Latest Odisha News

ରାହୁଲ ପ୍ରଭାବ, ସ୍ଥଗିତ ହେବ କି ନିର୍ବାଚନ ?

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ଅନୁଭବୀ ଓ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ଜଣାଶୁଣା ଶରଦ ପାୱାରଙ୍କ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ ଏକ ମନ୍ତବ୍ୟକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପ୍ରଭାବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି।

ଏହି କର୍ଣ୍ଣାଟକ ଫଳାଫଳରୁ ଭାରତ ଯୋଡୋ ଯାତ୍ରାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡୁଛି କହିବା ସହ ଆଉ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି ଶରଦ। ଏହାର ପରିଣାମ ସ୍ୱରୂପ ଦେଶର ସାଧାରଣ ନିର୍ବାଚନ ସ୍ଥଗିତ ହେବାର ସମ୍ଭାବନା ଅଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଶରଦ। ଯାହାକୁ ନେଇ ଏବେ ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଛି।

ଶରଦ ପାୱାରଙ୍କ ଭଳି ଜଣେ ଅନୁଭବୀ ନେତା କାହିଁକି ଏମିତି କହିଲେ ଓ ତାଙ୍କର ଏଭଳି କହିବା ପଛରେ କାରଣ କଣ ବୋଲି ପ୍ରଶ୍ନ ଉଠିଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଦେଶର ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାଇଛି। ଏହି ଯାତ୍ରା ପରେ କର୍ଣ୍ଣାଟକରେ ନିର୍ବାଚନ ହୋଇଛି ଓ କଂଗ୍ରେସ ବଡ଼ ବିଜୟ ହାସଲ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସବୁ ଦମଦାର ନେତା ନିଜର ସମସ୍ତ ଶକ୍ତି ଖଟାଇଲେ ମଧ୍ୟ କର୍ଣ୍ଣାଟକରେ ବିଜେପିକୁ ବଡ଼ ଧକ୍କା ଲାଗିଛି। ଏପରିକି ଭାରତ ଯୋଡୋ ଯାତ୍ରା ଯାଇଥିବା ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଆଗକୁ ନିର୍ବାଚନ ଅଛି। ଦେଶର ସାଧାରଣ ନିର୍ବାଚନକୁ ମଧ୍ୟ ଆଉ ଅଧିକ ସମୟ ବାକି ନାହିଁ।

କଂଗ୍ରେସ ମଧ୍ୟ କର୍ଣ୍ଣାଟକ ବିଜୟ ପରେ ଉତ୍ସାହିତ ହେବା ସହ ଅନ୍ୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ହେଉଛି। ତେଣୁ ଏଭଳି ସମୟରେ ଶରଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ ସ୍ଥଗିତ ହୋଇପାରେ ବୋଲି ଶରଦ କାହିଁକି ଆଶଙ୍କା ବ୍ୟକ୍ତ କଲେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ଏପରିକି ଏ ନେଇ ବିଷଦ ଭାବେ ସେ କିନ୍ତୁ କିଛି ନ କହିବା ପ୍ରସଙ୍ଗକୁ ଆହୁରି ରୋଚକ କରିଛି। ସେପଟେ ଆଗକୁ ଶରଦ ପାୱାର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ବିଜେପି ବିରୋଧରେ ଏକ ପ୍ରଭାବୀ ବିକଳ୍ପ ତିଆରି କରିବାକୁ ସେ ଉଦ୍ୟମ କରୁଥିବା କହିଛନ୍ତି।

ସେପଟେ ଆଗକୁ ହେବାକୁ ଥିବା ବମ୍ବେ ମହାନଗର ନିଗମ ନିର୍ବାଚନ ପାଇଁ ମହାବିକାଶ ଅଘାଡି ମେଣ୍ଟର ସିଟ ଭାଗବଣ୍ଟା ପାଇଁ ଆଲୋଚନା ହେବ ବୋଲି ସେ କହିଛନ୍ତି। ଉଦ୍ଧବ ଗୋଷ୍ଠୀ ଶିବସେନା, ଏନସିପି ଓ କଂଗ୍ରେସର ଏମଭିଏ ମେଣ୍ଟ କିଭଳି ସଫଳତାର ସହ ଆଗକୁ ବଢିବ ଓ ସମସ୍ତେ ଏକାଠି ହୋଇ କିଭଳି ଆଗକୁ କାମ ଜାରି ରଖିବେ ସେ ନେଇ ସହଯୋଗୀ ଦଳଗୁଡିକ ମଧ୍ୟରେ ସଠିକ ବୁଝାମଣା ଥିବା ଶରଦ କହିଛନ୍ତି।

Leave A Reply

Your email address will not be published.