Latest Odisha News

BREAKING NEWS

ଶେଷ ହେଲା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମୟୂରଭଞ୍ଜରେ ହେଉଛି ବର୍ଷା

ଭୁବନେଶ୍ବର : ଶେଷ ହୋଇଛି ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ଏବେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି । ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ଭଦ୍ରକରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି । ବାତ୍ୟା ଯୋଗୁଁ ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଯାଇଛି ବୋଲି କହିଛନ୍ତି ଏସଆରସି ।

ଶିମିଳିପାଳ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଇଛି । ବୁଢାବଳଙ୍ଗରେ ବିପଦ ସଙ୍କେତ ସର୍ବାଧିକ ୨୮ ମିଟର ଥିବା ବେଳେ, ଏବେ ଜଳସ୍ତର ୨୧ ମିଟରରେ ସୀମିତ ରହିଛି । ତେବେ ଆଗୁଆ ସତର୍କତା ପାଇଁ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ପରେ ଏନ୍‌ଡିଆର‌୍‌ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉପୁଡି ପଡିଥିବା ଗଛ ଓ ଗଛଡାଳ ଆଦିକୁ ରାସ୍ତାରୁ ସଫା କରାଯାଉଛି । ବାତ୍ୟା ପ୍ରଭାବରେ ଅନେକ ଗାଁରେ ସମୁଦ୍ର ପାଣି ପଶିଛି । ୪ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିଥିଲା । ବାହାନଗା, ରେମୁଣା, ବାଲେଶ୍ବର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷୟକ୍ଷତିର ହିସାବ କରାଯିବ । ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏସଆରସି ।

Leave A Reply

Your email address will not be published.