Latest Odisha News

BREAKING NEWS

ବାରବାଟୀ-କଟକ: କାଣ୍ଟେ କି ଟକ୍କର

ଭୁବନେଶ୍ବର: ମଇଦାନରେ ସବୁ ଦଳର ନୂଆ ପ୍ରାର୍ଥୀ। ବାରବାଟୀ-କଟକରେ ଏଥର ଜୋରଦାର ଟକ୍କର। କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି । ବିଜେଡିରୁ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପିରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ସୋଫିଆ ଓ ପୂର୍ଣ୍ଣଚନ୍ଦ୍ର ରାଜନୀତିରେ ସଂପୂର୍ଣ୍ଣ ନୂଆ ହୋଇଥିବା ବେଳେ ରାଜନୀତିର ପୋଖତ ଖେଳାଳି ପ୍ରକାଶ କଟକ ଓ ବିଜେଡିରେ ନୂଆ। ତେଣୁ ଏଥର ବାରବାଟୀ-କଟକ ଦେଖିବ ବଡ଼ ଲଢେଇ।

ମୋକିମଙ୍କ ଗଡ଼ରେ ସୋଫିଆ

ଗତ ତିନିଟି ନିର୍ବାଚନରେ ବାରବାଟୀ-କଟକରେ କ୍ରମାଗତ ଭାବେ ଭୋଟ୍ ବୃଦ୍ଧି କରିଆସୁଛି କଂଗ୍ରେସ । ୨୦୦୯ରେ ୨୭ହଜାର ପାଇଥିବା ବେଳେ ୨୦୧୯ରେ ୫୦ହଜାର ଭୋଟରେ ପହଞ୍ଚିଥିଲେ ଦଳୀୟ ପ୍ରାର୍ଥୀ। ଥରେ ଜିତିଥିଲେ ବି ବିଧାନସଭା କ୍ଷେତ୍ରରେ ମୋକିମଙ୍କର ନିଜସ୍ବ ସଂଗଠନ ଓ ଭୋଟବ୍ୟାଙ୍କ ରହିଛି । ମୋକିମଙ୍କ ଉପରେ ଅଦାଲତି କଟକଣା ଲାଗିବା ପରେ ତାଙ୍କ ଜାଗାରେ ପ୍ରାର୍ଥୀ ହୋଇଛନ୍ତି ଝିଅ ସୋଫିଆ। ମଇଦାନରେ ସୋଫିଆ ରହିଥିଲେ ବି ପରୋକ୍ଷରେ ନିର୍ବାଚନ ମୋକିମ ହିଁ ଲଢୁଛନ୍ତି । ପ୍ରଚାର ସାଙ୍ଗକୁ ଝିଅ ପାଇଁ କଷୁଛନ୍ତି ବିଜୟ ରଣନୀତି ।

କଟକ ବିକାଶରେ ନବୀନଙ୍କ ବ୍ଲାଙ୍କ ଚେକ୍ !

ବାରବାଟୀ-କଟକ ପାଇଁ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରି ବଡ ସରପ୍ରାଇଜ ଦେଇଥିଲା ବିଜେଡି । ପ୍ରଥମେ କଂଗ୍ରେସ ପରେ ବିଜେପି ଓ ଏବେ ବିଜେଡିରେ ଥିବା ପ୍ରକାଶ ରାଜନୀତିର ପୁରୁଣା ଖେଳାଳି । ତେବେ ବାରବାଟୀ-କଟକ ପାଇଁ ସେ ନୂଆ । ବିଜେଡିର ଭୋଟ୍ ଏହି ଆସନରେ ୫୦ହଜାର ପାଖାପାଖି ରହିଛି । ଦେବାଶିଷ ସାମନ୍ତରାୟ ଦୁଇଥର ଏଠାରୁ ବିଜୟୀ ବି ହୋଇଥିଲେ । ତେବେ ଟକ୍କର କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଛି । ଗତ ପୌର ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିଥିଲା । ବିକାଶର ପ୍ରସଙ୍ଗ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରକାଶ। କଟକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ ଚେକ୍ ବିନିଯୋଗ କରିବେ ବୋଲି କହିଛନ୍ତି। ତେବେ କଟକ ବାହାର ପ୍ରାର୍ଥୀ ଭାବେ ପ୍ରକାଶଙ୍କ ଗ୍ରହଣୀୟତା ନେଇ ବି ପ୍ରଶ୍ନ ଉଠୁଛି।

ପୂର୍ଣ୍ଣ ଫୁଟାଇବେ ପଦ୍ମ !

ଜଣାଶୁଣା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ବାରବାଟୀ-କଟକରେ ବିଜେପିର ବି ସପୋର୍ଟ-ବେସ୍ ରହିଛି । ସମୀର ଦେ ଏଠାରେ ତିନିଥର ବିଧାୟକ ରହିଥିଲେ।  ତେବେ ଦୁଇଥର ସେ ବିଜେଡି-ବିଜେପି ମେଣ୍ଟ ବେଳେ ଜିତିଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କୁ ବିଜେପି ପ୍ରଥମେ ଲୋକସଭା ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଥିଲା । ତେବେ ପରେ ବାରବାଟୀ କଟକ ପ୍ରାର୍ଥୀ କରିଛି । ତାଙ୍କ ପାଇଁ ରୋଡ୍ ଶୋ କରି ଭୋଟ୍ ମାଗିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଶାସନ ବିରୋଧୀ ହାଓ୍ବା ଓ ମୋଦି ଲହର ସାଙ୍ଗକୁ ପୂର୍ଣ୍ଣଚନ୍ଦ୍ରଙ୍କ ଲୋକପ୍ରିୟତା ତାଙ୍କ ପାଇଁ ଓ୍ବିନିଂ ଫ୍ୟାକ୍ଟର ହୋଇପାରେ ।

ସମୀକରଣ ବଦଳାଇବ ସଂଖ୍ୟାଲଘୁ ଭୋଟ୍ !

ବାରବାଟୀ-କଟକରେ ୧୬ପ୍ରତିଶତ ସଂଖ୍ୟାଲଘୁ ଭୋଟର ରହିଛନ୍ତି । ୨୦୧୪ ଓ ୨୦୧୯ରେ ମୋକିମଙ୍କ ଖାତାକୁ ସଂଖ୍ୟାଲଘୁ ଭୋଟର ଅଧିକ ଭାଗ ଯାଇଥିଲା । ତେବେ ପୌର ନିର୍ବାଚନରେ ସଂଖ୍ୟାଲଘୁ ଭୋଟ୍ ବିଜେଡି ଖାତାକୁ ଅଧିକ ଯାଇଥିଲା । ତେଣୁ ଏଥର ସଂଖ୍ୟାଲଘୁ ଭୋଟର ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି । ସେହିପରି ବଙ୍ଗୀୟ ଭୋଟରଙ୍କ ଉପରେ ବି ସବୁ ଦଳର ନଜର ରହିିଛି। ବିଧାନସଭା ସିଟରେ ବହୁସଂଖ୍ୟକ ବଙ୍ଗୀୟ ଭୋଟର ରହିଛନ୍ତି। ସେମାନଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ। ନିର୍ବାଚନ ଆରମ୍ଭରୁ ମୋକିମ ଗ୍ରାଉଣ୍ଡରେ ଆକ୍ଟିଭ ରହିଥିବା ବେଳେ ସୋଫିଆ ଯୁବ ପ୍ରାର୍ଥୀ ଭାବେ ଭୋଟରଙ୍କ ମନ ଜିତିପାରନ୍ତି । ତିନି ଦଳର ପ୍ରାର୍ଥୀ ପ୍ରଚାର ମଇଦାନରେ ଜୋରଦାର ଉଦ୍ୟମ କରୁଥିବା ବେଳେ ବାରବାଟୀ-କଟକ ଲଢେଇ ଉପରେ ସାରା ରାଜ୍ୟର ନଜର ରହିଛି ।

Leave A Reply

Your email address will not be published.