Latest Odisha News

BREAKING NEWS

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ରାଷ୍ଟ୍ରପତିଙ୍କୁ ଡକା ନଯିବା ଘଟଣା; ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତି ଡକା ନଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ କୋର୍ଟ। ଏନେଇ ଗତକାଲି (ମେ ୨୬) କୋର୍ଟରେ ଜସ୍ୱାର୍ଥ ମାମଲା ଦାୟର କରାଯାଇ ଶୁଣାଣି କରିବାକୁ ଦାବି କରାଯାଇଥିଲା। ସନ୍ଧ୍ୟାରେ ଏହାର ଶୁଣାଣି କରିବାକୁ ରାଜି ହୋଇଥିଲେ କୋର୍ଟ। ଆଜି ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ପିଏସ୍ ନରସିହ୍ମା ମାମଲାର ଶୁଣାଣି କରିବେ।

ସୂଚନା ଅନୁସାରେ,  ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ସାମିଲ ନକରି କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନର ଉଲଂଘନ କରିଛନ୍ତି ବୋଲି ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ସୁପ୍ରିମକୋର୍ଟ ଓକିଲ ସିଆର୍ ଜୟ ସୁକୀନ।

ସେ ତାଙ୍କ ଆବେଦନରେ ଦର୍ଶାଇ ଥିଲ ଯେ ସଂସଦ ଭାରତର ସର୍ବୋଚ୍ଚ ଲେଜିସଲେଟିଭ ବଡି ହୋଇଥିବା ବେଳେ ଏହା ରାଷ୍ଟ୍ରପତି ଓ ଦୁଇ ସଦନ (ଲୋକସଭା ଓ ରାଜ୍ୟସଭା)କୁ ନେଇ ହୋଇଥାଏ। ରାଷ୍ଟ୍ରପତିଙ୍କ ପାଖରେ କୌଣସି ସଦନକୁ ଡାକିବା ଓ ଲୋକସଭା ଭଙ୍ଗ କରିବାର କ୍ଷମତା ରହିଥାଏ। ତେଣୁ ରାଷ୍ଟ୍ରପତିଙ୍କୁ ଉଦ୍‌ଘାଟନୀ ଉତ୍ସବରେ ନିମନ୍ତ୍ରଣ ନ କରିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି ସୁକୀନ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଆବେଦନରେ ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନ ଭିତ୍ତି ପ୍ରସ୍ତର ସ୍ଥାପନ ବେଳେ ଡକା ନଯିବା ଘଟଣାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ କାହିଁକି ତାଙ୍କୁ ଏଥିରୁ ଦୂରେଇ ରଖାଗଲା ? ଆଉ ଏବେ ଉଦ୍‌ଘାଟନ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ଡକାଯାଉନି। ସରକାରଙ୍କର ଏହି ନିଷ୍ପତ୍ତି ଉଚିତ ନୁହେଁ ବୋଲି ସୁକୀନ ତାଙ୍କ ପିଆଇଏଲ୍‌ରେ କହିଛନ୍ତି।

ନୂଆ ସଂସଦ ଭବନ ଉଦ୍‌ଘଟାନକୁ ନେଇ ରାଜନୀତି ଜୋର୍ ଧରିଛି। ୨୦ ବିରୋଧୀ ଦଳ ଉଦ୍‌ଘାଟନ ଉତ୍ସବକୁ ବୟକଟ୍ କରିଥିବା ବେଳେ ୧୫ ଦଳ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କହିଛନ୍ତି। ଏହି ୧୫ ଦଳ ମଧ୍ୟରୁ ଅଧିକାଂଶ ବିଜେପିର ସହଯୋଗୀ ଦଳ ନହେଲେ ଯେଉଁମାନଙ୍କର ବିଜେପି ସହ ଭଲ ସମ୍ପର୍କ ରହିଛି ସେମାନେ କାର୍ଯ୍ୟକ୍ରମକୁ ଆସିବେ ବୋଲି କହିଛନ୍ତି। ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍‌ଘଟାନ କରିବେ ବୋଲି କେନ୍ଦ୍ରର ସରକାର ଘୋଷଣା କରିଛନ୍ତି।

Leave A Reply

Your email address will not be published.