Latest Odisha News

BREAKING NEWS

ରାଜ୍ୟ ବଜେଟ : ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟି

ଭୁବନେଶ୍ବର : ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ । ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏସସିବି ମେଡିକାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଏସସିବିକୁ ଏମ୍ସ ପ୍ଲସ ପ୍ରତିଷ୍ଠାନେର ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାର ୫ ଶହ କୋଟି ଟଙ୍କା ବ୍ୟୟରେ ଏସସିବିକୁ ୫ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତିତ କରିବା ପାଇଁ ଏକ ବୃହତ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ । ଏଥିପାଇଁ ୨୦୨୧-୨୨ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି ।

ସେହିପରି ସାବର୍ଜନୀନ ଭାବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧୬୪ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ ହଜାର ୩୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଅଧିନରେ ସ୍ଵାସ୍ଥ୍ୟ‌ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇ ଦେବା ପାଇଁ ୧ ହଜାର ୫୭୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ୧ ହଜାର ୭୫୫ କୋଟି ଟଙ୍କା ଏବଂ ନିମର୍ଳ ଯୋଜନା ଅଧିନରେ ୩୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.