Latest Odisha News

BREAKING NEWS

ମୋଦିଙ୍କ ସମର୍ଥନରେ ଶରଦ !

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ରାଜନୈତିକ ଚେହେରା ହେଉଛନ୍ତି ଶରଦ ପାୱାର। ତାଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏନସିପିର ଉପସ୍ଥିତି ବିଭିନ୍ନ ରାଜ୍ୟରେ ରହିଛି। ଭାରତୀୟ ରାଜନୀତିର ଏହି ଅନୁଭବୀ ନେତାଙ୍କ ଯୋଗୁ ବିଜେପି ବିରୋଧୀ ମଞ୍ଚ ବେଶ ଶକ୍ତିଶାଳୀ ହେଉଥିବା ଦେଖାଯାଉଥିଲା।

ଏପରିକି ସଭରକରଙ୍କ ବିରୋଧରେ ରାହୁଲଙ୍କ ମନ୍ତବ୍ୟ ପାଇଁ ଉଦ୍ଧବ ଠାକରେ ମେଣ୍ଟ ଭାଙ୍ଗିବା କଥା କହିଥିବାବେଳେ ଶରଦ ପାୱାର ରାହୁଲଙ୍କୁ ବୁଝାଇଥିଲେ। କିନ୍ତୁ ଏବେ ଶରଦଙ୍କ ମନ୍ତବ୍ୟକୁ ନେଇ ଅଡୁଆରେ ବିରୋଧୀ। ଏପରିକି ବିଜେପି ବିରୋଧୀ ମେଣ୍ଟର ସ୍ଥାୟୀତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଦେଶରେ ବିରୋଧୀ ଏକତାର କଥା କୁହାଯାଉଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ସମସ୍ତେ ଏକାଠି ହୋଇପାରି ନ ଥାନ୍ତି। କେତେବେଳେ କଂଗ୍ରେସ ନେତୃତ୍ୱକୁ ସମସ୍ତ ବିରୋଧୀ ଗ୍ରହଣ କରି ନ ଥାନ୍ତି ତ କେତେବେଳେ ଆଞ୍ଚଳିକ ଦଳଗୁଡିକ ଭିନ୍ନ ଭିନ୍ନ ବାଟରେ କିଛି ବିରୋଧୀଙ୍କୁ ଏକାଠି କରିବାରେ ଲାଗିଥାନ୍ତି। ଯାହାକୁ ନେଇ ବିରୋଧୀ ସଫଳ ହୋଇପାରୁନାହାନ୍ତି।

କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ପରେ ସବୁ ବିରୋଧୀ ଏକ ହୋଇ ବିଜେପିକୁ ହଟାଇବାକୁ ଲାଗି ପଡ଼ିଛନ୍ତି। ଏନସିପି ମଧ୍ୟ ଶକ୍ତ ବିରୋଧୀ ଭାବେ ବିରୋଧୀଙ୍କ ସହ ରହିଛି। କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଶରଦ ପାୱାର ହିଣ୍ଡେନବର୍ଗ ରିପୋର୍ଟ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ହେଉଛି ତେଣୁ ଏପରି ସ୍ଥିତିରେ ଜେପିସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହି ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇବା ଅନାବଶ୍ୟକ ବୋଲି କହିବା ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।

ସେହିପରି ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇବାର କୌଣସି ମୂଲ୍ୟ ନାହିଁ। ଆହୁରି ଅନେକ ପ୍ରସଙ୍ଗ ରହିଛି ଉଠିବା ଦରକାର ବୋଲି ସେ କହିଛନ୍ତି। ଆମ୍ ଆଦମୀ ପାର୍ଟି ମୋଦୀଙ୍କ ବିରୋଧରେ ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରି ବିଜେପିକୁ ଘେରିବା ଆରମ୍ଭ କରିଛି। ଏହି ସମୟରେ ଶରଦ ପାୱାରଙ୍କ ଭଳି ନେତା ଏହାକୁ ଅନାବଶ୍ୟକ ବୋଲି କହିବା ସ୍ଥିତିକୁ ଜଟିଳ କରିଛି।

ଏପରିକି ଏହାକୁ ନେଇ ବିରୋଧୀ ଏକତା ଉପରେ ପ୍ରଶ୍ନ ଉଠିଛି। ଏସବୁ ପ୍ରସଙ୍ଗକୁ ନେଇ ବିଜେପି ଅସୁବିଧାରେ ପଡିଥିବା ବେଳେ ବିରୋଧୀଙ୍କ ସପକ୍ଷରେ ବାତାବରଣ ତିଆରି ହୋଇଛି। ସେଭଳି ସମୟରେ ଶରଦଙ୍କ ଲଗାତର ଏଭଳି ମନ୍ତବ୍ୟ ଲୋକଙ୍କ ଚକ୍ଷୁରେ ବିରୋଧୀଙ୍କୁ ଦୁର୍ବଳ କରିଦେଉଥିବା ବେଳେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବାରେ ବିଜେପିକୁ ସୁଯୋଗ ଦେଉଛି।

ତେଣୁ ଏଠାରେ ଏନସିପି ଓ ଶରଦଙ୍କ ଆଭିମୁଖ୍ୟ କଣ ବୋଲି ପ୍ରଶ୍ନ ଉଠିଛି। ଗୋଟିଏ ପଟେ କଂଗ୍ରେସର କିଛି ପ୍ରତିଷ୍ଠିତ ନେତା ଦଳ ଛାଡି ବିଜେପିରେ ମିଶିବା ଓ କଂଗ୍ରେସ ବିରୋଧରେ କଂଗ୍ରେସ ନେତା ମନ୍ତବ୍ୟ ଦେବାକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶରଦଙ୍କ ଏଭଳି ମନ୍ତବ୍ୟ ବିରୋଧୀଙ୍କୁ ଚକିତ କରିଛି। ତେଣୁ ଏ ସବୁରୁ ମୁକୁଳି ବିରୋଧୀ କିଭଳି ଆଗକୁ ଏକତାକୁ ବଜାୟ ରଖିପାରିବେ ତା ଉପରେ ନଜର।

Comments are closed.