ନୂଆଦିଲ୍ଲୀ: ବିଜ୍ଞାନ ଏଥର ପ୍ରକୃତିର ସୀମାକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି। ଚୀନର ଜିଆଓତୋଙ୍ଗ ବିଶ୍ୱବିଦ୍ୟାଳୟର ବିଜ୍ଞାନୀମାନେ ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରି ଏକ ମୂଷା ଜନ୍ମ କରାଇଛନ୍ତି, ଯାହା କେବଳ ଦୁଇ ପୁରୁଷ ମୂଷାର ଡିଏନଏରୁ ତିଆରି। ଅର୍ଥାତ୍, ଏହା ଜନ୍ମ ପାଇଁ ମାଆର ଆବଶ୍ୟକତା ପଡ଼ିଲାନାହିଁ। କେବଳ ଦୁଇଟି ଶୁକ୍ରାଣୁର ସାହାଯ୍ୟରେ ଏହି ଜନ୍ମ ସମ୍ଭବ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପରୀକ୍ଷଣ କେବଳ ସଫଳ ହୋଇନାହିଁ, ବରଂ ଜନ୍ମ ନେଇଥିବା ମୂଷା ସ୍ୱାସ୍ଥ୍ୟବାନ ଏବଂ ପ୍ରଜନନରେ ମଧ୍ୟ ସକ୍ଷମ। ଅର୍ଥାତ୍, ଏହା ଭବିଷ୍ୟତରେ ସନ୍ତାନ ଜନ୍ମ ଦେଇପାରିବ। ଏହି ଗବେଷଣା ୨୩ ଜୁନ ୨୦୨୫ରେ ପ୍ରତିଷ୍ଠିତ ବୈଜ୍ଞାନିକ ଜର୍ଣ୍ଣାଲ Proceedings of the National Academy of Sciences (PNAS) ରେ ପ୍ରକାଶିତ ହୋଇଛି। ଏହି ସଫଳତା ଜେନେଟିକ୍ସ ଓ ପ୍ରଜନନ ଜୀବବିଜ୍ଞାନ କ୍ଷେତ୍ରରେ ଏକ ନୂଆ କ୍ରାନ୍ତିର ସୂଚନା ଦେଇଛି।
ଏହି ପରୀକ୍ଷଣରେ ବିଜ୍ଞାନୀମାନେ ଏପିଜେନେଟିକ ପ୍ରୋଗ୍ରାମିଂ ଅର୍ଥାତ୍ ମିଥାଇଲେସନ ପାଟର୍ଣ୍ଣ ଏଡିଟ କରି ଏକ ନୂଆ ପଦ୍ଧତି ଗ୍ରହଣ କରିଥିଲେ। ମିଥାଇଲେସନ ହେଉଛି ଏକ ପ୍ରକ୍ରିୟା, ଯାହା ଡିଏନଏର କାର୍ଯ୍ୟକ୍ଷମତାକୁ ନିୟନ୍ତ୍ରଣ କରେ, କିନ୍ତୁ ଏହା ଡିଏନଏ ସିକ୍ୱେନ୍ସରେ କୌଣସି ପରିବର୍ତ୍ତନ ଆଣେ ନାହିଁ।
ବିଜ୍ଞାନୀମାନେ ଦୁଇଟି ଭିନ୍ନ ପୁରୁଷ ମୂଷାର ଶୁକ୍ରାଣୁ ବ୍ୟବହାର କରିଥିଲେ – ଗୋଟିଏ ଲାବରେ ପ୍ରସ୍ତୁତ ମୂଷା ଏବଂ ଅନ୍ୟଟି ଥାଇଲାଣ୍ଡର ବନ୍ୟ ମୂଷା ପ୍ରଜାତିର। ପ୍ରଥମେ ଏକ ଅଣ୍ଡାନୁରୁ ତା’ର ଜିନୋମ ହଟାଇ ଦିଆଗଲା। ତା’ପରେ ଦୁଇ ପୁରୁଷ ଶୁକ୍ରାଣୁର ମୁଣ୍ଡ (ହେଡ) ଇଞ୍ଜେକ୍ଟ କରାଗଲା। ଏଥି ମଧ୍ୟରୁ ଗୋଟିଏ ଶୁକ୍ରାଣୁର ମିଥାଇଲେସନ ପାଟର୍ଣ୍ଣକୁ ମହିଳା ଡିଏନଏ ପରି ରୂପାନ୍ତରିତ କରାଯାଇଥିଲା।
ଏହି ପ୍ରକ୍ରିୟାରେ ଏକ ଭ୍ରୁଣ ପ୍ରସ୍ତୁତ ହେଲା, ଯାହାର ଡିଏନଏର ଦୁଇଟି ଉତ୍ସ ହେଉଛି ପୁରୁଷ। ଏହି ଭ୍ରୁଣକୁ ଏକ ମାଈ ମୂଷାର ଗର୍ଭାଶୟରେ ପ୍ରତିରୋପଣ କରାଗଲା, ଓ ତା’ରୁ ତିନୋଟି ଜୀବିତ ଶାବକ ଜନ୍ମ ନେଲେ। ତେବେ, ଏଥି ମଧ୍ୟରୁ ଗୋଟିଏ ଶାବକ ଅସ୍ୱାଭାବିକ ଆକାରର ହେତୁ ଜନ୍ମର ପରଦିନ ମୃତ୍ୟୁ ହୋଇଥିଲା କିନ୍ତୁ ଅନ୍ୟ ଦୁଇଟି ମୂଷା ସ୍ୱାସ୍ଥ୍ୟବାନ ଥିଲେ, ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ପ୍ରଜନନରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି।
ଏକ ଲିଙ୍ଗରୁ ସନ୍ତାନ ଜନ୍ମ ଦେବାର ପ୍ରୟାସ ଏହା ପ୍ରଥମ ନୁହେଁ। ୨୦୦୪ରେ ଜାପାନରେ ଦୁଇ ମାଈ ମୂଷାରୁ ଏକ ସନ୍ତାନ ଜନ୍ମ ନେଇଥିଲା, ଯାହାର ନାମ ରଖାଯାଇଥିଲା କାଗୁୟା। କିନ୍ତୁ ଦୁଇ ପୁରୁଷ ମୂଷାରୁ ସନ୍ତାନ ଜନ୍ମ ଦେବାର ପ୍ରୟାସ ପୂର୍ବରୁ ବିଫଳ ହୋଇଥିଲା। ୨୦୧୮ରେ ଏକ ପରୀକ୍ଷଣରେ ଦୁଇ ପୁରୁଷ ମୂଷାର ଜିନ ମିଶାଇ ଏକ ଭ୍ରୁଣ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଜନ୍ମର ଗୋଟିଏ ଦିନ ପରେ ସେହି ମୂଷା ମରିଯାଇଥିଲା। ଏଥର ଚୀନ ବିଜ୍ଞାନୀମାନେ ଜିନ ଡିଲିସନ ବଦଳରେ ମିଥାଇଲେସନ ମାଧ୍ୟମରେ ଏପିଜେନେଟିକ ରିପ୍ରୋଗ୍ରାମିଂ କରିଥିଲେ। ଏହା ଦ୍ୱାରା ଭ୍ରୁଣ ଅଧିକ ସ୍ୱାସ୍ଥ୍ୟବାନ ରହିଲା ଏବଂ ତା’ର ଜୀବନଧାରଣ କ୍ଷମତା ମଧ୍ୟ ଉନ୍ନତ ହେଲା।
ଲଣ୍ଡନର University College London ର ଆସୋସିଏଟ ପ୍ରଫେସର ହେଲେନ ଓ’ନିଲ କହିଛନ୍ତି, “ଏହା ପ୍ରମାଣ କରୁଛି ଯେ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ଏକ ଲିଙ୍ଗରୁ ସନ୍ତାନ ଜନ୍ମ ଦେବାରେ ପ୍ରମୁଖ ବାଧା ହେଉଛି ଜିନୋମିକ ଇମ୍ପ୍ରିଣ୍ଟିଂ। ଏବେ ଏହାକୁ ଅତିକ୍ରମ କରାଯାଇପାରୁଛି।”
ଏହି ପରୀକ୍ଷଣ ଦର୍ଶାଉଛି ଯେ ପ୍ରାକୃତିକ ଭାବେ ଆବଶ୍ୟକୀୟ ବୋଲି ବିବେଚିତ ଜିନ ଇମ୍ପ୍ରିଣ୍ଟିଂ ପାଟର୍ଣ୍ଣକୁ ବିଜ୍ଞାନ ପରିବର୍ତ୍ତନ କରିପାରେ। ଜିନୋମିକ ଇମ୍ପ୍ରିଣ୍ଟିଂ ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ପୁରୁଷ ଓ ମହିଳା ନିଜ ଡିଏନଏରେ ନିର୍ଦ୍ଦିଷ୍ଟ ରାସାୟନିକ ପରିବର୍ତ୍ତନ କରନ୍ତି, ଯାହା ଭ୍ରୁଣର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଏବେ ବିଜ୍ଞାନୀମାନେ ଏହି ପରିବର୍ତ୍ତନଗୁଡ଼ିକୁ ଲାବରେ ସଫଳତାର ସହ ରିପ୍ରୋଗ୍ରାମ କରିଛନ୍ତି।
ଭବିଷ୍ୟତ ପାଇଁ ନୂଆ ସମ୍ଭାବନା ଯଦିଓ ଏହି ସଫଳତା ମଣିଷ ପାଇଁ ସିଧାସଳଖ ଉପଯୋଗୀ ନୁହେଁ, ତଥାପି ଏହା ପ୍ରଜନନ ଜୀବବିଜ୍ଞାନ, ଜେନେଟିକ ବନ୍ଧ୍ୟାତ୍ୱ ଏବଂ କ୍ଲୋନିଂ ପରି କ୍ଷେତ୍ରରେ ନୂଆ ପଥ ଖୋଲିବ। ଏହା ସାଙ୍ଗକୁ ଭବିଷ୍ୟତରେ ମହାକାଶ ଯାତ୍ରା, ପଶୁପାଳନ ଏବଂ ବିଲୁପ୍ତ ପ୍ରଜାତିକୁ ପୁନର୍ଜନ୍ମ ଦେବା ପରି କ୍ଷେତ୍ରରେ ମଧ୍ୟ ନୂଆ ଦିଗ ପ୍ରଦାନ କରିପାରେ। ଏହି ଗବେଷଣା ବିଜ୍ଞାନର ସୀମାକୁ ଆହୁରି ଆଗେଇ ନେବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
Comments are closed.