ଶୂନ୍ୟ ସହୋଦର

ଶୂନ୍ୟ ସହୋଦର

ତାରକ ମହାନ୍ତି

ହଜାର ହଜାର ବର୍ଷର ଗୋଟେ
ଦୃଢ଼ ବିଶ୍ୱାସ କ’ଣ ଭାଙ୍ଗିପାରେ!
ପରମ୍ପରାର ପ୍ରାଚୀରକୁ ଭାଙ୍ଗି
ନୂଆ ଇତିହାସ ଲେଖିବା କ’ଣ ସହଜ
ଯାହା ଲେଖି ହୋଇଯାଇଛି ରକ୍ତରେ
ଭବିଷ୍ୟତର ଧମନୀ ଭିତରେ
ସୂର୍ଯ୍ୟ,ଚନ୍ଦ୍ର ଓ କାଳର ଗତି ଅନୁସାରେ।
ଦୁର୍ବୋଧ୍ୟ ହେଲେ ବି ସେ ଆଦି, ଅନନ୍ତ
ପବନର ବେଗଠୁ କ୍ଷୀପ୍ର,ଶୂନ୍ୟ ବ୍ରହ୍ମାଣ୍ଡ
ଅନୁଭବର ଦୃଢତା ହିଁ ତାଙ୍କ ବାସସ୍ଥଳ
କାୟାର ଛାୟା ପରି ଆବିର୍ଭୂତ ଈଶ୍ୱର
ପାଇ ହୁଏ ରିକ୍ତହସ୍ତେ,ଖାଲି ଭାବରେ।
ଯେଉଁଠୁ ଧାଡି ଶେଷ ସେଇଠୁ ଆରମ୍ଭ
ଗୋଟେ ନୂଆ ଯୁଗ କୁହ କି ମନ୍ଦିର
ଅରଣ୍ୟ ଅନ୍ଧାର ଆଲୋକର ମଝିରେ
କେବେ ଲିଭୁନଥିବା ଦୀପଶିଖା ପରି
ପହଁରୁଥାଏ ଏ ସଚରାଚର ପୃଥ୍ଵୀରେ।
କେତେ ବା ଆୟୁଷ ଏ ମଣିଷର
ଯିଏ ବୁଝିପାରିବ ଜୀବତତ୍ତ୍ୱ,ସଂସାର
ଆଧାର,ନିରାଧାର ମଧ୍ୟବର୍ତ୍ତୀ ସ୍ଥାନରେ
ଉକୁଟି ଆସୁଥିବା ପେଜନଳାର ବାସ୍ନା
କିପରି ଉଚ୍ଚାଟ କରେ ଓ ଉନ୍ମାଦ ଭରେ।
ମହଣ ମହଣ ଘିଅ ଅଗ୍ନିରେ ସ୍ବାହା
କାହାପାଇଁ ଅହର୍ନିଶ ଜଳୁଥାଏ ଯେ
ସେଥିରୁ ବାରିହେବ ଗ୍ରହ,ନକ୍ଷତ୍ରଙ୍କୁ
ବୁଝେଇହେବ ସଂସାର କିପରି ଗଡେ
ମଣିଷ କିପରି ପଡ଼ିଯାଏ କାଳଚକ୍ରରେ।
ଲୋହିତ ବର୍ଣ୍ଣର ବର୍ଣ୍ଣାଳି ପୂର୍ବଦିଗେ
ଆକାଶ ଚିରି ସମୁଦ୍ରରେ ଖେଳୁଥାଏ
ପହଁରୁଥାଏ ମାଛ ପରି ନଦୀ ଜଳେ
ଭାସୁଥାଏ ଅକାତକାତ ପାଣି ଉପରେ।
ଶ୍ୱେତକଣିକାର ଔଜଲ୍ୟରେ ଚମକେ
ଭୂମି,ଭୂମା ଓ ବସୁଧାର ଅନ୍ତଃ ସ୍ଥଳ
ଅତିକ୍ରମଣର ଧାରାକୁ ଅତିକ୍ରମୀ
ସଙ୍କଟ,ଆଶା ଓ ନୈରାଶ୍ୟର ପ୍ରତିଧ୍ୱନି
ପ୍ରତିନିଧିତ୍ବ କରୁଥାଏ ଅଗୋଚରରେ।
ପ୍ରଭୁତ୍ୱ ବିସ୍ତାରର ଭ୍ରମ ଘାରିଛି
ସବୁଠି ରକ୍ତବୀର୍ଯ୍ୟର ଅଦଉତି
ଗଳିତ ଭାବନାରୁ ଅସଂଖ୍ୟ ନାସ୍ତିକ
ଜନ୍ମ ନିଅନ୍ତି ଏଠି ପ୍ରତି ମୁହୂର୍ତ୍ତରେ
ଜଳ,ସ୍ଥଳ,ଆକାଶ ଏଠି ଦେବତା
ବୁଝିବାଲୋକ ବୁଝେ, ଭକ୍ତି ଝରେ।
ରଥ ପଥ ସବୁ ସେମିତି ଥାଆନ୍ତି
ନେତ ଉଡେ ପବନର ବିପରୀତ ଦିଗେ
ଅଶ୍ୱ ଅଶ୍ବାରୋହୀ ପୂର୍ବ ଭଳି ତୟାର
ହେ ଈଶ୍ୱର! ମୁକ୍ତି ମୁକ୍ତି ଶାନ୍ତି ଶାନ୍ତି
ପୁନର୍ଜନ୍ମ ଦେଵ ଯଦି ଦିଅ ତୁମ ନଗ୍ରେ।
————————————-
ସେକ୍ଟର-୨/୨୮୯, ନିଳାଦ୍ରୀବିହାର, ଭୁବନେଶ୍ୱର-୨୧
ଇ ମେଲ: [email protected]