Latest Odisha News

BREAKING NEWS

ଜଟଣୀ ଜିତିବ କିଏ?

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆସୁଥିବା ଜଟଣୀ ବିଧାନସଭାରେ ଏଥର ରୋଚକ ଲଢେଇ । ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ପ୍ରାର୍ଥୀ ହେବା ପରେ ଗୋଳମାଳ ହୋଇଛି ଜଟଣୀ ଗଣିତ । ପୁରୁଣା କଂଗ୍ରେସ କର୍ମୀ ଏବେ କେଉଁ ଆଡକୁ ଢଳିବେ, ସେନେଇ ଦ୍ବନ୍ଦ୍ବ ରହିଛି। ବିଭୂତି ବଳବନ୍ତରାୟଙ୍କୁ ବିଜେଡି ଓ ବିଶ୍ବରଞ୍ଜନ ବଡଜେନାଙ୍କୁ ରିପିଟ୍ କରିଛି ବିଜେପି। ତେବେ ଦୁଇ ସ୍ବାଧୀନ ପ୍ରାର୍ଥୀ ଏମଡି ମନଓ୍ବର ଅଲ୍ଲୀ ଓ ସୁଜିତ ବଳବନ୍ତରାୟ ଜୋରଦାର ଶକ୍ତି ପ୍ରଦର୍ଶନ କରୁଛନ୍ତି। ତେଣୁ ଏଥର କାହାକୁ ଭରସା କରିବେ ଜଟଣୀ ଭୋଟର ?

କଂଗ୍ରେସରେ ‘ସୁର’ କନଫ୍ୟୁଜନ୍

ଜଟଣୀରେ ଗତଥର ବିଜୟୀ ହୋଇଥିଲେ ଭେଟେରାନ୍ କଂଗ୍ରେସ ନେତା ସୁର ରାଉତରାୟ । ତେବେ ଦଳବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବିଦା କରିଛି କଂଗ୍ରେସ । ସୁରଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ଦଳରୁ ବିଦା ହେବା ପରେ ତାଙ୍କ ପାଇଁ ଖୋଲାଖୋଲି ପ୍ରଚାର କରୁଛନ୍ତି ସୁର। ତେଣୁ ସୁରଙ୍କ ସମର୍ଥକ ଏବେ କୁଆଡେ ଯିବେ? ବିଜେଡିକୁ ସମର୍ଥନ କରିବେ ନା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନାଙ୍କ ଆଡକୁ ଢଳିବେ, ତାକୁ ନେଇ ଦ୍ବନ୍ଦ୍ବ ରହିଛି । କଂଗ୍ରେସ ପ୍ରାର୍ଥୀ ହେବାକୁ ଚାହୁଁଥିବା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବି ରହିଛି। କଂଗ୍ରେସରୁ ସରପ୍ରାଇଜ୍ କ୍ୟାଣ୍ଡିଡେଟ୍ ହୋଇଥିବା ସନ୍ତୋଷ ଜଟଣୀରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ହେଲେ ଦଳ ପକ୍ଷରୁ ତାଙ୍କୁ କେତେ ବଳ ମିଳିବ ତା ବି ଅସ୍ପଷ୍ଟ ।

ବିଜେଡି ବିଜେପି ଓ ବିଜୟ ଅଙ୍କ

ବିଭୂତି ବଳବନ୍ତରାୟଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ବିଭୂତି । ହେଲେ ବିଭୂତିଙ୍କ ପାଇଁ ବି ରହିଛି ମନ୍ମଥ ଦ୍ବନ୍ଦ୍ବ। ମନ୍ମଥଙ୍କ ପାଇଁ ଖୋଲାଖୋଲି ପ୍ରଚାର କରୁଥିବା ସୁରଙ୍କ ସମର୍ଥକ ବିଭୂତିଙ୍କୁ କେତେ ସମର୍ଥନ କରିବେ ସେନେଇ ଦ୍ବନ୍ଦ୍ବ ରହିଛି । ପୂର୍ବରୁ ସୁର ଓ ବିଭୂତି ଅନେକ ଥର ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି । ସେପଟେ ବିଜେପି ପୁଣି ବିଶ୍ବରଞ୍ଜନ ବଡଜେନାଙ୍କୁ ଟିକେଟ୍ ଦେଇଛି। ମୋଦିଙ୍କ ଗ୍ୟାରେଣ୍ଟି ଓ କେନ୍ଦ୍ରର ଲୋକାଭିମୁଖୀ ଯୋଜନା ଆଧାରରେ ନିର୍ବାଚନ ଲଢୁଛନ୍ତି ବିଶ୍ବରଞ୍ଜନ।

ସମୀକରଣ ବିଗାଡିବେ ସ୍ବାଧୀନ !

ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ଦୁଇ ସ୍ବାଧୀନ ପ୍ରାର୍ଥୀ ଏମଡି ମନଓ୍ବର ଅଲ୍ଲୀ ଓ ସୁଜିତ ବଳବନ୍ତରାୟ। ନବନିର୍ମାଣ କୃଷକ ସଂଗଠନର ସଂଗଠକ ଏମଡି ମନଓ୍ବର ଅଲ୍ଲୀ ଟ୍ରାକ୍ଟରରେ ବଡ ରାଲି କରି ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି । ସେପଟେ ସୁଜିତ ବଳବନ୍ତରାୟ ମହିଳା ସମାବେଶ ସହ ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି । ଦୁଇ ସ୍ବାଧୀନ ପ୍ରାର୍ଥୀ ବେକାରୀ ଓ ଚାଷୀ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି । ଲୋକଙ୍କ ସମସ୍ୟାକୁ ପ୍ରସଙ୍ଗ କରି ବିଜୟୀ ହେଲେ ସମାଧାନର ପ୍ରତିଶ୍ରୁତି ଦେଉଛନ୍ତି। ସ୍ବାଧୀନ ପ୍ରାର୍ଥୀ କାହା ଭୋଟ୍ କାଟିବେ? ତାଉପରେ ଜଟଣୀ ବିଜୟ ଗଣିତ ନିର୍ଭର କରିପାରେ । ଏପରିକି ବାଜି ବଦଳାଇପାରନ୍ତି ଜଟଣୀର ଏହି ଦୁଇ ସ୍ବାଧୀନ ପ୍ରାର୍ଥୀ ।

ଜଟଣୀ ଦଖଲ କରିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । କେବେ ବିଜେଡି ତ କେବେ କଂଗ୍ରେସ ହାତକୁ ଯାଇଛି ଜଟଣୀ । ଆଜି ପର୍ଯ୍ୟନ୍ତ ବିଜେପି କେବେବି ଜଟଣୀରୁ ଜିତିନି । ଜଟଣୀର ସଂଖ୍ୟାଲଘୁ ଭୋଟ୍ କାହା ଖାତାକୁ ଯିବ, ତାଉପରେ ବି ନଜର ରହିଛି । ଜଟଣୀ ପ୍ରଦର୍ଶନର ପ୍ରଭାବ ଭୁବନେଶ୍ବର ଲୋକସଭା ଉପରେ ବି ପଡିପାରେ ।

Leave A Reply

Your email address will not be published.