Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବେ। ଏହାପୂର୍ବରୁ ଇଡି ଏହି ମାମଲାରେ ସୋନିଆ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ପାଞ୍ଚ ଦିନ ଜେରା କରିଥିଲା। ଅନ୍ୟପକ୍ଷରେ ଇଡି କାର୍ୟ୍ୟାଳୟରେ ସୋନିଆ ଗାନ୍ଧୀ ହାଜର ହେବା ପୂର୍ବରୁ କଂଗ୍ରେସ ନେତା ଜେରାକୁ ବିରୋଧ କରି ବିକ୍ଷୋଭ କରିବେ ବୋଲି ସୂଚନା ରହିଛି।

ଗତମାସରେ ଏହି ମାମଲାରେ ହାଜର ହେବାକୁ ଇଡି ସୋନିଆ ଗାନ୍ଧୀଙ୍କୁ ସମନ କରିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସୋନିଆ ଗାନ୍ଧୀ ହାଜର ହୋଇପାରିବେନି ବୋଲି କହିଥିଲେ। ତେଣୁ ଇଡି ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରି ନିରବ ରହିଥିଲା। ଏବେ କିନ୍ତୁ ପୁଣିଥରେ ସାନି ସମନ ପଠାଇ ହାଜର ହେବାକୁ କହିଛି। କରୋନା ସଂକ୍ରମଣ ହେତୁ ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁନ ମଧ୍ୟଭାଗରେ ଡାକ୍ତରଖାନାରୁ ଘରକୁ ସ୍ଥାନାନ୍ତର ହେବା ପରେ ସୋନିଆ ଗାନ୍ଧୀ ଇଡି ଆଗରେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ।

ପିଏମ୍ଏଲ୍ଏ ଅଧୀନରେ ସୋନିଆ ଓ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଇଡି ଚାହୁଁଛି। ଏହି ମାମଲାରେ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ ଏବଂ ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ହୋଇଥିବା ଆର୍ଥିକ କାରବାର ସନ୍ଦେହ ଘେରରେ ରହିଛି।

ଜୁନ୍ ମାସରେ ଇଡି ରାହୁଲଙ୍କୁ ୫ ଦିନ ଜେରା କରିଥିଲା। ସେହି ସମୟରେ ଦଳୀୟ କର୍ମୀ ଓ ଶୀର୍ଷ ନେତାମାନେ ତଦନ୍ତକାରୀ ସଂସ୍ଥାକୁ ବିରୋଧ କରିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିହିଂସାମୂଳକ ରାଜନୀତି କରୁଥିବା ଅଭିଯୋଗ କରିଥିଲେ। ଦଳୀୟ କର୍ମୀମାନେ ଦିଲ୍ଲୀ ପୋଲିସ ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ପାଞ୍ଚ ଦିନ ଧରି ଇଡି ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କୁ ଦିନକୁ ୧୦ ରୁ ୧୨ ଘଣ୍ଟା ପଚରାଉଚରା କରୁଥିଲେ। ଏଥର ମଧ୍ୟ ପ୍ରତିବାଦ କରିବାକୁ କଂଗ୍ରେସ ଯୋଜନା କରିଛି। ଏବେ ନ୍ୟାସନାଲ ହେରାଲ୍ଡ ମାମଲାରେ ସତ କଣ ଏବଂ ମିଛ କଣ ଜଣାଇବାକୁ ଏକ ପାମ୍ପଲେଟ୍ ବାଣ୍ଟିବା ପାଇଁ ମଧ୍ୟ କଂଗ୍ରେସ ପ୍ରସ୍ତୁତି କରୁଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.