Latest Odisha News

BREAKING NEWS

କବିତା : ଶାଢ଼ୀ

ସଞ୍ଜିତା ପ୍ରଧାନ

ମୋ’ ଦେହର ବାସ୍ନା ନେଇ
ତୁମକୁ ଛୁଇଁଛୁଇଁ ଉଡ଼ିଯିବା ବେଳେ
ତୁମେ ହିଁ ମାପିପାର ମୋ’ ଶାଢ଼ୀ କାନିର
ଦୈର୍ଘ୍ୟ-ପ୍ରସ୍ଥ-କ୍ଷେତ୍ରଫଳ;
କେତେ ଗଭୀରତା ସେଠି ଆସ୍ଥାନ ଜମେଇ
ବସିଥିବା ଫୁଲମାନଙ୍କର ଭଲପାଇବାରେ !

ସୁତାରେ ସୁତାରେ ତୁମେ ଆଙ୍କିପାର
ଜ୍ୟାମିତିର ପ୍ରତ୍ୟେକ ଆକାର;
ଯାହା ମତେ ତୁମର କରେ
ଆୟୁଷର ସବୁତକ ଗାଣିତିକ ସୂତ୍ରରେ ।

ପୃଥିବୀର ସେଇ ବେନାମୀ ପାର୍କର
ପରିତ୍ୟକ୍ତ କୋଣରେ
ଯେଉଁଠି କାହାରି ନଜର ପଡେନି
ସେଠି ତୁମର ରାଜତ୍ୱ
ମୋ’ କୋଳରେ ମୁଣ୍ଡରଖି
କାନିକୁ ମେଘକରି
ଓଠର ଆଷାଢ଼ରେ ଭିଜିଯାଅ
ମୋ’ ଆଖିରେ ଅମାପ ଲାଜ ହୋଇ ଲାଖିଯାଅ ।

ଅଳାଜୁକୀ କାନି ସବୁ ଦେଖେ
ଯେବେ ତୁମ ଆଖି ମୋ’ ଆଖି ବନ୍ଦ ଥାଏ
ନୀରବରେ ସିଏ ଅପେକ୍ଷା କରେ
ବେଦୀ ସଜା ହେବା ଯାଏଁ
ହୋମ ଜଳିବା ଯାଏଁ
ଦେହ ତା’ର ସମ୍ପର୍କରେ ବାନ୍ଧି ହେବା ଯାଏଁ ।

କାନିରେ କାଳେ ଆଦେଖା ଯୁଗଟେ
ଅହରହ ଜୀବନ୍ୟାସ ପାଏ;
ସେଠି ପ୍ରେମର ଶିଳାନ୍ୟାସ ଦିଆହୁଏ
କାନି ପବିତ୍ର ହୁଏ
ରକ୍ଷା କବଚ ସାଜେ
ଦୁଃଖ-ଲୁହ-ଲହୁକୁ ଆଦରରେ ଶୋଷିନିଏ ।

ତୁମେ ମୋ’ଠୁ ଅଧିକ
ମୋ ଶାଢ଼ୀ କାନିର ମଧୁଶାଳାରେ ଘୁରିବୁଲ;
ଆଉ ମୁଁ !
ସମୟ ଅସମୟରେ ନାୟିକା ସାଜେ
ସରମରେ କାନିର ଅସ୍ତିତ୍ୱରେ ତୁମକୁ ଭୋଗେ
ମୋ’ ଗଳି ଉପଗଳିରେ
ତୁମେ ବର୍ଷା ବିନ୍ଦୁ ହୋଇ ଆସିବା ବେଳେ
ମୋ’ କାନି ହିଁ ତୁମକୁ ବେଶି ଖୋଜେ ।

Leave A Reply

Your email address will not be published.