Latest Odisha News

BREAKING NEWS

ଆଜି ଅବସର ନେବେ ଅସିତ ତ୍ରିପାଠୀ, ମୁଖ୍ୟଶାସନ ସଚିବ ଭାବରେ କୋଭିଡ ମୁକାବିଲା ଥିଲା ବଡ ଆହ୍ୱାନ

ଭୁବନେଶ୍ୱର: ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୋଟ ୧୬ ମାସ ଏହି ପଦବୀରେ ରହି ସେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।

କୋଭିଡ୍ ମୁକାବିଲା ହେଉ ଅବା ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ସବୁଥିରେ ତାଙ୍କର ଅବଦାନ ରହିଛି । ୨୦୧୯ ମସିହା ଅଗଷ୍ଟ ମାସରେ ଦାୟିତ୍ୱ ଗ୍ରହଣ କରିଥିଲେ ସେ । ମୁଖ୍ୟ ଶାସନ ସଚିବ ଭାବେ କାମ କରିବା ଭିତରେ ତାଙ୍କ ପାଇଁ କରୋନା ମୁକାବିଲା ହିଁ ଥିଲା ବଡ ଚ୍ୟାଲେଂଜ । ପ୍ରଶାସନରେ ତାଙ୍କ ବଡ ଅଭିଜ୍ଞତା ଯୋଗୁଁ ରାଜ୍ୟ ପ୍ରଶାସକମାନଙ୍କୁ ନେଇ ସେ ଏହାର ସଫଳ ମୁକାବିଲା କରିପାରିଥିଲେ ।

ଦିନରାତି ନିଜ ଟିମ୍ ସହ କାମ କରି କରୋନାକୁ ସଂକ୍ରମଣରୁ କିପରି ଲୋକଙ୍କୁ ରକ୍ଷା କରିହେବ ସେ ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରାଯାଇଥିଲା । ଏପରିକି କୋଭିଡ୍ ସୁପରିଚାଳନା ପାଇଁ ନୀତି ଆୟୋଗ ମଧ୍ୟ ରାଜ୍ୟକୁ ପ୍ରଶଂସା କରିଛି ।

କେବଳ ସେତିକି ନୁହେଁ କୋଭିଡ୍ ସମୟରେ ଯେତେବେଳେ ଆମ ଅର୍ଥନୀତି ଭୁଷୁଡି ପଡୁଥିଲା ସେତେବେଳେ ସେ ରାଜ୍ୟରେ କିପରି ଅଧିକରୁ ଅଧିକ ପୁଂଜି ନିବେଶ ହେବ ସେ ନେଇ ମଧ୍ୟ ଉଦ୍ୟମ କରିଥିଲେ । ଚଳିତ ବର୍ଷ ରାଜ୍ୟରେ ୨ ଲକ୍ଷ ୩୭ ହଜାର କୋଟି ଟଙ୍କାର ପୁଂଜି ନିବେଶ ହୋଇଛି । ଯାହାକି ଗୁଜରାଟ, ମଧ୍ୟପ୍ରଦେଶକୁ ପଛରେ ପକାଇ ଦେଇଛି ।

ଚଳିତ ବର୍ଷ କୋଭିଡ ସମୟରେ ସଂକ୍ରମଣର ଭୟ ଥିବାରୁ ରଥଯାତ୍ରା ହେବ କି ନାହିଁ ସେ ନେଇ ସମସ୍ତେ ଆଶା ଆଶଙ୍କାରେ ଥିଲେ । ଶେଷରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଶେଷ ମୁହୂର୍ତ୍ତରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିଲା । ଖୁବ୍ କମ ସମୟ ମଧ୍ୟରେ ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ବି ହୋଇଥିଲା । ଯାହା ପଛରେ ମୁଖ୍ୟ ଭୂମିକା ଥିଲା ଶ୍ରୀ ତ୍ରିପାଠୀଙ୍କର ।

ଯେତେବେଳେ ସେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଲେ ସେତେବେଳେ ଫନି ବାତ୍ୟାରେ ଧ୍ୱଂସ୍ତ ବିଧ୍ୱସ୍ତ ହୋଇଥିଲା ରାଜ୍ୟ । ତେଣୁ ଦାୟିତ୍ୱ ନେବା ପରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିଥିଲେ ।

ନିଜ ଚାକିରୀ କାଳରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୁଚାରୁ ରୂପେ ତୁଲାଇଛନ୍ତି । ଆଜି ସେ ଅବସର ନେବା ପରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.