Latest Odisha News

‘ବେଲାସୁରୁ’ର ବିଶ୍ୱନାଥଙ୍କୁ ମୁଁ ଭୁଲିପାରିବି ନାହିଁ: ଅକ୍ଷୟ ପରିଜା

ଭୁବନେଶ୍ୱର: ଦାଦା ସାହେବ ଫାଲକେ ସମ୍ମାନ ଓ ପଦ୍ମଭୂଷଣରେ ସମ୍ମାନିିତ ସୌମିତ୍ର ଚାଟ୍ଟାର୍ଜୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ।

ତାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ମୋ ଜୀବନର ଏକ ବଡ ସଫଳତା ଥିଲା ବୋଲି କହିଛନ୍ତି ଅକ୍ଷୟ ପରିଜା। ସେ ସ୍ୱପ୍ନ ‘ବେଲାସୁରୁ’ ଜରିଆରେ ସାକାର ହୋଇଥିଲା। ଯାହା ଏବେ ରିଲିଜ୍ ଅପେକ୍ଷାରେ ରହିଛି ବୋଲି କହିଛନ୍ତି ଅକ୍ଷୟ ପରିଜା।

ସୁପରହିଟ୍ ବଙ୍ଗଳା ଛବି ‘ବେଲାଶେଷେ’ର ସିକ୍ୟୁଏଲ ହେଉଛି ‘ବେଲାସୁରୁ’।

‘ବେଲାସୁରୁ’ର ପ୍ରଯୋଜନା ଦାୟିତ୍ୱ ଅକ୍ଷୟ ପରିଜା ପ୍ରଡକ୍ସନ ହାତକୁ ନେଇଥିବା ବେଳେ ପୂର୍ବ ଟିମ୍‌କୁ ଅପରିବର୍ତିତ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଉଭୟ ‘ବେଲାଶେଷେ’ ଓ ‘ବେଲାସୁରୁ’ର ପ୍ରମୁଖ ଚରିତ୍ର ବାନାୟକ ଭୂମିକାରେ ଅଭିନୟ କରିଥିଲେ ସୌମିତ୍ର ଚାଟ୍ଟାର୍ଜୀ।

ଏନେଇ ଅକ୍ଷୟ କୁହନ୍ତି ଯେ ‘ବେଲାସୁରୁ’ର ସୁଟିଂ ସେଟ୍‌ରେ ତାଙ୍କୁ ଭେଟିବା ମୋ ପାଇଁ ଯେମିତି ଉତ୍କଣ୍ଠାପୂର୍ଣ୍ଣ ଥିଲା ସେମିତି ଉତ୍ସାହପ୍ରଦ। ତାଙ୍କ ଅଭିନୟ ଦେଖି ମୁଁ ଅବାକ୍ ହୋଇଯାଇଥିଲି । ମୋତେ ଲାଗିଥିଲା ମୋ ସାମ୍ନାରେ ଯିଏ ଅଭିନୟ କରୁଥିଲେ ସିଏ ଜଣେ ଅଶି ବର୍ଷର ବୟସ୍କ ନଥିଲେ, ଥିଲେ ଜଣେ ଅଠର ବର୍ଷର ତରୁଣ ।

ଏ ବୟସରେ ବି ଏତେ ଏନର୍ଜି ଆସେ କେଉଁଠୁ ? ତାଙ୍କ ଯୁବ ସୁଲଭ ଚପଳତା ଦେଖି ତାଙ୍କୁ ପ୍ରଶ୍ନ କଲି । ଚିରାଚରିତ ହସ ତାଙ୍କ ମୁହଁରେ । ତାଙ୍କୁ ମୁଁ ସୌମିତ୍ର ଦା’ ଡାକିଲେ ସେ ଥଟ୍ଟା କରି କହୁଥିଲେ, ‘ଆପ୍‌ନି ଆମାର ପ୍ରଯୋଜକ୍‌, ଆମି ତୋମାର୍ ବିଶ୍ୱନାଥ୍‌’ ।

ଜଣେ ଏତେ ବଡ ଅଭିନେତା ହୋଇ ମଧ୍ୟ ବେଶ୍ ସରଳ ଓ ଅମାୟିକ ଥିଲେ। ସତ୍ୟଜିତ୍ ରାୟଙ୍କ ଠାରୁ ଆରମ୍ଭ କରି ନନ୍ଦିତା ଓ ଶିବପ୍ରସାଦଙ୍କ ପର‌୍ୟ୍ୟନ୍ତ, ନିଜ ଅଭିନୟ ଜୀବନର ଅଭିଜ୍ଞତା ଓ ଅନୁଭୂତି ବାଂଟୁଥିଲେ ସେ।

ଦୀର୍ଘ ସମୟ ଛିଡା ହୋଇ ସଟ୍ ଦେବା, ଅନ୍ୟମାନଙ୍କ ଭୁଲ ସତ୍ୱେ ବାରମ୍ବାର ରିଟେକ୍ ଦେବାକୁ ସର୍ବଦା ପ୍ରସ୍ତୁତ ରହିବା ସାଙ୍ଗକୁ ରିଟେକ୍ ପାଇଁ ନିଜ ପକ୍ଷରୁ ପ୍ରତିଥର ପ୍ରସ୍ତାବ ରଖିବା, ସର୍ବୋପରି ନିଜର ସହକଳାକାରଙ୍କୁ ପ୍ରତି କ୍ଷେତ୍ରରେ ସହଯୋଗ କରିବା ମୁଁ ଦେଖିଛି ।

ସେ ନିଜ ଭିତରେ ଥିଲେ ଗୋଟେ ବିରାଟ ଇତିହାସ । ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଲା । ତାଙ୍କର ବିୟୋଗ କେବଳ ବଙ୍ଗଳା ଚଳଚ୍ଚିତ୍ର ନୁହେଁ, ଭାରତୀୟ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି । ବ୍ୟକ୍ତିଗତ ଭାବେ ମୋ ପାଇଁ ବି ବୋଲି ସେ କୁହନ୍ତି।

 

Leave A Reply

Your email address will not be published.