Latest Odisha News

BREAKING NEWS

ସାବିତ୍ରୀ ଓଷା: କେଉଁଠି କିପରି ହୁଏ ପୂଜା, ଜାଣନ୍ତୁ

ଭୁବନେଶ୍ୱର: ସଧବା ନାରୀମାନଙ୍କ ଦ୍ୱାରା ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳିତ ହୋଇଥାଏ । ପ୍ରତ୍ୟେକ ସଧବା ନାରୀ ଲାଗି ତା’ର ସ୍ୱାମୀ ହିଁ ସର୍ବସ୍ୱ । ଏହି ଅମାବାସ୍ୟା ତିଥିରେ ବ୍ରତ ପାଳନ କରି ନାରୀମାନେ ନିଜ ପତିମାନଙ୍କର ଦୀର୍ଘାୟୁ କାମନା କରିଥାଆନ୍ତି । ତେବେ ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ଓ ପୂଜା ସାଧାରଣତଃ ସ୍ୱଳ୍ପ ଭିନ୍ନ ପ୍ରକାରରେ ମଧ୍ୟ ପାଳିତ ହୋଇଥାଏ । ଅର୍ଥାତ୍ ବ୍ରତ ବିଧି ସମାନ ହୋଇଥିଲେ ମଧ୍ୟ ପୂଜା ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ ।

କିଛି ସ୍ଥାନରେ ଶିଳପୂଆ ଥୋଇ ବଟମୂଳରେ, ଚଉଁରା ପାଖରେ ପୂଜା କରାଯାଉଥିବାର ଦେଖାଯାଇଥାଏ । ଏହି ପୂଜାରେ ସାବିତ୍ରୀ ଦେବୀ, ଯମଦେବତା ଏବଂ ସତ୍ୟବାନଙ୍କୁ ପୂଜା କରାଯାଇଥାଏ ।

ଅନ୍ୟ କେତେକ ସ୍ଥାନରେ ସାବିତ୍ରୀ ଦେବୀ, ସତ୍ୟବାନ, ଯମଦେବତାଙ୍କ ସହିତ ଲକ୍ଷ୍ମୀନାରାୟଣଙ୍କୁ ମଧ୍ୟ ଏକାଠି ରଖି ପୂଜା କରାଯାଇଥାଏ । ରନ୍ଧାଭୋଗ ବା ଅଗ୍ନିଦ୍ୱାରା ସିଦ୍ଧ ହୋଇଥିବା କୌଣସି ଭୋଗ ଏହି ପୂଜାରେ ଅର୍ପଣ କରାଯାଇନଥାଏ । ବରଂ ମୁଗ ସହିତ ବିଭିନ୍ନ କଞ୍ଚା ପାଚିଲା ଫଳକୁ ଭୋଗ ଭାବେ ଅର୍ପଣ କରାଯାଇଥାଏ ।

କେତେକ ସ୍ଥାନରେ ଘରେ ମଧ୍ୟ ଭିନ୍ନ ପ୍ରକାରରେ ପୂଜା କରାଯାଉଥିବାର ବିଧି ରହିଛି ।

ଅଧିକ ପଢନ୍ତୁ: ସାବିତ୍ରୀ ବ୍ରତକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି

ଯେପରିକି ସ୍ତ୍ରୀମାନେ ଶୀଳପୁଆକୁ ପଞ୍ଚାମୃତରେ ଶୁଦ୍ଧପୂତ କରାଇ ସ୍ନାନ କରାଇ ସାବିତ୍ରୀ ରୂପେ ଥାପନ୍ତି । ବିଭିନ୍ନ ପ୍ରକାରର ଫୁଲ, ଚନ୍ଦନ, ଧୁପ, ଦୀପ ଦେଇ ପୂଜା କରିଥାଆନ୍ତି ।

ଏହି ପୂଜାରେ ନାରୀମାନେ ଆମ୍ବ, ପଣସ, ଖଜୁରୀ, ଲିଚୁ, ନଡ଼ିଆ, ତାଳସଜ, କଦଳୀ, ମୁଗ ଏବଂ ସପୁରୀ ପ୍ରଭୃତି ଭୋଗ ରୂପେ ଅର୍ପଣ କରିଥାଆନ୍ତି ।

ଓଡ଼ିଶାର ଅଧିକାଂଶ ନାରୀ ନିଜ ଘରେ ନିଜେ ମଧ୍ୟ ପୂଜା କରିଥାଆନ୍ତି । କେତେକ ସ୍ଥାନରେ ନିଜେ ସ୍ତ୍ରୀଲୋକମାନେ ପରିବାର ଲୋକମାନଙ୍କ ସହିତ ପୂଜା କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସାହି ବସ୍ତିର କିଛି ସ୍ତ୍ରୀ ଲୋକମାନେ ଏକତ୍ରୀତ ହୋଇ ଘରେ ପୂଜା କରିବାର ଦେଖାଯାଇଥାଏ ।

ପ୍ରାୟ ଅଧିକାଂଶ ସ୍ଥାନରେ ମଧ୍ୟ ସ୍ତ୍ରୀଲୋକମାନେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ସାବିତ୍ରୀ ବ୍ରତ ଧାରଣ କରିଥାଆନ୍ତି ।

ଓଡ଼ିଆ ସଧବା ନାରୀମାନେ ଏହି ସାବିତ୍ରୀ ଅମାବାସ୍ୟା ଦିନରେ ବଡ଼ି ଭୋରରୁ ସ୍ନାନ ସମାପନ କରି, ଘର ସଫା ସୁତରା କରିବା ସହିତ ପୂଜା କରିଥାଆନ୍ତି । ନୂଆ ଶାଢି ପିନ୍ଧିବା ସହିତ ନୂଆ ସିନ୍ଦୁର, ଚୁଡ଼ି, ଶଙ୍ଖା ଏବଂ ପାଦରେ ନାଲି ଅଳତା ଲଗାଇ ଥାଆନ୍ତି ।

Leave A Reply

Your email address will not be published.