Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ମଞ୍ଜୁର କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ- ୨୦୨୦ କୁ ମଞ୍ଜୁର ପାଇଁ ରାଜ୍ୟ ସରକାର, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶ ଉପରେ ଉଠାଇଥିବା ଆପତ୍ତିର ସ୍ପଷ୍ଟୀକରଣ ଦିଆଯାଇଛି । ରାଷ୍ଟ୍ରପତି ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ -୨୦୨୦କୁ ଜାରି ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବାରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ, ସଂସଦୀୟ ବ୍ୟାପାର ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ କିଛି ଆପତ୍ତି ନାହିଁ। କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗ ପକ୍ଷରୁ ଅଧ୍ୟାଦେଶକୁ ମଞ୍ଜୁରୀ ପାଇଁ ସ୍ମାରକପତ୍ର ଜାରି କରାଯାଇଛି।

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଯେଉଁ ସ୍ପଷ୍ଟୀକରଣ ମଗାଯାଇଥିଲା ତାହାର ଉତ୍ତର ରଖାଯାଇଛି । ତେଣୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସେବା ପୂଜା ଯେଭଳି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ରାଜ୍ୟପାଳ ଏହି ଅଧ୍ୟାଦେଶକୁ ଜାରି କରିବାପାଇଁ ରାଷ୍ଟ୍ରପତି ଯେଭଳି ନିର୍ଦ୍ଦେଶ ଦେବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

୨୦୨୦ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଭୁବନେଶ୍ୱରରେ ଥିବା ସର୍ବବୃହତ୍‍ ଲିଙ୍ଗରାଜ ମନ୍ଦିର ସହିତ ଅନ୍ୟ ୮ଟି ମନ୍ଦିର ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ନିୟନ୍ତ୍ରଣରେ ରହିଛି ଏବଂ ଅନୁରୂପ ଭାବେ ଜଗନ୍ନାଥ ମନ୍ଦିର ପାଇଁ ପରିଚାଳନା କମିଟି ଅଛି । ଲିଙ୍ଗରାଜ ମନ୍ଦିରଟି ବର୍ତ୍ତମାନ ଓଡିଶା ହିନ୍ଦୁ ଦେବତ୍ତୋର ଆଇନ ଅଧୀନରେ ଅଛି ।

ଜଗନ୍ନାଥ ମନ୍ଦିର ବ୍ରିଟିଶ ଶାସନ ଅଧୀନରେ ଦୀର୍ଘ ଦିନ ରହିବା ପରେ ୧୯୫୫ ମସିହାରେ ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ ଲାଗୁ ହୋଇଥିଲା । ଏହି ଅଧ୍ୟାଦେଶରେ ଜଗନ୍ନାଥ ମନ୍ଦିର ଭଳି ଜଣେ ପ୍ରଶାସକ ଏବଂ ଐତିହ୍ୟ ଅଧିକାର ସହିତ ସେବାୟତ ବ୍ୟବସ୍ଥା ରହିବ ।

ତେବେ ଏହି ଅଧ୍ୟାଦେଶଟି ଆମସର ଆଇନ୍‍ ୧୯୫୮ର ବିରୁଦ୍ଧାଚରଣ କରୁଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦର୍ଶାଇଛନ୍ତି । ଅଧ୍ୟାଦେଶରେ ଥିବା କେତେକ ଧାରାରେ ପରିବର୍ତ୍ତନ ଆବଶ୍ୟକ କରୁଛି ଯାହାକି କେନ୍ଦ୍ରୀୟ ଆଇନ୍‍ର ବିରୁଦ୍ଧାଚରଣ କରୁଛି । ରାଜ୍ୟ ସରକାର ବର୍ତ୍ତମାନ ସମସ୍ତ ସ୍ପଷ୍ଟୀକରଣ ରଖିଥିବା ଜଣେ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.