Latest Odisha News

BREAKING NEWS

ଖୁଦୁରୁକୁଣୀ ଓଷା: ଭାଇଙ୍କ ଶୁଭ ମନାସୀ ଭଉଣୀ କରେ ଉପବାସ, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ଭୁବନେଶ୍ୱର: ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ମାନେ ପାଳନ କରିଥାନ୍ତି। ଏଥିରେ ମା ମଙ୍ଗଳାଙ୍କର ପୂଜା ଅର୍ଚନା କରାଯାଇଥାଏ ।

ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ । ଅବିବାହିତା ଝିଅ ମାନେ ଭାଇଙ୍କର ଶୁଭ ମନାସୀ ଏହି ଓଷା କରନ୍ତି । ଏହିଦିନ ଝିଅ ମାନେ ପବଢ଼ି ଭୋରୁ ଗାଁ ଗଣ୍ଡା ବୁଲି ଫୁଲ ତୋଳନ୍ତି । ଏହାପରେ ନଦୀ ବା ପୁଷ୍କରଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ବଜ୍ରମୂଳୀ ଦାନ୍ତକାଠି ପୋତି ଫୁଲରେ ସଜାଇ ପୂଜା କରନ୍ତି । ଝିଅମାନେ ମେଳି ହୋଇ ଫୁଲ ହାର ତିଆରି କରନ୍ତି । ଆଉ ମାଆଙ୍କ ପୂଜା ପାଇଁ ପ୍ରସ୍ତୁତି କରନ୍ତି ।

ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ ପୁରାଣ ପଢ଼ାଯାଏ । ଶେଷରେ ମାଆ ମଙ୍ଗଳାଙ୍କଠାରେ ଭୋଗ ଲଗାଯାଏ ।ପୂଜା ଶେଷରେ ଶଙ୍ଖ, ହୁଳହୁଳି ମଧ୍ୟରେ ଖଇ, ଉଖୁଡା, ଖସା ଲଡୁ ଓ ନାନାଦି ଫଳରେ ଭୋଗ ଲାଗି ହୋଇଥାଏ ।

କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

Leave A Reply

Your email address will not be published.