ମୁମ୍ବାଇ: ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗରୁ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶହଜାଦକୁ ଗିରଫ କରାଯାଇଥିଲା।
ତେବେ ପୋଲିସ ଏହି ମାମଲାରେ ଖୋଳତାଡ କରିବା ସମୟରେ ଶରିଫୁଲ ବ୍ୟବହାର କରିଥିବା ସିମ୍ କାର୍ଡ ଏକ ମହିଳାଙ୍କ ନାମରେ ପଞ୍ଜୀକୃତ ଥିବା କଥା ଜାଣିବାକୁ ପାଇଥିଲା। ଯାହାପରେ ସୋମବାର ଦିନ ପୋଲିସ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରୁ ଏହି ମହିଳାଙ୍କୁ ଗିରଫ କରିଛି।
ରବିବାର ଦିନ ମୁମ୍ବାଇ ପୋଲିସର ନିଜର ଦୁଇ ସଦସ୍ୟ ବିଶିଷ୍ଟ ଏକ ଟିମ୍ ନେଇ ପଶ୍ଚିମବଙ୍ଗ ଯାଇଥିଲା। ଯେଉଁଠାରେ ପୋଲିସ ନାଦିଆ ଜିଲ୍ଲାର ଛାପରାରୁ ଉକ୍ତ ମହିଳାଙ୍କୁ ଗିରଫ କରିଥିଲା। ତେବେ ମହିଳାଙ୍କୁ ପଶ୍ଚିମବଙ୍ଗରୁ ମୁମ୍ବାଇ ନେବା ପାଇଁ ପୋଲିସକୁ ଟ୍ରାଞ୍ଜିଟ୍ ରିମାଣ୍ଡର ଆବେଦନ କରିବାକୁ ପଡିବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୬ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁମ୍ବାଇ ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କରୁଛି। ଏହି ମାମଲାରେ ପୂର୍ବରୁ ପୋଲିସ ଶରିଫୁଲକୁ ମୁମ୍ବାଇର ଥାଣେରୁ ଗିରଫ କରିସାରିଛି। ତେବେ ପୋଲିସ ଯେତେବେଳେ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ କରିଥିଲା ସେତେବେଳେ ଜଣା ପଡିଥିଲା ଯେ ସେ ଜଣେ ବାଂଲାଦେଶୀ।
Comments are closed.