Latest Odisha News

BREAKING NEWS

ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ: ଗାଁରୁ ସହର ଯାଏଁ ବ୍ୟାପିବ ନେଟୱାର୍କ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ପକ୍ଷରୁ ଗ୍ରାହକ ଏବଂ ବେକାର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ନିଜର ବ୍ୟବସାୟିକ ନେଟୱାର୍କକୁ ଆହୁରି ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କୁ ତ୍ୱରିତ ତଥା ଉନ୍ନତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବ୍ୟାଙ୍କ ପକ୍ଷରୁ ଏକ ବ୍ୟାପକ ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ନୂତନ ଯୋଜନା ଅନୁଯାୟୀ, ଏସବିଆଇ ଖୁବଶୀଘ୍ର ସମଗ୍ର ଦେଶରେ ୨୫୦ଟି ନୂଆ ଶାଖା ଖୋଲିବାକୁ ଯାଉଛି । ଏଥିସହ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ପ୍ରାୟ ୧୨,୦୦୦ ନୂତନ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳ ଏବଂ ସେମି-ଅର୍ବାନ ଉପରେ ଏହି ନୂଆ ଶାଖାଗୁଡ଼ିକର ବିଶେଷ ଫୋକସ୍ ରହିବ । ବର୍ତ୍ତମାନ ସୁଦ୍ଧା ଦେଶର ଅନେକ ଉପାନ୍ତ ଅଞ୍ଚଳରେ ଲୋକମାନେ ଉପଯୁକ୍ତ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସେହିସବୁ ଅଞ୍ଚଳରେ ଏସବିଆଇର ପହଞ୍ଚ ବଢ଼ାଇବା ପାଇଁ ଏହି ୨୫୦ଟି ନୂଆ ବ୍ରାଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ୱାରା କେବଳ ଯେ ଗ୍ରାହକମାନେ ଉପକୃତ ହେବେ ତାହା ନୁହେଁ, ବରଂ ସରକାରୀ ଯୋଜନାର ଲାଭ, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଏବଂ କୃଷି ଋଣ ଆଦି ସିଧାସଳଖ ଲୋକଙ୍କ ନିକଟତର ହୋଇପାରିବ ।

ଅନ୍ୟପକ୍ଷରେ, ବ୍ୟାଙ୍କର ବ୍ୟାପକ ସମ୍ପ୍ରସାରଣ ହେବାକୁ ଥିବାରୁ ଏହାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବହୁ ସଂଖ୍ୟକ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ପାଇଁ ଏସବିଆଇ ପକ୍ଷରୁ ୧୨,୦୦୦ ଖାଲି ପଦବୀରେ ନିଯୁକ୍ତି ଦିଆଯିବ। ଏଥିରେ ମୁଖ୍ୟତଃ କ୍ଲର୍କ, ପ୍ରୋବେସନାରୀ ଅଫିସର (ପିଓ), ଆଇଟି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ପେଶାଲିଷ୍ଟ୍ ଅଫିସର ପଦବୀ ସାମିଲ ଥିବା ଜଣାପଡ଼ିଛି। ସାମ୍ପ୍ରତିକ ସମୟରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ରୁତଗତିରେ ବଢ଼ୁଥିବାରୁ, ଆଇଟି ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଦକ୍ଷତା ଥିବା ଯୁବକଯୁବତୀଙ୍କୁ ଏହି ନିଯୁକ୍ତିରେ ଅଧିକ ପ୍ରାଧାନ୍ୟ ମିଳିବ ।

ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ, ଷ୍ଟେଟ୍ ବ୍ୟାଙ୍କର ଏହି ନିଷ୍ପତ୍ତି ଦେଶର ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ । ଏକାସାଙ୍ଗରେ ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଦ୍ୱାରା ଦେଶରେ ବେକାରୀ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ଏସବିଆଇ ହେଉଛି ଦେଶର ସବୁଠାରୁ ବିଶ୍ୱାସଯୋଗ୍ୟ ତଥା ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍ ସଂସ୍ଥା। ଏଭଳି ସ୍ଥିତିରେ ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଖୁବଶୀଘ୍ର ଏହି ବିଶାଳ ନିଯୁକ୍ତି ପ୍ରକ୍ରିୟା ନେଇ ଏସବିଆଇର ଅଫିସିଆଲ୍ ୱେବସାଇଟ୍‌ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି

Leave A Reply

Your email address will not be published.