ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

କେଦାର ମିଶ୍ର

ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା ଲେଖକମାନେ ଅନେକ ସମୟରେ ନିଜକୁ ଅମରତ୍ବର ଏଜେଣ୍ଟ ବୋଲି ଭାବନ୍ତି । ସେମାନେ ଭାବନ୍ତି ଯାହାକୁ ଚାହିଁବେ, ତାକୁ ଇତିହାସରେ ଅମର କରିଦେବେ । ସେମାନେ ବୁଝିପାରନ୍ତି ନାହିଁ ଯେ ଅର୍ଦ୍ଧସତ୍ୟ ହେଉଛି ଇତିହାସର ଭାଗ୍ୟ । କୌଣସି ଇତିହାସକାର ପୂର୍ଣ୍ଣସତ୍ୟ ଆବିଷ୍କାର କରିପାରେ ନାହିଁ । ଓଡ଼ିଆ ସାହିତ୍ୟ ଇତିହାସ କ୍ଷେତ୍ରରେ ଏହି ସମାନ ଯୁକ୍ତି ପ୍ରୟୋଗ କରାଯାଇପାରେ । ଆଜି ପର୍ୟ୍ୟନ୍ତ ଓଡ଼ିଆ ସାହିତ୍ୟର ଇତିହାସକାରମାନେ କେବଳ ପୋଥି, ପୁରାଣ, କାବ୍ୟ, କବିତା, ଉପନ୍ୟାସ ଇତ୍ୟାଦିର ଧାରା ପ୍ରବାହକୁ ଲେଖି ଆସିଛନ୍ତି । ସେମାନଙ୍କ ପାଇଁ ଲିଖିତ ଇତିହାସ ଗୁରୁତ୍ୱପୂର୍ଣ୍ଣ । କୌଣସି ଇତିହାସକାର କେବେ ପଚାରି ନାହିଁ ଯେ-

– ୬୦୦ ବର୍ଷର ଓଡ଼ିଆ ସାହିତ୍ୟର ୬ଜଣ ଗୁରୁତ୍ୱପୂର୍ଣ୍ଣ ନାରୀ କବି ରହିଲେ ନାହିଁ କାହିଁକି ?

– ଯେଉଁମାନେ ଜନଜାତିର ଜୀବନ କଥା କହିଲେ, ସେମାନେ ଆମ ସାହିତ୍ୟର ଇତିହାସରେ କେଉଁ କୋଣରେ ଜାଗା ପାଇଲେ?

– ଭାଷାର ଇତିହାସ ଲେଖିଲାବେଳେ ରାଜ୍ୟରେ ରହୁଥିବା ଜନଜାତି ଓ ଦଳିତଙ୍କ ଶବ୍ଦ ତଥା ବିବିଧ ଭାଷାକୁ ଆମେ ଗୁରୁତ୍ୱ ଦେଲୁ ନାହିଁ କାହିଁକି ?

– ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ସମାଜତାତ୍ତ୍ୱିକ ଇତିହାସ ଲେଖିବା ପାଇଁ କୌଣସି ଐତିହାସିକ ସାହସ କରିନାହାନ୍ତି କାହିଁକି ?

ଏସବୁ ପ୍ରଶ୍ନର ଉତ୍ତର ଆମର ଐତିହାସିକ ମାନେ ଦେବେ ନାହିଁ । ସେମାନେ ପାରମ୍ପରିକ ଭାବରେ ‘ଚର୍ଯାପଦ’ରୁ ଆରମ୍ଭ କରିବେ ଓ ଆଧୁନିକ କବିତାରେ ସାରିବେ । ତେବେ ତା’ରି ଭିତରେ ଅନେକ ଅକୁହା କାହାଣୀ ଓ ବେଦନା ଅପ୍ରକଟିତ ହୋଇ ରହିଯିବ । ଆମର ଇତିହାସକାରମାନେ ଭଲ ଭାବରେ ଜାଣନ୍ତି ସେମାନେ ଯେଉଁ ତଥ୍ୟର ଭୂମି ଉପରେ ଇତିହାସ ନିର୍ମାଣ ଆରମ୍ଭ କରିଛନ୍ତି, ତାହା କେବଳ ଅର୍ଦ୍ଧସତ୍ୟ । ବେଳେବେଳେ ମିଥ୍ୟା ମଧ୍ୟ । ୧୮୭୨ ମସିହାରେ ଜନ୍ ବୀମସ୍ ପ୍ରଥମେ ଓଡ଼ିଆ ସାହିତ୍ୟର ଲେଖକମାନଙ୍କର ତାଲିକା ଏକ ପ୍ରସ୍ତୁତ କରୁଛନ୍ତି । ସେହି ତଥ୍ୟ ଆଧାରରେ ଡବ୍ଲୁ ଡବ୍ଲୁ ହଣ୍ଟର ଆଉ ଏକ ବଡ଼ ତାଲିକା ତିଆରି କରୁଛନ୍ତି । ସେହି ତାଲିକାକୁ ଆମେ ଆମ ସାହିତ୍ୟ ଇତିହାସର ମଞ୍ଜି ବୋଲି ଆଜି ପର୍ୟ୍ୟନ୍ତ ଭାବି ଆସିଛୁ । ସେହି ୧୮୭୨ ମସିହାରେ ଜନ୍ ବୀମସ୍ ଆଉ ଏକ ଛୋଟିଆ ପ୍ରବନ୍ଧ ଲେଖିଥିଲେ, ଯାହାର ନାଁ ଥିଲା ‘ଓଡ଼ିଶାର ଲୋକ ସାହିତ୍ୟ’ । ଓଡ଼ିଶାର ସାଧାରଣ ଜୀବନରେ ରହିଥିବା ସାହିତ୍ୟି ପରିଚିକୁ ଏଥିରେ ଭିନ୍ନ ବାଗରେ ଉପସ୍ଥାପନ କରିବାର ଉଦ୍ୟମ ହୋଇଥିଲା । ପରବର୍ତ୍ତୀ ସମୟରେ ସାହିତ୍ୟର ଇତିହାସକାରମାନେ ଲୋକ ସାହିତ୍ୟକୁ ସାହିତ୍ୟ ଭିତରେ ଗଣିଲେ ନାହିଁ ।

ଅନ୍ତତଃ ଆଜିର ତାରିଖରେ ଉଚ୍ଚାଙ୍ଗ ସାହିତ୍ୟ ବୋଲି କିଛି ନାହିଁ । ସାହିତ୍ୟ ହେଉଛି ଗଣର ସ୍ୱର ଓ ତା’ରି ଭିତରେ ସବୁ ମଣିଷର ବଖାଣକୁ ସାମିଲ୍ କରିବାକୁ ଇତିହାସକାର ବାଧ୍ୟ । ଉଚ୍ଚାଙ୍ଗ ସାହିତ୍ୟ ବୋଲି କହି ଆମେ ବହୁ ଲେଖକଙ୍କୁ ଅଣଦେଖା କରି ଆସିଛୁ ।

ଓଡ଼ିଆ ସାହିତ୍ୟର ଇତିହାସ ଲେଖିଲାବେଳେ କେବଳ ମାନକ ଓଡ଼ିଆରେ ଲେଖା ହୋଇଥିବା ସାହିତ୍ୟକୁ ଆମେ ବୁଝିବା କି ?

ଓଡ଼ିଶାର ସାହିତ୍ୟ ଓ ଓଡ଼ିଆ ସାହିତ୍ୟ ଏକା କଥା କି ?

ଓଡ଼ିଶାରେ ପ୍ରଚଳିତ ସାନ୍ତାଳୀ, କୋଶଳୀ, କୁଇ, ମୁଣ୍ଡାରି, ଦେଶିଆ ଇତ୍ୟାଦି ଭାଷାର ଇତିହାସ ଆମ ଭାଷା ସାହିତ୍ୟର ଇତିହାସର ଅଂଶବିଶେଷ ଭାବରେ ପରିଗଣିତ ହେଉନାହିଁ କାହିଁକି ?

ଖଗେଶ୍ଵର ସେଠ, ଦାସୁ ରମା, ସୁବାରାଓ ପାଣିଗ୍ରାହୀଙ୍କ ଭଳି କବିଙ୍କୁ ଆମ ସାହିତ୍ୟ ଇତିହାସରେ ଜାଗା ମିଳିବ କି ନାହିଁ?

ଇତିହାସ ଲେଖିଲାବେଳେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗ ପ୍ରତି ଅଧିକ ଆକୃଷ୍ଟ ହେବା ଇତିହାସର ଧର୍ମ ନୁହେଁ । ଆମେ ଏମିତି ଏକ ଇତିହାସ ରଚନା କରିପାରିବା କି, ଯେଉଁଥିରେ ସବୁ କ୍ଷୁଦ୍ର ପରମ୍ପରାର ତତ୍ତ୍ୱ ଓ ତଥ୍ୟ ସାମିଲ ହୋଇପାରିବ । କ୍ଷୁଦ୍ର ପରମ୍ପରା ଓ ମହାନ୍ ପରମ୍ପରାର (ଶrରବଗ୍ଧ ଗ୍ଧrବୟସଗ୍ଧସକ୍ଟଦ୍ଭ ଙ୍ଖଗ୍ଦ ଜ୍ଞବrଶସଦ୍ଭବକ୍ଷ ଗ୍ଧrବୟସଗ୍ଧସକ୍ଟଦ୍ଭ) ସଂଘର୍ଷକୁ ଆମର ଇତିହାସ ବୁଝିପାରିବା ଭଳି ସାମର୍ଥ୍ୟ ପାଇଲାଣି କି ?

ଅନେକ ସମୟରେ ଲାଗୁଛି ଆମର ସାହିତ୍ୟ ଇତିହାସ କେବଳ ବି.ଏ. କି ଏମ.ଏ. ପଢୁଥିବା ପିଲାଙ୍କ ଶ୍ରେଣୀଗୃହ ପାଇଁ ଉଦ୍ଦିଷ୍ଟ । ସେହିପ୍ରକାର ଅବଧାରଣାରୁ ମୁକ୍ତ ହୋଇ ଏକ ସ୍ପଷ୍ଟ ଓ ସବୁ ଦିଗକୁ ଛୁଇଁ ପାରୁଥିବା ଭଳି ଇତିହାସ ରଚନା କରିବାର ସମୟ ଏବେ ଉପସ୍ଥିତ ।