Latest Odisha News

BREAKING NEWS

ଘସିପୁରାରେ ଘମାଘୋଟ

ଭୁବନେଶ୍ବର: ଘସିପୁରାରେ ବିଜେଡି ଓ ସୌମ୍ୟ ପଟ୍ଟନାୟକ ମୁହାଁମୁହିଁ । ସୌମ୍ୟଙ୍କ ପ୍ରଚାର ଗାଡିକୁ ଅଟକାଇ ବିଜେଡି ସମର୍ଥକ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । କେବଳ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ନୁହେଁ, ପୋଲିସ ଉପରେ ବି ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟ । ବାଛି ବାଛି ତାଙ୍କ ସମର୍ଥକଙ୍କୁ ପୋଲିସ ଗିରଫ କରୁଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ପୋଲିସର ପକ୍ଷପାତିତା ପ୍ରତିବାଦରେ ଧାରଣା ବି ଦେଇଛନ୍ତି ସୌମ୍ୟ ।

ଘସିପୁରାରେ ବିଜେଡି ଦାଦାଗିରି !

ସୌମ୍ୟଙ୍କ ଏଣ୍ଟ୍ରି ପରେ ଚର୍ଚ୍ଚାରେ ରହିଛି ଘସିପୁରା ବିଧାନସଭା ଆସନ । ଏବେ ବଦ୍ରିଙ୍କ ସହ ସୌମ୍ୟ ମୁହାଁମୁହିଁ ହୋଇଛନ୍ତି । ସୌମ୍ୟଙ୍କ ରାଲିକୁ ଅଟକାଇ ବିଚ୍ ରାସ୍ତାରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରିକୁ ନେଇ ସିଧାସଳଖ ଟାର୍ଗେଟ୍ କରିଛନ୍ତି ସୌମ୍ୟ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସାଙ୍ଗକୁ ଧମକ ଚମକ ଦେଇ ବିଜେଡି କର୍ମୀ ଓ ସମର୍ଥକ ଆତଙ୍କ ଖେଳାଇଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ଗଣତନ୍ତ୍ରରେ ସବୁ ପ୍ରାର୍ଥୀ ନିଜ ପାଇଁ ପ୍ରଚାର କରିପାରିବେ। ତେବେ କାହିଁକି ବଦ୍ରିଙ୍କ ସମର୍ଥକ ବାଟ ଓଗାଳି ଅଶାନ୍ତି ସୃଷ୍ଟି କଲେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ। ସେପଟେ କଣ୍ଟାରୋହି ଟର୍ଣ୍ଣିଂରେ ଅଣଓସାରିଆ ରାସ୍ତା ପାଇଁ ଉଭୟ ପକ୍ଷର ରାଲି ଏକାଠି ହେବାରୁ ରାସ୍ତା ଜାମ୍ ହୋଇଥିଲା ବୋଲି ବଦ୍ରିଙ୍କ ପୁଅ ଦେବାଶିଷ ପାତ୍ର କହିଛନ୍ତି । ତେବେ ଦାଦାଗିରି କିମ୍ବା ଆତଙ୍କରାଜ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ପକ୍ଷପାତ କରୁଛି ପୋଲିସ !

ବଦ୍ରି ସମର୍ଥକଙ୍କ ଦାଦାଗିରି ସାଙ୍ଗକୁ ବିଜେଡି ପ୍ରତି ପୋଲିସ ପକ୍ଷପାତିତା କରୁଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ତାଙ୍କ ସମର୍ଥକଙ୍କୁ ବାଛି ବାଛି ପୋଲିସ ଉଠାଇ ନେଉଛି । ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ପ୍ରରୋଚନାରେ ପୋଲିସ ଏଭଳି କରୁଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ସୌମ୍ୟଙ୍କୁ ସମର୍ଥନ କରୁଥିବା ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କୋର୍ଟଙ୍କ ରହିତାଦେଶ ପରେ ବି ସବୁ ନିୟମକୁ ଫୁ କରି ପୋଲିସ ଘସିପୁରାରେ ପକ୍ଷପାତିତା କରି ତାଙ୍କ ସମର୍ଥକଙ୍କୁ ଗିରଫ କରୁଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସେ ରାମଚନ୍ଦ୍ରପୁର ଥାନା ଆଗରେ ଧାରଣାରେ ବସିଥିଲେ ।

ଭରସା ଜିତିବ ଭୟମୁକ୍ତ ଘସିପୁରା !

ଭୟମୁକ୍ତ ଘସିପୁରାର ନାରା ଦେଇଛନ୍ତି ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ସମର୍ଥକଙ୍କୁ ଗିରଫ କରାଯାଉଥିବା ବେଳେ ବଦ୍ରିଙ୍କ ସମର୍ଥକଙ୍କ ପ୍ରତି ପୋଲିସ କୋହଳ ହେଉଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ୍ କରାଯାଉଥିବା କହିଛନ୍ତି । ଏଥିସହ ଘସିପୁରାରୁ ଗୁଣ୍ଡାରାଜ, ଦୁର୍ନୀତି ହଟାଇବା ପାଇଁ ସୌମ୍ୟଙ୍କୁ ଭୋଟ୍ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ତେବେ ସୌମ୍ୟଙ୍କ ନାରାରେ କେତେ ଭରସା କରିବେ ଘସିପୁରା ଭୋଟର?

ଘସିପୁରାରେ ବଦଳିବ ମତ !

ଘସିପୁରାରେ ତିନି ପ୍ରମୁଖ ଦଳର ଅସନ୍ତୁଷ୍ଟ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଦେଉଥିବା ଚର୍ଚ୍ଚା ହେଉଛି। ବିଦ୍ରୋହୀ ନେତା ସୌମ୍ୟଙ୍କ ସହ ହାତ ମିଳାଇଲେ ବଦଳିପାରେ ଘସିପୁରା ସମୀକରଣ । ହତ୍ୟାକାଣ୍ଡ, ଗୁଣ୍ଡାରାଜ ଅଭିଯୋଗ ପାଇଁ ବଦ୍ରି ପାତ୍ର ବ୍ୟାକଫୁଟରେ ରହିଥିବା ବେଳେ ସୌମ୍ୟଙ୍କୁ ଭରସା କରିପାରନ୍ତି ଭୋଟର । ଘସିପୁରାରେ ବିଜେଡିରୁ ବଦ୍ରିନାରାୟଣ ପାତ୍ର, କଂଗ୍ରେସରୁ ସୁବ୍ରତ ଚକ୍ର ଓ ବିଜେପିରୁ ଶମ୍ଭୁନାଥ ରାଉତ ପ୍ରାର୍ଥୀ ହୋଇଛନ୍ତି। ବଦ୍ରିଙ୍କ ସହ ସିଧାସଳଖ ଟକ୍କର ସୌମ୍ୟ ପଟ୍ଟନାୟକଙ୍କର ହେବ ବୋଲି କୁହାଯାଉଛି। ତେବେ ସୌମ୍ୟ ଘସିପୁରାରେ ଆଣିପାରିବେ କି ପରିବର୍ତ୍ତନ ?

Leave A Reply

Your email address will not be published.