Latest Odisha News

BREAKING NEWS

କ୍ରିମିନାଲ୍ ଏକ୍ସପର୍ଟରୁ ସାଉଥ୍ କୁଇନ୍

ଚେନ୍ନାଇ: ସେ ଦେଖିବାକୁ ଯେତିକି ସୁନ୍ଦର, ତାଙ୍କ ଅଭିନୟ ସେତିକି ଦମଦାର। ସେ ହେଉଛନ୍ତି ସାଉଥ୍ ସିନେମାର ‘କୁଇନ୍’ ତ୍ରିଶା କୃଷ୍ଣନ। କିନ୍ତୁ ଆପଣ ଜାଣନ୍ତି କି, ଆଜି କୋଟି କୋଟି ହୃଦୟରେ ରାଜ୍ କରୁଥିବା ଏହି ଅଭିନେତ୍ରୀ ଜଣକ କେବେ ଅଭିନୟ ଦୁନିଆକୁ ଆସିବାକୁ ଚାହୁଁନଥିଲେ ? ସେ ଚାହୁଁଥିଲେ ଜଣେ ‘କ୍ରିମିନାଲ ସାଇକୋଲୋଜିଷ୍ଟ’ ହେବା ପାଇଁ। ହୋଟେଲ ମ୍ୟାନେଜରଙ୍କ ଝିଅରୁ କେମିତି ସେ ବନିଲେ ସୁପରଷ୍ଟାର ଏବଂ କାହିଁକି ଏବେ ତାଙ୍କ ନାଁ ଥାଲାପତି ବିଜୟଙ୍କ ସହ ଯୋଡ଼ା ଯାଉଛି ? ଦେଖନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ।

୧୯୮୩ ମସିହାରେ ଚେନ୍ନାଇର ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ତ୍ରିଶା। ବାପା ଚେନ୍ନାଇର ଏକ ଫାଇଭ୍ ଷ୍ଟାର ହୋଟେଲରେ ମ୍ୟାନେଜର ଥିଲେ। ପିଲାଦିନର କିଛି ସମୟ ନ୍ୟୁୟର୍କରେ ବିତିଥିଲା। ପାଠପଢ଼ାରେ ଖୁବ୍ ମେଧାବୀ ଥିବା ତ୍ରିଶା ଗଣିତ ଏବଂ ବିଜ୍ଞାନରେ ରୁଚି ରଖୁଥିଲେ। ଗ୍ଲାମର ଦୁନିଆ ସହ ତାଙ୍କର ଦୂର ଦୂର ଯାଏଁ କୌଣସି ସମ୍ପର୍କ ନଥିଲା। ସେ ଜଣେ ‘କ୍ରିମିନାଲ ସାଇକୋଲୋଜିଷ୍ଟ’ ହୋଇ ଅପରାଧୀଙ୍କ ମନସ୍ତତ୍ତ୍ୱ ଅଧ୍ୟୟନ କରିବାକୁ ସ୍ୱପ୍ନ ଦେଖୁଥିଲେ।

କିନ୍ତୁ ଭାଗ୍ୟର ଖେଳ ଥିଲା କିଛି ଅଲଗା। କଲେଜରେ ପଢୁଥିବା ସମୟରେ କିଛି ବିଉଟି କଣ୍ଟେଷ୍ଟରେ ଭାଗ ନେଇଥିଲେ ତ୍ରିଶା। ୧୯୯୯ରେ ‘ମିସ୍ ମାଡ୍ରାସ’ ଟାଇଟଲ୍ ଜିତିବା ପରେ ତାଙ୍କ ପାଇଁ ମଡେଲିଂ ଏବଂ ବିଜ୍ଞାପନର ଦ୍ୱାର ଖୋଲିଗଲା। ୭ ବର୍ଷର ବାଲେ ନୃତ୍ୟର ଅଭିଜ୍ଞତା ତାଙ୍କୁ କ୍ୟାମେରା ଆଗରେ ଆହୁରି ଆତ୍ମବିଶ୍ୱାସୀ କରି ଗଢ଼ିତୋଳିଲା।

୧୯୯୯ରେ ‘ଜୋଡ଼ି’ ଫିଲ୍ମରୁ ସପୋର୍ଟିଂ ରୋଲ୍‌ରେ କ୍ୟାରିୟର ଆରମ୍ଭ କରିଥିବା ତ୍ରିଶାଙ୍କୁ ପ୍ରକୃତ ପରିଚୟ ମିଳିଥିଲା ୨୦୦୩ର ଫିଲ୍ମ ‘ସାମି’ରୁ। ଏହାପରେ ବିଜୟଙ୍କ ସହ ‘ଘିଲ୍ଲି’ ଫିଲ୍ମ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। କେବଳ ତାମିଲ ନୁହେଁ, ପ୍ରଭାସଙ୍କ ସହ ତେଲୁଗୁ ଫିଲ୍ମ ‘ବର୍ଷମ’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ଜିତିଥିଲେ।

କିନ୍ତୁ ଗତ କିଛି ମାସ ହେବ ତ୍ରିଶା ନିଜ ଅଭିନୟ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ୧୫ ବର୍ଷ ପରେ ଯେତେବେଳେ ସେ ସୁପରଷ୍ଟାର ଥାଲାପତି ବିଜୟଙ୍କ ସହ ‘ଲିଓ’ ଫିଲ୍ମରେ ନଜର ଆସିଲେ, ସେବେଠାରୁ ଦୁହିଁଙ୍କ ଆଫେୟାର ଖବର ଜୋର୍ ଧରିଛି। ଏପରିକି ବିଜୟଙ୍କ ବୈବାହିକ ଜୀବନରେ ବିବାଦ ଏବଂ ପତ୍ନୀଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ପଛରେ ତ୍ରିଶାଙ୍କୁ ଦାୟୀ କରାଯାଉଥିବା ନେଇ ଗୁଜବ ଶୁଣିବାକୁ ମିଳୁଛି। ତ୍ରିଶା ସୋସିଆଲ ମିଡିଆରେ ବିଜୟଙ୍କ ସହ ଅନେକ ଫଟୋ ଶେୟାର କରୁଥିଲେ ମଧ୍ୟ, ଦୁହିଁଙ୍କ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବିନା କୌଣସି ବଲିଉଡ୍ କନେକ୍ସନ ବା ଗଡ୍‌ଫାଦରରେ ଆଜି ତ୍ରିଶା ଦକ୍ଷିଣ ଭାରତୀୟ ସିନେମାରେ ଏକ ବଡ଼ ସାମ୍ରାଜ୍ୟ ଠିଆ କରିଛନ୍ତି। କ୍ରିମିନାଲ ସାଇକୋଲୋଜିଷ୍ଟ ହୋଇପାରିଲେ ନାହିଁ ସତ, କିନ୍ତୁ ନିଜ ଅଭିନୟ ଜାଦୁରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ ଜିତିବାରେ ନିଶ୍ଚିତ ସଫଳ ହୋଇଛନ୍ତି।

Leave A Reply

Your email address will not be published.