ବ୍ୟାଙ୍କକ: ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଗୁରୁବାର ଆଇନଗତ ମାନ୍ୟତା ମିଳିଛି। ଯାହା ଫଳରେ ଶହ ଶହ ସମଲିଙ୍ଗୀ, ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର ଏବଂ କ୍ୱିଅର୍ (LGBTQ+) ବର୍ତ୍ତମାନ ନିଜ ଇଚ୍ଛାରେ ମନ ପସନ୍ଦର ସାଥୀଙ୍କୁ ବିବାହ କରିପାରିବେ।
ଏହାସହିତ ବିବାହ ସମାନତା ଆଇନକୁ ଅନୁମୋଦନ ମିଳିବାରେ ଦକ୍ଷିଣ ପୂର୍ବ ଏସିଆରେ ଥାଇଲାଣ୍ଡ ପ୍ରଥମ ଦେଶ ପାଲଟିଛି।
ଏହି ଆଇନ କାର୍ଯ୍ୟକାରୀ ହେବା ପରେ ସର୍ବ ପ୍ରଥମେ ଥାଇ ଅଭିନେତା ଅପିୱାତ “ପୋର୍ଶ” ଆପିୱାତ୍ସୈରୀ (୪୯) ଏବଂ ସାପ୍ପନ୍ୟୋ “ଆର୍ମ” ପନଟକୁଲ୍ (୩୮) ବ୍ୟାଙ୍କକ୍ ରେଜିଷ୍ଟ୍ରି ଅଫିସ ଯାଇ ନିଜର ବିବାହ ପ୍ରମାଣପତ୍ର ହାତେଇଥିଲେ। ଏହି ସମୟରେ ଅପିୱାତ କାନ୍ଦିବାକୁ ଲାଗିଥିଲେ।
ପ୍ରଥମ ଦିନରେ ବ୍ୟାଙ୍କକ୍ ର ସିଆମ୍ ପାରାଗନ୍ ସପିଂ ମଲ୍ରେ ଏକ ଗଣ ବିବାହ ଅନୁଷ୍ଠିତ ହେବ। ଯେଉଁଠାରେ ପ୍ରାୟ ୩୧୧ ଯୋଡ଼ି ଯୋଗ ଦେଇ ନିଜର ବିବାହକୁ ପଞ୍ଜିକରଣ କରିପାରିବେ।
ତେବେ ଏସିଆ ମହାଦେଶରେ ତାଇୱାନ ଏବଂ ନେପାଳ ପରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିବାରେ ଥାଇଲାଣ୍ଡ ତୃତୀୟ । ଥାଇଲାଣ୍ଡ ଜୁନ୍ ୨୦୨୪ରେ ସମଲିଙ୍ଗୀ ବିବାହ ପାଇଁ ବିଲ୍ ପାସ୍ କରିଥିଲା ଯାହାକୁ ଜାନୁଆରୀ ୨୩ରେ ଅନୁମୋଦନ ମିଳିଥିଲା।
ଥାଇଲାଣ୍ଡରେ ଏହି ଏଲଜିବିଟିକ୍ୟୁ ବିବାହ ଆଇନ କୁ ଲାଗୁ କରିବା ପାଇଁ ବର୍ଷ ବର୍ଷ ଧରି ଅଭିଯାନ ଚାଲି ଆସିଥିଲା। ଅପରପକ୍ଷରେ ଏହି ଆଇନକୁ ଅକ୍ଟୋବର ମାସରେ ରାଜା ମହା ୱଜିରାଲୋଙ୍ଗକର୍ଣ୍ଣ ଅନୁମୋଦନ ଦେଇଥିଲେ।
Comments are closed.