Latest Odisha News

BREAKING NEWS

ହୋଲି ଖେଳ ହେଲା କାଳ: ପାଣିରେ ବୁଡ଼ି ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହୋଲି ଉତ୍ସବ ପାଳନ ସମୟରେ ଓଡ଼ିଶାରେ ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୬ ଜଣଙ୍କର ପ୍ରାଣହାନୀ ଘଟିଛି ।

କଟକରେ ଜଣେ କଲେଜ ଛାତ୍ର ହୋଲି ଖେଳିସାରି କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଛାତ୍ର ଜଣକ ଗୋପାଳପୁର ଗ୍ରାମର ସତିଶ କୁମାର ସାହୁ ଏବଂ ସେ ସହର ଉପକଣ୍ଠସ୍ଥ କନ୍ଦରପୁର କଲେଜରେ +୨ ଛାତ୍ର ବୋଲି ଜଣାପଡ଼ିଛି ।

ହୋଲି ଖେଳ ପରେ ସାଙ୍ଗମାନଙ୍କ ସହିତ ସେ ଗାଧୋଇବାକୁ କାଠଯୋଡ଼ି ଯାଇଥିଲେ । ଗଭୀର ଜଳ ମଧ୍ୟରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ବୁଡ଼ିଯାଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ଆସି ମୃତ ଶରୀରକୁ ଜଳ ମଧ୍ୟରୁ ଉଦ୍ଧାର କରିଥିଲେ ।

ସେହିପରି ଟ୍ୱିନସିଟି ଉପକଣ୍ଠରେ ଥିବା ବାରଙ୍ଗ ନିକଟସ୍ଥ ପୁରୀ କେନାଲରେ ବୁଡ଼ି ଜରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ପରିଚୟ ତୁରନ୍ତ ମିଳିପାରିନଥିଲେ ମଧ୍ୟ ସେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଜଣା ପଡ଼ିଛି ।

ଯାଜପୁର ଅଞ୍ଚଳରୁ ରିପୋର୍ଟ ମିଳିଛି ଯେ, ହୋଲି ଖେଳି ଗାଧାଉଥିବା ବେଳେ ଖରସ୍ରୋତା ନଦୀରେ ଜଣେ ଯୁବକ ବୁଡ଼ିଯାଇ ତାଙ୍କର ପ୍ରାଣହାନୀ ଘଟିଛି । ମୃତକ ଜଣକ ହେଲେ ନିରଞ୍ଜନ ପଟ୍ଟନାୟକ ଏବଂ ସେ ଜଗତପୁର ଅଞ୍ଚଳର ବେରଡ଼ା ପଞ୍ଚାୟତର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଜଳ ମଧ୍ୟରୁ ମୃତ ଶରୀର ଉଦ୍ଧାର କରିଛନ୍ତି ।

ଅନ୍ୟଏକ ବୁଡ଼ି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ-ଡ଼ିଭିଜନ ଲହୁଣିପଡ଼ା ଥାନା ଅନ୍ତର୍ଗତ ଠିଆବେରଣା ଗ୍ରାମରେ । ବିଷ୍ଣୁ ଗଡ଼ସରା ନାମକ ଜଣେ ୧ମ ଶ୍ରେଣୀ ଛାତ୍ର ଗ୍ରାମ ପୋଖରୀରେ ବୁଡ଼ି ତାଙ୍କର ପ୍ରାଣହାନୀ ଘଟିଛି ।

ସେହିପରି ମୟୁରଭଞ୍ଜ ଜିଲ୍ଲା ସିମିଳିପାଳ ଅନ୍ତର୍ଗତ ସୀତାକୁଣ୍ଡ ଜଳପ୍ରପାତରେ ହୋଲି ଖେଳି ଗାଧୋଇବା ସମୟରେ ଜଣେ ଯୁବକଙ୍କ ଗଭୀର ଜଳସ୍ରୋତରେ ସଳିଳ ସମାଧି ହୋଇଛି । ମୃତକ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର ଅକ୍ଷୟ ଶର୍ମା ।

ହୋଲି ଖେଳ ପରେ ମର୍ମନ୍ତୁଦ ମୃତ୍ୟୁ ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ । ଗୁରୁଜଭଟା ଗ୍ରାମର ଆଶୁତୋଷ ବିଶି ନାମକ ଜଣେ ବ୍ୟକ୍ତି ତେଲ ନଦୀରେ ଗାଧୋଇବା ଅବସ୍ଥାରେ ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.