Latest Odisha News

BREAKING NEWS

ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର, ଖୁବଶିଘ୍ର ଆସିବ ‘ବଜରଙ୍ଗୀ ଭାଇଜାନ ୨’

ମୁମ୍ବାଇ: ସଲମାନ ଖାନଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ମଧ୍ୟରୁ ୨୦୧୫ର ‘ବଜରଙ୍ଗୀ ଭାଇଜାନ’ ହେଉଛି ଅନ୍ୟତମ । ଏହି ଚଳଚ୍ଚିତ୍ରଟିର କାହାଣୀ ସଲମାନ ଖାନଙ୍କ ପ୍ରଶଂସକଙ୍କ ଆଖିରେ ଲୁହ ଆଣିଦେଇଥିବା ସହ ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିଥିଲା । ସାରା ବିଶ୍ଵରେ ଏହି ଚଳଚ୍ଚିତ୍ରଟି ରେକର୍ଡ କରିଥିଲା । ତେବେ ଏହାରି ଭିତରେ ଆସିଛି ଏକ ବଡ ଖବର । ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଖୁବଶିଘ୍ର ବଡ ପରଦାକୁ ଆସିବ ‘ବଜରଙ୍ଗୀ ଭାଇଜାନ ୨’ ।

କୁହାଯାଉଛି ଯେ, ‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି । ବର୍ତ୍ତମାନ କେବଳ ସଲମାନଙ୍କ ମତକୁ ଅପେକ୍ଷା ରହିଛି । ସଲମାନଙ୍କ ମତ ମିଳିବା ପରେ ଏହି ଚଳଚ୍ଚିତ୍ରର ପ୍ରସ୍ତୁତି ଆରମ୍ଭ ହେବ । କବୀର ଖାନଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ ଭାଇଜାନ’ର କାହାଣୀ ଲେଖିଥିଲେ ବିଜୟେନ୍ଦ୍ର ପ୍ରସାଦ । ବିଜୟେନ୍ଦ୍ର ପ୍ରସାଦ ଦକ୍ଷିଣର ଜଣେ ଜଣାଶୁଣା ଲେଖକ ଏବଂ ତାଙ୍କ ଦ୍ୱାରା ଲିଖିତ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଭଲ ରେକର୍ଡ ସୃଷ୍ଟି କରିଛି । ନିର୍ଦ୍ଦେଶକ ଏସ୍ ରାଜାମୌଲୀଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ । ‘ବାହୁବଳୀ’ ପରି ବ୍ଲକବଷ୍ଟର ଫିଲ୍ମର ଲେଖକ ମଧ୍ୟ ଥିଲେ ବିଜୟେନ୍ଦ୍ର । ଏବେ ସେ ‘ବଜରଙ୍ଗୀ ଭାଇଜାନ ୨’ ର କାହାଣୀ ଲେଖୁଛନ୍ତି । ନିକଟରେ ତେଲୁଗୁ ଚଳଚ୍ଚିତ୍ର ନିର୍ମାତା କେ.କେ ରାଧାମୋହନ ‘ବଜରଙ୍ଗୀ ଭାଇଜାନ ୨’କୁ ନେଇ କହିଛନ୍ତି ଯେ, “ବିଜୟେନ୍ଦ୍ର ପ୍ରସାଦ ‘ବଜରଙ୍ଗୀ ଭାଇଜାନ ୨’ ର ସ୍କ୍ରିପ୍ଟ ଲେଖୁଛନ୍ତି । ବର୍ତ୍ତମାନ କେବଳ ସଲମାନଙ୍କ ମତାମତକୁ ଅପେକ୍ଷା ।“

ସୂଚନାଯୋଗ୍ୟ ଯେ, ୨୦୧୫ରେ ମୁକ୍ତିଲାଭ କରିଥିଲା ସଲମାନ ଖାନଙ୍କ ‘ବଜରଙ୍ଗୀ ଭାଇଜାନ’ । ସଲମାନ ଖାନଙ୍କ ବ୍ୟତୀତ କରୀନା କପୁର ଖାନ, ନୱାଜୁଦ୍ଦିନ ସିଦ୍ଦିକି ଏବଂ ହର୍ଷଲି ମଲହୋତ୍ରା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ୨୦୧୫ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା ‘ବଜରଙ୍ଗୀ ଭାଇଜାନ’ । IMDb ଅନୁଯାୟୀ, ‘ବଜରଙ୍ଗୀ ଭାଇଜାନ’ ୯୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିବାବେଳେ ବକ୍ସ ଅଫିସରେ ୯୨୨ କୋଟି ଟଙ୍କା ଆୟ କରିଥିଲା ।

Leave A Reply

Your email address will not be published.