୍ଥ ହୋଇ ବସି ରହିଥିଲେ ସେଇମାନେ ଏବେ ସକ୍ରିୟ ହୋଇ ଉଠିଥିଲେ । ସେମାନଙ୍କ ଏଭଳି କାଣ୍ଡ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା । ଏବେ ସେମାନେ ଦେଶୀ ମଦ ଯୋଗାଡ଼ କରି ପିଇ ମସଗୁଲ ହେବା ଆରମ୍ଭ କରି ଦେଇଥାଆନ୍ତି । ରକ୍ତ ଓ ଦେଶୀମଦ ଗନ୍ଧରେ ଡବାଗୁଡ଼ିକ ଫାଟି ପଡ଼ୁଥିଲା ।
ଲୁଧିଆନା ଟାଉନ ପହଞ୍ଚୁ ନ ପହଞ୍ଚୁ ଏଇ ଆତଙ୍କ ସୃଷ୍ଟିକାରୀ ଲୋକଗୁଡ଼ାକ ଟ୍ରେନରୁ ଓହ୍ଲେଇ ସହର ଭିତରକୁ ମାଡ଼ି ଚାଲିଲେ- ପୁଣି ହାଣକାଟ ଲୁଟତରାଜ ଆରମ୍ଭ କରିବା ଲାଗି । ମୁସଲମାନ ଲୋକ ରହୁଥିବା ଅଞ୍ଚଳରେ ଚାଲିଲା ରକ୍ତର ହୋଲି । କିଛି ସମୟ ପରେ ସେମାନେ ଫେରି ଆସିଲେ ଲୁଟତରାଜ କରି ହାତେଇଥିବା ଧନରତ୍ନ ଧରି । କିନ୍ତୁ ମୁଁ ଆଗକୁ ବଢ଼ି ପାରିଲିନି । ସେମାନେ ଥରକୁ ଥର ଏଇ ଲୁଣ୍ଠିତ ଧନକୁ ଡବାମାନଙ୍କରେ ଲଦି ପୁଣି ଚାଲି ଯାଉଥାଆନ୍ତି ଅଧିକ କିଛି ସଂଗ୍ରହ କରିବା
ଆଶାରେ । ବେଳକୁ ବେଳ ମୁଁ ନିଜକୁ ଅସହାୟ ମନେକରୁଥିଲି । ଯେପରି ଏଇ ରକ୍ତ, ବ୍ୟଭିଚାର, ଲୁଟ ଦେଖି ଓ ଏଥିରେ ଭାଗୀଦାର ହୋଇ ନିଜକୁ ସେମାନଙ୍କ ଭିତରେ ଜଣେ ବୋଲି ମନେ କରୁଥିଲି ।
ମୁଁ ନିଜ ପାପକୁ ଧୋଇବା ଲାଗି ଚାହୁଁଥିଲି । ସ୍ନାନ… ମହାସ୍ନାନ! ହେଲେ ମୋତେ ଏମାନେ ସେକଥା କରେଇ ଦେବେନି, ମୁଁ ଭଲଭାବେ ଜାଣିଥିଲି । ରାତି ଅଧ ସରିକି ମୁଁ ପହଞ୍ଚିଲି ଅମ୍ବାଲା କଣ୍ଟେନ୍ଟମେଣ୍ଟ । ସେ ସ୍ଥାନରେ ବି ଦଙ୍ଗା ଗ୍ରାସିଥିଲା ଚାରିଆଡ଼େ । ସେଠାରେ ଜଣେ ମୁସଲମାନ ଡେପୁଟୀ ପୁଲିସ କମିଶନର ଗୋଟିଏ ଡବାରେ ଚଢ଼ିଲେ ନିଜ ପିଲାଛୁଆଙ୍କୁ ସାଙ୍ଗରେ ଧରି । ତାଙ୍କ ଚାରିକଡ଼ରେ ପାଞ୍ଚ ସାତଜଣ ମିଲିଟାରୀ ଲୋକ ବନ୍ଧୁକ ଧରି ଜଗିଥାଆନ୍ତି । ସେଇ ଡବାରେ ଜଣେ ସର୍ଦ୍ଦାରଜୀ ତାଙ୍କ ସର୍ଦ୍ଦାରନୀଙ୍କୁ ଧରି ବି ଯାତ୍ରା କରୁଥାଆନ୍ତି । ମୁଁ ଦଶମାଇଲ ବାଟ ଆଗେଇଛି କି ନାହିଁ ମତେ ଯାତ୍ରୀମାନେ ଅଟକେଇ ଦେଲେ । ହଠାତ୍ ଡେପୁଟୀ ପୁଲିସ କମିଶନର ଓ ସର୍ଦ୍ଦାରଜୀ ବସିଥିବା ଡବାର କାଚଝର୍କା ଭାଙ୍ଗି କିଏ ଜୋରରେ ଆଘାତ କଲା । କାଚଗୁଡ଼ାକ ଚୂରମାର ହୋଇ ତଲେ ଗଳିପଡ଼ିଲା । ଦି’ଚାରିଜଣ ଲୋକ ତତ୍କ୍ଷଣାତ୍ ଡବା ଭିତରକୁ ପଶିଆସି ଡେପୁଟୀ କମିଶନର ସା’ବ ଓ ତାଙ୍କ ପିଲାମାନଙ୍କୁ କାବୁ କରିନେଲେ । ତାଙ୍କୁ ଜଗିଥିବା ଗାର୍ଡମାନଙ୍କୁ ସେଇଠି ଖତମ୍ କରିଦିଆଗଲା । ତା’ପରେ ଚାଲିଲା ଜଣକ ପରେ ଜଣଙ୍କ ଉପରେ ଅତ୍ୟାଚାର । ସବାଶେଷକୁ ନର ପିଶାଚମାନଙ୍କ ଦୃଷ୍ଟି ପଡ଼ିଲା ପୁଲିସ ସା’ବଙ୍କ ବଢ଼ିଲା ଝିଅଟା ଉପରେ । ସିଏ ସମ୍ଭବତଃ କଲେଜରେ ପଢ଼ୁଥିଲା । ତା’ର ଅଳଙ୍କାର ବାକ୍ସଟିକୁ ସେତେବେଳକୁ ସେମାନେ ଅକ୍ତିଆର କରି ନେଇଥିଲେ ।
ଏଥର କିଛି ନ କହି ଝିଅଟିର ହାତ ଧରି ଟାଣି ଟାଣି ସେମାନେ ଚାଲିଲେ ଟ୍ରେନଲାଇନ କଡ଼ ଅପନ୍ତରା ବଣବୁଦା ଆଡ଼େ । ଝିଅଟା ଏତେ ମାତ୍ରାରେ ଡରି ଯାଇଥିଲା ଯେ ତାକୁ ଦୁର୍ବୃତ୍ତମାନେ ଧରି ନେଇ ଯାଉଥିବା କଥା ବି ସେ ଠଉରାଇ ପାରୁ ନ ଥିଲା । ସେ ପଢ଼ୁଥିବା ବହିଖଣ୍ଡିକ ସେପର୍ଯ୍ୟନ୍ତ ତା’ ହାତରେ ଥିଲା । ଦୁର୍ବୃତ୍ତମାନେ ସେଯାଏ ସ୍ଥିର କରିପାରୁ ନ ଥାଆନ୍ତି ଝିଅଟିକୁ ଜୀବନରେ ମାରିଦେବେ ନା ବଳାତ୍କାର କରି ଛାଡ଼ିଦେବେ ।
ଝିଅଟି ହଠାତ୍ ସେମାନଙ୍କ ହାତରେ ଧାରୁଆ ଖଣ୍ଡା, ଭୁଜାଲି, ବର୍ଚ୍ଛା ଦେଖି କାନ୍ଦିଉଠି କହିଲା, ‘ମତେ ମାରନା । ମୁଁ ତୁମ ଗୋଡ଼ ଧରୁଛି । ମତେ ପଛେ ଧର୍ମାନ୍ତରଣ କରେଇଦିଅ । ମୁଁ ତମମାନଙ୍କ ଧର୍ମ ଗ୍ରହଣ କରିବାକୁ ରାଜି ଅଛି । ତୁମମାନଙ୍କ ଭିତରୁ ଜଣକୁ ବାହା ହେବାକୁ ସୁଦ୍ଧା ମୋର ଆପତ୍ତି ନାହିଁ । ମତେ ମାରି କ’ଣ ଲାଭ ପାଇବ?’
କିନ୍ତୁ ଆଉ ଜଣେ ସାଥୀ କହିଲା, ‘ହଁ । ମୁଁ ତା’ଠୁ ଆଉ ଗୋଟିଏ ଭଲ ବାଟ ଜାଣିଛି ।’ ଏତିକି କହି ସେ ପର ମୁହୂର୍ତ୍ତରେ ଝିଅଟା ପେଟରେ ଗୋଟିଏ ଧାରୁଆ ଭୁଜାଲି ଭୁସିଦେଲା ଓ ଅନ୍ୟମାନଙ୍କ ଆଡ଼େ ଚାହିଁ କହିଲା, ‘ଚାଲ, ଏ ବାଜେ କଥା ଶୁଣିବା ଲାଗି ଆମ ପାଖରେ ବେଳ ନାହିଁ ।’
ଝିଅଟି ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡ଼ିଗଲା ଓ ମାତ୍ର କେଇଟା ମୁହୂର୍ତ୍ତ ଭିତରେ ତା’ର ଶରୀର ନିଶ୍ଚଳ ହୋଇଗଲା । ସେ ହାତରେ ଧରିଥିବା ବହିଖଣ୍ଡକ ତାଜା ରକ୍ତରେ ଜୁଡ଼ୁବୁଡ଼ ହୋଇଗଲା । ତଥାପି ବହିଟିର ନାଁ ବେଶ୍ ସ୍ପଷ୍ଟ ଦିଶୁଥାଏ: ‘ସୋସିଆଲିଜିମ୍: ଥିଓରୀ ଆଣ୍ଡ ପ୍ରାକ୍ଟିସ୍’ । ଲେଖକ, ଜନ୍ ଷ୍ଟାଚି ।
ଝିଅଟିର ପାଠପଢ଼ାରେ ବେଶ୍ ମନଧ୍ୟାନ ଥିଲା ବୋଧହୁଏ । ପାଠ ପଢ଼ି ଦେଶ ଓ ଜାତିର ସେବା କରିବା ଲାଗି ସମାଜବାଦର ଗୂଢ଼ ତତ୍ତ୍ୱକୁ ବୁଝିବାକୁ ଚେଷ୍ଟା କରୁଥିଲା । କିନ୍ତୁ ନାରୀ ଯେ ଏ ଦୁନିଆର ସବୁ ଅସମାହିତ ସମସ୍ୟା ଭିତରୁ ଅନ୍ୟତମ ସେକଥା ଯେପରି ତାକୁ ମାଲୁମ ନଥିଲା । ଏବେ ତା’ର ଏଇ ପ୍ରାଣହୀନ ଶରୀର ମଣିଷମାନଙ୍କ ହାତରେ ନୁହେଁ, ଗଧିଆ ବିଲୁଆମାନଙ୍କ ମୁହଁରେ ହିଁ ସମାଧି ପାଇବ । ବୋଧହୁଏ ତାହା ହିଁ ଥିଲା ବିଧି ନିର୍ଦ୍ଦିଷ୍ଟ !
ମୁଁ ଆଗକୁ ବଢ଼ିଲି । ଆଉ କିଛି ସମୟ ପରେ ମୁଁ ପହଞ୍ôଚବି ମୋ ଲକ୍ଷ୍ୟସ୍ଥଳରେ । କିଏ ଜାଣେ ଆଉ କି କି ଅଘଟଣ ଘଟିବାକୁ ବାକି ଅଛି! ଯାହା ହେଉ ମୁଁ ପହଞ୍ଚିଲି ମୋ ଲକ୍ଷ୍ୟସ୍ଥଳରେ ।
ଅନେକ ଦିନ ପରେ ମୁଁ ବମ୍ବେରୁ ଫେରୁଥାଏ ସେଇ ଏକା ବାଟରେ । ଇତି ମଧ୍ୟରେ ମୋ ଦେହକୁ ସମ୍ପୂର୍ଣ୍ଣ ଧୋଇ ଦେଇଛି । ଆଉ କେଉଁଠ ରକ୍ତର ଛିଟା ବି ନାହିଁ । ମୋ ଡବା ଭିତରୁ ଆଉ ପଚାଶଢ଼ା ମଡ଼ା ଗନ୍ଧ କି ଦେଶୀ ମଦର ଗନ୍ଧ ବାହାରୁନି । ନା ମୁଁ ଶୁଣିବାକୁ ପାଉଛି ସେ ପୈଶାଚିକ ହସ । କିନ୍ତୁ ମୁଁ ଯେତେବେଳେ ଅନ୍ଧାରରେ ସେଇବାଟେ ଯାଏ କିମ୍ବା କେଉଁଠି କେମିତି ଅଟକିଯାଏ ମୋ ସାମ୍ନାରେ ଯେମିତି ଅନେକ ଅଶରୀରି ଆତ୍ମା ଦୌଡ଼ି ଚାଲିଛନ୍ତି! ଚାରି ପାଖରେ ଘୂରି ବୁଲୁଛନ୍ତି । ମୋ କାନରେ ଶୁଭିଯାଉଛି ସେଇମାନଙ୍କ ମରଣ ବେଳର ଆର୍ତ୍ତ ଚିତ୍କାର, ଯେଉଁମାନେ ସେଦିନ ମୋ ଆଖି ସାମ୍ନାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ମୁଁ ପୁଣି ଯେତେବେଳେ ନିଜ ଭାବନା ରାଜ୍ୟରୁ ଫେରିଆସେ ମୋ ଆଖିରେ ପଡ଼େ କେବଳ ଦୂର ଦିଗବଳୟ
ପର୍ଯ୍ୟନ୍ତ ଲମ୍ବିଥିବା ପାଚିଲା ଗହମ କ୍ଷେତ କିମ୍ବା ମାଇଲ ମାଇଲ ବ୍ୟାପୀ ଢେଉ ଖେଳୁଥିବା ସୁନାର ସୋରିଷ କିଆରି । ମୋ ଆଖିରେ ପଡ଼େ ହିନ୍ଦୁ ଓ ମୁସଲମାନ, ଉଭୟ ଚାଷୀ ସେମାନଙ୍କ କ୍ଷେତ୍ରରେ ମିଳିମିଶି କାମ କରି ଚାଲିଛନ୍ତି । ଆନନ୍ଦରେ ହସଖୁସିରେ କଥାବାର୍ତ୍ତା କରି ଚାଲିଛନ୍ତି । ପୁଣି କେଉଁଠି ସେଇମାନଙ୍କ କଣ୍ଠରୁ ହୀର-ରାଁଝା କିମ୍ବା ସୋହନୀ- ମହୀୱାଲଙ୍କ ପ୍ରେମ ସଙ୍ଗୀତ ସାରା ଉପତ୍ୟକାଟିକୁ ମନ୍ତ୍ରମୁଗ୍ଧ କରି ରଖିଛି । ମୁଁ ମନେ ମନେ ହସେ- ସେଇମାନଙ୍କ ପ୍ରେମ ସଙ୍ଗୀତ ଶୁଣି ଓ ସେମାନଙ୍କ ମନରେ ନାରୀଜାତି ପ୍ରତି ଥିବା ସମ୍ମାନକୁ ଲକ୍ଷ୍ୟ କରି ।
ହଁ, ମୁଁ ଗୋଟିଏ ନିର୍ଜୀବ ବସ୍ତୁ । ଚଳନ୍ତା ଟ୍ରେନଟିଏ । ଲୁହା ଓ କାଠରେ ଗଢ଼ା କେଇଟା ଡବା ଓ ଇଞ୍ଜିନର ସମଷ୍ଟି । ମୋର ହୃଦୟ ନାହିଁ କିମ୍ବା ମୁଁ ଅନୁଭବ କରି ପାରେନି । କିନ୍ତୁ ମୁଁ ହଲପ କରି କହୁଛି , ମୋ ଡବା ଭିତରେ ଲହୁ ଲୁହଭରା ଲାସ୍ ଲଦି ମୁଁ ବୋହିବାକୁ ଆଦୌ ଚାହେଁନି । ହଁ, ମୋ ଦେହରେ ଯେତେ ଇଚ୍ଛା ସେତେ ଖାଦ୍ୟଶସ୍ୟଠୁ ଆରମ୍ଭ କରି କୋଇଲା, ତେଲ, ଲୁହା ପର୍ଯ୍ୟନ୍ତ ସବୁକିଛି ଲଦିପାର । ମୋ ଉପରେ କୃଷକଠୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ ଯାତ୍ରା କରିପାରନ୍ତି । ନିରୀହ ଅସହାୟା ତରୁଣୀଙ୍କ ଠାରୁ ଆରମ୍ଭ କରି ପ୍ରେମିକ ପ୍ରେମିକା ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି । ପିଲାଛୁଆଙ୍କ ସହ ସାରା ପରିବାର ମୋ ଭିତରେ ବସି ହସି ଯାତ୍ରା କଲାବେଳେ ମୋ ମନ ଆନନ୍ଦରେ ଭରି ଉଠେ । କିନ୍ତୁ ହିନ୍ଦୁ ଓ ମୁସଲମାନ ଚିନ୍ତା ଧରି ସାମ୍ପ୍ରଦାୟିକ ଘୃଣାରେ ଭରା ହୃଦୟମାନଙ୍କୁ ମୁଁ କେବେ ମୋ ଡବାରେ ବସେଇବାକୁ ପସନ୍ଦ କରିବିନି । ସମସ୍ତେ ମୋ ନିକଟରେ ଯାତ୍ରୀ । ମୋ ଦୃଷ୍ଟିରେ ସେମାନଙ୍କ ଏକମାତ୍ର ପରିଚୟ ହେଲା ସେମାନେ ସମସ୍ତେ ମଣିଷ । କେବଳ ମଣିଷ ।
ଋୂପାନ୍ତରଣ: ସୁଭାଷ ଶତପଥୀ
Comments are closed.