Latest Odisha News

BREAKING NEWS

କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର, ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ବଢ଼ିଲା ସରକାରୀ ଚାକିରି ବୟସ ସୀମା । ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି । ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ୫ ବର୍ଷ କୋହଳ ହୋଇଛି ବୟସ ସୀମା । ୪୩ ବର୍ଷକୁ ବୃଦ୍ଧି ପାଇଛି ସଂରକ୍ଷିତ ବର୍ଗଙ୍କ ଚାକିରି ବୟସ ସୀମା ।

ଏହାସହ ୫ଟି ପାନୀୟ ଜଳ ମେଗା ପ୍ରକଳ୍ପ ପାଇଁ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି । ମୟୂରଭଞ୍ଜ କପ୍ତିପଦା ବ୍ଲକ୍‌ର ୧୫୫ ଗ୍ରାମକୁ ପାନୀୟ ଜଳ ମିଳିବା ସହିତ ଶ୍ୟାମାକୁଦା ଓ ବାରିପଦା ବ୍ଲକ୍‌ର ୨୨୨ ଗ୍ରାମକୁ ମିଳିବ ପାନୀୟ ଜଳ ସୁବିଧା । ଭୁବନେଶ୍ବର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦେବେ ସରକାର ।

ସେହିପରି ୨୦୦୪ ମସିହା ଗ୍ରାଣ୍ଟ-ଇନ-ଏଡରୁ ବାଦ୍ ପଡ଼ିଥିବା ବେସରକାରୀ କଲେଜ ଗୁଡ଼ିକୁ ଅନୁଦାନ, ୪୦ ପ୍ରତିଶତ ଅବକାରୀ ଡିଏସପି ପଦବୀକୁ ସିଧାସଳଖ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ପୂରଣ ଭଳି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଛି ।

Leave A Reply

Your email address will not be published.