Latest Odisha News

BREAKING NEWS

ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଗାଇଡଲାଇନ ତ୍ରୁଟିପୂର୍ଣ୍ଣ ! ସଂଶୋଧନ ପାଇଁ ଦାବି

ଭୁବନେଶ୍ୱର: ଗତ ୯ ଅଗଷ୍ଟ ୨୦୨୩ ତାରିଖରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟରେ ଜନବସତି ମଧ୍ୟକୁ ପଶି ଆସୁଥିବା ସାପ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ନୂଆ ଗାଇଡଲାଇନ ପ୍ରବର୍ତ୍ତନ କରାଯାଇଛି। ସେହି ଗାଇଡଲାଇନ ଆଭିମୁଖ୍ୟ ଏବଂ ନିୟମାବଳୀ ବିଷୟରେ ରାଜ୍ୟର ସାପ ଉଦ୍ଧାରକାରୀମାନଙ୍କୁ ସଚେତନ କରେଇବା ପାଇଁ ସ୍ନେକ ହେଲ୍ପଲାଇନ ତରଫରୁ ଏକ କର୍ମଶାଳା ବୁଦ୍ଧ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା।

ସ୍ନେକ ହେଲ୍ପଲାଇନ ସ୍ବେଚ୍ଛାସେବୀମାନଙ୍କ ସମେତ ରାଜ୍ୟର ୧୦୩ ଜଣ ସାପ ଉଦ୍ଧାରକାରୀ ଏଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାପ ଉଦ୍ଧାରକାରୀମାନେ ଗାଇଡଲାଇନର ନିୟମାବଳୀ ଗୁଡିକର କାର୍ଯ୍ୟକାରୀତା, ବ୍ୟବହାର୍ଯ୍ୟତା, ସାଧ୍ୟତା, ପ୍ରଯୁଜ୍ୟତା, ଉପଯୋଗୀତା, ଏବଂ ଅନୁପାଳନ ସମୟରେ ଦେଖା ଦେବାକୁ ଥିବା ସମ୍ଭାବ୍ୟ ସମସ୍ୟା ବିଷୟରେ ନିଜର ମତ ରଖିଥିଲେ।

୧. ନାମକରଣରେ ତ୍ରୁଟି:- ପ୍ରଥମ ଗୁରୁତର ତ୍ରୁଟି ହେଲା ସ୍ନେକ୍ ହ୍ୟାଣ୍ଡଲର୍ (Snake handler) ଶବ୍ଦ । ସାପ ହ୍ୟାଣ୍ଡଲିଙ୍ଗ ହେଉଛି ସାପ ଉଦ୍ଧାର କାମର ଏକ ସୋପାନ ମାତ୍ର। ସାପକୁ ଖୋଜିବା, ଧରିବା, ବ୍ୟାଗରେ ଭର୍ତ୍ତି କରିବା, ଯଦି ଦରକାର ପଡେ ଆବଶ୍ୟକୀୟ ଚିକିତ୍ସା ଯୋଗାଇବା ଏବଂ ସୁରକ୍ଷିତ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡିବା ଆଦି ସମସ୍ତ କାମର ସମାହାରକୁ ହିଁ ‘ଉଦ୍ଧାର’ ବା ରେସକ୍ୟୁ କୁହାଯାଏ। ତେଣୁ ସାପ ଉଦ୍ଧାରକାରୀମାନଙ୍କୁ ସ୍ନେକ ହ୍ୟାଣ୍ଡଲର ବୋଲି କହିବା ବେଆଇନ।

୨. ଆଇନଗତ ତ୍ରୁଟି: – ବନ୍ୟ ପ୍ରାଣୀ ଆଇନର ଭୁଲ ଧାରାକୁ ଭିତ୍ତି କରି ପ୍ରସ୍ତୁତ କରାଯିବା ସହିତ ଅନେକ ଆଇନଗତ ତ୍ରୁଟି ରହିଅଛି, ଯାହା ଏହି ଗାଇଡଲାଇନକୁ ଅସିଦ୍ଧ ପ୍ରମାଣିତ କରୁଛି।

୨.୧. ଭୁଲ ଧାରାକୁ ଭିତ୍ତି କରି ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି: ଗାଇଡଲାଇନଟି ବନ୍ୟ ଜୀବ (ସଂରକ୍ଷଣ) ଆଇନ, ୧୯୭୨ ର ଧାରା ୧୧କୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି, ଏବଂ ମୁଖ୍ୟ ବନ୍ୟଜୀବ ତତ୍ତ୍ଵାବଧାରକ କିମ୍ବା ତାଙ୍କର ଅଧିକୃତ ଅଧିକାରୀ ଅନୁମତି ଦେଇପାରିବେ ବୋଲି ଉଲ୍ଲେଖ କରାଯାଇଛି। ଯଦି କୌଣସି ବନ୍ୟ ପ୍ରାଣୀ ମଣିଷଙ୍କ ଜୀବନ ପାଇଁ ବିପଦ ପାଲଟି ଯାଇଥାଏ ସେଭଳି କ୍ଷେତ୍ରରେ ଧାରା ୧୧ ଦ୍ଵାରା ପ୍ରୟୋଗ କରି କୌଣସି ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ଵାବଧାରକ ସେହି ପ୍ରାଣୀକୁ ମାରିବା ପାଇଁ ବା ଧରି କୌଣସି ଚିଡିଆଖାନାରେ ରଖିବା ପାଇଁ ଅନୁମତି ଦେଇଥାନ୍ତି। କିନ୍ତୁ ଏହି ଧାରା ୧୧, ସାପ ଉଦ୍ଧାର ଓ ଥଇଥାନ ପାଇଁ ନିରାଧାର।

୨.୨. ସରକାରୀ କର୍ମଚାରୀଙ୍କ ପାଇଁ ଅନୁମତି ଲୋଡା ନାହିଁ: – ନିୟମ 4 (ii) ସାପ ଉଦ୍ଧାର କାର୍ଯ୍ୟ ପାଇଁ ବନ ବିଭାଗରେ ଚାକିରି କରିଥିବା କର୍ମଚାରୀମାନେ ମଧ୍ୟ ଇଚ୍ଛା କଲେ ପ୍ରମାଣିତ ଉଦ୍ଧାରକାରୀ ହେବା ପାଇଁ ଦରଖାସ୍ତ କରି ପାରିବେ ବୋଲି ଲେଖାଯାଇଛି। କିନ୍ତୁ ବନ୍ୟ ଜୀବ ଆଇନର ଧାରା ୬୦ ଅନୁଯାୟୀ ଶ୍ରଦ୍ଧାପୂର୍ବକ କରିଥିବା କୌଣସି କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯେ କୌଣସି ଅଫିସର ବା ଯେ କୌଣସି କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ ନାହିଁ।

୨.୩. ସାପଙ୍କୁ ସୁରକ୍ଷା ଦେବା ନାଗରିକର ମୌଳିକ କର୍ତ୍ତବ୍ୟ:- ନିୟମ 2.1. ରେ କେବଳ ପ୍ରମାଣିତ ବ୍ୟକ୍ତି ମାନେ ହିଁ ସାପ ଉଦ୍ଧାର କରି ପାରିବେ ବୋଲି ଲେଖା ଯାଇଛି, ଯାହାକି ଭାରତୀୟ ସମ୍ବିଧାନର ଅନୁଛେଦ 51 (A – g) ର ବିରୁଦ୍ଧାଚରଣ କରୁଛି। ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବା ପ୍ରତ୍ୟେକ ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ ଏବଂ ସାପ ମଧ୍ୟ ଏକ ବନ୍ୟ ପ୍ରାଣୀ। ଯଦି କେଉଁ ଲୋକଙ୍କ ଘରେ ସାପଟିଏ ପଶି ଯାଇଛି ଏବଂ କେହି ବ୍ୟକ୍ତି ସାପକୁ ଘରୁ ଧରି ନେଇ ବାହାରେ ବଣବୁଦାରେ ଛାଡି ଦେଇଛି, ସେ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିଛି ମାତ୍ର ! ମୌଳିକ କର୍ତ୍ତବ୍ୟ ପାଳନ ପାଇଁ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ।

୩. ବନ କର୍ମଚାରୀ ଦରମା ନେବେ, ସାପ ଉଦ୍ଧାରକାରୀ ମାଗଣା କାମ କରିବେ !- ସାପ ଉଦ୍ଧାରକାରୀ ମାନେ ସ୍ବେଚ୍ଛାସେବୀ, ସେମାନେ ମାଗଣାରେ କାମ କରିବେ, ବନ ବିଭାଗ ତାଙ୍କୁ କିଛି ପାରିଶ୍ରମିକ ଦେବ ନାହିଁ ଏବଂ ଉଦ୍ଧାରକାରୀ ମାନେ ଏନେଇ ଘୋଷଣାପତ୍ର ଲେଖିକି ଦେବେ ବୋଲି ଲେଖା ଯାଇଛି । ଏଇ ନିୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି ସାପ ଉଦ୍ଧାରକାରୀ ମାନେ ଦୃଢ ସ୍ଵରରେ କହିଥିଲେ ।

୪. ଇନସୁରାନ୍ସ ପ୍ରିମିୟମ୍ କିଏ ଭରିବ? – OSDMA ତରଫରୁ ଏଇ ଗାଇଡଲାଇନ ପ୍ରସ୍ତୁତିରେ ସହାୟତା ପ୍ରଦାନ କରାଯାଇଛି, ଏବଂ ଓସଡମା ତରଫରୁ ସାପ ଉଦ୍ଧାରକାରୀ ମାନଙ୍କ ପାଇଁ ଗୃପ ଇନସୁରାନ୍ସ ସୁବିଧା ଯୋଗେଇ ଦିଆଯିବ ବୋଲି ଉଲ୍ଲେଖ ଅଛି । ହେଲେ ପଲିସି ପାଇଁ ପ୍ରିମିୟମ୍, ଓସଡମା ନା ସାପ ଉଦ୍ଧାରକାରୀ କିଏ ଭରିବ ସେ ନେଇ କିଛି ଉଲ୍ଲେଖ ନାହିଁ।

୫. ରାଜ୍ୟରେ କେତେ ଲୋକ ସାପ କାମୁଡାର ଶୀକାର ହୁଅନ୍ତି ?- ଗାଇଡଲାଇନର ପ୍ରଥମ ପୃଷ୍ଠାରେ ଓଡ଼ିଶାରେ ଗତ ୭ ବର୍ଷରେ ରାଜ୍ୟରେ ଆନୁମାନିକ ୬୩୫୧ ଜଣଙ୍କୁ ସାପ କାମୁଡିବା କଥା ବନ ବିଭାଗ ତରଫରୁ ଲେଖାଯାଇଛି। କିନ୍ତୁ ଓସଡମା ଦ୍ଵାରା ପ୍ରସ୍ତୁତ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ- ୨୦୨୩ ର ୧୦୯ ନମ୍ବର ପୃଷ୍ଠାରେ ୨୦୧୫-୨୦୨୨ ମଧ୍ୟରେ ୬୩୫୧ ଜଣଙ୍କ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଛି।

୬. ସ୍ୱେଚ୍ଛାସେବୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ କିମ୍ବା ଟ୍ରାକିଂ କରି ହେବ ନାହିଁ :- ସାପ ଉଦ୍ଧାରକାରୀ ବିନା ଦରମାରେ କାମ କରିବେ, ତାଙ୍କ ଗତିବିଧିକୁ ମୋବାଇଲ ଆପ ଜରିଆରେ ଟ୍ରାକିଂ କରାଯିବ। ଯଦି ଉଦ୍ଧାର ପାଇଁ ବିଳମ୍ବ ହେଲା, ତାର କାରଣ କିନ୍ତୁ ସେମାନଙ୍କୁ ଲେଖିକି ଦେବାକୁ ହେବ ବୋଲି ହାସ୍ୟାସ୍ପଦ ସର୍ତ୍ତମାନ ରଖିଛି ବନ ବିଭାଗ ।

ଗାଇଡଲାଇନରେ ଥିବା ତ୍ରୁଟି ଗୁଡିକୁ ସଂଶୋଧନ କରିବା ସହିତ ସାପ ଉଦ୍ଧାରକାରୀ ମାନଙ୍କ ପାଇଁ ସ୍ଵାର୍ଥ ରକ୍ଷା ପାଇଁ ପ୍ରାଧାନ୍ୟ ଦେବା ପାଇଁ ଉପସ୍ଥିତ ସମସ୍ତ ସାପ ଉଦ୍ଧାରକାରୀମାନଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଖୁବଶୀଘ୍ର ସରକାରଙ୍କୁ ଦିଆଯିବ ବୋଲି ସ୍ନେକ ହେଲ୍ପଲାଇନର ସଭାପତି ଡାକ୍ତର ଶୌର୍ଯ୍ୟ ରଞ୍ଜନ ପରିଜା କହିଛନ୍ତି।

Leave A Reply

Your email address will not be published.