Latest Odisha News

BREAKING NEWS

‘ବିହାର ରାଜନୀତି’, ନୀତିଶଙ୍କ ପାଦତଳୁ ମାଟି ଖସୁଛି!

ଭୁବନେଶ୍ୱର: ବିରୋଧୀଙ୍କୁ ଏକାଠି କରି ମୋଦିଙ୍କୁ ସତ୍ତାରୁ ହଟାଇବାକୁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା। ଆଗାମୀ ୨୩ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିହାରରୁ ଏକ ବଡ଼ ଖବର ଆସିଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ମାଂଝୀ ନୀତିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀମଣ୍ଡଳରୁ ସନ୍ତୋଷଙ୍କ ଇସ୍ତଫା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ସନ୍ତୋଷ ଇସ୍ତଫା ଦେବା ପୂର୍ବରୁ ନୀତିଶଙ୍କ ଅତ୍ୟନ୍ତ ଘନିଷ୍ଠ ବିଜୟ ଚୌଧୁରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ଏପରିକି ଜିତନ ରାମ ମଧ୍ୟ ବିଜୟଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ମନ୍ତ୍ରୀପଦରୁ ଇସ୍ତାଫା ଦେବା ପରେ ସନ୍ତୋଷ ମାଂଝୀ ଓ ଜିତନ ରାମ ମାଂଝୀଙ୍କର ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

କିନ୍ତୁ ବିଜେପି ଯିବା ପ୍ରସଙ୍ଗକୁ ଜିତନ ରାମ ପ୍ରତ୍ୟାଖ୍ୟାନ କରିବା ସହ ସେ ଗଠବନ୍ଧନ ସହ ଅଛନ୍ତି ବୋଲି କହିଛନ୍ତି। ସେପଟେ ସନ୍ତୋଷଙ୍କ ଇସ୍ତଫାକୁ ନେଇ ଅନ୍ୟ ନେତାମାନେ ମୁହଁ ଖୋଲିଛନ୍ତି।

କିଏ ମନ୍ତ୍ରୀପଦ ଛାଡିଲେ କିଛି ଫରକ ପଡିବନି ବୋଲି ବିହାରର ମନ୍ତ୍ରୀ ଲେସି ସିଂ କହିଛନ୍ତି। ସେପଟେ ସନ୍ତୋଷଙ୍କ ଇସ୍ତଫା ପରେ ନୀତିଶ ଡାକିଥିବା କ୍ୟାବିନେଟ ବୈଠକ ସ୍ଥଗିତ ରଖାଯାଇଛି। ତେଣୁ ଆଗକୁ ବିହାରରେ ବିରୋଧୀ ଦଳ ଗୁଡ଼ିକର ବୈଠକ ପୂର୍ବରୁ ଏଭଳି ଘଟଣା ନୀତିଶଙ୍କୁ ଝଟକା ବୋଲି କୁହାଯାଉଛି।

ଇସ୍ତଫା ଦେବା ପରେ ସନ୍ତୋଷ ଏହାର କାରଣ ସମ୍ପର୍କରେ ଖୁଲାସା କରିଛନ୍ତି। ଜିତନ ରାମଙ୍କ ଦଳକୁ ଜେଡିୟୁ ସହ ବିଲୟ କରିବାକୁ ଅଫର ଦିଆଯାଇଥିଲା। ଯାହାକୁ ପାର୍ଟି ପକ୍ଷରୁ ମନା କରାଯିବା ସହ ସେ ଇସ୍ତଫା ଦେବାକୁ ଠିକ ବୋଲି ଭାବିଲେ ବୋଲି ସନ୍ତୋଷ ମାଂଝୀ କହିଛନ୍ତି।

ଏପରିକି ଜେଡିୟୁରେ ମିଶ୍ରଣ ନେଇ ଚାପ ବଢ଼ୁଥିବାରୁ ଏହାକୁ ଦଳ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଦଳର ଅସ୍ତିତ୍ୱ ଶେଷ କରିଦେବା ପାଇଁ ଉଦ୍ୟମ ହେଉଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସନ୍ତୋଷ କହିଛନ୍ତି। ସେପଟେ ଏ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି।

ସନ୍ତୋଷ ମାଂଝୀଙ୍କ ଇସ୍ତଫା ଏକ ଉଦାହରଣ ଆଗକୁ ଏଭଳି ଆହୁରି କିଛି ଦେଖିବାକୁ ମିଳିବ ବୋଲି ଉପେନ୍ଦ୍ର କୁସବାହା କହିଛନ୍ତି। ସେପଟେ ସନ୍ତୋଷଙ୍କ ଇସ୍ତଫା ପରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ତେଣୁ ଆଗକୁ ବିରୋଧୀ ଏକତା ଦିଗରେ ଏହାର ପ୍ରଭାବ ପଡିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଗୋଟିଏ ପଟେ ନୀତିଶ କୁମାର ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡିଥିବା ବେଳେ ସେପଟେ ଜେଡିୟୁର କିଛି ପ୍ରମୁଖ ନେତା ଏ ଭିତରେ ଦଳ ଛାଡିଛନ୍ତି। ସେପଟେ ଗଠବନ୍ଧନ ଭିତରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ତେଣୁ ଏସବୁକୁ ନୀତିଶ କିଭଳି ମ୍ୟାନେଜ କରିବେ ଓ ବିରୋଧୀ ଏକତା ଦିଗରେ କେତେ ସଫଳ ହେବେ ତା ଉପରେ ନଜର।

Leave A Reply

Your email address will not be published.