Latest Odisha News

BREAKING NEWS

ଶ୍ରୀଜିଉ ମଧ୍ୟ ପରିଧାନ କରନ୍ତି ଶୀତବସ୍ତ୍ର

ଭୁବନେଶ୍ୱର: ମାନବୀୟ ଲୀଳାରେ ମହାପ୍ରଭୁ ସାଧାରଣ ମଣିଷଟିଏ ପରି ନିଜର ଜୀବନ ଯାପନ କରନ୍ତି। ସାଧାରଣ ବ୍ୟକ୍ତିଟିଏର ଯେପରି ଓ ଯାହାସବୁ ମୌଳିକ ସୁଖସୁବିଧା ଆବଶ୍ୟକ, ମହାପ୍ରଭୁଙ୍କୁ ମଧ୍ୟ ସେହିସବୁ ପ୍ରଦାନ କରାଯାଇଥାଏ ।

ତେବେ ଓଡ଼ିଶାର ପାଣିପାଗ ଅନୁସାରେ ମାର୍ଗଶିର ମାସରୁ ଶୀତର ପ୍ରଭାବ ଅନୁଭୁତ ହେଉଥିବା ବେଳେ ସାଧାରଣ ଲୋକଙ୍କ ପରି ଜଗତର ନାଥ ଜଗନ୍ନାଥଙ୍କୁ ମଧ୍ୟ ଶୀତ ବସ୍ତ୍ରର ଆବଶ୍ୟକତା ପଡିଥାଏ ।

ଏହି ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ତିନିଠାକୁର ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବସ୍ତ୍ର ପରିଧାନ କରନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ମଧ୍ୟ ରହିଛି ।

ପୁରାଣ ଅନୁସାରେ, ମାର୍ଗଶିର ଶୁକ୍ଳ ପଞ୍ଚମୀ ରାତିରେ ପ୍ରାବରଣ ବସ୍ତ୍ର ଗୁଡିକର ଅଧିବାସ କରାଯାଏ । ଓଢଣ ଷଷ୍ଠୀ ଦିନ ସେହି ବସ୍ତ୍ରକୁ ଦ୍ୟୁତାନସ୍ତୁ ମନ୍ତ୍ରରେ ଶ୍ରୀଜୀଉ ମାନଙ୍କୁ ପରିଧାନ କରାଯାଏ । ଏଥିରେ ତୁଷ୍ଟ ହୋଇ ଶ୍ରୀଜଗନ୍ନାଥ ଶୀତକୁ ସ୍ୱୀକାର କରନ୍ତି ଏବଂ ଓଢଣଷଷ୍ଠୀଠାରୁ ଗଡା (ସୂତାବସ୍ତ୍ର),ଖଣ୍ଡୁଆ ପାଟ, ମଖମଲି ଘୋଡବସ୍ତ୍ର, ଶିରାବରଣ(ମଫଲର) ଓ ଟୋପର ଆଦି ପିନ୍ଧନ୍ତି । କୁହାଯାଏ ଏହି ଶୀତବସ୍ତ୍ର ପରିଧାନ କରି ମହାପ୍ରଭୁ ଶୀତ ସହ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେ ସଂସାରର ଲୋକଙ୍କୁ ଅଧିକ କଷ୍ଟ ନଦେବା ପାଇଁ ।

Leave A Reply

Your email address will not be published.