ନୂଆଦିଲ୍ଲୀ: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାରି ମଧ୍ୟରେ ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ନେପାଳ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ କରି ପୀଡିତ ମାନଙ୍କୁ ଉତ୍ସାହିତ କରିଛନ୍ତି। ଆମେ ଶୀଘ୍ର ତୁମ ପାଖରେ ଖାଦ୍ୟ ଆଶ୍ରୟ ଏବଂ ତୁମକୁ ପୁନଃ ନିର୍ମାଣରେ ସାହାଯ୍ୟ କରିବାର ଆଶା ନେଇ ପହଞ୍ଚିବୁ ବୋଲି ସେ ଲେଖିଛନ୍ତି।
ନେପାଳର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ନେପାଳ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଦୁଃଖ ପ୍ରକାଶ କରିଛନ୍ତି। ବନ୍ୟା ଯୋଗୁଁ ହୋଇଥିବା ବିଶାଳ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସେ ଲୋକମାନଙ୍କୁ ନେପାଳ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।
ତିବ୍ଦତରୁ ଉତ୍ପନ୍ନ ଭୋଟେକୋଶି ନଦୀ ବୁଧବାର ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ବଢ଼ିବାକୁ ଲାଗିଲା। କିଛି ମିନିଟ୍ ମଧ୍ୟରେ, ରାସୁୱା ଅଞ୍ଚଳର ରାସ୍ତା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପାଣି ପ୍ରବାହିତ ହେବାକୁ ଲାଗିଲା। ରାସ୍ତା ଭାଙ୍ଗିବା ଆରମ୍ଭ ହେଲା, ଏବଂ ବିଦ୍ୟୁତ୍ ପରିବହନ ଲାଇନ ଏବଂ ସବଷ୍ଟେସନ କ୍ଷତିଗ୍ରସ୍ତ ହେବାର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ନେପାଳ ପର୍ଯ୍ୟଟନ ମଧ୍ୟ ତଥ୍ୟ ସେୟାର କରିଛି ଯାହା ଦର୍ଶାଉଛି ଯେ ୨୯୧ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି, ଯେଉଁଥିରେ ୧୦୫ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି। ବନ୍ୟା ପରଠାରୁ ୩୮୪ ପର୍ଯ୍ୟଟକ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି।

