Latest Odisha News

BREAKING NEWS

ଶିଶୁ କବିତା : ମାଆ ଆସିଛନ୍ତି

ତରୁଣ କୁମାର ମିଶ୍ର

ଧରଣୀ ହସଇ କାଶତଣ୍ଡୀ ମୁଖେ
ଆଶ୍ବିନ ଆସିଛି ବୋଲି ,
ବିଞ୍ଚି ମହୀ ପରେ ଗଙ୍ଗଶିଉଳୀକୁ
ଫୁଲର ପସରା ମେଲି ।

ନାନା ଜାତି ଫୁଲ ଫଳ ସମ୍ଭାରରେ
ସଜାଇ ଧରଣୀ ରାଣୀ ,
ସମ୍ଭାଷଣ କରେ ମାଆ ଅମ୍ବିକାଙ୍କୁ
ଆସ ଦୁର୍ଗତି ନାଶିନୀ ।

ତଡ଼ାଗ ତଟିନୀ ଶୁଭ୍ର ଜଳ ଘେନି
କୁମୁଦ କମଳ ସାଥେ ,
ଜଗଜ୍ଜନନୀଙ୍କୁ ପୂଜଇ ଭକ୍ତିରେ
ଆଶିଷ ପାଇବା ଆଶେ ।

ଦୁର୍ବାଦଳ ପରେ କାକର ଶଯ୍ଯାରେ
ଗାଏ ଆବାହନୀ ଗୀତ ,
କୋମଳ ପାଦକୁ କ୍ଳେଶ ରୋକିବାକୁ
ବସି ତା ସାଥିରେ ମିତ ।

ଜାଇ ଜୁଈ ହେନା ମଧୁମାଳତୀକୁ
ଅପରାଜିତା ର ସାଥେ ,
ଜହ୍ନି କାକୁଡ଼ିର ଫୁଲର ଶେଯରେ
ଶୁଆଇ ଅଳପ ହସେ ।

ଶସ୍ଯର କେଦାରେ ସବୁଜ ଶାଢ଼ୀରେ
ବଗ ଗେଣ୍ଡାଳିଆ ବସି ,
ଉତ୍ତରା ପବନ ଦୋହଲି ଦୋହଲି
ମାଆଙ୍କୁ ସ୍ବାଗତେ ଆସି ।

ନୀଳ ଅମ୍ବରରେ ବିହଙ୍ଗ ମେଳରେ
ଧଳା ବାରିଦର ଭେଳା ,
ନୀଳ ସାଗରର ଉର୍ମିମାଳା ଯେହ୍ନେ
ବୀଚି ପରେ କରେ ଖେଳା ।

ଶରତ ଆକାଶେ ତୋଫା ଜହ୍ନ ହସେ
ଜ୍ଯୋଛନାକୁ ବୁଣି ବୁଣି ,
ଚାଳ ପିଢ଼ା ପରେ ଜହ୍ନି ଫୁଲ ସାଥେ
ବସିଥାଏ ସେ ମିତଣି ।

ପରିବେଶ ଲାଗେ ଅତି ମଧୁମୟ
ପାର୍ବଣର ଗୁଞ୍ଜନରେ ,
ଶରତ ହସଇ ଭ୍ରୁଲତା ନଚାଇ
ଆଜି ଅଶିଣ ମାସରେ ।

ଏମନ୍ତ ସମୟେ ପୂଜା ମନ୍ତ୍ର ସାଥେ
ଆସିଛନ୍ତି ପରା ମାଆ ,
ଚଉଦିଗ ଧୁମ୍ର ଘୃତାଗ୍ନି ବାସରେ
ମହମହ ବାସେ ଆହା ।

ଖଣ୍ଡଗିରି ,ଭୁବନେଶ୍ବର

Leave A Reply

Your email address will not be published.