Latest Odisha News

BREAKING NEWS

ପୁରୀ ଏମାର ମଠ ଛାଡିବାକୁ ମହନ୍ତ ନାରାଜ !

ପୁରୀ: ପୁରୀ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ୨ୟ ଦିନ ମଧ୍ୟ ଆରମ୍ଭ ହୋଇଥିବାବେଳେ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ଆସ୍ଥାନ ଛାଡୁ ନାହାନ୍ତି ।

ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ମଠ ଉଚ୍ଛେଦ ନେଇ ଗୁରୁବାର ଦିନ ତାଙ୍କ ସହ ଆଲୋଚନା କରିଥିବାବେଳେ ଆଜି କିଛି ସମୟ ଲାଗି ସେ ବାହାରକୁ ଆସି ପୁଣିଥରେ କୋଠରୀ ମଧ୍ୟକୁ ଚାଲିଯାଇଥିଲେ । ଆହୁରି ମଧ୍ୟ ତାଙ୍କୁ ଏନେଇ କୌଣସି ନୋଟିସ୍ ମିଳିନାହିଁ ଏବଂ କୋଠରୀ ସମ୍ପୂର୍ଣ୍ଣ ନିରାପଦ ଥିବା ନେଇ ସେ ପ୍ରକାଶ କରିଛନ୍ତି ।

କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ମଠ ନିକଟରେ ପୋଲିସ ବାହିନୀ ମୁତୟନ ରହିଥିଲେ ।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ଥିବା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଗତ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା।

ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ଥିବା ବହୁ ପୁରାତନ ଚାରି ମହଲା ବିଶିଷ୍ଟ ଏମାର ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିଲା । ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳ ବଳବନ୍ତ ସିଂହଙ୍କ ସମେତ ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ ।

ସେହିପରି ମଠ ମଧ୍ୟରେ ଥିବା ବ୍ରିଟିଶ ଅମଳର ତଥା ବହୁ ପୁରାତନ ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ତଥା ନଥିପତ୍ର ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ଟ୍ରାଫିକ ବ୍ୟବସ୍ଥାକୁ କକୁଡିଖାଇ ଛକ ଆଡକୁ ଦିଗ ପରିବର୍ତ୍ତନ କରାଯାଇଛି ।

ତେବେ ଲଙ୍ଗୁଳି ଓ ଏମାର ମଠ ପରି ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ଥିବା ସମସ୍ତ ମଠକୁ ମଧ୍ୟ ଖୁବଶୀଘ୍ର ଭଙ୍ଗାଯିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ପରେ ପୂର୍ବରୁ ମେଘନାଦ ପାଚେରୀର ଚାରପାଖରୁ ଉଚ୍ଛେଦ ପ୍ରକ୍ରିୟା ସରିଯାଇଛି । ଗତ ଅଗଷ୍ଟ ୧୬ ତାରିଖ ଦିନ ଓଡିଶା କ୍ୟାବିନେଟରେ ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ପାଶ୍ୱର୍ରୁ ପ୍ରାୟ ୭୫ମି. ପର୍ଯ୍ୟନ୍ତ ସ୍ଥାନ ଖାଲି କରିବା ଲାଗି ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.