କବିତା: ହେ ପ୍ରଭୁ…

ମିହିର ତ୍ରିପାଠୀ

ଦେବା ଦେବୀ ପୂଜା
ମନ୍ଦିର କୁ ଯାଇ
ଦିଁଅ ଦରଶନେ ମନଥାଏ

ଚନ୍ଦନ ଭସ୍ମକୁ
କପାଳରେ ଲେପି
ପବିତ୍ର ଏ ଆତ୍ମା ପାଇଯାଏ…

ପରମାତ୍ମାଙ୍କର
ସମ୍ମୁଖେ ଆତ୍ମାର
ମିଳନ ହେବାର ଇଛାଥାଏ

ଭୋଗ ପ୍ରସାଦରୁ
ଅଳପ ଚାଖିଣ
ସ୍ବର୍ଗ ସୁଖ ପାଇ ଗଲି କହେ…

ଆତ୍ମ ସମର୍ପଣେ
ଶୌଚ ସ୍ନାନ ସାରି
ବେଢା ପରିକ୍ରମା ହୋଇ ଯାଏ

ବେଲ ତୁଳସୀର
ପାଦୁକା ପିଇକି
ଅନ୍ତଃ ଶୁଦ୍ଧି ଜନ ପାଇଥାଏ…..

ସଂସାର ଜଞ୍ଜାଳୁ
ମୁକୁଳିବା ଇଛା
ବା ସୁଖ ଫଳପ୍ରଦ ହେବା ଚାହିଁ

ଠାକୁରଙ୍କ ପାଖେ
ହାତ ଟେକି ଯୋଡି
ପ୍ରଭୂ ପାରିକର ତୁଣ୍ଡେ କହି….

ସାଷ୍ଟାଙ୍ଗ ପ୍ରଣାମ
ଆପାଦ ମସ୍ତକ
ଲୋଟି ପ୍ରଭୂପାଦ ତଳେ ପଡି

ଆଖି ଛଳ ଛଳ
ଅଭାବ ବଖାଣି
ଦୁଃଖ ଦରଦର ଛାଡେ ରଡି…..

ପାପକୁ ଛାଡିବ
ପୂନ୍ୟ କୁ ଭିଡିବ
ପାସୋରିବ ଯେତେ ମନ୍ଦ ଚିନ୍ତା

ସଭିଏଁ ନିଜର
ଆପଣାର ହେବ
ଯେତେ ଯିଏ କରୁ ତା’କୁ ଅହନ୍ତା…

ହିନ୍ଦୁ ଧର୍ମ ପରା
ଭାଇଚାରା ନୀତି
ସହଯୋଗ ସ୍ନେହ ମୁଳମନ୍ତ୍ର ତା’

ଫଳିବ ଫୁଲିବ
ଆଶ୍ରୟ ବି ଦେବ
ଡରିବନି ଦେଖି ବାଆ କି ବତା….

ପରମ୍ପରା ଆମ
ପୁରୁଣା ସଂସ୍କୃତି
ସଂସ୍କାର ସୁ-ବ୍ୟବହାରରେ ହିତ

ପରିବାର ବନ୍ଧୁ
କୁଟୁମ୍ବ ବା ବଂଶ
ଜାତି ଗୋତ୍ର ଜନସଂଖ୍ୟା ସହିତ…

ସମ୍ମୁଖ ଅଜଣା
ସଂସାର ହସିଲେ
ହସି ଉଠୁ ଆମେ ନାନା କାରଣେ

ଭଲପାଉ ଥାଅ
ପ୍ରଭୂଙ୍କ ସୃଷ୍ଟିକୁ
ଦୀର୍ଘଜୀବି ହୁଏ ସମସ୍ତ ଜନେ…

ବାହାନା ଏ ମାତ୍ର
ନାନା ପୂଜା ପର୍ବ
ନିଜକୁ ଆନନ୍ଦ କରିବା ଚାଲ

ନିଜକୁ ହଜାଇ
ଅପର ସେବାରେ
କିଛି ଧର୍ମ କର୍ମ କରିବା ଚାଲ…

ପ୍ରଭୂ କୃପା ବଳ
ପାଇଯିବା କାଳେ
ସଂଶୋଧନ ନିଜ କରିବା ଚାଲ

ହସି କ୍ଷମା ଦେବା
ଲହିଁ ସହିଯିବା
ଆଗ୍ରହ ସଭିଙ୍କ ରଖିବା ଚାଲ….

ବିଶ୍ବାସର ମୂଳେ
ଏ ସାରା ଜଗତ
ଭଗବାନଙ୍କୁ ଆମେ ପାଇବା ଚାଲ

ପୁରାଣ ବର୍ଣ୍ଣିତ
ପୂଜା ପଦ୍ଧତିରେ
ଠାକୁରଙ୍କ ସେବା କରିବା ଚାଲ…

ବାର ମାସେ ତେର
ପରବ ପର୍ବାଣୀ
ପାଞ୍ଜୀ ପଢି ତିଥୀ ଖୋଜିବା ଚାଲ

ହସାଅ ନିଜକୁ
ହସାଅ ଅନ୍ୟକୁ
ସଂସାର ସୁଖକୁ ସଂସାରେ ବାଣ୍ଚିବା ଚାଲ…