Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ସେଥି ମଧ୍ୟରେ ଡୁଡୁକା-ଗୋପାଳପୁର-ଟପୋରିଆ ରାସ୍ତାର ଉନ୍ନତିକରଣ ସହିତ ଦୁଇଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ରହିଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସୁନ୍ଦରଗଡ଼ ଜିଲ୍ଲାବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସୁନ୍ଦରଗଡ଼ଠାରେ ସାମ୍ବାଦିକ ସମ୍ମିଳନୀରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

ସୁନ୍ଦରଗଡ଼ ଗସ୍ତ ସମୟରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ଖଣିମନ୍ତ୍ରୀ । ସୁନ୍ଦରଗଡ଼ବାସୀଙ୍କ ଉନ୍ନତି ପାଇଁ ଏହି ପ୍ରମୁଖ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ବିଗତ ଦିନରେ ରାଜ୍ୟ ସରକାର ଅନେକ ଉନ୍ନୟନମୂଳକ ପ୍ରକଳ୍ପ ସୁନ୍ଦରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି । ଆଜି ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ରାସ୍ତା ଉନ୍ନତିକରଣ ଲାଗି ୧୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଥିବାରୁ ସୁନ୍ଦରଗଡ଼ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ।

ସୁନ୍ଦରଗଡ଼ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟପୋରିଆ ରାସ୍ତାକୁ ୨ ଲେନ୍ ବିଶିଷ୍ଟ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଛତିଶଗଡ଼ର ରାଇଗଡ଼ ଓ ସୁନ୍ଦରଗଡ଼ ଟାଉନ ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗର ଉନ୍ନତି ହୋଇପାରିବ । ବସୁନ୍ଧରା କୋଇଲା ଖଣି ଅଞ୍ଚଳକୁ ଏହି ରାସ୍ତା ସଂଯୋଗ କରିବାରେ ବିଶେଷ ସହାୟକ ହେବ । ଏହି ପ୍ରକଳ୍ପ ପାଇଁ କ୍ୟାବିନେଟରେ ୧୦୩ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି କାମ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ଦୁଇଟି ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଦୁଇଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ଜିଲ୍ଲାର ୧୦ଟି ବ୍ଲକର ୬ ଲକ୍ଷ ୩୮ ହଜାର ୪୦୭ ଜଣ ଲୋକ ଉପକୃତ ହେବେ । ସେଥିମଧ୍ୟରୁ ବାଲିଶଙ୍କରା ବ୍ଲକର ୮୫ଟି ଗ୍ରାମର ୮୭,୯୮୦ ଜଣ, ଲେଫ୍ରିପଡ଼ା ବ୍ଲକର ୭୬ଟି ଗ୍ରାମର ୪୮,୯୨୫, ଟାଙ୍ଗରପାଲି ବ୍ଲକର ୭୩ଟି ଗ୍ରାମର ୬୩,୬୭୩, ସୁନ୍ଦରଗଡ଼ ବ୍ଲକର ୮୫ଟି ଗ୍ରାମର ୭୧,୦୮୨, ବଡ଼ଗାଁ ବ୍ଲକର ୪୨ଟି ଗ୍ରାମର ୪୪,୮୫୫, ସବଡେଗା ବ୍ଲକର ୬୦ଟି ଗ୍ରାମର ୬୨,୨୭୫ ଜଣ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ।

ସେହିପରି ବିଶ୍ରା ବ୍ଲକର ୬୨ଟି ଗ୍ରାମର ୬୩ ହଜାର ୧୩୮ ଜଣ, ଲାଠିକଟା ବ୍ଲକର ୭୦ଟି ଗ୍ରାମର ୧ ଲକ୍ଷ ୪ ହଜାର ୯୩୦, ଲହୁଣୀପଡ଼ା ବ୍ଲକର ୭୦ଟି ଗ୍ରାମର ୩୪,୯୧୭ ଏବଂ ବଣାଇଁ ବ୍ଲକର ୯୩ଟି ଗ୍ରାମର ୫୬,୬୩୨ ଜଣ ଲୋକ ଉପକୃତ ହେବେ । ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କାଙ୍କ ସହିତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.