Latest Odisha News

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିରେ ଭାଗନେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଜୟ ବାବାମଣି କୁହାଁ ନୃତ୍ୟ ଦଳ ମନୋନୀତ

ସୁନ୍ଦରଗଡ଼ : ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୀତ ହାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଜୟ ବାବାମଣି କୁହାଁ ନୃତ୍ୟ ଦଳ । ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ସଂଘର କଳାକାରମାନେ ‘କିଷାନ ନୃତ୍ୟ’ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ନୃତ୍ୟ ଦଳର ମୁଖ୍ୟ ଫୁଲମନି ବାଡ଼ାଙ୍କ ସହିତ କଳାକାରମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ଲୋକକଳା ସଂଘର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ୧୭ଟି ବ୍ଲକରୁ ବିଭିନ୍ନ ଲୋକକଳା ଦଳ ଭାଗନେଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । କଳାକାରମାନେ ପାଲା, ଦାସକାଠିଆ, ସଂକୀର୍ତ୍ତନ, କୃଷ୍ଣଗୁରୁ ସହିତ ଝୁମେର, କିଷାନ, ଖଡ଼ିଆ ଆଦି ଲୋକନୃତ୍ୟ ପରିବେଷଣ କରିଥିଲେ ।

ଓଡ଼ିଶାର ଲୋକକଳା ଏବଂ ସଂସ୍କୃତିକୁ ଆଗକୁ ନେବା ସହିତ କଳାକାରଙ୍କୁ ଉତ୍ସାହିତ କରିବା ଲାଗି ଚଳିତ ବର୍ଷ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ କରାଯାଉଛି । ବିଭିନ୍ନ ଜିଲ୍ଲାରେ ଥିବା ଲୋକକଳାକୁ ରାଜ୍ୟସ୍ତରରେ ପରିବେଷଣ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୧୨ ପ୍ରକାରର ଲୋକକଳା ରହିଛି । ୧୫୯୭ ଲୋକକଳା ଦଳର ୩୦ ହଜାରରୁ ଅଧିକ କଳାକାର ପଞ୍ଜୀକୃତ ହୋଇଛନ୍ତି । ଜିଲ୍ଲାର ଏହି ଅନନ୍ୟ ଲୋକକଳା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟା, ଜିଲ୍ଲା କ୍ରୀଡ଼ା ଅଧିକାରୀ ମିଲଟନ୍ ବିଲୁଙ୍ଗ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବି.ଡି ସିଂହ, ବରିଷ୍ଠ କଳାକାର ତଥା ନୃତ୍ୟ ବିଶାରଦ ଆଲୋକ ସିଂ ଓ ସୁବାସ ମାଝି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.