Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଜଣେ ବାରାଙ୍ଗନାର ପତ୍ର

ଉର୍ଦ୍ଦୁ ସାହିତ୍ୟର ସୁନାମଧନ୍ୟ କଥାକାର । ଦେଶ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଉର୍ଦ୍ଦୁ ସାହିତ୍ୟକୁ ପୁଷ୍ଟ କରିବାରେ ତାଙ୍କର ଅବଦାନ ଅତୁଳନୀୟ । କୃଷ୍ଣ ଚନ୍ଦରଙ୍କର ଅନେକ ଗଳ୍ପ ଦେଶ ବିଭାଜନ କଥାବସ୍ତୁ ଉପରେ ଆଧାରିତ । ଆଲୋଚିତ ଗଳ୍ପଟି ସେହିସବୁ ଗଳ୍ପଗୁଡ଼ିକ ମଧ୍ୟରୁ ବେଶ୍‌ ପ୍ରସିଦ୍ଧ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୬

ମୂଳ ଉର୍ଦ୍ଦୁ: କୃଷ୍ଣ ଚନ୍ଦର 

ପଣ୍ଡିତ ଜବାହରଲାଲ ଓ କ୍ୱଏଦ -ଏ- ଆଜମ୍ ଜିନ୍ନାଙ୍କ ନାମରେ

ମୋର ବିଶ୍ୱାସ ଯେ ଏଥି ପୂର୍ବରୁ ଆପଣ କୌଣସି ବାରାଙ୍ଗନା ଠାରୁ କେବେ ପତ୍ର ପାଇ ନ ଥିବେ । ଆଶା କରୁଛି ଇତି ପୂର୍ବରୁ ଆପଣ ମୋର କି ଏହି ମହଲାର ଅନ୍ୟ କୌଣସି ମହିଳାଙ୍କ ଚେହେରା ବି ଦେଖି ନ ଥିବେ । ଏକଥା ପ୍ରତି ମଧ୍ୟ ମୁଁ ସଚେତନ ଯେ ଏମିତିକିଆ ଖଣ୍ଡେ ପତ୍ର ଆପଣଙ୍କ ନିକଟକୁ ଲେଖିବା କେତେ ଦୂର ଯୁକ୍ତିସଂଗତ ତାହା ପୁଣି ଏମିତି ଏକ ଖୋଲା ଚିଠି! କ’ଣ କରିବି? ପରିସ୍ଥିତି ମୋତେ ଏପରି ପତ୍ର ଲେଖିବାକୁ ବାଧ୍ୟ କରିଛି । ଏ ଦିଓଟି ଝିଅଙ୍କ ଭାଗ୍ୟ ଏତେ ଖରାପ ଯେ ମୁଁ ଏ ପତ୍ର ନ ଲେଖି ରହିପାରୁନି ।

ଆପଣ ଜାଣିବେ, ଏ ପତ୍ର ମୁଁ ଲେଖୁନି, ଏ ପତ୍ର ମୋ ଦ୍ୱାରା ବେଲା ଓ ବତୁଲ ଲେଖାଉଛନ୍ତି । ମୁଁ ହୃଦୟର ସହ ଆପଣଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି, ଯଦି ଆପଣଙ୍କୁ ଏ ପତ୍ର କୌଣସି ମତେ ଭଲ ନ ଲାଗେ କିମ୍ବା ଆପଣଙ୍କ ହୃଦୟରେ କ୍ଷୋଭ ପହଞ୍ଚାଉଥିବ । ମୁଁ ମାଧ୍ୟ ହୋଇ ପତ୍ର ଲେଖୁଥିବାରୁ ଆପଣଙ୍କ ଉଦାର ହୃଦୟରେ ମୋତେ କ୍ଷମା ଦେବେ । ବେଲା ଓ ବତୁଲ ମୋ ମାଧ୍ୟମରେ ଏ ପତ୍ର କାଇଁକି ଲେଖାଉଛନ୍ତି? ଏ ଦି’ଜଣ ଝିଅ କିଏ ଏବଂ ସେମାନଙ୍କର ଆଜି କାହିଁକି ଏମିମତି ଅବସ୍ଥା ହୋଇଛି? ଏସବୁ ଆପଣଙ୍କୁ ଅବଗତ କରିବା ପୂର୍ବରୁ ମୁଁ ମୋ ସମ୍ପର୍କରେ କିଛି କହିବାକୁ ଚାହୁଁଛି । ଆପଣ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁନାହିଁ, ମୁଁ କଦାପି ମୋର ଘୃଣ୍ୟ ଜୀବନର ନିତିଦିନିଆ କାହାଣୀ କହିବାକୁ ଯାଉନାହିଁ । ,କଥା ମଧ୍ୟ ମୁଁ ଆପଣଙ୍କୁ କହିବାକୁ ଚାହୁଁନାହିଁ ଯେ କେବେ ଓ କେଉଁ ପରିସ୍ଥିତିରେ ମୁଁ ଏ ବଦନାମ ଗଳିରେ ବାରାଙ୍ଗନା ହୋଇ ପାଦ ଥାପିଥିଲି । ମୁଁ କୌଣସି ଭଦ୍ରଘରର ଝିଅର ବାହାନା ନେଇ ମୋର ସେଇ ଘୃଣ୍ୟ ଜୀବନ ସଂପର୍କରେ ଆପଣଙ୍କୁ କିଛି ନିବେଦନ କରିବାକୁ ମଧ୍ୟ ଚାହେଁନି । ଆପଣଙ୍କ ସମ୍ବେଦନଶୀଳ ହୃଦୟକୁ ଚିହ୍ନି ନିଜ ସଫେଇ ଦେବାକୁ ମିଛରେ ଆପଣଙ୍କ ଦୟାର ପାତ୍ର ବନିବାକୁ ସୁଦ୍ଧା ମୁଁ ଇଚ୍ଛୁକ ନୁହେଁ । ଏ ପତ୍ର ଲେଖିବାର ଉଦ୍ଦେଶ୍ୟ ଏଇଆ ନୁହେଁ ଯେ ଦେହଜୀବୀମାନଙ୍କର ଦୟନୀୟ ଜୀବନା ସଂପର୍କରେ ଅବଗତ କରେଇବି । ମୋ ସମ୍ପର୍କରେ ମୁଁ କିଛି ବୋଲି କିଛି କହିବାକୁ ଚାହେଁନି । କେବଳ ମୁଁ ନିଜେ ପ୍ରତ୍ୟକ୍ଷ କରିଥିବା ଏମିତି କିଛି କଥା ଜଣେଇବାକୁ ଚାହେଁ, ଯାହା ଭବିଷ୍ୟତରେ ବେଲା ଓ ବତୁଲଙ୍କ ଜୀବନ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ।

ଆପଣମାନେ ଅନେକ ଥର ବମ୍ବେ ଆସିଥିବେ । ଜିନ୍ନା ସା’ବ୍ ତ ବମ୍ବେକୁ ଅତି ଭଲ ଭାବେ ଦେଖିଛନ୍ତି । ହେଲେ ଆପଣ ବଜାରକୁ ଦେଖିଲେ କେଉଁଠି? ଯେଉଁ ବଜାର ଓ ଗଳିରେ ମୁଁ ରହୁଛି ତାକୁ ଫାରସ୍ ରୋଡ ନାଁରେ ସମସ୍ତେ ଜାଣନ୍ତି । ଫାରସ୍ ରୋଡ, ଗ୍ରାଣ୍ଡ୍ ରୋଡ ଏବଂ ମଦନପୁରା ମଝାମଝି ସ୍ଥାନରେ ଅବସ୍ଥିତ । ଗ୍ରାଣ୍ଡ୍ ରୋଡର ଗୋଟିଏ ପଟକୁ ଲେମିଂଟନ୍ ରୋଡ, ଅପେରା ହାଉସ୍‌, ଚୌପାଟୀ, ମେରାଇନ ଡ୍ରାଇଭ୍ ଓ ଫୋର୍ଟ ଇଲାକା ଏବଂ ସେଠାରେ ବମ୍ବେ ନଗରୀର ନାମୀଦାବୀ ଧନୀକ ଓ ସମ୍ଭ୍ରାନ୍ତ ଲୋକମାନେ ରହନ୍ତି । ମଦନପୁରାର ଏପଟକୁ ଗରିବ ଲୋକମାନଙ୍କ ବସ୍ତି । ଫାରସ ରୋଡ୍ ଏଇ ଦୁଇ ସ୍ଥାନ ମଝାମଝି । ଫଳରେ ଏଠାକୁ ଉଭୟ ଧନୀ ଓ ଗରିବ ଉଭୟ ଲୋକମାନେ ସହଜରେ ପହଞ୍ôଚପାରନ୍ତି । ଯଦିବା ଫାରସ ରୋଡ ମଦନପୁରାଠାରୁ ନିକଟତର ତଥାପି ସେଠାରୁ କମ୍ ଲୋକ ଏ ଗଳିକୁ ଆସନ୍ତି । ଏ ଗଳିରେ ବଜାର ଅତି ମନଲୋଭା ନୁହେଁ କି କୋଠାଗୁଡ଼ିକ ସୁନ୍ଦର ହୋଇ ନ ପାରେ; ତଥାପି ଏ ସଡ଼କରେ ଟ୍ରାମଗୁଡ଼ିକର ଘଡ଼ଘଡ଼ ଶବ୍ଦ ସଦାବେଳେ ଶୁଭୁଥାଏ । ଏ ସଡ଼କ ଉପରେ ବୁଲା କୁକୁରଙ୍କଠାରୁ ନେଇ ôଲଙ୍ଗା ଟୋକା, ଦେହ ଦଲାଲଙ୍କଠାରୁ ଆରମ୍ଭ କରି ଗୁଣ୍ଡା, ବଦମାସ, ବେକାର, ପ୍ରେମୀ, ଅନୁରାଗୀ ଓ ଯୌନପିପାସୁ ସମସ୍ତଙ୍କର ଆତଯାତ ସଦାବେଳେ ଲାଗି ରହିଥାଏ । ସେମିତି ଛୋଟା, କଣା, କେମ୍ପା, କୁଜା, ମୋଟା, ପତଳା ଓ ତାମ୍‌ସା କରୁଥିବା ଲୋକ ବି ଏ ଗଳିରେ ଦେଖିବାକୁ ମିଳିବେ । ସେମିତି ମିଳିବେ କେତେ ପ୍ରକାର ଯୌନରୋଗୀ, ସିଫିଲିସ୍‌, ଗନେରିଆ ପୀଡ଼ିତ, ନିଶାଖୋର ବ୍ୟକ୍ତି, ପକେଟମାର ଯେଉଁମାନେ ଏ ବଜାରରେ ମୁଣ୍ଡ ଉପରକୁ କରି ଛାତି ଫୁଲେଇ ଚାଲୁଥିବେ । ଗଳି କଡ଼ର ଝୁପୁଡ଼ି ହୋଟେଲ, ଜନଗହଳିପୂର୍ଣ୍ଣ ଫୁଟପାଥ ଉପରେ କୁଢ଼ କୁଢ଼ ଆବର୍ଜନା ଗଦା ଉପରେ ଭଣଭଣ ହେଉଥିବା ଲକ୍ଷ ଲକ୍ଷ ମାଛି, ଭଙ୍ଗାରୁଜା କାଠିକୁଟା, ମଇଳା କୋଇଲା ଗୋଦାବ, ପେଶାୱରର ଦଲାଲ ଓ ବାସି ଫୁଲର ଗଜରା, କୋକଶାସ୍ତ୍ର ଓ ଉଲଗ୍ନ ଫଟୋ ବିକ୍ରି କରୁଥିବା ଦୋକାନୀ ଚିନୀ ହଜ୍ଜାମ ଓ ଇସମାଇଲ ହଜ୍ଜାମ, ପାଇକଚ୍ଛା ଭିଡି କଥା କଥାକେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ପହେଲମାନ; ଏମିତି ଆମ ସମାଜର ସବୁ ରଦ୍ଦି, ମଇଳା ଓ କଳ୍ମଷ ଆପଣଙ୍କୁ ଏଇ ଫାରସ ରୋଡ୍‌ରେ ହିଁ ମିଳିବେ । ଏକଥା ସତ ଯେ ଆପଣ ଅବା ଏ ଫାରସ ରୋଡ୍‌କୁ କାଇଁକି ଆସିବେ?

କୌଣସି ଭଦ୍ରଲୋକ ଏଠି ଦଣ୍ଡେ ଠିଆ ହୋଇପାରିବେନି । ଯେଉଁମାନେ ଏ ସମାଜର ମାନ୍ୟଗଣ୍ୟ ଲୋକ, ସେମାନେ ଗ୍ରାଣ୍ଡ୍ ରୋଡ୍‌ର ଆରପଟେ ରହନ୍ତି । ଆଉ ଯେଉଁମାନେ ସେମାନଙ୍କଠାରୁ ଆହୁରି ସମ୍ଭ୍ରାନ୍ତ, ସେମାନେ ମାଲାବାର ହିଲ୍ ଇଲାକାରେ ଅବସ୍ଥାନ କରନ୍ତି । ଥରେ ମୁଁ ଜିନ୍ନା ସା’ବ୍‌ଙ୍କ କୋଠି ସାମ୍‌ନା ରାସ୍ତାରେ ଯାଉଥିଲି ଓ ତାଙ୍କ ଭବ୍ୟ ଭବନ ଆଡ଼େ ଚାହିଁ ମୁଣ୍ଡ ନୁଆଁଇ ସଲାମ ଠୁଙ୍କିଥିଲି । ସେଦିନ ମୋ ସାଙ୍ଗରେ ବତୁଲ୍ ବି ଥିଲା । ବତୁଲ୍ ମନରେ ଆପଣ (ଜିନ୍ନା ସା’ବ୍‌)ଙ୍କ ପାଇଁ କେତେଯେ ସନ୍ତାନ ସେକଥା ମୁଁ ଆପଣଙ୍କୁ ଠିକ୍ ଭାବରେ ବଖାଣି ପାରିବିନି । ଖୁଦା ଏବଂ ରସୁଲଙ୍କ ପରେ ସେ ଯଦି ଏ ସଂସାରରେ ଆଉ ଜଣେ କାହାକୁ ଚାହୁଁଥାଏ ତେବେ ସେ ହେଉଛନ୍ତି ଆପଣ । ସେ ଆପଣଙ୍କ ଫଟୋକୁ ନିଜ ଲକେଟ୍ ଭିତରେ ପୂରେଇ ରଖିଛି ଓ ତାକୁ ନିଜ ଛାତିତଳେ ସାଇତି ରଖିଛି । ଏକଥାକୁ ଆପଣ କିଛି ଖରାପ୍ ଅର୍ଥରେ ନେବେନି । ବତୁଲର ମୟସ ତ ଏବେ ମାତ୍ର ଏଗାରବର୍ଷ । ଛୋଟ ପିଲାଟିଏ – ନିରିହ, ନିଷ୍ପାପ । ଫାରସ ରୋଡ୍‌ର ଅଧିକତିମାନେ ତ ଆଜିଠାରୁ ତାକୁ ନେଇ ମନରେ କେତେ କେତେ ଖରାପ କଥାସବୁ ଚିନ୍ତା କରିବା ଆରମ୍ଭ କଲେଣି । ସେକଥା ଛାଡ଼ନ୍ତୁ, ଆଉ କେବେ ଆପଣଙ୍କୁ ସେସବୁ ବତେଇବି ।

ଏଇ ହେଲା ଫାରସ ରୋଡ୍‌ର ସ୍ୱରୂପ ଯେଉଁଠ ମୁଁ ରହେ । ଫାରସ ରୋଡ୍‌ର ଠିକ୍ ଛାତି ଉପରେ ଯେଉଁଠି ଚିନୀ ହଜ୍ଜାମର ଦୋକାନ, ଠିକ୍ ତା’ର ପାଖକୁ ଲାଗି ଗୋଟିଏ ଅନ୍ଧାରୁଆ ଗଳି ଭିତରେ ମୋର ଦୋକାନ । ଲୋକମାନେ ତ ତାକୁ ଦୋକାନ କହନ୍ତିନି… ଛାଡନ୍ତୁ, ଆପଣ ତ ଦାତା, ଆପଣଙ୍କୁ ଭଲା କ’ଣ ଲୁଚେଇବି? ମୁଁ କହିବି ସେଠାରେ ମୋର ପସରା ମେଲେଇଛି ଓ ସେଠାରେ ମୁଁ ଏଇ ପ୍ରକାର ବେଉସା କରେ ଯେମିତି ପରିବା ଦେକାନୀ, ଫଳ ଦୋକାନୀ, ହୋଟେଲବାଲା, ମୋଟରବାଲା, ସିନେମାବାଲା, କପଡ଼ାବାଲା କି ଅନ୍ୟ କୌଣସି ଦୋକାନୀ ତା’ ବସରା ମେଲେଇଥାଏ । ଆଉ ପ୍ରତି ବେଉସାରେ ତ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ସହିତ ନିଜର ଲାଭ କଥା ଚିନ୍ତା କରିବା ହେଲା ବେପାରୀର ଧର୍ମ । ମୋ ବେପାର ବି ଠିକ୍ ସେଇଭଳିଆ ।

ଫରକ କେବଳ ଏତିକି ଯେ ମୁଁ କଳାବଜାରି କରେନି । ତା’ଛଡ଼ା ଅନ୍ୟ ବେପାରୀ ଓ ମୋ ଭିତରେ ଆଉ କିଛି ଫରକ ନାହିଁ । ହଁ ମୋ ଦୋକାନ ସେମିତି ଭଲା ଜାଗାରେ ନୁହେଁ, ଏକଥା ସତ । ଏଠାରେ ରାତି କଥା ଛାଡ଼, ଦିନ ଦି’ପହରେ ସୁଦ୍ଧା ଲୋକେ ଠୋକର ଖାଇ ଠକିଯିବେ । ଏଠାକାର ଅନ୍ଧାରୀ ଗଳିରେ ଲୋକମେନେ ନିଜ ପର୍ସ ଖାଲି କରିବାକୁ ଆସିଥାନ୍ତି । ଆକଣ୍ଠ ମଦ ପିଛ ଘରକୁ ଲେଉଟିଥାଆନ୍ତି । ଏଠାରେ ସେମାନେ ବଡ଼ ପାଟିରେ ମନଭରି ଗାଳିଗୁଲଜ କରିଥାଅନ୍ତି । ଏଠି କଥା କଥାକେ ଛୁରୀ ଚାଲେ । ପ୍ରତି ଦି’ତିନିଦିନ ଅନ୍ତରରେ ଏଠାରେ ଗୋଟିଏ ଲେଖାଏଁ ଖୁନ୍ ହୋଇଥାଏ । ପ୍ରତି ମୁହୂର୍ତ୍ତରେ ଏଠି ଏମିତି ଡରିହରି ଜୀବନ ବଞ୍ଚିବାକୁ ପଡ଼େ । ସଦାବେଳେ ଜୀବନ ଚାଲିଯିବାର ଭୟ । ତା’ଛଡ଼ା ମୁଁ ଅବା କେଉଁ ନାମୀଦାମୀ ରୂପଜୀବୀ ଯେ… ପୋୱାଇ ଯାଇ ରହିପାରିବି କି ୱର୍ଲିରେ ସମୁଦ୍ରକୂଳେ କୋଠିଟିଏ ବନେଇ ପାରିବି? ମୁଁ ଅତି ମାମୁଲି ବାରାଙ୍ଗନାଟିଏ । ରାରା ଜୀବନ ହିନ୍ଦୁସ୍ତାନକୁ ଦେଖିଛି ଓ ସବୁଘାଟର ପାଣି ଚାଖିଛି । ସବୁପ୍ରକାର ଲୋକଙ୍କ ଗହଣରେ ବସିଛି । କିନ୍ତୁ ଗଲା ଦଶବର୍ଷ ଧରି ମୁଁ ଏଇ ବମ୍ବେ ନଗରୀରେ, ଏଇ ଫାରସ ରୋଡ୍‌ରେ, ଏଇ ଗଳିରେ ପସରା ମେଲେଇ ବସିଛି । ଆଉ ଏ ଦୋକାନ ଲାଗି ପରା ମୋତେ ମାସକୁ ଛଅ ହଜାର ଟଙ୍କାର ପଗଡ଼ି ଦେବାକୁ ପଡ଼ୁଛି । ଏମିତିକା ଅପନ୍ତରା ଜାଗାପାଇଁ । ଚାରିଆଡ଼େ କୁଢ଼ କୁଢ଼ ମଇଳା, ଦୁର୍ଗନ୍ଧରେ ନାକ ଫାଟି ପଡ଼ିବ । ଏଠାରେ ତ ମଇଳାର ପାହାଡ । ବେଳେବେଳେ ଏ ଗଳିର ବୁଲା କୁକୁରମାନେ ଗ୍ରାହକଙ୍କୁ କାମୁଡ଼ି ଗୋଡ଼ାନ୍ତି । ତଥାପି ଏ ଜାଗାରେ ମାସକୁ ମୋତେ ଛଅହଜାର ଟଙ୍କାର ପଗଡ଼ି ଗଣିବାକୁ ପଡ଼ୁଛି! ମୋର ଏଇ ଦୋକାନଟି ମହଲିକିଆ ଛୋଟ କୋଠାଘରଟିଏ । ସେଥିରେ କୋଠରୀ କହିଲେ ଦିଓଟି । ସାମ୍‌ନା କୋଠରୀଟି ମୋର ବୈଠକଖାନା । ସେଠାରେ ମୁଁ ଗାଏ, ଗାଚେ ଓ ଗ୍ରାହକମାନଙ୍କ ମନୋରଞ୍ଜନ କରେ । ଆଉ ପଛପଟ କୋଠରୀଟି ରୋଷେଇଘର, ଗାଧୁଆଘର ଓ ଶୋଇବାଘର କାମ ସମ୍ଭାଳିଥାଏ । ସେଥିରେ ଗୋଟିଏ ପଟେ ପାଣିନଳ ଲାଗିଛି । ଆଉ କୋଟିଏ ପଟକୁ ହାଣ୍ଡିକୁଣ୍ଡେଇ ଓ ଅନ୍ୟ ଗୋଟିଏ ପଟେ ବିରାଟ ପଲଙ୍କଟିଏ ପଡ଼ିଛି । ପଲଙ୍କ ତଳକୁ ଆଉ ଗୋଟିଏ ଛୋଟ ପଲଙ୍କ ଓ ତା’ତଳେ ମୋର ଲୁଗାପଟା ଥିବା ବାକ୍ସଟିଏ । ବାହାରପଟ କୋଠରୀରେ ବିଜୁଳିବତୀ ଅଛି କିନ୍ତୁ ଭିତର କୋଠରୀଟି ପୂରା ଅନ୍ଧାର । ଘର ମାଲିକ ବର୍ଷ ବର୍ଷ ଧରି ଘରକୁ ଚୂନ ଧଉଳେଇନାହିଁ । କେବେ ଧଉଳାଇବାର ବି ସମ୍ଭାବନା ନାହିଁ । ଏତେ ଫୁର୍ସତ କାହା ପାଖରେ ଅଛି ଭଲା? ମୋର ତ ସାରାରାତି ନାଚଗୀତ କରିବାରେ ବିତେ । ଆଉ ଦିନସାରା ମାଣ୍ଡି ତକିଆଟା ଉପରେ ମୁଣ୍ଡଥାପି ଶୋଇରହେ । ବେଲା ଓ ବତୁଲଙ୍କୁ ମୁଁ ଭିତରପଟ କୋଠରୀଟିକୁ ଦେଇଦେଇଛି ।
ଯେତେବେଳେ କୌଣସି ଗରାଖ ମୁହଁହାତ ଧୋଇବାଲାଗି ଭିତରପଟ କୋଠରୀକୁ ଯାଆନ୍ତି, ବେଲା ଓ ବତୁଲ ସେମାନଙ୍କୁ ଢେମା ଢେମା ଆଖିରେ ଅନେଇ ରହନ୍ତି । ସେମାନଙ୍କ ନିଜରକୁ ଯାହା ଆସେ ତାହା ସେମାନେ ଲକ୍ଷ୍ୟ କରନ୍ତି । ମୋର ଏ ଚିଠି ଖଣ୍ଡିକ ବି ଠିକ୍ ସେଇଆ କହେ । ଯଦି ସେମାନେ ଏବେ ନ ଥାଆନ୍ତେ, ତେବେ ଏ ଅପରାଧୀ ଆପଣଙ୍କୁ ଚିଠି ଲେଖିବାର ଦୁଃସାହସ କେବେ ବି କରି ନ ଥାଆନ୍ତା । ମୁଁ ଜାଣିଛି, ସାରା ସଂସାର ମୋତେ ଛି’ଛାକର କରିବେ । ସମ୍ଭବତଃ ଆପଣଙ୍କ ନିକଟରେ ମୋର ଏ ଚିଠି ନ ପହଞ୍ଚିପାରେ । ତଥାପି ମୁଁ ମଜବୁର, ମୋତେ ଏ ଚିଠି ଲେଖିବାକୁ ପଡ଼ିବ । କାରଣ, ବେଲା ଓ ବତୁଲ ଏଇଆ ହିଁ ଚାହାନ୍ତି ।

ବୋଧହୁଏ ଆପଣ ଭାବୁଥିବେ ଯେ ବେଲା ଓ ବତୁଲ ଦୁହେଁ ମୋ ଝିଅ । ନା, ସେପରି ଧାରଣା ଭୁଲ୍ । ମୋର କୌଣସି ଝିଅ ନାହାନ୍ତି । ଏ ଦି’ଜଣ ଝିଅଙ୍କୁ ମୁଁ ବଜାରରୁ କିଣିଛି । ଯେତେବେଳେ ହିନ୍ଦୁ- ମୁସଲମାନ ଲୋକଙ୍କ ଭିତରେ ଖୁବ୍ ଜୋରସୋର ଭାବେ ଦଙ୍ଗ ଫସାଦ୍ ଲାଗିଥିଲା, ସେତେବେଳେ ଗ୍ରାଣ୍ଟ୍ ରୋଡ, ଫାରସ ରୋଡ ଆଉ ମଦନପୁରା ଇଲାକାରେ ଲୋକଙ୍କ ରକ୍ତ ପାଣିସୁଅ ଭଳିଆ ଛୁଟୁଥିଲା । ସେତିକିବେଳେ ମୁଁ ବେଲାକୁ ଜଣେ ମୁସଲମାନ ଦଲାଠାରୁ ତିନିଶ’ ଟଙ୍କାରେ କିଣିଥିଲି । ମୁସଲମାନ ଦଲାଲ ଜଣକ ଝିଅଟିକୁ ଦିଲ୍ଲୀରୁ ଆଣିଥିଲା । ଦିଲ୍ଲୀରେ ବେଲାର ମା’ ରହୁଥିଲା । ବେଲାର ମାଆ- ବାପା ରାୱଲପିଣ୍ଡିର ରାଜାବଜାର ଇଲାକାରେ ଥିବା ପୁଞ୍ଛ୍ ହାଉସ ସାମ୍‌ନା ଗଳିରେ ରହୁଥିଲେ । ବେଶ୍ ଖାନ୍‌ଦାନ ପରିବାର । ତେଣୁ ସମ୍ଭ୍ରାନ୍ତ ପରିବେଶରେ ଝିଅଟି ବଡ଼ିଥିଲା । ବେଲା ତା’ବାପା- ମାଆଙ୍କର ଏକମାତ୍ର ଝିଅ ଥିଲା । ଯେତେବେଳେ ରାୱଲପିଣ୍ଡିରେ ମୁସଲମାନ ଲୋକମାନେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣ ଆରମ୍କ କରିଦେଲେ, ସେତେବେଳେ ବେଲା ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲୁ । ମୁଁ ଜୁଲାଇ ବାର ତାରିଖର ଘଟନା କଥା କହୁଛି । ବେଲା ସ୍କୁଲରୁ ପଢ଼ାପଢ଼ି ସାରି ଘରକୁ ଫେରୁଥିଲା । ସେ ଦେଖିଲା ତାଙ୍କ ଘର ଓ ଅନ୍ୟ ହିନ୍ଦୁ ଲୋକମାନଙ୍କ ଘର ଆଗରେ ଅନେକ ଲୋକ ରୁଣ୍ଡ ହୋଇଥିଲେ । ସେମାନେ ସମସ୍ତେ ମୁସଲମାନ ସମ୍ପ୍ରଦାୟର ଥିଲେ ।

ସେମାନେ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଚାଲିଥିଲେ । ଘର ଭିତରୁ ହିନ୍ଦୁ ଲୋକ ଓ ସେମାନଙ୍କ ଛୁଆପିଲାଙ୍କୁ ଟାଣିଆଣି ବିଚ୍ ରାସ୍ତା ଉପରେ ହତ୍ୟା କରିଚାଲିଥିଲେ । ସେମାନେ ଅତି ଭୟଙ୍କର ସ୍ୱରରେ ଆଲ୍ଲା-ହୁ-ଆକବର ଚିତ୍କାର ଛାଡ଼ୁଥିଲେ । ବେଲା ନିଜ ଆଖି ଆଗରେ ତା’ର ବାପାଙ୍କୁ ହତ୍ୟା କରାଯିବା ଘଟଣା ଦେଖିଥିଲା । ତା’ପରେ ତା’ରି ଆଖବ ସାମ୍‌ନାରେ ନିଜ ମାଆ ଶେଷ ନିା୍‌ବାସ ତ୍ୟାଗ କରିବା ମଧ୍ୟ ସେ ଦେଖିଥିଲା । ଉତ୍ୟକ୍ତ ଜହ୍ଲାଦମାନେ ତା’ ମାଆର ଥନକୁ ଧାରୁଆ ଖଣ୍‌ନାରେ କାଟି ପକାଇଥିଲେ । ସେଇ ଛାତି ଯାହା ଜଣେ ନାରୀକୁ ମାଆର ପରିଚୟ ପ୍ରଦାନ କରିଥାଏ । ମାଆର ତ କୌଣସି ଜାତି ନ ଥାଏ -ସିଏ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ, କି ଖୀରସ୍ତାନ ବି ନୁହେଁ ।… ସେ କେବଳ ଜଣେ ମାଆ । କେବଳ ଜଣେ ମାଆ ହିଁ ନିଜ ସନ୍ତାନକୁ ଯେଉଁ ସ୍ତନରୁ ଅମୃତ ପାନ କରାଇଥାଏ । ସେଇ ଅମୃତଭରା ସ୍ତନ ଏବେ ରାୱଲପିଣ୍ଡିର ରାଜରାସ୍ତାରେ ଇତଃସ୍ତତ ହୋଇ ଲୋଟୁଥିଲା । ମଣିଷ କେତେ ଗୃଶଂସ ହେଲେ ଏଭଳି କାଣ୍ଡ ଭିଆଇ ପାରିବ! ହିଂସା, ଘୃଣାର କେତେ ଅନ୍ଧାର ଲୋକମାନଙ୍କୁ ଆକ୍ରାନ୍ତ କରି ରଖିଥିଲା! ମୁଁ ବି କୋରାନ ପଢ଼ିଛି । ରାୱଲପିଣ୍ଡିରେ ବେଲାର ମାଆ-ବାପାଙ୍କ ସହିତ ହୋଇଥିବା ସେଇ ଜୁଲୁମ୍ ଇସଲାମକୁ ସ୍ୱୀକାର ନୁହେଁ, ମାନବିକତାକୁ ମଧ୍ୟ ସ୍ୱୀକାର ନୁହେଁ । ତାକୁ ଶତ୍ରୁତା ବୋଲି ସୁଦ୍ଧା କୁହାଯିନାହିଁ । ତାକୁ ପ୍ରଳୟକାଳ ବୋଲି ବି କହିହେବନାହିଁ । ତାହା ଏପରି ଏକ ଅମାନବୀୟ, ଅସଭ୍ୟ, ପାଶବିକ ଓ ଦୟାମାୟାଶୂନ୍ୟ କାଣ୍ଡ ଥିଲା ଯାହା ସଂଘଟିତ ହୋଇଥିଲା ସିନା, ହେଲେ ଅସ୍ତସୂର୍ଯ୍ୟଙ୍କ ସୁନେଲି କିରଣକୁ ସୁଦ୍ଧା ତାହା ରକ୍ତାକ୍ତ କରିପକାଉଥିଲା ।

ବେଲା ଏବେ ମୋ ପାଖରେ । ମୋ ଆଗରୁ ସିଏ ଜଣେ ଦାଢ଼ିବାଲା ମୁସଲମାନ ଦଲାଲ ପାଖରେ ଥିଲା । ବେଲାର ବୟସ ଏବେ ବାର ବର୍ଷରୁ ଅଧିକ ହେବନି । ସିଏ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା । ଯଦି ନିଜ ଘରେ ଥାଆନ୍ତା, ଏତେବେଳକୁ ସିଏ ପଞ୍ଚମ ଶ୍ରେଣୀରେ ପଢ଼ୁଥାଆନ୍ତା । ଆଉ ବଡ଼ ହେଲାପରେ ତାକୁ ତା’ର ବାପା- ମାଆ କେଉଁ ଗୋଟିଏ ସମ୍ଭ୍ରାନ୍ତ ଖାନଦାନରେ ଗରିବ ପିଲାଟିଏ ହେଉ ପଛେ ବାହା ଦେଇ ଥାଆନ୍ତେ । ବେଲ ତା’ର ଛୋଟ ସଂସାରଟିଏ ଗଢ଼ିଥାଆନ୍ତା । ନିଜ ମନ ପସନ୍ଦର ସଂସାର । ପିଲାଛୁଆ ଜନˆକରି ପରିବାର ବସେଇ ଥାଆନ୍ତା । ନିଜ ପାରିବାରିକ ଜୀବନର ଛୋଟମୋଟ ଖୁସିକୁ ନେଇ ଆନନ୍ଦରେ ଜୀବନ ବଞ୍ଚି ଥାଆନ୍ତା । କିନ୍ତୁ ସେଇ କୋମଳ କଳିକାଠାରୁ ତା’ ହେତୁ ପାଇବା ଆଗରୁ ସେଇ ସ୍ୱପ୍ନକୁ ଜୋର୍ ଜବରଦସ୍ତ ଛଡ଼େଇ ନିଆଯାଇଛି ।

ଏବେ ତ ବେଲାକୁ ଦେଖିଲେ କେହି ବାରବର୍ଷର ଝିଅଟିଏ ବୋଲି କହିବେନି । ତା’ର ବୟସ ସିନା ଅଳ୍ପ ହେଲେ ଜୀବନକୁ ସିଏ ଢେର୍ ଦେଖି ସାରିଲାଣି । ତା’ ଆଖିରେ ଯେତିକି ଠର, ମାନବିକତାର ଯେଉଁ ନିଶେଷପଣ, ମୃତ୍ୟୁର ଯେଉଁ ଶୋଷ, କ୍ୱଏଦ-ଏ-ଆଜମ ସା’ବ୍‌, ଆପଣ ଯଦି ଏକଥା ଦେଖି ପାରନ୍ତେ, ତା’ହେଲେ ସତରେ ଆପଣ ସେକଥା ସହଜରେ ଅନୁମାନ କରିପାରନ୍ତେ । ସେ ନିରାଶ୍ରୟ ଝିଅଟି ଆଖିର ଗଭୀରତାକୁ ମାପି ପାରନ୍ତେ । ଆପଣତ ସମାଜର ମାନ୍ୟଗଣ୍ୟ ଲୋକ । ଆପଣ ତ ସମ୍ଭ୍ରାନ୍ତ ଘରର ଝିଅବୋହୂଙ୍କୁ ଦେଖିଥିବେ । ହିନ୍ଦୁ ଝିଅଙ୍କୁ, ମୁସଲମାନ ଝିଅଙ୍କୁ… ସମ୍ଭବତଃ ଆପଣ ବୁଝି ପାରିଥାଆନ୍ତେ ଯେ କୋମଳପଣ, ଅବୋଧପଣ, ସରଳପଣର କିଛଇ ମୂଲ୍ୟ ନାହିଁ । ସେସବୁ ମାନବିକତାର ସମ୍ପଦ । ସଂସାରସାରା ସଭିଏଁ ବିଶ୍ୱାସ କରନ୍ତି ସେଇ କୋମଳପଣକୁ ଯିଏ ନଷ୍ଟ କରିଦିଏନାହିଁ, ଈଶ୍ୱର ତାକୁ କୌଣସି ଧର୍ମ, କୌଣସି ବିଶ୍ୱାସ କ୍ଷମାଦିଏ ନାହିଁ । ଈଶ୍ୱର କେବେ କ୍ଷମା ଦିଅନ୍ତିନାହିଁ । ବେଲା ଓ ବତୁଲ ଦୁହେଁ, ମୋରି ପାଖରେ ଦି’ଭଉଣୀ ଭଳି ରହୁଛନ୍ତି । ମତୁଲ ମୁସଲମାନ ଝିଅ । ବେଲା ହିନ୍ଦୁ ଘରେ ଜନ୍ମ ହୋଇଛି । ଆଜି ଭାଗ୍ୟଚକ୍ରରେ ଦୁହେଁ ଆସି ଫାରସ ରୋଡ୍‌ରେ ଗୋଟିଏ ବାରାଙ୍ଗନାର ଘରେ ଅନ୍ଧାର କୋଠରୀରେ ଜୀବନ ବିତାଉଛନ୍ତି ।

ବେଲା ଯେମିତି ରାୱଲପିଣ୍ଡିରୁ ଆସିଥିଲା, ସେମିତି ବତୁଲ ଆସିଥିଲା ଜଳନ୍ଧରର ଏକ ଗାଆଁରୁ । ସେ ଗାଆଁର ନାଁ ଖେମକରନ । ଗୋଟିଏ ପଠାନ ପରିବାରରୁ । ସେମାନେ ସାତ ଭଉଣୀ । ତିନି ଜଣ ବାହାସାହା ହୋଇ ସାରିଥିଲେ ଓ ଆଉ ଚାରିଜଣ ବିବାହଯୋଗ୍ୟା ହୋଇ ସାରିଥିଲେ । ବତୁଲର ବାପା ଖେମକରନ ଗାଆଁର ସାଧାରଣ ଗରିବ କଳାକାରଟିଏ ଥିଲା । ଗରିବ ସତ, ହେଲେ ଖାନଦାନ ଓ ନୀତିନିଷ୍ଠ । ସେମାନେ ଅନ୍ୟଆଡ଼ୁ ଆସି ସେଇ ଗାଆଁରେ ଦୀର୍ଘଦିନ ଧରି ବସବାସ କରି ରହିଯାଇଥିଲେ । ଜାଠ୍ ଗାଆଁରେ ସେମାନେ ଯାହା ତିନି ଚାରିଘର ପଠାନ । ପଣ୍ଡିତଜୀ, ଆପଣ ସହଜରେ ଅନୁମାନ କରିପାରୁଥିବେ ଯେ ସେମାନେ କେତେ ଡରିହରି ଜୀବନ ବଞ୍ଚୁଥିଲେ । ନିଜ ଗାଆଁରେ ରହି ସୁଦ୍ଧା ସେମାନଙ୍କ ମସଜିଦଟିଏ ସ୍ଥାପନ ନିର୍ମାଣ କରିବାର ଅଧିକାର ନ ଥିଲା । ସେ ଲୋକମେନେ ନିଜ ଘର ଭିତରେ ହିଁ ନମାଜ ପଢ଼ୁଥିଲେ । କାହିଁ ଶହ ଶହ ବର୍ଷ ପୂର୍ବରୁ ଯେତେବେଳେ ମହାରାଜା ରଣଜିତ ସିଂହ ନିଜର ହୁକୁମତ୍ ସମ୍ଭାଳିଥିଲେ ସେଇ ଦିନଠାରୁ କୌଣସି ମୋମିନ୍‌ଙ୍କ ତୁଣ୍ଡରୁ ସେ ଗାଆଁରେ ଆଜାନ ଶୁଭି ନ ଥିଲା । ବତୁଲର ବାପାଙ୍କ ହୃଦୟ ନିର୍ମଳ ଥିଲା । ହେଲେ ଗାଆଁର ପରିସ୍ଥିତି ସେମିତି ପ୍ରତିକୂଳ ରହିଥିଲା । ତେଣୁ କାହା ସାଙ୍ଗରେ ବରାବର ହେବାର କ୍ଷମତା ତାଙ୍କର ନ ଥିଲା । ବତୁଲ ଥିଲା ତା’ବାପାଙ୍କର ସବୁଠାରୁ ଗେହ୍ଲା ଝିଅ । ସାତ ଭଉଣୀଙ୍କ ଭିତରେ ସବୁଠୁ ଛୋଟ, କୋଡ଼ପୋଛା । ତେଣୁ ସମସ୍ତଙ୍କ ହସ୍ନ ଆଦର ତା’ ଉପରେ ଅଜାଡ଼ି ହୋଇ ପଡ଼ିଥିଲା । ସମୁ ଭଉଣୀଙ୍କ ଭିତରେ ସିଏ ବି ଅଦଖିବାକୁ ଅଧିକ ସୁନ୍ଦର ଥିଲା । ଦେଖିବାକୁ ଏତେ ତୋଫା ଯେ କାହା ହାତ ବାଜିଲେ ସତେ ଯେମିତି ସେ ମଇଳା ହୋଇଯିବ, ଝାଉଁଳି ପଡ଼ିବ!

ପଣ୍ଡିତଜୀ, ଆପଣ ତ ନିଜେ କାଶ୍ମୀରୀ, ତେଣୁୂଆପଣ ଭଲଭାବେ ବୁଝି ପାରୁଥିବେ ସୌନ୍ଦର୍ଯ୍ୟ କହିଲେ କାହାକୁ ବୁଝାଏ । ଆଜି ସେଇ ଭଳିଆ ଦିଓଟି ସୁନ୍ଦରୀ କୁଆଁରୀ ଝିଅ ମୋର ଏଇ ଅନ୍ଧାରୁଆ କୋଠରୀରେ ଏଇ ଗଳି ଭିତରେ ପଡ଼ିରହିଛନ୍ତି । ସେମାନଙ୍କ ସୁରକ୍ଷା ସେମାନଙ୍କ ଭବିଷ୍ୟତକୁ ସୁନି୧⁄୨ିତ କରିବା ସକାଶେ କେହି ନାହାନ୍ତି । କେହି ଜଣେ ହୃଦୟବାନ ଭଦ୍ରଲୋକ ଏଥିପାଇଁ ଆଗେଇ ଆସୁନାହାନ୍ତି । ସେମିତିକିଆ ଭଦ୍ରଲୋକ ତ ଆଜିର ସମାଜରେ ମିଳିବା ମୁସ୍କିଲ । ଏ ଗଳିରେ ଦାଢ଼ିଆ, ନିଶୁଆ, ଲାଲ୍ ଆଖିବାଲା ଦଲାଲ ମିଳିବେ । ଶରୀର କ୍ଷୁଧାକୁ ଚରିତାର୍ଥ କରିବାକୁ ଆସୁଥିବା ଅବିବେକୀ, ଚିନ୍ତାଚେତନାଶୂନ୍ୟ ମଣିଷ ମିଳିବେ । ସେମାନଙ୍କ ପାପଦୃଷ୍ଟି ଆଖିରେ ପଡ଼ିବ । ବତୁଲ ସମ୍ପୂର୍ଣ୍ଣ ନିରକ୍ଷର । ସେ କେବଳ ଦୁନିଆରେ ଜିନ୍ନା ସା’ବଙ୍କ ନାଁ ଶୁଣିଛି ।

ପାକିସ୍ତାନକୁ ବଢ଼ିଆ ତାମ୍‌ସା ବୋଲି ଭାବି ସିଏ ଗଳାଫଟେଇ ଦିନେ ନାରା ଦେଇଥିଲା ଯେମିତି ଘର ଭିତରେ ଛୋଟ ଛୋଟ ଶିଶୁମାନେ ‘ଇନକିଲାବ୍ ଜିନ୍ଦାବାଦ୍‌’ ବୋଲି ଧ୍ୱନି ଦେଇଥାଆନ୍ତି । ଏବେ ତା’ର ବୟସ ତ ମାତ୍ର ଏଗାର ବର୍ଷ । ବିଚାରୀ ପଢ଼ାପଢ଼ି କରିନି । ଏଇ ଗଲା କେଇଦିନ ତଳେ ସେ ମୋ ପାଖକୁ ଆସିଛି । ଜଣେ ହିନ୍ଦୁ ଦଲାଲ ତାକୁ ଆଣି ମୋ ପାଖରେ ଜୁଟେଇ ଦେଇଥିଲା । ମୁଁ ତାକୁ ପାଞ୍ଚଶ’ ଟଙ୍କାରେ କିଣିଛି । ତା’ ପୂର୍ବରୁ ସେ କେଉଁଠି ଥିଲା, କ’ଣ କରୁଥିଲା ସେ କଥା ମୁଁ କହି ପାରିବିନି । ହଁ, ଲେଡି ଡାକ୍ତର ମତେ ବହୁତ କଥା କହିଛନ୍ତି । ଯଦି ସେକଥା ଶୁଣିବେ ତା’ହେଲେ ଆପଣଙ୍କ ମୁଣ୍ଡ ଗୋଳମାଳ ହୋଇଯିବ । ବତୁଲ ବି ଏବେ ଅଧା ପାଗଳୀ । ତା’ବାପାକୁ ଜାଠ୍‌ମାନେ ଏମିତି ନିର୍ମମ ଭାବରେ ହତ୍ୟା କରିଥିଲେ ଯେ ହିନ୍ଦୁ ସଭ୍ୟତାର ଗଲା ଛଅ ହଜାର ବର୍ଷର ସବୁ ସହନଶୀଳତା, ଦୟାମାୟା ଛିନ୍‌ଛତର ହୋଇଯାଇଛି କହିଲ ଅତ୍ୟୁକ୍ତି ହେବନାହିଁ । ଏହାର ଛଳନାପୂର୍ଣ୍ଣ ନଗ୍ନ ରୂପ ସମସ୍ତଙ୍କ ସାମ୍‌ନାରେ ସ୍ପଷ୍ଟ ହୋଇଯାଇଛି । ପ୍ରଥମେ ଜାଠ୍‌ମାନେ ବତୁଲର ବାପାକୁ ଧରିନେଇ ତା’ ଆଖି ଦି’ଟା ତାଡ଼ି ଦେଇଥିଲେ । ତା’ପରେ ତା’ମୁହଁରେ ପରିସ୍ରା କରିଥିଲେ । ଆଉ ସବା ଶେଷରେ ତା’ ଛାତିପେଟ ଚିରି ଅନ୍ତବୁଜୁଳା ବାହାର କରି ପକାଇଥିଲେ ।

ତା’ପରେ ତା’ର ବିବାହିତ ଝିଅମାନଙ୍କୁ ଜଣକ ପରେ ଜଣକୁ ଧର୍ଷଣ କରିଥିଲେ । ସେଇ ଏକା ସ୍ଥାନରେ ଯେଉଁଠି ସେମାନଙ୍କ ବାପର ଉଲଗ୍ନ ରକ୍ତଭିଜା ନିଷ୍ପ୍ରାଣ ଶରୀର ଖିନଭିନ୍ ହୋଇ ଲୋଟୁଥିଲା । ଶହାନା, ଗୁଲଦସ୍ତା, ମରଜାନା, ସୋହନ, ବେଗମ୍ ଏମିତି ଜଣ ଜଣକରି ସମସ୍ତଙ୍କ ଇଜ୍ଜତ ସର୍ବସମକ୍ଷରେ ଲୁଟାଯାଇଥିଲା । କେବଳ ସେଇମାନଙ୍କୁ ନୁହେଁ, ଗାଆଁର ସବୁ ଭିନ୍ନ ସମ୍ପ୍ରଦାୟର ଝିଅବୋହୂମାନଙ୍କର ଇଜ୍ଜତ ଲୁଟା ଯାଇଥିଲା । ମାଆମାନଙ୍କ ପ୍ରତ ଅତ୍ୟାଚାର କରାଯିବା ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା । ସତେ ଯେମିତି ହିନ୍ଦୁ ଧର୍ମ ନିଜ ଇଜ୍ଜତ ହରାଇଥିଲା । ନିଜର ସହନଶୀଳତା, ଦୟା କ୍ଷମା, ସ୍ନେହ ଓ ପ୍ରେମକୁ ଜଳାଞ୍ଜଳି ଦେଇଥିଲା! ସେତେବେଳେ ପ୍ରାଚୀନ ଋଗ୍‌ବେଦର ସବୁ ମବ ନୀରବ ହୋଇଯାଇଥିଲା । ଗ୍ରନ୍ଥ ସାହିବର ସବୁ ଦୋହା ଲଜ୍ଜାରେ ନଇଁଯାଇଥିଲା । ଗୀତାର ପ୍ରତିଟି ଶ୍ଳୋକ ଯେମିତି କ୍ଷତାକ୍ତ ହୋଇପଡ଼ିଥିଲା । କିଏ ଏମିମତି ଜଣେ ଅଛି ଯିଏ ମୋ ସାମ୍‌ନାରେ ଅଜନ୍ତା କଳାଚାତୁରୀର ନାଁ ନେଇପାରିବ? ଅଶୋକଙ୍କ ଧର୍ମବାଣୀ ଶୁଣାଇପାରିବ? ଏଲୋରାର ଭାସ୍କର୍ଯ୍ୟପଣର ଗୁଣଗାନ କରିପାରିବ ? ବତୁଲର ସେଇ ହତବମ୍ଭ ଚେହେରା, ତା’ର ଶୁଖିଲା ଓଠ, ତା’ର ବାହୁରେ ଜହ୍ଲାଦମାନଙ୍କ ଦାନ୍ତଚିହ୍ନ ଏବଂ ତା’ର ସେଇ ପୂରିଲା ପୂରିଲା ପାଦ ଅଜନ୍ତା ଚିତ୍ରକଳାକୁ ସୁଦ୍ଧା ପଛରେ ପକେଇଦେବ । ଏଲୋରା ବି ତା’ପାସଙ୍ଗରେ ପଡ଼ିବନି । ଆଜି ମାନବିକତାର ସବୁ ଭାବନା ସମାଧି ପାଇସାରିଛି । ଯଦି ପାରନ୍ତି ଆସନ୍ତୁ, ଥରେ ଦେଖି ଯାଆନ୍ତୁ । ମୁଁ ବତୁଲର ନିରୀହପଣ ଓ ସୌନ୍ଦର୍ଯ୍ୟକୁ ଆପଣଙ୍କୁ ଦେଖେଇବି । ସେଇ ଜିଅନ୍ତା ଶବ ଯାହାକୁ ବତୁଲ ନାଁରେ ସଭିଏଁ ଡାକନ୍ତି ।

ଭାବାବେଗରେ ମୁଁ କାହିଁ କେତେ କ’ଣ କହିସାରିଲିଣି । ସମ୍ଭବତଃ ଏତେସବୁ କଥା ମୋର କହିବା ଉଚିତ ନ ଥିଲା । ଏତେ ସ୍ପଷ୍ଟ କଥା ଆପଣଙ୍କୁ କେହି କେବେ ପୂର୍ବରୁ କହି ନ ଥିବେ । ସମ୍ଭବତଃ ଆପଣ ଏସବୁ କଥା କେବେ କରିପାରିବେ ନାହିଁ । ଏଥିରୁ କାଣିଚାଏ ବି ନୁହଁ । ତଥାପି ଆମ ଦେଶ ସ୍ୱାଧୀନ ହୋଇଗଲା । ହିନ୍ଦୁସ୍ତାନରେ ହେଉ କି ପାକିସ୍ତାନରେ ହେଉ, ବୋଧହୁଏ ଜଣେ ବାରାଙ୍ଗନାକୁ ମଧ୍ୟ ଦେଶର ଶାସନକର୍ତ୍ତାଙ୍କୁ ଏଭଳି କଥା କହିବାକୁ, ପଚାରିବାକୁ ପଡ଼ୁଛି ଯେ ବେଲା ଓ ବତୁଲଙ୍କ ଦଶା ଏବେ କ’ଣ ହେବ? ସେ ଦି’ଜଣ ତ ଦିଓଟି ଝିଅ, ଦିଓଟି ସମ୍ପଦ, ଦିଓଟି ଅମାନତ । କିନ୍ତୁ ଜଣେ ମନ୍ଦିର ହେଲେ ଆର ଜଣକ ମସଜିଦ୍ । ବେଲା ଓ ବତୁଲ କିନ୍ତୁ ଫାରସ ରୋଡର ଜଣେ ବାରାଙ୍ଗନାର କୋଠାରେ ରହୁଛନ୍ତି । ଆଉ ସେ ବାରାଙ୍ଗନା ଚିନୀ ହଜ୍ଜାମର ଦୋକାନ ପାଖକୁ ଲାଗି ନିଜର ପସରା ମେଲେଇ ବସିଛି । ନିଜ ଧନ୍ଦା ଚଳେଇଛି । ବେଲ କି ବତୁଲଙ୍କୁ ଏ ଧନ୍ଦା ପସନ୍ଦ ନୁହେଁ । ମୁଁ କିନ୍ତୁ ସେମାନଙ୍କୁ ଟଙ୍କା ଦେଇ କିଣିଛି । ମୁଁ ଯଦି ଚାହିଁବି ସେମାନଙ୍କ ଦ୍ୱାରା ମୋ ଉଦ୍ଦେଶ୍ୟ ହାସଲ କରିପାରିବି । ସେମାନଙ୍କୁ ମୋରି ଧନ୍ଦାରେ ସାମିଲ କରିପାରିବି । କିନ୍ତୁ ମୁଁ ଚାହୁଁନାହିଁ ସେଇ କାମ କରିବି ଯାହା ରାୱଲପିଣ୍ଡି ଓ ଜଳନ୍ଧରର ଲୋକମାନେ ସେମାନଙ୍କ ପ୍ରତି କରିଥିଲେ । ଏବେ ସୁଦ୍ଧା ମୁଁ ଫାରସ ରୋଡ ଗଳିରେ ସେମାନଙ୍କୁ ଦୁନିଆର ହୀନ ଦୃଷ୍ଟିରୁ ବଞ୍ଚେଇ ରଖିଛି । ତଥାପି ମୋର ଗରାଖମାନେ ଯେତେବେଳେ ଭିତର କୋଠରିକୁ ହାତମୁହଁ ଧୋଇବାକୁ ଯାଆନ୍ତି ସେତେବେଳେ ବେଲା ଓ ବତୁଲଙ୍କ ଦୃଷ୍ଟି ଆସି ମୋରି ଉପରେ ନିବଦ୍ଧ ହୁଏ । ସତେ ଯେପରି ସେମାନେ ମୋତେ କିଛି ପଚାରିବାକୁ ଚାହାନ୍ତି । ସେମାନଙ୍କ ଦୃଷ୍ଟି କି ପ୍ରଶ୍ନକୁ ମୋର ଖାତିର ନାହିଁ । ସେମାନଙ୍କ ସନ୍ଦେଶ ମୁଁ ମଧ୍ୟ ଠିକ୍ ଭାବରେ ଆପଣଙ୍କ ନିକଟରେ ପହଞ୍ଚାଇ ପାରିବି ନାହିଁ । ଆପଣ ନିଜେ ସେମାନଙ୍କ ମୁହଁର ମୁଦ୍ରାକୁ ପଢ଼ନ୍ତୁ । ପଣ୍ଡିତଜୀ, ମୁଁ ଚାହୁଁଛି ଆପଣ ବତୁଲକୁ ଆପଣ ନିଜର କନ୍ୟା ରୂପେ ଗ୍ରହଣ କରିନିଅନ୍ତୁ । ଆପଣ ମଧ୍ୟ ବେଲାକୁ ନିଜର ପାଳିତା କନ୍ୟା ବନେଇ ନିଅନ୍ତୁ । ଆପଣ ଦୁହେଁ ଏ ଦୁଇ ଝିଅଙ୍କୁ ଫାରସ ରୋଡ୍‌ର ଏ ନର୍କ ଭିତରୁ ଉଦ୍ଧାର କରିନିଅନ୍ତୁ । ସେମାନଙ୍କୁ କନ୍ୟା ରୂପେ ନିଜ ଘରେ ରଖନ୍ତୁ । ସେମାନଙ୍କ ପରି ଲକ୍ଷ ଲକ୍ଷ ଅସହାୟ କନ୍ୟାଙ୍କ ଦୁଃଖଦୁର୍ଦଶାକୁ ଶୁଣନ୍ତୁ । ସେମାନଙ୍କ ଦୁର୍ଦଶା ନୂଆଖାଲିଠାରୁ ନେଇ ରାଓଲପିଣ୍ଡି ପର୍ଯ୍ୟନ୍ତ ଏବଂ ଭରତପୁରଠାରୁ ନେଇ ବମ୍ବେ ପର୍ଯ୍ୟନ୍ତ ସବୁଠି ଗୁଞ୍ଜରୁଛି । ଆପଣଙ୍କୁ ସରକାରୀ ଦପ୍ତରରେ କ’ଣ ସେ ସ୍ୱର ଶୁଭୁନି । ଏ ସ୍ୱରକୁ ଆପଣଙ୍କୁ ଶୁଣିବାକୁ ପଡ଼ିବ ।

ଆପଣଙ୍କର ଗୁଣମୁଗ୍ଧ

ଫାରସ୍ ରୋଡ୍‌ର ଜଣେ ବାରାଙ୍ଗନା ।

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.