Latest Odisha News

BREAKING NEWS

ତାରା ଓ କୃଷ୍ଣ ବୁଢ଼ା

ତାରା ଓ କୃଷ୍ଣ ବୁଢ଼ା

ବିଭାବତୀ ଦାଶ

ମୁଁ ସ୍କୁଲରେ ପଢ଼ୁଥାଏ ।

ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ ।

ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ । ମୁଁ ସାତ ଋଷିଙ୍କ ପୁଅଝିଅ, ବନ୍ଧୁବାନ୍ଧବ, ପଡ଼ୋଶୀମାନଙ୍କୁ ନିଜେ ଆବିଷ୍କାର କରୁଥିଲି । ବାପା ଧ୍ରୁବତାରା ଦେଖେଇ ଦେଇଥିଲେ । ମୁଁ ଧ୍ରୁବର ବାପା, ମା’, ମାମୁ, ମାଇଁ, ବଡ଼ବାପା ସମସ୍ତଙ୍କୁ ମନେମନେ ଖୋଜି ବାହାର କରୁଥିଲି । ସବୁଦିନ ସଞ୍ଜରେ ସପ୍ତଋଷିଙ୍କୁ ଏକାଠି ଦେଖି ଭାବୁଥିଲି, ଏମାନେ ସବୁଦିନ ମିଶିକି ରହୁଛନ୍ତି କେମିତି ସାଙ୍ଗହେଇ ଗୋଟିଏ ଜାଗାରେ । ଆମ ଜେଜେ ଜେଜେମା’ ତାରା ହେଇ ଆକାଶରେ ରହୁଛନ୍ତି ଆଉ ଆମେ କେମିତି ଆମ ଘରେ ରହୁଛୁ? ଏ ପ୍ରଶ୍ନଟା ଥରେ ବାପାଙ୍କୁ ନ ପଚାରି ବୋଉକୁ ପଚାରିଥିଲି ।
ବୋଉ କହିଥିଲା- “ଯିଏ ମରିଯାଆନ୍ତି, ସେ ଆକାଶରେ ତାରା ହୁଅନ୍ତି ।”

ସେଦିନଠାରୁ ଗାଁରେ କି ଗାଁ ଆଖପାଖରେ ଯିଏ ମରିବା କଥା ମୋ କାନରେ ପଡୁଥିଲା, ମୁଁ ସେଦିନ ସଞ୍ଜରେ ଆକାଶଭର୍ତ୍ତି ତାରା ଭିତରେ ତାଙ୍କୁ ଆବିଷ୍କାର କରିପକଉଥିଲି ।

ଏଇ ଯେମିତି ରଞ୍ଜିଆ ଦାଦାପୁଅ କୁନା ପୋଖରୀରେ ପାଆଞ୍ଚି ହବାକୁ ଯାଇ ବୁଡ଼ିଗଲା । ସେ ମଲାପରେ ତାଙ୍କ ଘର ସିଧା ଆକାଶରେ ଛୋଟିଆ ତାରାଟେ ହେଲା । ଛୋଟ ତାରା ଏଇଥିପାଇଁ ହେଲା, କାରଣ ସେ ଛୋଟ ପିଲାଥିଲା ।

ଆନନ୍ଦ ଅଜା ମଲାପରେ ସେ ତ ବଡ଼ ତାରାଟେ ହେଇ ବସିଛନ୍ତି । ତାଙ୍କ ପେଟଟା ତ ପୃଥିବୀ ଭଳିଆ ।

ମୋର ତ ବେଳେବେଳେ ଚିନ୍ତା ବଢ଼ିଯାଏ, ଆମ ଘରଲୋକ ସବୁ ମଲାପରେ ଆକାଶରେ ତାରା ହେଇ ବସିବା ପାଇଁ ଆଉ ଜାଗା ବଳିଥିବ କି ନାହିଁ । ଏମିତିରେ ଆମ ଘର ଉପର ଆକାଶରେ ଆଗରୁ କେତେ ତାରା ବସିସାରିଛନ୍ତି । ସେମାନେ କିଏ କେଜାଣି? ଆମ ଘର ସିଧା ଆକାଶ ଆମର । ସେମାନେ କାଇଁ ସେଠି ବସିଛନ୍ତି? ଇଚ୍ଛାହୁଏ ତାଙ୍କୁ ଘଉଡ଼େଇ ଦେଇ ସେତକ ଜାଗା ଖାଲି କରିଦେବାକୁ ।

ଏ ନିହାତି କୃଷ୍ଣଅଜାଙ୍କ କାରସାଦି । ସେ ବଞ୍ଚିଥିଲାବେଳେ ଆମ ଆମ୍ବଗଛରୁ ଆମ୍ବ ତୋଳି ନେଇଯାଆନ୍ତି । ବାଉଁଶ ବାଡ଼ିରୁ ବାଉଁଶ କାଟି ବିକିଦିଅନ୍ତି । କଖାରୁ ଡଙ୍କର ମୂଳ ଉପାଡ଼ି ଦିଅନ୍ତି । ବାପା ନ ଥିଲାବେଳେ ଦେଖେଇଦେଖେଇ ଏଣୁତେଣୁ ସପିଁ ପକାନ୍ତି । ବୋଉ ବାପାଙ୍କ ଆଗେ ଫେରାଦ ହୁଏ । ସବୁ କୁହେ । ବାପା ଦୟାଳୁ ହେଇ ବୁଢ଼ାକୁ କିଛି କହନ୍ତିନି । ହିସାବରେ ବୋଉର ସେ କକେଇ ଶ୍ୱଶୁର । ସିଏ ବି କିଛି କହିପାରେନି । ମୋର ଇଚ୍ଛା ହେଲେ ବି ମୋ କଥା ସିଏ ଶୁଣିବେନି ଭାବି କିଛି କୁହେନି । କିନ୍ତୁ ମନେମନେ ଠିକ୍ କରିଥାଏ, ଯୋଉଦିନ ମୁଁ ବଡ଼ ହେବି; ସେଦିନ କୃଷ୍ଣଅଜାଙ୍କର ବେଳ ଖରାପ ପଡ଼ିବ । ଗୋଟିଗୋଟି କଥାର ବଦଲା ନେବି । ବୁଢ଼ାକୁ ଛାଡ଼ିବିନି ।

ହେଲେ ମୁଁ ବଡ଼ହେବା ଆଗରୁ ତ ବୁଢ଼ା ମରିଗଲା । ମଲା ପରେ ବି ବାଦ କରୁଛି । ତାଙ୍କ ଘର ସିଧା ଆକାଶ ଛାଡ଼ି ଆସି ଆମ ଘର ଆକାଶକୁ ଭର୍ତ୍ତି କରିସାରିଲାଣି । ତା’ ପାଖରେ ଯେଉଁ ତାରାଗୁଡ଼ା ଅଛନ୍ତି, ସେମାନେ କିଏ ବି ମୁଁ ଜାଣେ । ବୁଢ଼ା ଖରାବେଳସାରା ବସି ଦାଣ୍ଡପିଣ୍ଡାରେ ତାସ ଖେଳେ । ଗାଁର ବୃନ୍ଦାବନ ଅଜା, ଅବଧୂତ ଅଜା, ପୁରିଆ ଗଉଡ଼ । ଆଉ ଦି’ଚାରିଜଣ; ସେମାନଙ୍କ ନାଁ ମୁଁ ଜାଣିନି । ସେମାନେ ବୁଢ଼ାର ଖେଳ ସାଙ୍ଗ । ସେମାନେ ବୁଢ଼ା ପାଇଁ ପାନ ଆଣନ୍ତି ।

ମୁଁ ଥରେଥରେ ଝରକା ପାଖେ ବସି ସେମାନଙ୍କ ଖେଳ ଦେଖେ । ବୃନ୍ଦାବନ ଅଜାଙ୍କର ବଡ଼ ପାଟି । ବାଜିଟେ ଜିତିଲେ ରଡ଼ିଟେ ଛାଡ଼ିବେ । କୃଷ୍ଣ ବୁଢ଼ା ପାନ ଲୋଭରେ ବୋଧେ ସେମାନଙ୍କୁ ଡାକି ଖେଳେ । ନିଜେ ତ କଞ୍ଜୁସ୍! ନାଁ ଧରିଲେ ଖାଇବାକୁ ମିଳିବନି ବୋଲି ଲୋକେ କୁହନ୍ତି । ବାଡ଼ି ଦେଶିଆଳୁ, ସଜନା ପତ୍ର ବି ବିକିଦିଏ ଦି’ପଇସା ଲୋଭରେ । ବାଟିଏ ସମ୍ପତ୍ତି, ଭରଣଭରଣ ଧାନ ଅମଳ ହୁଏ । ବେପାରୀଙ୍କୁ ସବୁ ବିକ୍ରି କରିଦିଏ । ଯାହା କିଛି ଧାନ ଘରେ ଥାଏ, ତାକୁ ଚାଉଳ କରି ଗାଁ ଦୋକାନୀଙ୍କୁ ବିକିଦିଏ । ଘରେ ସେ ଏକା ରୁହେ, ବଳକା ଖୁଦରେ ଭାତ ରାନ୍ଧି ଖାଏ ।

ଯେଉଁଠୁ ଚୂଡ଼ାଦହି, ପଣା କି ଭୋଜି ଖବର ଆସିଲେ ବୁଢ଼ା ଢାଳ ଧରି ଖାଲି ବିଲଆଡ଼େ ଦଉଡୁଥାଏ । ପେଟ ସଫା ହେଲେ ସିନା ଭଲ କି ଦାବି ଖାଇହେବ । ସବୁ ଚୂଡ଼ା ଦହିରେ କଡ଼ପତ୍ର ପକେଇ ବେଶୀ ବେଶୀ ଚୂଡ଼ା, ଉଖୁଡ଼ା, ହୁଡୁମ୍ବ, କଦଳୀ, ଲଡୁ ମାଗିକି ଗଦେଇ ରଖେ । ଆସିଲାବେଳେ ଗାମୁଛାରେ ବାନ୍ଧି ଘରକୁ ନେଇଆସେ ।

ଥରେ ଚୂଡ଼ା ଦହି ଖାଇ ଫେରିଲାବେଳେ ମୁଁ ପଚାରିଲି- “ଅଜା ତମେ ତ ଏତେ ଖାଇଲ, ଏଗୁଡା କ’ଣ କରିବ ଯେ । ଟୁନା କକେଇ ତ କଟକରେ । ଆଉ ତ କେହି ଘରେ ନାହାନ୍ତି!”
ବୁଢ଼ା ଆଖିକୁ ଡିମାଢିମା କରି ତୁନି ତୁନି କହିଲା- “ଏଗୁଡ଼ା ବା ତୋ ଆଈ ପାଇଁ ନଉଛି । ଜେମାଆଈ ଖାଇବ ।”
“ଏଁ, ଜେମାଆଈ ତ ମରିସାରିଛନ୍ତି । ସେ କେମିତି ଖାଇବେ?”
ବୁଢ଼ା ଦାନ୍ତ ନିକୁଟି କହିଲା- “ସେ ସବୁଦିନ ରାତିରେ ଆସେବା । ଏସବୁ ତା’ରି ପାଇଁ ନଉଛି ।”
ମୁଁ ମନେମନେ ହସିଲି । ଭାବିଲି- ହଇରେ ବୁଢ଼ା, ମୁଁ ଛୋଟପିଲା ବୋଲି କ’ଣ ତୁ ମତେ ବୋକା ଭାବିଛୁ । ନିଜକୁ ଖାଇବାକୁ ମିଳୁନି । ୟେ ପୁଣି ମଲାଲୋକଙ୍କୁ ଖାଇବାକୁ ଦଉଛି । ହୁଁ, ମିଛୁଆ ବୁଢ଼ା!

ବୁଢ଼ା ତା’ର ସବୁ ତାସ୍ ଖେଳାଳୀଙ୍କୁ ବୋଧେ ଏକାଠି କରି ବାଦକୁ ଆମ ଆକାଶ ଜବରଦଖଲ କରିବସିଛି । ସେ ତ ପାଞ୍ଚ କି ସାତଜଣ ଥିଲେ, ତାଙ୍କ ଭିତରୁ ପୁରିଆ ଗଉଡ଼ ତ ମରିନି ଏଯାଏ । କତରାରେ ପଡ଼ି ସୁକୁସୁକୁ ହଉଛି । ହେଲେ କୃଷ୍ଣବୁଢ଼ା ପାଖେ ତ ଶହେ ପାଖାପାଖି ତାରା ଦିଶୁଛନ୍ତି । ବୁଢ଼ା ସେଠି ଯାଇ ଗୋଟେ ତାସ୍ ଟିମ୍ ଗଢ଼ିସାରିଲାଣି ବୋଧେ! ଆମ ଜାଗା ଦଖଲରେ ରଖିବା ପାଇଁ । ରହରେ ବୁଢ଼ା, ମୁଁ ଯାଏ ସେଠିକି ତୋ କଥା ସେଇ ଉପରେ ବୁଝିବି । ଏଠୁ ସିନା ବର୍ତ୍ତିଗଲୁ । ହେଲେ ସେଠୁ କୁଆଡ଼େ ଯିବୁ ।

କୃଷ୍ଣବୁଢ଼ା ଓ ତା’ ତାସ ଦଳଙ୍କୁ ‘କେମିତି ଠେଲିବି ପେଲିବି, ଗୋଡ଼େଇ ଗୋଡ଼େଇ ତଡ଼ିବି’ ଭାବୁଭାବୁ ନିଦରେ ଖଟିଆରୁ ଗଳିପଡ଼ିଲି । କଇଁଛ ପରି ଦେଢ଼ଇଞ୍ଚ ମୁଣ୍ଡଟେକି ମିଞ୍ଜିମିଞ୍ଜି ଆଖିରେ ଦେଖିଲି ବାପା, ବୋଉ, ନାନୀ କେହି ପାଖରେ ନଥିଲେ । ବାପା ବୋଉ ଦେଖିବା ପୂର୍ବରୁ ଚଟକି ଉଠିପଡ଼ିଲି । ଆକାଶକୁ ଚାହିଁଲି ରାଗରେ । ଖଣ୍ଡେ ଭସା ବାଦଲ ତଳେ କୃଷ୍ଣବୁଢ଼ା ଓ ତା’ ଦଳ ଲୁଚିଗଲେ । ଭାବିଲି, କୃଷ୍ଣବୁଢ଼ାଟା ସତରେ ବଦମାସଟେ । ନହେଲେ କ’ଣ ବୁଢ଼ାର ଗୋଟିଏ ବୋଲି କୁଳନନ୍ଦନ ପୁଅ ତା’ର ଏମିତି ଦଶା କରିଥାନ୍ତା ।

ଅବଶ୍ୟ ସେଦିନ କଥା ମନେପଡ଼ିଲେ ଭାରି ଦୁଃଖ ଲାଗେ । ଏବେ ବି ସେଦିନର ଘଟଣାଟା ମୋର ସ୍ପଷ୍ଟ ମନେଅଛି । ରାତି ଦି’ଟା କି ଅଢ଼େଇଟା ହେବ । ବୋଉ ପରିସ୍ରା କରି ଉଠିଥିଲା । ବାଡ଼ିପଟୁ କାହାର କଇଁକଇଁ ଅସ୍ପଷ୍ଟ କାନ୍ଦ ଶୁଭୁଥିଲା । ବୋଉ ତ ଭାରି ଡରୁଆ । ଅତରଛନିଆ ହେଇ ଆସି ବାପାଙ୍କୁ ଡାକିଲା । ବୋଉର ପାଟିରେ ଆମେ ବି ଉଠି ପଡ଼ିଲୁ । ବାପା ଉଠି କାନ୍ଦ ଶୁଣି କହିଲେ, “ଟର୍ଚ୍ଚଟା, ଠେଙ୍ଗାଟା ଆଣ । ମୁଁ ଯାଇ ଦେଖେ ସେ କିଏ?”

ବୋଉ ନେହୁରା ହେଇ ମନାକଲା । କହିଲା- “ଶୁଣ ପିଲାଛୁଆ ଘର । ରାତି ଅଧରେ ତମେ ଭୂତଟା ପାଖକୁ ଯାଅନି । ଏ ପଞ୍ଜରାଥରା ଶୀତ ରାତିରେ କୋଉ ଭଲ ମଣିଷ କ’ଣ ପାଇଁ ସେ ଅରମା ବଣକୁ ଯିବ ଯେ । ସେ ନିଶ୍ଚୟ କୋଉ ଅତୃପ୍ତ ଆତ୍ମା ନହେଲେ ପାଗଳ । ତମେ ଗଲେ, ସେ ତମକୁ ଆଉ ଛାଡ଼ିବନି । ହେଇଟି ମୋ କଥା ମାନ । ସମସ୍ତେ ସେଇ ଠାକୁର ଘର ପାଖ ଘରେ ଶୋଇପଡ଼ିବା ଚାଲ । ସକାଳ ହଉ ଦେଖିବ ।”

ବାପା କ’ଣ ବୋଉ କଥା କେବେ ଶୁଣନ୍ତି ଯେ ଶୁଣିବେ । ସେ ଆହୁରି ରାଗିକି କହିଲେ- “କି ଅଜବ ଲୋକ ତମେ? କାହାର କ’ଣ ବଡ଼ ଅସୁବିଧାଟେ ହେଇଥିବ କି କ’ଣ? ସେ କାନ୍ଦୁଛି ସେତେବେଳୁ । ତମେ ସେ ଭୂତପ୍ରେତ କଥା ମୋ ଆଗେ କୁହନି । ତମେ ପିଲାଙ୍କ ପାଖେ ଥାଅ, ମୁଁ ଯାଇ ଦେଖିଆସେ ।”

ବୋଉ ଗୋଟାପଣେ ଥରୁଥାଏ । ନାନୀ ବି ବୋଉ ଭଳିଆ ଡରୁଆ । ସେ ହନୁମାନ ଚାଳିଶା ଡଗଡଗ ବୋଲି ଯାଉଥାଏ ପାଟି ପାକୁପାକୁ କରି । ମୁଁ ଟିକେ ଚାହୁଁଥିଲି ମନେମନେ, ବାପାଙ୍କ ସାଙ୍ଗେ ଯିବାକୁ । ହେଲେ ବୋଉ ଛାଡ଼ିବନି, ଆହୁରି କାନମୋଡ଼ି ଚାପୁଡ଼େ ଦେବ । ତେଣୁ ଚୁପ୍ ରହିଲି । ବାପାଙ୍କୁ ଠେଙ୍ଗା, ଟର୍ଚ୍ଚ ସାଙ୍ଗରେ ଦି’ ଦିନ ତଳେ କୁମ୍ଭାରଶାଳରୁ ପଜାହେଇ ଆସିଥିବା କଟୁରିଟା ବି ଦେଲା ବୋଉ । କହିଲା- “ହେଇଟି, ଏଇଟା ନେଇଥାଅ । ଲୁହା ଦେଖି ଭୂତ ଡରେ ।”

ବାପା ଗଲେ । ଆମେ ଦୁଆର ବନ୍ଧରେ ବସି ଅନେଇଥାଉ । ବୋଉ ଠାକୁରଘରେ ଅଧିଆ ପଡ଼ିଥାଏ । ଦଶ କି ପନ୍ଦର ମିନିଟ୍ ପରେ ବାପାଙ୍କ ଟର୍ଚ୍ଚ ଦୂରରୁ ଜୁଳୁଜୁଳୁ ଦିଶିଲା । ନାନୀ ଡରରେ ତିନିଟିପ ଛେପ ଛାତିରେ ମାରିଲା । ଆମେ ବୋଉକୁ ଡାକିଲୁ । ବାପାଙ୍କ ସହ ଚରଣକକା ବି ଥିଲେ । ଦି’ଜଣ ମିଶି କାହାକୁ ଗୋଟେ ଟେକିଟେକି ଆଣୁଥିଲେ ।

ବୋଉ କାନ୍ଦିଲା- “ହେଇ, ଭୂତଟାକୁ ଘରକୁ ଧରି ଆସିଲେଣି ନା କ’ଣ?”

ମୁଁ ହସିଲି । ନାନୀ ମୋତେ ଅଯଥାରେ ଚାପୁଡ଼େ ଦେଲା । ମୋ ମୁହଁରେ ନବାଜି କାନ୍ଧରେ ବାଜିଲା । ତେଣୁ ତାକୁ କ୍ଷମା ଦେଇଦେଲି ।

ବାପା, ଚରଣକକା ଯେଉଁ ଭୂତଟାକୁ ଆଣୁଥିଲେ; ଘରେ ପହଞ୍ଚିବା ପରେ ସେ କୃଷ୍ଣବୁଢ଼ା ବୋଲି ଆମେ ଜାଣିଲୁ । ବାପାଙ୍କ ନିର୍ଦେଶରେ ବୋଉ ଦି’ ନଣ୍ଡା ନଡ଼ିଆପତ୍ର ଜାଳି ପାଣି ଗରମ କଲା । ଉଷୁମ ପାଣିରେ ଗାମୁଛା ଭିଜେଇ କୃଷ୍ଣବୁଢ଼ାକୁ ମୁଣ୍ଡଠୁ ଗୋଡ଼ଯାଏ ପୋଛି ସଫା କଲେ ଚରଣ କକା । ବୁଢ଼ା ଦେହରେ ଖଇଫୁଟା ତାତି । ପାଣି, ବିସ୍କୁଟ, ଜର ବଟିକା ଦେଇ, ଭଲକି କମ୍ବଳ ଘୋଡ଼େଇ ବାପା ଜଗି ବସିଲେ ଅଜାଙ୍କୁ । ଆମେ ଶୋଇଲୁ ।

ସକାଳୁ ଗାଁ ମନ୍ଦିରରେ ସଭା ବସିଲା । ବୁଢ଼ାକୁ ଟେକି ନିଆଗଲା ସଭାସ୍ଥଳକୁ । ବୁଢ଼ାର କଥା ଶୁଣି ସମସ୍ତେ ଟୁନାକକାଙ୍କୁ ଛି’ ଛାକର କଲେ । ତାଙ୍କ ସ୍ତ୍ରୀକୁ ବି ଭର୍ତ୍ସନା କଲେ । କାରଣ ବୁଢ଼ା ଜର ଯନ୍ତ୍ରଣାରେ ଛଟପଟ ହୋଇ ରାତିସାରା ବିଭିନ୍ନ ସ୍ୱରରେ ଡାକ ଛାଡୁଥିଲା ବୋଲି, ପୁଅ-ବୋହୂ ଶୋଇପାରି ନଥିଲେ । ବୁଢ଼ାକୁ ଆସି ତୁନି ହବାପାଇଁ କହିବାରୁ ବୁଢ଼ା “ଛିଣ୍ଡାଳି ମୋ ପ୍ରାଣ ଛାଡ଼ିଯାଉଛି, ତତେ ଦିଶୁନି କିଲୋ” ବୋଲି କହି ଦେଇଥିଲା ବୋହୂକୁ । ସେଇଠୁ ଟୁନାକକା ରାଗରେ ତାଙ୍କ ପିତୃଦେବଙ୍କୁ ନେଇ କଚାଡ଼ି ଦେଇ ଆସିଥିଲେ ପୋଖରୀ କୂଳେ, ‘ଏଇଠି ମର’ କହି ।

ସଭାବର୍ଗ ଟୁନାକକାଙ୍କ ଉପରେ ପାଞ୍ଚଶହ ଟଙ୍କା ଜରିମାନା ଲଗେଇଲେ । ତା’ ସହ ବୁଢ଼ାର ଯତ୍ନ ନେବା ପାଇଁ ହୁକୁମ ଦେଲେ । ସଭାସାରି ଘରକୁ ଫେରି ବାପା ମୋତେ ପଠେଇଲେ ଟୁନାକକାଙ୍କୁ ଡାକିବା ପାଇଁ । ବାପା ରାଗରେ ନାଲି ପଡ଼ିଯାଇଥାନ୍ତି । ଟୁନାକକା ବାପାଙ୍କୁ ଡରନ୍ତି । ସେଦିନ ଡରିଲେନି । କାରଣ ଆସିଲାବେଳେ ଖୁଡ଼ି କହିଥିଲେ- “ଯାହା ପଚାରିବେ ସିଧାସିଧା କହିବ । ଭୁଲ ତ କରିନ ଡରିବ କିଆଁ?”

ବାପା ପଚାରିଲେ- “ଆରେ ଟୁନା, ତୁ କଟକରେ ପାଠଶାଠ ପଢ଼ିଲୁ, ସରକାରୀ ଚାକିରି କଲୁ, ଶେଷରେ ଏ ବଂଶର ନାଁ ପକେଇଲୁ?? ଜରରେ ଥରୁଥିବା ବୁଢ଼ାବାପାଙ୍କୁ ଔଷଧ ପାଣି ନଦେଇ ସାଷ୍ଟମ ନକରି, ରାତି ଅଧରେ ଅଳିଆ ଗଦାରେ ଫିଙ୍ଗି ଦେଇଆସିଲୁ?? ଧର୍ମ ସହିବ ତତେ?? ତୋ ବାପା ପେଟରୁ କାଟି ତତେ ବଢ଼େଇ ପଢ଼େଇ ଏଇଥିପାଇଁ ମଣିଷ କରିଥିଲେ?? ହଇରେ ତୁ’ଟା ଏମିତି ହବୁ ବୋଲି ମୁଁ ଭାବି ନଥିଲି ।”

ଟୁନାକକା ଗମ୍ଭୀର ଗଳାରେ କହିଲେ- “ବାପା ହେଲା ତ କ’ଣ ହେଲା? ବୋହୂଟାକୁ ଛିଣ୍ଡାଳି କହିବ? ମାରି ପକେଇଥାନ୍ତି ଶଳା ବୁଢ଼ାକୁ ।” ବାପାଙ୍କର ପିତ୍ତ ଉଠିଗଲା ମୁଣ୍ଡକୁ । ଚୁଲିମୁଣ୍ଡରେ ପଡ଼ିଥିବା କାଠଫାଳିଆଟେ ଆଣି ଦି’ ପାହାର ବସେଇଲେ କସିକି ଟୁନାକକାଙ୍କ ପିଠିରେ । ଚରଣକକା ଦୌଡିଆସି ଟୁନାକକାଙ୍କୁ ଧରି ନେଇଗଲେ ଘର ଭିତରକୁ । ମୁଁ ଆଉ ନାନୀ ଡରିକି ଖଟଘରେ ପଶିଗଲୁ ।

ସେଇ ଜର ଜରରେ ବୁଢ଼ା ମାସ କି ଦି’ ମାସ ପଡ଼ିରହିଲା । ଟୁନାକକା ଔଷଧ ଦେଲେ, ଡାକ୍ତର ଚିକିତ୍ସା କରେଇଲେ ଯଥାତଥା । କିନ୍ତୁ ଶେଷରେ ବୁଢ଼ା ଆଖିବୁଜିଲା ।

‘ବୋହୂ କଥା ଛାଡ଼ । ପୁଅଠାରୁ ଏମିତି ଦହଗଞ୍ଜିଆ ଦୁଃଖ ପାଇ କେଉଁ ବାପ ଦିହ ଧରିବ କହିଲୁରେ ଜଗନ୍ନାଥିଆ ମତେ ନମାରି ପାଚିଲା ପତ୍ରକୁ ରଖିଛୁ କିଆଁ ଯେ!’ – ସବୁବେଳେ ଖନେଇ ଖନେଇ ଏଇ ସମାନ କଥା କହୁଥିଲା ବୁଢ଼ା ।

ମଲାଦିନ ଗାଁ ଲୋକଙ୍କ ତୁଣ୍ଡରେ ଗୋଟିଏ କଥା- “ପେଟକୁ, ଦିହକୁ ନଖାଇ ନପିନ୍ଧି ପୁଅ ପାଇଁ ସଞ୍ଚିଥିଲା ବୁଢ଼ା; ଶେଷବେଳକୁ କ’ଣ ପାଇଲା? ଶାନ୍ତିରେ ମରି ବି ପାରିଲାନି ।”

ମୁଁ କିନ୍ତୁ ଖୁସି ଥିଲି । ଆମ ଆମ୍ବ ଆଉ ଚୋରି ହେବନି । କଖାରୁ ଗଛ ଅଧାରୁ ମରିଯିବନି । ଭଲ ହେଲା । ଏଇକଥାଟା କହି ପକେଇଲି ନାନୀ ଆଗରେ । ସେ କ’ଣ ଭାବିଲା କେଜାଣି, ଟାଆଁସିଆ ଚାପଡ଼ଟେ ଅଯଥାରେ ଛାଟିଦେଲା ମୋ ମୁହଁକୁ । ଭାରି କାଟିଲା ।

ମୁଁ ତାକୁ ଖତେଇ ହୋଇ ଦୁମଦୁମ ଚାଲିଗଲି ଘର ଭିତରକୁ । ତାକୁ ନ ଶୁଭିବା ଭଳି କହିଲି- “ତୁ ମରିବୁ । ଆଜି ମରିବୁ ରହ । କୃଷ୍ଣବୁଢ଼ା ପାଖେ ତାରା ହୋଇ ବସିବୁ ।”
……………………..
ଅଧ୍ୟାପିକା, ଜନତା ମହାବିଦ୍ୟାଳୟ,
ସାତମାଇଲ, ଢେଙ୍କାନାଳ

Leave A Reply

Your email address will not be published.