ଗିନାରେ ଥିବା ପାଣି ମଝିରେ ଜଳୁଥିବା ମହମବତୀ ଲିଭିବା ମାତ୍ରେ ଗ୍ଲାସ୍ ଭିତରେ ପାଣି ଆପେ ଆପେ ଉପରକୁ ଉଠିବ । ମ୍ୟାଜିକ୍ …. । ଏମିତି କାହିଁକି ହେଉଛି ତାହା ତ ବୁଝିବା ତେବେ ତାଆଗରୁ ବିଜ୍ଞାନର ମଜା ଦେଖିବା । ଏହି ପରୀକ୍ଷା ଲାଗି ଦରକାର ଗୋଟିଏ ମହମବତୀ, ଡିଆସିଲ, କାଚ ଗ୍ଲାସ୍ ଆଉ ଗୋଟିଏ ଥାଳିଆ କିମ୍ବା ଗିନା । ପାଣିକୁ ରଙ୍ଗୀନ କରିବା ଲାଗି ଟିକିଏ ହଳଦୀ ବା କାଳି ଦରକାର ପଡିବ ।
ଗୋଟିଏ ଥାଳିଆ କିମ୍ବା ଗିନା ମଝିରେ ଗୋଟିଏ ମହମବତୀ ରଖ । ଏବେ ଗିନାରେ କିଛି ପାଣି ନିଅ । ସେହି ପାଣିକୁ ରଙ୍ଗୀନ କରିବା ଲାଗି ଟିକିଏ ହଳଦୀ ବା କାଳି ମିଶାଇ ପାରିବ । ଏବେ ମହମବତୀକୁ ଜଳାଅ । ଜଳୁଥିବା ମହମବତୀକୁ ଗୋଟିଏ କାଚ ଗ୍ଲାସ୍ ରେ ଢାଙ୍କିଦିଅ ।
ଅପେକ୍ଷା କର । ଗ୍ଲାସ ଭିତରେ ଅମ୍ଳଜାନ ଅଭାବରୁ କିଛି ସମୟ ଭିତରେ ମହମବତୀଟି ଲିଭିଯିବ । ଆଉ ଏହାପରେ ହିଁ ଆରମ୍ଭ ହେବ ଅସଲ ମ୍ୟାଜିକ । ଅଚାନକ ଗ୍ଲାସ ଭିତରେ ପାଣି ସ୍ତର ଉପରକୁ ଉଠିଯିବ ଆଉ ଗିନାରେ ପାଣି ସ୍ତର କମିଯିବ ।
ପାଣି ଉଠିଲା କାହିଁକି
ଜଳୁଥିବା ମହମବତୀର ଉତ୍ତାପ କାରଣରୁ ଗ୍ଲାସ ଭିତରେ ଥିବା ବାୟୁ ପ୍ରସାରିତ ହୁଏ । ଯେତେବେଳେ ମହମବତୀ ଲିଭିଯାଏ ସେତେବେଳେ ଗ୍ଲାସ ଭିତର ବାୟୁ ଥଣ୍ଡା ହୋଇଯାଏ ଏବଂ ସଂକୁଚିତ ହୋଇଯାଏ, ଯାହା ଅପେକ୍ଷାକୃତ କମ ସ୍ଥାନ ନିଏ । ଯାହା ଫଳରେ ଗ୍ଲାସ ଭିତରେ ଶୂନ୍ୟସ୍ଥାନ ସୃଷ୍ଟି ହୁଏ । ଗ୍ଲାସ ଭିତରେ ବାୟୁ ଚାପ ବାହାର ଅପେକ୍ଷା କମ ହୋଇଯାଏ । ଫଳରେ ଗ୍ଲାସ ଭିତରକୁ ପାଣି ଠେଲି ହୋଇଆସେ ।