Latest Odisha News

BREAKING NEWS

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ

ବିଚିତ୍ର ବିଶ୍ୱାଳ

ଗୋଟିଏ ସମୟ ଥିଲା ଦେଶପ୍ରେମ ସବୁଠାରୁ ଅଧିକ ମୂଲ୍ୟ ମାଗୁଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ତ୍ୟାଗ କରିବାଠାରୁ ଆରମ୍ଭ କରି ପାଠପଢ଼ା ଛାଡ଼ିବା, ଚାକିରି ପରିତ୍ୟାଗ କରିବା ଓ ଏପରିକି ଜୀବନ ବି ଦେବାକୁ ପଡ଼ୁଥିଲା ଦେଶପ୍ରେମ ପାଇଁ । ସେ ସମୟର ପରିସ୍ଥିତି ଅଲଗା ଥିଲା ଓ ସେ ପରିସ୍ଥିତିରେ ଦେଶପ୍ରେମର ନିଦର୍ଶନ ବି ସେହି ହିସାବରେ ଗଭୀର ଥିଲା । ଧୀରେଧୀରେ ସମୟ ବଦଳିଲା ଓ ଆମ ଦେଶର ପରିସ୍ଥିତିରେ ବି ପରିବର୍ତ୍ତନ ଆସିଲା । ଧୀରେଧୀରେ ଆମ ଦେଶପ୍ରେମର ପରିପ୍ରକାଶ ବି ହାଲୁକା ହେବାକୁ ଲାଗିଲା । ସେତେବେଳର ଦେଶପ୍ରେମରେ ଯେଉଁ ଗମ୍ଭୀରତା ଥିଲା ତାହା ବି କମ୍ ହେବାକୁ ଲାଗିଲା । ସମୟାନ୍ତରେ ଆମ ଦେଶପ୍ରେମ ଆଉ ଅସଲ ଦେଶ ସହିତ ରହିଲା ନାହିଁ । ତାହା କେବଳ ମାତ୍ର କ୍ରିକେଟ୍ ମ୍ୟାଚ୍ ରେ ସିମୀତ ହେବାକୁ ଲାଗିଲା। ଭାରତର ପ୍ରତିନିଧିତ୍ୱ କରୁଥିବା ଏଗାର ଜଣ କ୍ରିକେଟ୍ ଖେଳାଳୀଙ୍କୁ କ୍ରିକେଟ୍ ମ୍ୟାଚ୍ ରେ ସମର୍ଥନ କରିବା ଓ ଭାରତ ଯଦି ହାରିଗଲା ତାକୁ ନେଇ ବ୍ୟସ୍ତ ହେବା ଓ ଦରକାର ପଡ଼ିଲେ କାନ୍ଦିବା ଓ କ୍ରିକେଟ୍ ଖେଳାଳୀଙ୍କୁ ଗାଳି ଦେବା କାମରେ ଆମ ଦେଶପ୍ରେମ ସୀମିତ ହେବାକୁ ଲାଗିଲା । କିଏ ଯଦି କ୍ରିକେଟ୍ ଖେଳ ବିଷୟରେ ବେଶୀ କିଛି ଜାଣିନି କି ଭାରତ ମ୍ୟାଚ୍ ରେ ହାରିଗଲେ ନିଜର ଦୁଃଖକୁ ପ୍ରଦର୍ଶିତ କରୁନି, ତା’ହେଲେ ତାକୁ କମ୍ ଦେଶପ୍ରେମୀ ଭାବେ ଦେଖାଗଲା । କାହିଁ ଥିଲା ଦେଶ ପାଇଁ ଶହୀଦ୍ ହେବା ଓ ଗୁଳି ଖାଇବା, ପୁଣି କାହିଁ ଭାରତର କ୍ରିକେଟ୍ ମ୍ୟାଚ୍ ହାରିବାକୁ ନେଇ ବ୍ୟସ୍ତ ହେବା!

ଦେଶପ୍ରେମ ଧୀରେଧୀରେ ବଡ଼ ସ୍ତରରୁ ଆସି ଛୋଟ ସ୍ତରରେ ପହଂଚିଗଲାଣି । ଆଉ ଏବେ ଦେଶପ୍ରେମ କେବଳ ସାମାଜିକ ଗଣମାଧ୍ୟମ କାନ୍ଥରେ ପୋଷ୍ଟିଙ୍ଗ୍ ରେ ସୀମିତ ହୋଇଗଲାଣି । ଯେଉଁମାନେ ଏହି କାମରେ ପଛରେ ପଡ଼ିଯାଉଛନ୍ତି ତାଙ୍କୁ ଟିକେ ଇତର ଦେଶପ୍ରେମୀ ଭାବେ ବି ଦେଖାଯିବାକୁ ଆରମ୍ଭ ହେଲାଣି । ସଂପ୍ରତି ସ୍ୱାଧୀନତା ଦିବସ ହେଉ କି ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକାର ଚିତ୍ର କିମ୍ବା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋରେ ସାମାଜିକ ଗଣମାଧ୍ୟମର କାନ୍ଥ ବୋଝେଇ ହୋଇଯାଉଛି । ହ୍ୱାଟ୍ସ୍ଆପ୍ ଉଛୁଳି ଉଠୁଛି, ଫରୱାଡ ହୋଇଚାଲୁଥିବା ଦେଶପ୍ରେମର ବାର୍ତ୍ତାରେ । ପରିସ୍ଥିତି ଏମିତି ହୋଇଛି ଯେ, ଯିଏ ସଚ୍ଚା ଦେଶଭକ୍ତ, ସିଏ ଯଦି ଏପରି କାମରେ ତତ୍ପର ହୋଇପାରୁନି, ତେବେ ତା ମନରେ ବି ସନ୍ଦେହ ହେଉଛି, ଅସଲ ଦେଶପ୍ରେମଟା କ’ଣ! ଦେଶପ୍ରେମକୁ ନେଇ ସାମାଜିକ ଗଣମାଧ୍ୟମ କାନ୍ଥରେ ବାର୍ତ୍ତା ପୋଷ୍ଟ କଲେ ବା ଫରୱାଡ କଲେ କିଛି ଅସୁବିଧା ନାହିଁ । କିନ୍ତୁ ଅସଲ କଥା ହେଉଛି, ଦେଶପ୍ରେମକୁ କେବଳ ସେତିକିରେ ସୀମିତ ରଖିବା ବା ସାମାଜିକ ଗଣମାଧ୍ୟମ କାନ୍ଥରେ କିଛି ଗୋଟେ ଲେଖିଦେଇ ବା ଫଟୋ ଛାଡ଼ିଦେଇ କାମ ସରିଗଲା ବୋଲି ଭାବିବା । କାରଣ ଆମ ଭିତରେ ଥିବା କିଛି କରିବାର ଇଚ୍ଛା ବା ଦେଶପ୍ରେମର ଭାବନା ଦେଶ ପାଇଁ କିଛି ନା କିଛି କରିବାକୁ ସବୁବେଳେ ପ୍ରେରିତ କରିଥାଏ । ସେଇ ଇଚ୍ଛା ବା ପ୍ରେରଣା ଯଦି ସାମାଜିକ ଗଣମାଧ୍ୟମ କାନ୍ଥରେ ହେଉଥିବା ପୋଷ୍ଟିଙ୍ଗରେ ସନ୍ତୁଷ୍ଟ ହୋଇଗଲା, ତେବେ ତ କଥା ସରିଲା । ଉପରେ ଦେଖେଇବାକୁ ଆମେ ସମସ୍ତେ ଦେଶପ୍ରେମୀ ହୋଇଥିବା, କିନ୍ତୁ ଅସଲ ବେଳକୁ ଦେଶଠାରୁ ଆମର ଯୋଜନ ଯୋଜନ ଦୂରତା ଥିବ ।

ସାମାଜିକ ଗଣମାଧ୍ୟମରେ ଏବେ ପରିସ୍ଥିତି ଏପରି ହୋଇଛି ଯେ ଯଦି କୌଣସି ଦିନ ଆମ ଦେଶରେ କିଛି ଘଟଣା ଘଟିଲା- ଯଥା ମଙ୍ଗଳ ଅଭିଯାନ ହେଲା ବା କୌଣସି ରାଜନୈତିକ ଦଳର କୌଣସି ନେତାଙ୍କ ଦେହାନ୍ତ ହୋଇଗଲା, ସେଦିନ ଯଦି କୌଣସି ଲୋକ ନିଜର ବ୍ୟକ୍ତିଗତ ଘଟଣା ଖୁସି ହେଉ ବା ଦୁଃଖ ହେଉ ତାକୁ ନେଇ କିଛି ସାମାଜିକ ଗଣମାଧ୍ୟମରେ ପୋଷ୍ଟିଙ୍ଗ୍ କଲା, ତେବେ ସାଙ୍ଗେସାଙ୍ଗେ ସାମାଜିକ ଗଣମାଧ୍ୟମସର୍ବସ୍ୱ ଦେଶପ୍ରେମୀମାନେ ତା ଉପରକୁ ଝପଟି ଆସୁଛନ୍ତି । ତାର ସାମାନ୍ୟ ବି ଦେଶଭକ୍ତି ନାହିଁ ବୋଲି କହି ତାକୁ କଟୁ ଭାଷାରେ ନିନ୍ଦା କରୁଛନ୍ତି । କିନ୍ତୁ ସେମାନଙ୍କୁ କିପରି ବୁଝାଯାଇପାରିବ ଯେ ଦେଶଭକ୍ତି ଦେଖାଶିଖାରେ ହୁଏନାହିଁ ବା କାହାର ଇଚ୍ଛାରେ ହୁଏ ନାହିଁ । ଦେଶଭକ୍ତି ଏକ ଭାବ, ଯାହା ହୃଦୟ ଭିତରୁ ହିଁ ଆସିଥାଏ । ତାହା ସାମାଜିକ ଗଣମାଧ୍ୟମ କାନ୍ଥରେ ପ୍ରତିଫଳିତ ହୋଇପାରେ ବା ନହୋଇପାରେ । କିନ୍ତୁ ସାମାଜିକ ଗଣମାଧ୍ୟମସର୍ବସ୍ୱ ତଥାକଥିତ ଦେଶଭକ୍ତମାନେ ଦେଶପ୍ରେମକୁ କେବଳ ସେହି ସାମାଜିକ ଗଣମାଧ୍ୟମ କାନ୍ଥରେ ସିମୀତ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରୁଛନ୍ତି ଓ ସେଥିପାଇଁ ପରୋକ୍ଷ ଭାବେ ଅନ୍ୟମାନଙ୍କ ଉପରେ ଚାପ ମଧ୍ୟ ପକାଉଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶଭକ୍ତିର କଥା ଲେଖିବା, ଫଟୋ ଦେବା ବା ଜୟ ଭାରତ ଲେଖିବା ବା କୌଣସି ନେତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଲେଖିବା, ଦେଶଭକ୍ତିର ଅତି ତଳସ୍ତରର ପ୍ରଦର୍ଶନ । ଏହା ଦେଶଭକ୍ତିର ସବୁକିଛି ନୁହେଁ । ସତରେ ଯଦି ଦେଶଭକ୍ତି କେବଳ ସାମାଜିକ ଗଣମାଧ୍ୟମ କାନ୍ଥରେ ସିମୀତ ହୋଇଯାଏ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହିଁ ସାବ୍ୟସ୍ତ ହେବ । ଅସଲ ଦେଶଭକ୍ତିର ପରିପ୍ରକାଶ ସାମାଜିକ ଗଣମାଧ୍ୟମ କାନ୍ଥରେ ନୁହେଁ, ବାସ୍ତବ ସମାଜରେ ହେବା ଆବଶ୍ୟକ ।
……………………….
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.