Latest Odisha News

BREAKING NEWS

ନୀତୀଶଙ୍କ ପରେ ଏନଡିଏ ମୁହାଁ ଉଦ୍ଧବ ଠାକରେ!

ମୁମ୍ବାଇ: ନୀତୀଶ କୁମାରଙ୍କ ଆୟା ରାମ୍ ଗୟା ରାମ୍ ନୀତି କାହାକୁ ଅଛପା ନାହିଁ। ଇଣ୍ଡିଆ ମେଣ୍ଟରୁ ଓହରିବା ଓ ଏନଡିଏ ସହ ମିଶିବା ତାଙ୍କ ଦଳ ଡିଆଁ ନୀତିକୁ ବେଶ୍ ସ୍ପଷ୍ଟ କରିଦେଇଛି। ତେବେ ଏହି ଟ୍ରେଣ୍ଡରେ ସାମିଲ୍ ହେବେ କି ଇଣ୍ଡିଆ ଗଠବନ୍ଧନର ଆଉ ଜଣେ ଟାଣୁଆ ନେତା? ରାଜନୈତିକ ଉଡ଼ା ମହଲରେ ଚର୍ଚ୍ଚା ହେଇଛି ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ କୁଆଡେ ମୋଦୀଙ୍କ ଆଡ଼କୁ ଢ଼ଳୁଛନ୍ତି। ଏହି କ୍ରମରେ ସେ ଖୁବ୍ ଶୀଘ୍ର ଏନଡିଏରେ ମିଶି ପାରନ୍ତି।

କାରଣ ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏଭଳି ସମୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସ୍ବର ମଧ୍ୟ ବଦଳୁଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ସେ କେବେହେଲେ ପ୍ରଧାନମନ୍ତ୍ରୀଙ୍କ ଶତ୍ରୁ ନୁହଁନ୍ତି। ଦିନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଇଣ୍ଡିଆ ମେଣ୍ଟର ସଦସ୍ୟ। ଶପଥ ନେଇଥିଲେ ଦେଶକୁ ଏନଡିଏ ତଥା ମୋଦି ଲହରରୁ ବଞ୍ଚାଇବା ପାଇଁ। କିନ୍ତୁ ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ମହାରାଷ୍ଟ୍ରରେ ଇଣ୍ଡିଆ ମିଳିତ ମଞ୍ଚରେ ସବୁକିଛି ଠିକ ଅଛି କି ନାହିଁ ସେ ପ୍ରଶ୍ନ ଏବେ ଉଙ୍କି ମାରୁଛି। ମହାରାଷ୍ଟ୍ରର ଇଣ୍ଡିଆ ମିଳିତ ମଞ୍ଚରେ ମଧ୍ୟ ବିଭାଜନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ, ଫେବୃଆରୀ ୪ରେ ମହାରାଷ୍ଟ୍ରର ସାୱନ୍ତୱାଡି ଠାରେ ଉଦ୍ଧବ ଠାକରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ତାଙ୍କର ପୁରୁଣା ଆଭିମୁଖ୍ୟ ଆଉ ତାଙ୍କର ଭାଷଣ ଯେମିତି ଖାପ ଖାଉନଥିଲା। ଉଦ୍ଧବ ଠାକରେ କହିଥିଲେ, ଆମେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଶତ୍ରୁ ନ ଥିଲୁ ଏବଂ ଆଜି ମଧ୍ୟ ତାଙ୍କର ଶତ୍ରୁ ନାହୁଁ … ଶିବସେନା ସହ ସମ୍ପର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ମୋଦି ହିଁ ଥିଲେ। ଆମେ ତୁମ ସହିତ ଥିଲୁ ଶିବସେନା ତୁମ ସହିତ ଥିଲେ, କିନ୍ତୁ ପରେ ତୁମେ ଆମଠାରୁ ନିଜକୁ ଦୂରେଇ ରଖିଲ।

ଉଦ୍ଧବଙ୍କ ଏପରି ବୟାନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ଯ ସରଗରମ ହେବାରେ ଲାଗିଛି। କୁହା ଯାଉଛି ଯେ ନୀତୀଶ କୁମାରଙ୍କ ପରି ଇଣ୍ଡିଆ ମେଣ୍ଟର ହାତ ଛାଡି ଏନଡିଏ ଶିବିରରେ ମିଶି ପାରନ୍ତି ଉଦ୍ଧବ ଠାକରେ।

ପୁରୁଣା କଥା ବିଷୟରେ ନଜର ପକାଇଲେ ୨୦୨୨ ମହାରାଷ୍ଟ୍ର ରାଜନୀତି ସଙ୍କଟ ଉପରେ ସମସ୍ତଙ୍କ ଦୃଷ୍ଟି ଯାଇଥିଲା। କାରଣ ୨୦୨୨ ଜୁନ ୨୧ରେ ଦୁଇ ଭାଗ ହୋଇଥିଲା ଶିବ ସେନା। ଦଳର ପ୍ରତିଷ୍ଠାତା ବାଲସାହେବ ଠାକରେ ହିନ୍ଦୁତ୍ବକୁ ବେଶ୍ ପ୍ରାଧାନ୍ୟ ଦେଉଥିଲେ। ସେପଟେ ବିଜେପିର ମଧ୍ୟ ଏହି ସମାନ ଆଭିମୁଖ୍ୟ ଥିଲା। ଦୁଇ ଦଳ ଏକାଠି ହୋଇ କାମ କରୁଥିଲେ। କିନ୍ତୁ ତାଙ୍କ ପରେ ତାଙ୍କ ପୁଅ ଉଦ୍ଧବ ଠାକରେ ଏହାକୁ ସେତେଟା ପ୍ରାଧାନ୍ୟ ଦେଉନଥିଲେ। ତାଙ୍କ ଦଳ ୨୦୧୯ ପରେ ବିଜେପିରୁ ଓହରି ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସହ ମିଶି ମହା ବିକାଶ ଅଘାଡି ତିଆରି କରିଥିଲେ। କିନ୍ତୁ ୨୧ ଜୁନ ୨୦୨୨ରେ ଏକନାଥ ସିନ୍ଦେ ୩୭ ବିଧାୟକଙ୍କୁ ନେଇ ସୁରଟ ମୁହାଁ ହୋଇଥିଲେ, ଏବଂ ପୁଣି ଶିବସେନା ଓ ବିଜେପିର ସମ୍ପର୍କକୁ ମଜଭୁତ କରିଥିଲେ। କିନ୍ତୁ ଏପଟେ ଦୁଇ ଭାଗ ହୋଇଯାଇଥିଲା ଶିବସେନା। ଏବଂ ପାଲଟିଥିଲା ଶିବସେନା ଓ ଶିବସେନା (ୟୁବିଟି)।

Leave A Reply

Your email address will not be published.